ଜିଏସ୍‌ଟିର ସମୀକ୍ଷା ଲୋଡ଼ା

ଡ. ଭରତ ଝୁନ୍‌ଝୁନ୍‌ଓ୍ବାଲା
ଦେଶରେ ଜିଏସ୍‌ଟି ଲାଗୁହେବା ପରେ ପ୍ରଥମ ପାଞ୍ଚବର୍ଷ ପାଇଁ ରାଜ୍ୟଗୁଡିକ ଯଦି ଜିଏସ୍‌ଟି କମ୍‌ ପାଆନ୍ତି ତେବେ କେନ୍ଦ୍ର ତାହା ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ପ୍ରତିବର୍ଷ ଜିଏସ୍‌ଟି ୧୪ ପ୍ରତିଶତ ବୃଦ୍ଧିହେବ ବୋଲି କେନ୍ଦ୍ର ମଧ୍ୟ ଆଶା କରିଥିଲା। ପାଇବାକୁ ଥିବା ଏହି ଜିଏସ୍‌ଟିରୁ କେନ୍ଦ୍ର ହୁଏ ତ ରାଜ୍ୟଗୁଡିକୁ ଦେଇପାରେ, ତେବେ ଗ୍ୟାରେଣ୍ଟି ଦିଆଯାଇଥିବା ରାଜସ୍ବର ପାଞ୍ଚବର୍ଷ ଶେଷହେବା ପରେ ବାସ୍ତବ ପଦକ୍ଷେପ ଆରମ୍ଭ ହୋଇଯିବ। ସେତେବେଳେ ରାଜ୍ୟଗୁଡିକ ପାଇଁ ଏହି ଅଭାବ ବା କ୍ଷତିଭରଣା କରିବା ଲାଗି କିଛି ବାଟ ନ ଥିବ। ସେମାନେ ବ୍ୟୟ ହ୍ରାସ କରିବା ନିମନ୍ତେ ବାଧ୍ୟ ହେବେ। ପୂରା ଅର୍ଥନୀତି ପାଇଁ ଏହା ଗୁରୁତ୍ୱ ରଖିବ। ୨୦୧୦-୨୦୧୧ରେ ରାଜ୍ୟଗୁଡିକର ପୁଞ୍ଜିଗତ ବ୍ୟୟ ୧.୭ ଲକ୍ଷ କୋଟି ଟଙ୍କା ଥିଲାବେଳେ ୨୦୧୯-୨୦ରେ ଏହା ବୃଦ୍ଧି ପାଇ ପହଞ୍ଚିଛି ୬.୨ ଲକ୍ଷ କୋଟିରେ। ତୁଳନାମତ୍କ ଭାବେ କେନ୍ଦ୍ରର ଏହି ବ୍ୟୟ ୨୦୧୦-୨୦୧୧ରେ ୧.୬ ଲକ୍ଷ କୋଟି ଟଙ୍କା ରହିଥିଲାବେଳେ ତାହା ବୃଦ୍ଧି ପାଇ ୨୦୧୯-୨୦୨୦ରେ ୩.୪ ଲକ୍ଷ କୋଟିରେ ପହଞ୍ଚିଛି। ୨୦୧୦-୨୦୧୧ରେ ରାଜ୍ୟଗୁଡିକ ସହ କେନ୍ଦ୍ରର ପୁଞ୍ଜିଗତ ବ୍ୟୟ ପ୍ରାୟତଃ ସମାନ ରହିଥିଲା। କିନ୍ତୁ ସେହି ରାଜ୍ୟଗୁଡିକର ଏହି ବ୍ୟୟ ୨୦୧୯-୨୦ରେ କେନ୍ଦ୍ରଠାରୁ ପାଖାପାଖି ଦୁଇଗୁଣ ହୋଇଯାଇଛି।
ରାଜ୍ୟଗୁଡିକର ରାଜସ୍ବରେ କ୍ରମାଗତ ହ୍ରାସ ପାଇବାର ଆଶଙ୍କା ଦୂର କରିବା ଲାଗି ଆମକୁ ଆଗୁଆ ଚିନ୍ତା କରିବା ସହ ଏଥିପାଇଁ ଯୋଜନା ହେବା ଦରକାର। ତେବେ କାହିଁକି ଆମେ ଜିଏସ୍‌ଟି ଲାଗୁ କଲେ? ଆସନ୍ତୁ ଟିକେ ପଛକୁ ଫେରିଯାଇ ତା’ର ସମୀକ୍ଷା କରିବା। ଅନ୍ତଃରାଜ୍ୟ ବାଣିଜ୍ୟକୁ ସୁଗମ କରିବା ପାଇଁ ଏହା ଲାଗୁ କରାଯାଇଥିଲା। କିନ୍ତୁ ଆମେ ତାଓ୍ବାରୁ ନିଆଁକୁ ଖସି ପଡିବା ଭଳି ଅବସ୍ଥା ହୋଇଛି। ଆମେ ଆନ୍ତଃରାଜ୍ୟ ବାଣିଜ୍ୟ ସମସ୍ୟା ଦୂର କରିପାରିଛୁ ସତ, କିନ୍ତୁ ରାଜ୍ୟକୁ ନଷ୍ଟ କରୁଥିବା ସମସ୍ୟା ଭିତରେ ଫସିଯାଇଛୁ। ଏଣୁ ରାଜ୍ୟର ସ୍ବାୟତ୍ତତା ବଜାୟ ରଖିବା ଲାଗି ଆବଶ୍ୟକ ବାଣିଜ୍ୟ କାରବାରର ଅନ୍ୟ ସହଜ ବାଟ ସମ୍ପର୍କରେ ଆମକୁ ଅନୁଧ୍ୟାନ କରିବାକୁ ପଡିବ।
ଆମେରିକାରେ ଜିଏସ୍‌ଟି ନାହିଁ। ଆମ ଭଳି ତାଙ୍କର କେନ୍ଦ୍ରୀୟ ବିକ୍ରିକର ବି ନାହିଁ। ସେଠାରେ ରାଜ୍ୟଗୁଡିକରେ ବିକ୍ରି ଅନୁଯାୟୀ ସେମାନେ ବିକ୍ରିକର ଆଦାୟ କରନ୍ତି। ରାଜ୍ୟଗୁଡିକ ମଧ୍ୟରେ ଏହାର ଫରକ ହାରାହାରି ଶୂନରୁ ୧୦ ପ୍ରତିଶତ ରହେ। ତଥାପି ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ଜିନିଷପତ୍ର ନେବା ଆଣିବାରେ କିଛି ଅସୁବିଧା ହୁଏନାହିଁ। ରାଜ୍ୟ ସୀମାରେ କୌଣସି ଚେକ୍‌ ପୋଷ୍ଟ୍‌ ମଧ୍ୟ ନାହିଁ। ଆମେରିକାର ନ୍ୟୁଜର୍ସିରେ ବିକ୍ରି କର କମ୍‌ ଥିବାରୁ ଗ୍ରାହକମାନେ ଜିନିଷ କିଣିିବା ଲାଗି ନ୍ୟୁୟର୍କରୁ ସେଠାକୁ ଯାଇଥାନ୍ତି। ୟୁରୋପରେ ବି ଏକାପ୍ରକାର ପରିସ୍ଥିତି, ଯଦିଓ ସେଠାରେ ବିକ୍ରିକରରେ ଫରକ ରହିଛି। ଫିନ୍‌ଲାଣ୍ଡ ଭଳି ଦେଶ ତା’ରାଜ୍ୟଗୁଡିକୁ ଅଧିକ ସ୍ବାଧୀନତା ଦେଇଥିବାବେଳେ ୟୁରୋପର ଅନ୍ୟ ଦେଶଗୁଡିକ ସେମାନଙ୍କ ରାଜ୍ୟଗୁଡିକୁ ବାଣିଜ୍ୟ କାରବାରରେ ସ୍ବାଧୀନତା ଦେଇନାହାନ୍ତି। ତଥାପି ଆନ୍ତଃରାଜ୍ୟ ବାଣିଜ୍ୟ ସହଜ ହୋଇପାରିଛି। ଏଥିରୁ ଜଣାପଡେ ଯେ, ରାଜ୍ୟଗୁଡିକ ମଧ୍ୟରେ ବିକ୍ରିକର ଓ ଜିଏସ୍‌ଟି ଆଦାୟ କରିବାରେ ପାର୍ଥକ୍ୟ ରହିଥିଲେ ମଧ୍ୟ ସେଠାରେ ଆନ୍ତଃରାଜ୍ୟ ବାଣିଜ୍ୟ କାରବାର ସମ୍ଭବ। ଏହାର ଗୋଟିଏ କାରଣ ହେଉଛି ଜିନିଷଗୁଡିକର ବିଭିନ୍ନ ବର୍ଗୀକରଣରୁ ଉପୁଜୁଥିବା ସମସ୍ୟାକୁ ଦୂର କରାଯାଇଛି। ଉଦାହରଣ ସ୍ବରୂପ, ପଞ୍ଜାବରେ କ୍ରାଫ୍ଟ ପେପରକୁ ‘ପେପର’ ବର୍ଗରେ ରଖାଯାଇଥିବାବେଳେ ହରିୟାଣାରେ ଏହାକୁ ‘ପ୍ୟାକିଂ ମ୍ୟାଟେରିଆଲ’ ବର୍ଗରେ ରଖାଯାଇଥିଲା। ଏଭଳି ଅବସ୍ଥାରେ ରାଜ୍ୟଗୁଡିକ ମଧ୍ୟରେ ଗୋଟିଏ ଜିନିଷ ଉପରେ ଲଗାଯାଇଥିବା କର କାରଣରୁ ଅନ୍ତଃରାଜ୍ୟ ବାଣିଜ୍ୟରେ ଅସୁବିଧା ଉପୁଜୁଥିଲା। ଜିଏସ୍‌ଟି ଲାଗୁହେବା ଦ୍ୱାରା ଏହି ସମସ୍ୟା ଦୂର ହୋଇଯାଇଛି। ଏବେ ରାଜ୍ୟଗୁଡିକ ଦ୍ୱାରା ସ୍ଥିର କରାଯିବାକୁ ଥିବା ଜିଏସ୍‌ଟିର ବିଭିନ୍ନ ରେଟ୍‌ ପୁଣି ଲଗାଇବା ଉଚିତ। ଆମେରିକା ଓ ଫିନଲାଣ୍ଡ୍‌ର ଉଦାହରଣ ଆମକୁ ସୂଚାଇ ଦିଏ ଯେ ବିଭିନ୍ନ କର ବ୍ୟବସ୍ଥାରେ ବି ଅନ୍ତଃରାଜ୍ୟ ବାଣିଜ୍ୟ ସମ୍ଭବ। ଏଥିପାଇଁ ଆମେ ଜିନିଷଗୁଡିକୁ ଏକ ସାଧାରଣ ବର୍ଗରେ ରଖି ରାଜ୍ୟଗୁଡିକୁ ବିକ୍ରି ଉପରେ ବିଭିନ୍ନ ରେଟ୍‌ର ଟ୍ୟାକ୍ସ ସଂଗ୍ରହ କରିବାକୁ ଅନୁମତି ଦେଇପାରିବା। ଆମେ ଅନ୍ୟ ବିକଳ୍ପ ବ୍ୟବସ୍ଥା ମଧ୍ୟ କରିପାରିବା। କିନ୍ତୁ ମୁଖ୍ୟ କଥା ହେଉଛି ରାଜ୍ୟଗୁଡିକର ସ୍ବାଧୀନତା ଯେମିତି ବଜାୟ ରହେ ଯାହାଦ୍ୱାରା ସେମାନେ ସେମାନଙ୍କ ଟ୍ୟାକ୍ସ ରେଟ୍‌ ଓ ରାଜସ୍ବକୁ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଆଡ୍‌ଜଷ୍ଟ କରିପାରିବେ। ଏହା ପ୍ରଥମରୁ ଉଚ୍ଚ ହାରରେ ବିକ୍ରିକର ଆଦାୟ କରୁଥିବା ଆସାମ ଓ ଅନ୍ୟ ରାଜ୍ୟଗୁଡିକର ଅତ୍ୟଧିକ ଚାପକୁ ଦୂର କରିପାରିବ। ସେମାନେ ଅଧିକ ହାରରେ ଜିଏସ୍‌ଟି ଆଦାୟ କରିବା ସହ ପୂର୍ବଭଳି ସେମାନଙ୍କ ବ୍ୟୟଭରଣା କରିବାକୁ ସକ୍ଷମ ହୋଇପାରିବେ। ସମସ୍ୟାକୁ ବି ସହଜରେ ବୁଝିହେବ। ଗୋଟିଏ ଯୌଥପରିବାରରେ ଯଦି ଯୁବକମାନଙ୍କୁ ମାସିକ ଓ ଅନ୍ୟାନ୍ୟ ବ୍ୟୟ ସୀମା ସ୍ଥିର କରି ତା’ ଭିତରେ ରହିବାକୁ ବାଧ୍ୟ କରାଯିବ ତେବେ ପରିବାର ଭୁଶୁଡିି ପଡିବ। ଅନ୍ୟପକ୍ଷରେ ମୁଖିଆ ସେମାନଙ୍କ ଆବଶ୍ୟକତା ଓ ରୁଚି ଅନୁଯାୟୀ ବଞ୍ଚିବାକୁ ସ୍ବାଧୀନତା ଦେଲେ ପରିବାର ଏକାଠି ରହିପାରିବ। ସେମିତି ଯଦି ଆମେ ଜିଏସ୍‌ଟି କୋହଳ କରି ରାଜ୍ୟଗୁଡିକୁ ବିଭିନ୍ନ ରେଟ୍‌ରେ ଆଦାୟ କରିବାକୁ ଅନୁମତି ଦେବା ତେବେ ଦେଶରେ ଏକତା ରହିବ। ଜିଏସ୍‌ଟିର ଲକ୍ଷ୍ୟ ହେଉଛି ‘ଓ୍ବାନ୍‌ ଟ୍ୟାକ୍ସ, ଓ୍ବାନ୍‌ କଣ୍ଟ୍ରି’। ଏବକାର ପରିସ୍ଥିତିକୁ ଲକ୍ଷ୍ୟ କଲେ ଯଦି ରାଜ୍ୟଗୁଡିକର ସ୍ବାଧୀନତା ନ ରହେ ତେବେ ଜିଏସ୍‌ଟି ଲକ୍ଷ୍ୟର ବିପରୀତ ‘ଓ୍ବାନ୍‌ ଟ୍ୟାକ୍ସ, ମେନି କଣ୍ଟ୍ରି’ ହୋଇଯିବାର ଆଶଙ୍କା ରହିଛି।
Email: bharatjj@gmail.com


All Right Reserved By Dharitri.Com

ସମ୍ପାଦକୀୟ/ଜନଅନୁକୂଳ ଆଭିମୁଖ୍ୟ

ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟରେ ଚାଲିଥିବା ସମସ୍ତ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିମଧ୍ୟରେ...

ନିର୍ଣ୍ଣାୟକ ନେତୃତ୍ୱ

ଆକାର ପଟେଲ ଚଳିତ ସପ୍ତାହରେ ଏପରି କିଛି ଘଟଣା ଘଟିଛି, ଯାହା ଭାରତ ଅର୍ଥନୀତିରେ ଭଲ କରୁଛି ବୋଲି ଧାରଣା ରଖିଥିବା ଲୋକମାନଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି।...

ଗଣେଶପୂଜା: ସେଦିନ ଓ ଆଜ

ଡ. ଭାଗ୍ୟଲିପି ମଲ୍ଲ ଆମ ସାମାଜିକ ଓ ସାଂସ୍କୃତିକ ଜୀବନରେ ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ସ୍ବତନ୍ତ୍ର। ସେହି ଦିନଟିକୁ ଆମେ କହୁ ଗଣେଶ ଚତୁର୍ଥୀ।...

ଦେଶର ସଙ୍କଟ ବେଳେ କମ୍ପାନୀଙ୍କ ପୁଷମାସ

ଡ. ସନ୍ତୋଷ କୁମାର ମହାପାତ୍ର ସରକାର ସ୍ବୀକାର କରନ୍ତୁ ବା ନ କରନ୍ତୁ, ବର୍ତ୍ତମାନ ଭାରତୀୟ ଅର୍ଥନୀତି ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି।...

ଆଇପିଏସ୍‌ ଲଢ଼େଇ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଉତ୍ତରପ୍ରଦେଶ ପୋଲିସର ଉଚ୍ଚ ଅଧିକାରୀ ସ୍ତରରେ ଏକପ୍ରକାର କୁତ୍ସିତ ଯୁଦ୍ଧ ଆରମ୍ଭ ହୋଇଯାଇଛି। ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ନୋଏଡା...

ଏଇ ଭାରତରେ

ସମାଜରେ ଲିଙ୍ଗଗତ ଅସମାନତା ଦୂର କରିବା ସହ ପରିବେଶ ସୁରକ୍ଷା ଲାଗି ରାଜସ୍ଥାନର ଏକ ପରିବାର ଆରମ୍ଭ କରିଥିବା ଅଭିଯାନ ଏବେ ଚର୍ଚ୍ଚାରେ। ଉଦୟପୁର ଜିଲା...

ନିଦ କାହିଁ

ରୁଦ୍ର ପ୍ରସନ୍ନ ରଥ ଖାଦ୍ୟ, ବସ୍ତ୍ର, ବାସଗୃହ ପରେ ଯଦି ମଣିଷ ନିଜ ଜୀବନରେ ଆଉ କାହାକୁ ସର୍ବାଧିକ ଗୁରୁତ୍ୱ ଦେଉଥାଏ ତାହା ହେଉଛି ନିଦ୍ରା।...

ମିତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ମୋଦି ସରକାର ତାଙ୍କ ଦ୍ୱିତୀୟ ପାଳି ପ୍ରାରମ୍ଭରେ କ୍ୟାବିନେଟ୍‌ ସଚିବ ପି.କେ. ସିହ୍ନାଙ୍କ ପରି ପ୍ରତିରକ୍ଷା ସଚିବ ସଞ୍ଜୟ ମିତ୍ରଙ୍କ...

Leave a comment

Your email address will not be published. Required fields are marked *