ସଦିଚ୍ଛାର ସୌଦାଗର

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ
ପ୍ରାୟ କୋଡିଏ ବର୍ଷରୁ ଊର୍ଦ୍ଧ୍ୱ କାଳ ବିତିଗଲାଣି ତାଙ୍କର ଏ ସଂସାର ଛାଡିବାର। ସେ ସମୟରେ ବା ତା’ ପୂର୍ବରୁ ଓଡ଼ିଶାର ଏମିତି କେହି ଲେଖକ ନ ଥିବେ, ଯିଏ ତାଙ୍କ ହାତଲେଖା ଚିଠି ଖଣ୍ଡିଏ ପାଇ ନ ଥିବେ ନିଜ ଜୀବଦ୍ଦଶାରେ। ଦାସିଆ ଅଜା ନାମରେ ଲେଖକଙ୍କ ନିକଟରେ ପରିଚିତ ଏହି ବୃଦ୍ଧ ବ୍ୟକ୍ତି ଜଣକ ତାଙ୍କ କରଣିଆ ଅକ୍ଷରରେ ପୋଷ୍ଟକାର୍ଡରେ ଲେଖିଥିବେ କଥାକୁହା ଦୁଇ ତିନିଟି ଧାଡି- ତୁମ ଲେଖା ପଢିଲି। ଭାରି ମନକୁ ପାଇଲା। ତୁମ ଲେଖାରେ ଠାକୁରେ ଫୁଲଚନ୍ଦନ ବର୍ଷା କରୁଥାନ୍ତୁ। ଏମିତି ଲେଖା ଲେଖି ମନ ମୋହୁଥାଅ। ଖୁସିରେ ଥାଅ। (ଇତି) ଦାସିଆ। ବାସ୍‌, ଏତିକି। ଅଥଚ କି ଅମୃତ ଥିଲା କେଜାଣି ଏଇ କେତୋଟି କଥା ପଦରେ, ଲେଖକଟିର ସୃଜନ ସତ୍ତା ସଂଜୀବିତ ହେଉଥିଲା ଦୀର୍ଘକାଳ ଯାଏଁ, ଆଗକୁ ଆଉ କିଛି ଲେଖା ଲେଖିବାର ପ୍ରାଣବନ୍ତ ପ୍ରେରଣା ହୋଇ। ଅବଶ୍ୟ ଏ କଥା ସେମାନଙ୍କୁ ବୁଝାଇବା ଲୋଡା ନାହିଁ। ଯେଉଁମାନେ ନିଜେ ବଞ୍ଚିଲେ ବାପର ନାଁ ଭଳି ଆଦର୍ଶକୁ ଜୀବନର ଗୁରୁମନ୍ତ୍ର ଭାବି ଅବଶିଷ୍ଟ ଜଗତ ସହ ସଂଯୁକ୍ତ ହେବାକୁ ସମୟର ଅପଚୟ ବୋଲି ଭାବନ୍ତି, କାହା ପ୍ରତି ସଦିଚ୍ଛା ପ୍ରକଟ କରିବା ତ ଦୂରର କଥା।
କ’ଣ ମିଳେ ଏମିତି ସଦିଚ୍ଛାରୁ? ଦେଉଥିବା ଓ ପାଉଥିବା ଉଭୟ ବର୍ଗର ଲୋକଙ୍କୁ। ହଁ, ପାଉଥିବା ଲୋକର ପ୍ରାପ୍ତିର ଆନନ୍ଦକୁ ବୁଝିବା ଅସହଜ ନୁହେଁ ନିଶ୍ଚୟ। ଆଜିକାଲି ସ୍ବାର୍ଥ କବଳିତ ଜୀବନର ଜୟଗାନ ମଧ୍ୟରେ ମଣିଷ ଯେତେବେଳେ ବିନା ସ୍ବାର୍ଥରେ ନିଜ ମାତାପିତାଙ୍କୁ ବି ସାମାନ୍ୟ ସମୟ ଦେଇପାରୁନି, ସେତେବେଳେ ତା’ର ମଙ୍ଗଳ ମନାସି ଚିଠିଟିଏ ଲେଖିଥିବା ଅଜଣା ଅଚିହ୍ନା ଲୋକଟିର ସ୍ନେହ ସଦିଚ୍ଛାର ଭାଷା ପ୍ରାପକ ପ୍ରାଣରେ ଏକ ଅନିର୍ବଚନୀୟ ମୁଗ୍ଧ ଅନୁଭବର ଉଦ୍‌ବେଳନ ସୃଷ୍ଟି କରିଥାଏ। ମାତ୍ର କ’ଣ ପାଇଥାଏ ଏମିତି ସଦିଚ୍ଛା ଅଜାଡି ଦେଇଥିବା ସେଇ ଅପରିଚିତ ଲୋକ? କାହିଁକି ସେ ମାତିଥାଏ ଏମିତି ଏକ କସରତରେ, ଯେଉଁଠି ପ୍ରାପ୍ତିର ସାମାନ୍ୟ ସମ୍ଭାବନା ନ ଥାଏ କି ପରିଚୟ ବା ପ୍ରତିଷ୍ଠାର ଲୋଭ ନ ଥାଏ। ଏବେ ସିନା ମୋବାଇଲ ଯୁଗରେ ସମଗ୍ର ବିଶ୍ୱ ଏ ପ୍ରାନ୍ତରୁ ସେ ପ୍ରାନ୍ତ ପର୍ଯ୍ୟନ୍ତ ତାହାର ଦୂରତା ହରାଇ ବସିଛି।
ବାଙ୍ଗାଲୋର ସହରରେ ଅଲିମ୍ପିକ ସର୍କସ ପଡିଥାଏ। ସର୍କସର ବହୁ ବିସ୍ମୟକର ଖେଳ ମଧ୍ୟରୁ ସବୁଠୁ ଚିତ୍ତାକର୍ଷକ ଥାଏ ଏକ ଲୌହ ଗୋଲକରୁ ଅନ୍ୟ ଏକ ଗୋଲକକୁ ଶୂନ୍ୟରେ ମୋଟରସାଇକେଲ ଚଳାଇନେବା। ଚାଳକ କିଛି ସମୟ ଗୋଟିଏ ଗୋଲକ ମଧ୍ୟରେ ବାଇକ ଚାଳନା କରି ଶୂନ୍ୟେ ଶୂନ୍ୟେ ପ୍ରାୟ ପାଞ୍ଚ ମିଟର ଦୂରରେ ଥିବା ଅନ୍ୟ ଏକ ଗୋଲକ ମଧ୍ୟକୁ ଲମ୍ଫ ପ୍ରଦାନ କରିବା କିଛି ମାମୁଲି କଥା ନ ଥିଲା। ଦିନେ ରାତିରେ ଖେଳ ସରିଲା ପରେ ତାଙ୍କୁ ଚିଠିଟିଏ ଧରାଇଦେଲା ସର୍କସର ଜଣେ କର୍ମଚାରୀ। ଖେଳ ଦେଖିବାକୁ ଆସିଥିବା ଜଣେ ଦର୍ଶକର ଚିଠି ଥିଲା ତାହା। ଲେଖାଥିଲା, ”ଚମତ୍କାର ଖେଳ ଦେଖାଇ ତୁମେ ବହୁ ଲୋକଙ୍କୁ ଆନନ୍ଦ ଦେଉଛ ବାବୁ! ଅନ୍ୟମାନଙ୍କୁ ବିହ୍ବଳିତ କରୁଥିବାବେଳେ ତୁମେ ଭୁଲ୍‌ରେ ବି କେବେ ଅନ୍ୟମନସ୍କ ହୋଇଯିବନି। ତୁମେ ନିର୍ବିଘ୍ନରେ ରହିଲେ ସିନା ଆମ ଭଳି ଲକ୍ଷ ଲକ୍ଷ ଲୋକଙ୍କୁ ଖେଳ ଦେଖାଇ ଆନନ୍ଦ ଦେଇପାରିବ!“
ସର୍କସର ସେଇ ଖେଳାଳି ଜଣକ ପରମ ଆବେଗରେ କାନ୍ଦି ପକାଇଲେ। ଏତେ ଲୋକ ତା’ର ଖେଳ ଦେଖୁଛନ୍ତି, ତାଳି ମାରୁଛନ୍ତି ଓ ଖେଳ ସରିଲା ପରେ ଯିଏ ଯା’ ବାଟରେ ଚାଲିଯାଉଛନ୍ତି। ଏଇ ଦର୍ଶକଟି ପରି କେହି ତ କାହିଁ ତା’ ନିରାପତ୍ତା ପ୍ରତି ଧ୍ୟାନ ଦେଇନାହାନ୍ତି। ତାଙ୍କର ଇଚ୍ଛା ହେଉଥିଲା, ସେ ଧାଇଁ ଯାଆନ୍ତେ ଓ ସଦିଚ୍ଛାର ସୌଦାଗର ସେଇ ଶୁଭାକାଂକ୍ଷୀ ଦର୍ଶକଙ୍କ ହାତ ଦିଓଟିକୁ ଜାବୁଡି ଧରି କହନ୍ତେ, ”ମୁଁ ତୁମ କଥା ମନେ ରଖିବି ଭାଇ। ମୋ ଜୀବନ ପ୍ରତି ଦରଦ ପ୍ରକଟ କରିଥିବାରୁ ମୁଁ ଧନ୍ୟ ହୋଇଛି। ଧନ୍ୟ ହୋଇଛି ମୋର ପାରଦର୍ଶିତା।“ ମାତ୍ର ଏମିତି ସମ୍ଭବ ହୁଏନା। ଶୁଭାକାଂକ୍ଷୀ ଦର୍ଶକ ଜଣକ ସେତେବେଳକୁ ଅଜଣା ଅଶୁଣା ଭାବେ ଦୃଶ୍ୟପଟରୁ ଅନ୍ତର୍ହିତ ହୋଇ ସାରିଥାନ୍ତି।
ସେତେବେଳକୁ ମୋବାଇଲ ନୂଆ ନୂଆ ବଜାରକୁ ଆସିଥାଏ। କ୍ରିକେଟର ଭଗବାନ ରୂପେ ବିଦିତ ସଚିନ ତେନ୍ଦୁଲକରଙ୍କ ମୋବାଇଲକୁ ବାର୍ତ୍ତାଟିଏ ଆସିଲା। ବାର୍ତ୍ତାଟି ପଢିସାରିଲା ପରେ ଆବେଗରେ ଜଡସଡ ହୋଇ ସଚିନ ଉତ୍ତର ଫେରାଇଥିଲେ, ”ମୁଁ ଆପଣଙ୍କୁ ଭେଟିବାକୁ ଚାହୁଁଛି। କେବେ ଆସିବେ ଜଣାଇଲେ ମୁଁ ଆପଣଙ୍କୁ ଆଣିବାର ବ୍ୟବସ୍ଥା କରିବି।“ ଯେଉଁ ତେନ୍ଦୁଲକରଙ୍କ ସାମାନ୍ୟ ସ୍ବାକ୍ଷର ସନ୍ତକ ପାଇଁ ଲୋକମାନଙ୍କର ଧାଡି ଲାଗିଥାଏ, ତାଙ୍କ ପାଖକୁ ଯିବା ପାଇଁ ଉଷ୍ମ ଆମନ୍ତ୍ରଣ ପାଇଥିବା ସେ ଲୋକ ଜଣକ କିଏ ଯେ! ସେ ସେଇ ଲୋକ, ଯିଏ ତେନ୍ଦୁଲକରଙ୍କ ମୋବାଇଲକୁ ପଠାଇଥିଲେ ଏକ ବିଚିତ୍ର ବାର୍ତ୍ତା। ଆପଣାପଣର ଅମୃତ ସିଞ୍ଚନରେ ଭିଜିଯାଇଥିବା ବାର୍ତ୍ତାଟି ଥିଲା ଏହିପରି।-”ଆପଣ ମୋ ଭଳି ଲକ୍ଷ ଲକ୍ଷ ଲୋକଙ୍କର ଅତି ଆପଣାର। ଏ ଦେଶର ଗୌରବ, ଆପଣଙ୍କ ଜୀବନ ଆମ ପାଇଁ ଓ ଦେଶ ପାଇଁ ଅତ୍ୟନ୍ତ ମୂଲ୍ୟବାନ। କିନ୍ତୁ ସେଦିନ ଆପଣ ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ମୁଣ୍ଡରେ ହେଲମେଟ ନ ପିନ୍ଧି ଏମିତି ବିପଜ୍ଜନକ ବଲଟିକୁ ମାରିବାକୁ ଯାଉଥିଲେ କିପରି। ଯଦି ବଲଟି କପାଳରେ ବାଜିଥାନ୍ତା, କ’ଣ ହୋଇଥାନ୍ତା ଆପଣଙ୍କର? ଆଉ କ’ଣ ହୋଇଥାନ୍ତା ଦେଶବିଦେଶର କୋଟି କୋଟି କ୍ରିକେଟ ପ୍ରେମୀଙ୍କର। ଦୟାକରି ଏମିତି ଅସତର୍କଭାବେ ଖେଳିବେ ନାହିଁ।“ ସୁଖ୍ୟାତ କ୍ରିକେଟିୟରଙ୍କ ସୁରକ୍ଷା ନିମନ୍ତେ କେହି ଜଣେ ଅଜ୍ଞାତ କ୍ରିକେଟପ୍ରେମୀଙ୍କର କି ଆକୁଳ ଆବେଦନ ସତେ!
ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ, ସବୁ ବର୍ଗର ଲୋକଙ୍କ ସର୍ବମାନ୍ୟ ନେତା ଲାଲବାହାଦୁର ଶାସ୍ତ୍ରୀଙ୍କ ନିକଟକୁ ଡାକରେ ଚିଠିଟିଏ ଆସିଥିଲା। ତାଙ୍କ ଶାସନରେ ଶ୍ରମିକଙ୍କଠୁ ସାମନ୍ତଙ୍କ ଯାଏ ସମସ୍ତଙ୍କ ପାଇଁ ସେ ଥିଲେ ପ୍ରାଣାଧିକ ପ୍ରଧାନମନ୍ତ୍ରୀ। ସମସ୍ତଙ୍କ ପାଇଁ ସହଜଲଭ୍ୟ। ନିତିଦିନ ତାଙ୍କ ନିକଟକୁ ଆସୁଥିବା ଶହ ଶହ ଚିଠି ମଧ୍ୟରୁ ଏ ଚିଠିଟି ଥିଲା ବହୁଆଡୁ ବିଚିତ୍ର। ଚିଠିରେ କୌଣସି ପ୍ରାପ୍ତିର ଆଶା ନେଇ କିଛି ମାଗୁଣି ନ ଥିଲା ନା ଥିଲା ଅପ୍ରାପ୍ତିକୁ ନେଇ ଅବସୋସ କି ଅସନ୍ତୋଷ। ଲେଖାଥିଲା, ”ଭାରତର ମୁଁ ଜଣେ ସାଧାରଣ ନାଗରିକ। କିଛି କରୁଣା ଭିକ୍ଷା କରି ମୁଁ ଏ ପତ୍ର ଲେଖୁନାହିଁ। ଆପଣଙ୍କ ପରି ଦିବ୍ୟ ପୁରୁଷ ଯାହାର ପ୍ରଧାନମନ୍ତ୍ରୀ, ତା’ର ପୁଣି ଦୁଃଖ କ’ଣ ଯେ ସେ ଆପଣଙ୍କୁ ହାତ ପାତିବ! ସେଦିନ ଆମ ସହରର ଏକ ଜନସଭାକୁ ସମ୍ବୋଧିତ କରୁଥିଲା ବେଳେ ଆପଣଙ୍କୁ ମଳିନ ଦେଖି ଦୁଃଖ ଲାଗିଲା। ଦେଶର ଦାୟିତ୍ୱ ନେବାରେ ବ୍ୟସ୍ତ ରହି ଆପଣ ଆପଣଙ୍କ ସ୍ବାସ୍ଥ୍ୟର ଯତ୍ନ ନେଉନାହାନ୍ତି ବୋଲି ମୋତେ ଲାଗିଲା। ଆପଣ ସୁଖରେ ରହିଲେ ସିନା ଆମକୁ ସୁଖରେ ରଖିବେ। ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଏତିକି କଲେ ମୁଁ ଖୁସିହେବି। ଆଉ କିଛି ମୋର ଲୋଡା ନାହିଁ।“
ଚିଠିଟି ପଢ଼ି ଶାସ୍ତ୍ରିଜୀଙ୍କ ପ୍ରତିକ୍ରିୟା କ’ଣ ହୋଇଥିବ କେଜାଣି? ଯାହାଙ୍କୁ ସେ କେବେ କିଛି ଅନୁଗ୍ରହ ଦେଖାଇଛନ୍ତି, ତାଙ୍କଠାରୁ ଏମିତି ସମ୍ବେଦନାପୂର୍ଣ୍ଣ ପତ୍ରଟିଏ ପାଇବା କିଛି ବିଚିତ୍ର ନୁହେଁ। ମାତ୍ର ଯାହାକୁ ସେ କେବେ ଜାଣିନାହାନ୍ତି, କୌଣସି ମାଗୁଣି ନେଇ ଯିଏ କେବେ ବି ତାଙ୍କ ଦରବାରରେ ହାତ ପାତିନି, ସେ ପୁଣି ତାଙ୍କ ମଙ୍ଗଳ ପାଇଁ ଏତେ କାତର। ଆବେଗ ଓ ଆନନ୍ଦରେ ମନବୋଧ କରି କାନ୍ଦିବା ବ୍ୟତୀତ ଶାସ୍ତ୍ରିଜୀଙ୍କ ପାଖରେ ଆଉ କିଛି କରିବାର ନ ଥିଲା।
ନିର୍ମଳ ସଦିିଚ୍ଛା ସମ୍ବଳିତ ଦାସିଆ ଅଜାଙ୍କ ସେଇ ପୋଷ୍ଟକାର୍ଡ ଚିଠି ଆଜିକାର ଆଧୁନିକ ଯୁଗରେ ଆଉ ଦେଖିବାକୁ ମିଳୁନି ସତ, ମାତ୍ର ପାଠକୀୟ ପ୍ରତିବେଦନର ସେ ଅମୃତଝର ଶୁଖି ଯାଇନାହିଁ। ତାହା ଟେଲିଫୋନର କଥା ବା ବାର୍ତ୍ତା ହୋଇ ଲେଖକକୁ ପ୍ରେରଣା ଯୋଗାଇ ଚାଲିଛି ଆଗକୁ ବଢିବା ପାଇଁ। ନିଜ ମଧୁସ୍ରାବୀ ଲେଖନୀର ଲାଳିତ୍ୟଭରା ଶବ୍ଦ ସମ୍ଭାରରେ ମାନବୀୟ ମୂଲ୍ୟବୋଧର ଜୟଗାନ କରିବା ସହ ସାମାଜିକ ଅବ୍ୟବସ୍ଥା ବିରୋଧରେ ବୌଦ୍ଧିକ ବିଦ୍ରୋହ ସଂରଚନା କରିଥିବା ଜଣେ ଲେଖକଙ୍କ ପାଖକୁ କେବଳ ସଦିଚ୍ଛାର ସ୍ମାରକୀ ହୋଇ ଏତେ ଫୋନକଲ୍‌ ଆସେ ଯେ ସେ ଆଶ୍ଚର୍ଯ୍ୟ ହୁଅନ୍ତି। କିଏ ଏମାନେ। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ତ ସେ ଜାଣନ୍ତି ନାହିଁ। ତଥାପି କେମିତି କେଉଁଠୁ ଭାସି ଆସୁଛି ସଦିଚ୍ଛାର ଏ ଏନ୍ତରଙ୍ଗ ଆଳାପ, ”ଆପଣ ଭଲରେ ଥାଆନ୍ତୁ। ଏମିତି ଲେଖି ଆମ ଚେତନାରେ ଚମକ ସୃଷ୍ଟି କରୁଥାନ୍ତୁ।“ ବେଳେ ବେଳେ ପୁଣି ଏମିତି ହୁଏ, ଲେଖକ ଅସୁସ୍ଥ ହୋଇପଡିଲେ ସେ କେବେ ବି ଦେଖି ନ ଥିବା ବହୁ ପାଠକପାଠିକା ତାଙ୍କ ପାଇଁ ପ୍ରାର୍ଥନା କରନ୍ତି। ଅସୁସ୍ଥତାରୁ ମୁକ୍ତି ପାଇଁ ବହୁବିଧ ଉପଚାର ବତାଇ ଦିଅନ୍ତି। କ’ଣ ମିଳେ କେଜାଣି ଏ ସଦିଚ୍ଛାର ସୌଦାଗରମାନଙ୍କୁ? କାଳ କାଳ ଧରି ଏଇ ସମ୍ପ୍ରଦାୟଟି ଯେତେ ଯାହା ଶୁଭକାମନା ଅଜାଡ଼ିଦେଲେ ବି ଦେଇ ଦେଇ ସେମାନେ କାଙ୍ଗାଳ ହୋଇଯାଇନାହାନ୍ତି। ସ୍ବାର୍ଥସର୍ବସ୍ବ ମଣିଷମାନଙ୍କ ଦୁନିଆରେ ଏହି ପରାର୍ଥପ୍ରାଣମାନଙ୍କର ଜୟ ହେଉ। ସେମାନଙ୍କ ସଦିିଚ୍ଛାର ଅମୃତଝର କେବେ ବି ଶୁଖି ନ ଯାଉ!
ଭୁବନେଶ୍ୱର, ମୋ-୮୮୯୫୬୨୪୧୦୫


All Right Reserved By

ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ...

ସୁମାକରଙ୍କ ଦର୍ଶନ ଓ ଭାରତୀୟ ଅର୍ଥନୀତି

ନେତାଜୀ ଅଭିନନ୍ଦନ ପ୍ରସିଦ୍ଧ ଅର୍ଥନୀତିଜ୍ଞ ଇ.ଏଫ୍‌.ସୁମାକରଙ୍କ ଦ୍ୱାରା ୧୯୭୩ରେ ଲିଖିତ “Small is Beautiful: A study of Economics as if People Mattered”...

ଏଇ ଭାରତରେ

ବର୍ତ୍ତମାନ ନିର୍ବାଚନ ଋତୁ ଜାରି ରହିଛି। ଭାରତ ଭଳି ଏକ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟଦେଇ ନିଜ ମନ ପସନ୍ଦର ପ୍ରତିନିଧି ବାଛିବା ପ୍ରତ୍ୟେକ ବ୍ୟକ୍ତିଙ୍କର...

ଏଇ ଭାରତରେ

ପ୍ରତିବର୍ଷ ଅଗଷ୍ଟ ୧୫କୁ ଭାରତ ସ୍ବାଧୀନତା ଦିବସ ଭାବେ ପାଳନ କରିଥାଏ। କାରଣ ଭାରତୀୟଙ୍କ ପାଇଁ ଏହି ଦିନର ମହତ୍ତ୍ୱ ଖୁବ୍‌ ଅଧିକ। ହେଲେ ଭାରତରେ...

ଓଲଟା ସଂରକ୍ଷଣ

ବ୍ରିଟେନଭିତ୍ତିକ ଟାଇମ୍ସ ହାୟର ଏଜୁକେଶନ (ଟିଏଚ୍‌ଇ) ପକ୍ଷରୁ ନିକଟରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି। ଏଥିରେ ୩୦୦ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର କୌଣସି...

ଆଜିର ଅର୍ଥନୀତି/ଏସ୍‌ବିଆଇକୁ ଅନୁସରଣ କର

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ହେଉଛି ଭାରତର ବୃହତ୍ତମ ବାଣିଜି୍ୟକ ବ୍ୟାଙ୍କ, ଯାହାର ଜମାରାଶି ସମଗ୍ର ଭାରତର ମୋଟ ସଞ୍ଚୟ ବ୍ୟାଙ୍କ ଜମାରାଶିର ପ୍ରାୟ ତିନିଚତୁର୍ଥାଂଶ।...

ସଙ୍କଟରେ ସଂସ୍କୃତି

ଡ. ପ୍ରଫୁଲ୍ଲ କୁମାର ସାହୁ ସଂସ୍କୃତିର ସଂଜ୍ଞା ଓ ପରିସର ଦିଗ୍‌ବଳୟ ପରି ବ୍ୟାପକ ଓ ବିସ୍ତୃତ। ଦିଗ୍‌ବଳୟକୁ ଯେମିତି ଦେଖିହୁଏ କିନ୍ତୁ ଛୁଇଁ ହୁଏନି,...

କକ୍‌ଟେଲିଙ୍ଗ: ଖାଦ୍ୟପେୟରୁ ଭାଷାସଂସ୍କୃତି

ଡ. ଚିନ୍ତାମଣି ପଣ୍ଡା ସେଦିନ ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଦେଖିଲି ଜଣେ ଯାତ୍ରୀ ଦୁଇ ତିନୋଟି ବିଭିନ୍ନ ଛାପର ଗୁଟ୍‌ଖା ଜରିକୁ ଖୋଲି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *