ସରକାର କାହା ପାଇଁ

ଡ. ସନ୍ତୋଷ କୁମାର ମହାପାତ୍ର
ନିକଟରେ ଶିଳ୍ପ ସଂଘ ଆସୋଚାମ୍‌ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶିଳ୍ପପତିମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅର୍ଥନୀତିରେ ଉତ୍ଥାନପତନ ରହିଛି, ଉପା ସରକାର ଅମଳରେ ଏପରି ମଧ୍ୟ ଘଟିଛି। ମାନ୍ଦାବସ୍ଥାରୁ ବାହାରିବା ପାଇଁ ଭାରତ ନିକଟରେ କ୍ଷମତା ରହିଛି। ଭାରତ ୫ ଟ୍ରିଲିୟନ ଅର୍ଥନୀତିରେ ପହଞ୍ଚିବ ଏବଂ ଶିଳ୍ପଜଗତ ଦୃଢ଼ ନିବେଶ ନିଷ୍ପତ୍ତି ନେବାକୁ ସେ ଆହ୍ବାନ ଦେଇଛନ୍ତି। ସେହିପରି ଦେଶର ଶିଳ୍ପଜଗତ ସଂଶୟାତ୍ମକ ସ୍ଥିତିରେ ନ ରହି ତାହା ବାହାରକୁ ଆସିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କହିଛନ୍ତି। ଏହିପରି ଅନେକଥର ଶିଳ୍ପଜଗତକୁ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ଆଶ୍ୱାସନା ଦେବା ସହିତ ସଂଶୟ ଦୂର କରିବାକୁ କହିଛନ୍ତି। ଅନ୍ୟ ମନ୍ତ୍ରୀ ଏପରି କି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ବାରମ୍ବାର ୫ ଟ୍ରିଲିୟନ ଅର୍ଥନୀତି କଥା କହୁଛନ୍ତି। ଏଠାରେ ସ୍ବତଃ ପ୍ରଶ୍ନ ଉଠେ ଯେ, ୫ ଟ୍ରିଲିୟନ ବା ୧୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ଲାଭ କାହାର ହେବ ଏବଂ ଏହାର ସୁପ୍ରଭାବ ସାଧାରଣ ଜନତାଙ୍କ ଉପରେ କେତେ ପଡ଼ିବ। ପୁନଶ୍ଚ ସରକାର କେବଳ ଶିଳ୍ପଜଗତକୁ କାହିଁକି ବାରମ୍ବାର ଆଶ୍ୱାସନା ଦେଉଛନ୍ତି। କୋଟି କୋଟି ସାଧାରଣ ଜନତା ଯେଉଁ ବିଭିନ୍ନ ପ୍ରକାର କ୍ଷୁଧା, ଦାରିଦ୍ର୍ୟ, ବୈଷମ୍ୟ, ବେକାରି ଆଦି ସମସ୍ୟାରେ ଜର୍ଜରିତ ସେକଥା ଟିକିଏ ବି କହୁନାହାନ୍ତି। ସେମାନଙ୍କ ପ୍ରତି ସରକାରଙ୍କର କ’ଣ ଦାୟବଦ୍ଧତା ନାହିଁ। ପୁନଶ୍ଚ ସରକାର କର୍ପୋରେଟମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ କର୍ପୋରେଟ ଟିକସ ହାର ୩୦%ରୁ ୨୧%କୁ ହ୍ରାସ କରିଛନ୍ତି, ଯାହା ବିଶ୍ୱରେ ସର୍ବନିମ୍ନ। ଏଥିପାଇଁ ଦେଶ ୧.୪୫ ଲକ୍ଷ କୋଟି ଟଙ୍କା ରାଜସ୍ବ ହରାଇବ। କିନ୍ତୁ ସାଧାରଣ ଜନତା ବ୍ୟବହାର କରୁଥିବା ଦ୍ରବ୍ୟ ଉପରୁ ଟିକସ ହ୍ରାସ କରିବାକୁ କୁଣ୍ଠାବୋଧ କରୁଛନ୍ତି। ଆୟକର ହ୍ରାସ କରିବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ବାରମ୍ବାର କହୁଛନ୍ତି, କରିନାହାନ୍ତି। ଆଗାମୀ ବଜେଟରେ କରିବେ ବୋଲି କହୁଛନ୍ତି। କର୍ପୋରେଟ୍‌ ଟିକସ ହ୍ରାସ ପାଇଁ କ’ଣ ସରକାର ବଜେଟ ପର୍ଯ୍ୟନ୍ତ ଅପେକ୍ଷା କରିପାରି ନ ଥାନ୍ତେ! ଗରିବ ସାଧାରଣ ଜନତାଙ୍କ ସ୍ବର ଚାପିଦେବା ସହଜ, କିନ୍ତୁ ଧନିକ ଶ୍ରେଣୀ ଏବଂ କର୍ପୋରେଟଙ୍କର ନୁହେଁ। ସରକାର ତାଙ୍କୁ ରିହାତି ଦେଇ ଦେଶ ଚଳାଇବାକୁ ଚାହୁଁଛନ୍ତି। କିନ୍ତୁ ଜନସାଧାରଣଙ୍କ କ୍ରୟଶକ୍ତି ବୃଦ୍ଧି ନ ପାଇଲେ କର୍ପୋରେଟ୍‌ ଟିକସ ଶୂନ କଲେ ମଧ୍ୟ କମ୍ପାନୀମାନେ ନିବେଶ କରିବେ ନାହିଁ। କାରଣ ତାଙ୍କ ଦ୍ରବ୍ୟ କିଣିବା ପାଇଁ କ୍ରେତା ଆବଶ୍ୟକ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସରକାର ସର୍ବଦା ବିଫଳତା ପାଇଁ କଂଗ୍ରେସକୁ ଦାୟୀ କରୁଛନ୍ତି। ନେହେରୁ ଓ ଇନ୍ଦିରା ଗାନ୍ଧୀ ଜୀବିତ ନ ଥିଲେ ମଧ୍ୟ କୁତ୍ସାରଟନା କରାଯାଉଛି। କୌଣସି ବିଫଳତା ପାଇଁ ସରକାର ନିଜକୁ ଦାୟୀ କରୁନାହାନ୍ତି। କିନ୍ତୁ ଯଦି କିଛି ସଫଳତା ମିଳିଲା ତା’ର ଶ୍ରେୟ ନେବାକୁ ପଛାଉନାହାନ୍ତି। ଏପରି କି ରାଷ୍ଟ୍ରାୟତ୍ତ ଶିଳ୍ପରୁ ପୁଞ୍ଜି ପ୍ରତ୍ୟାହାର ଓ ଘରୋଇକରଣକୁ ସଫଳତା ଭାବେ ପ୍ରଚାର କରୁଛନ୍ତି। ସରକାରଙ୍କ ସମାଲୋଚନା କରିବାକୁ ଚାପି ଦିଆଯାଉଛି। ଯିଏ କଲା ତାକୁ ଦେଶଦ୍ରୋହୀ ଭାବେ ଚିତ୍ରଣ କରାଯାଉଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଦେଶବାସୀଙ୍କୁ କହିଥିଲେ ଯେ, ଅନ୍ୟମାନଙ୍କୁ ୬୦ ବର୍ଷ ଦେଲେ, ଆମକୁ ୬୦ ମାସ ପାଇଁ ସୁଯୋଗ ଦିଅନ୍ତୁ। କିନ୍ତୁ ୬୭ ମାସ ଅତିକ୍ରାନ୍ତ ହେଲା ପରେ ବି ବିଫଳତା ପାଇଁ ପୂର୍ବ ସରକାରକୁ ଦାୟୀ କରୁଛନ୍ତି। ଏକଥା ସତ୍ୟ ଯେ ଏକ ଦେଶ ବା ସରକାର ଚଳାଇବା ସହଜ ନୁହେଁ। ସବୁ ସମସ୍ୟାର ସମାଧାନ କରିବାର କିଛି ସହଜ ସୂତ୍ର ବା ମାଧ୍ୟମ ନାହିଁ। କିନ୍ତୁ ବିଫଳତାକୁ ସ୍ବୀକାର କରି ତା’ର ସମାଧାନ ପାଇଁ ଚେଷ୍ଟା କରିବା ଆବଶ୍ୟକ।
ସରକାର ନିଜର ଜନପ୍ରିୟତା ଓ ଭୋଟ ବ୍ୟାଙ୍କ ହରାଇବା ଭୟରେ ଠିକ୍‌ ତଥ୍ୟ ପ୍ରଦାନ କରୁନାହାନ୍ତି। ଏପରି ତଥ୍ୟ ପ୍ରଦାନ କରୁଥିବା ସଂସ୍ଥାମାନଙ୍କର କାର୍ଯ୍ୟପଦ୍ଧତିରେ ହସ୍ତକ୍ଷେପ କରୁଛନ୍ତି। ବିଭିନ୍ନ ନିୟାମକ ସଂସ୍ଥା, ନ୍ୟାୟ ପ୍ରଦାନ କରୁଥିବା ସଂସ୍ଥା ତଥା ବଡ଼ ବଡ଼ ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ନିଜ ଲୋକଙ୍କୁ ରଖୁଛନ୍ତି। ଫଳରେ ସତ୍ୟ ଲୁଚିଯାଉଛି। ସରକାର ୫ ଟ୍ରିଲିୟନ ଡଲାର ଅର୍ଥନୀତି କଥା କହୁଛନ୍ତି। କେବଳ ଭାରତ ନୁହେଁ ପ୍ରାୟ ପ୍ରମୁଖ ଅର୍ଥନୀତିର ଆକାର ବୟସ ବୃଦ୍ଧିପାଇଲା ପରି ବୃଦ୍ଧିପାଉଛି। କିନ୍ତୁ ୨୦୨୪ ବେଳକୁ ଏହା ସେହି ସ୍ତରରେ ପହଞ୍ଚିବ ବୋଲି ଯାହା ସରକାର କହୁଛନ୍ତି ତାହା ଭୁଲ୍‌। ଏଥିପାଇଁ ୧୨ରୁ ୧୪% ହାରରେ ଅର୍ଥନୀତି ବୃଦ୍ଧିପାଇବା ଆବଶ୍ୟକ। ବର୍ତ୍ତମାନ ସରକାରଙ୍କ ପକ୍ଷେ ପ୍ରାଥମିକ ଦାୟିତ୍ୱ ହେଉଛି ସ୍ବପ୍ନ ସୃଷ୍ଟି ନୁହେଁ ବରଂ ବାସ୍ତବବାଦୀ ହେବା। ସରକାର ଯେଉଁ ପ୍ରଚାର କରୁଛନ୍ତି ଯେ, ଉପା ସରକାର ଅମଳଠାରୁ ତାଙ୍କ ଶାସନରେ ଆର୍ଥିକ ଅଭିବୃଦ୍ଧି ଅଧିକ ହୋଇଥିଲା ତାହା ଭୁଲ୍‌। ସରକାରଙ୍କ ତରଫରୁ ଏପରି କି ନିକଟରେ ପ୍ରଧାନନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର କହିଛନ୍ତି ଯେ, ମୋଦି ସରକାରଙ୍କ ଗତ ୫ ବର୍ଷରେ ମଧ୍ୟ ହାରାହାରି ଆର୍ଥିକ ଅଭିବୃଦ୍ଧି ୭.୫%, ଯାହା ସ୍ବାଧୀନତା ପରେ ସର୍ବାଧିକ। ସେ ମଧ୍ୟ କହିଛନ୍ତି, ଉପା ସରକାର ଅମଳରେ ଏହା ହାରାହାରି ମାତ୍ର ୬.୭% ଥିଲା। କିନ୍ତୁ ବାସ୍ତବରେ ଉପା-୧ରେ ହାରାହାରି ୮.୧% ଅଭିବୃଦ୍ଧି ହୋଇଥିଲା ବେଳେ ଉପା-୨ରେ ହାରାହାରି ୭.୪୬% ଏବଂ ମୋଟ ଉପରେ ୭.୫% ଥିଲା।
ବର୍ତ୍ତମାନ ଚିନ୍ତାର ବିଷୟ ହେଉଛି ଜିଡିପି କ୍ରମାଗତ ଭାବେ ୬ଟି ତ୍ରିମାସୀ ଧରି ହ୍ରାସ ପାଇବା ସହିତ ଗତ ୬ ବର୍ଷରେ (୨୬ଟି ତ୍ରିମାସୀ) ସର୍ବନିମ୍ନ ସ୍ତର ଜୁଲାଇ-ସେପ୍ଟେମ୍ବର ତ୍ରିମାସୀରେ ୪.୫%କୁ ହ୍ରାସ ପାଇଛି। ଏହି ସମୟରେ ନାମାଙ୍କନ ଅଭିବୃଦ୍ଧି ମଧ୍ୟ ୬.୧%କୁ ହ୍ରାସ ପାଇଛି। ୨୦୧୯-୨୦ରେ ହାରାହାରି ଅଭିବୃଦ୍ଧି ହାର ୪.୬%କୁ ହ୍ରାସ ପାଇବ ବୋଲି ରେଟିଂ ସଂସ୍ଥା ଫିଚ୍‌ ସୂଚାଇଦେଇଛି। କିନ୍ତୁ ଏହି ନିମ୍ନଗାମୀ ଅଭିବୃଦ୍ଧି ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ବିଶେଷକରି କ୍ରୂର ବିମୁଦ୍ରୀକରଣ, ତରବରିଆ ଜିଏସ୍‌ଟି ତଥା ନବ୍ୟ ଉଦାରୀକରଣ ନୀତି ଏବଂ ଶିକ୍ଷା, ସ୍ବାସ୍ଥ୍ୟ ଅଧିକ ବ୍ୟୟସାପେକ୍ଷ ହୋଇ ଲୋକଙ୍କ ଜୀବନ ଧାରଣର ମାନ ହ୍ରାସ ଯୋଗୁ ହୋଇଛି। ସରକାର କିନ୍ତୁ ଏହା ମାନିବାକୁ ନାରାଜ। ବିଶ୍ୱ ଅର୍ଥନୀତିକୁ ଦାୟୀ କରିଛନ୍ତି। କିନ୍ତୁ ୨୦୦୮-୦୯ରେ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ବେଳେ ବିଶ୍ୱର ମୋଟ ଜିଡିପି ୨ ଟ୍ରିଲିୟନ ଡଲାର ହ୍ରାସ ପାଇଥିଲା ବେଳେ ଭାରତର ଅଭିବୃଦ୍ଧି ୬.୭% ହୋଇଥିଲା। ବାସ୍ତବରେ ଅଭିବୃଦ୍ଧି ହାର ହ୍ରାସ ଚିନ୍ତାଜନକ ନୁହେଁ। କିନ୍ତୁ ଚିନ୍ତାଜନକ ଅନ୍ୟ ସବୁ ସୂଚକାଙ୍କରେ ଅର୍ଥନୀତିର ସ୍ଥିତି ଅତ୍ୟନ୍ତ ବିପର୍ଯ୍ୟସ୍ତ ସ୍ଥିତିରେ ରହିବା। ଏସବୁ କଥା ସରକାର କହୁନାହାନ୍ତି।
ଯଦି ଅର୍ଥନୀତି ସହିତ ସମସ୍ତଙ୍କର ସମ୍ପଦ ୪.୫% ହାରରେ ବୃଦ୍ଧିପାଆନ୍ତା କିଛି ସମସ୍ୟା ଉପୁଜି ନ ଥାନ୍ତା, କିନ୍ତୁ ଯେତିକି ବି ଅଭିବୃଦ୍ଧି ହେଉଛି ତାହାର ସୁଫଳ କିଛି ମୁଷ୍ଟିମେୟ ଶିଳ୍ପପତିଙ୍କ ନିକଟକୁ ଯାଉଛି। ସେମାନଙ୍କ ସମ୍ପଦ ଦ୍ରୁତ ଗତିରେ ବୃଦ୍ଧିପାଉଛି। ମୁଦ୍ରାସ୍ଫୀତି ବୃଦ୍ଧିପାଉଛି। ଉପରୋକ୍ତ ମୂଲ୍ୟସୂଚୀଭିତ୍ତିକ ମୁଦ୍ରାସ୍ଫୀତି ଗତ ଜାନୁୟାରୀରୁ ବୃଦ୍ଧି ପାଉଛି। ଏହା ଅଗଷ୍ଟରେ ୩.୨୦% ଥିଲାବେଳେ ନଭେମ୍ବରରେ ୫.୫୪%ରେ ପହଞ୍ଚିଛି। ଖାଦ୍ୟ ମୁଦ୍ରାସ୍ଫୀତି ଯାହା ଗରିବମାନଙ୍କୁ ପ୍ରଭାବିତ କରିଥାଏ, ତାହା ଅକ୍ଟୋବରରେ ୭.୮% ଥିଲାବେଳେ ନଭେମ୍ବର ୨୦୧୯ରେ ୧୦.୧%ରେ ପହଞ୍ଚିଛି। ଡିସେମ୍ବର ୨୦୧୩ ପରେ ଖାଦ୍ୟମୂଲ୍ୟ ବୃଦ୍ଧି ବର୍ତ୍ତମାନ ସର୍ବାଧିକ। ସେହିପରି ବେକାରି ଦ୍ରୁତଗତିରେ ବୃଦ୍ଧିପାଇଛି। ୨୦୧୭-୧୮ରେ ବେକାରି ହାର ୬.୮%ରେ ପହଞ୍ଚିଛି, ଯାହା ଗତ ୪୫ ବର୍ଷରେ ସର୍ବାଧିକ।
ଉପଭୋକ୍ତା ବ୍ୟୟ ଗତ ୪୦ ବର୍ଷରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏନ୍‌ଏସ୍‌ଏସ୍‌ଓ ତଥ୍ୟ ଅନୁଯାୟୀ ବ୍ୟକ୍ତିଗତ ବ୍ୟୟ ୨୦୧୧-୧୨ରେ ହାରାହାରି ୧୫୦୧ ଟଙ୍କା ଥିଲାବେଳେ ୨୦୧୭-୧୮ରେ ୧୪୪୬ ଟଙ୍କାକୁ ହ୍ରାସ ପାଇଛି। ୨୦୧୯-୨୦ ବର୍ଷର ପ୍ରଥମ ୬ ମାସରେ ୭.୮୯ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ବନ୍ଦ ହୋଇଯାଇଛି। ବ୍ୟାଙ୍କର ଅଚଳ ସମ୍ପତ୍ତି ବୃଦ୍ଧି ପାଇଲା ବେଳେ ବ୍ୟାଙ୍କ ଜାଲିଆତିରେ ହଜାର ହଜାର କୋଟି ଟଙ୍କା ଲୁଟ୍‌ ହେଉଛି। ସମ୍ବଳ ସଂଗ୍ରହ କରିବାରେ ବିଫଳ ହେବା ଯୋଗୁ ସରକାରଙ୍କ କୋପଦୃଷ୍ଟି ପଡିଛି ରାଷ୍ଟ୍ରାୟତ୍ତ ଶିଳ୍ପ ଓ ରିଜର୍ଭ ବ୍ୟାଙ୍କର ରିଜର୍ଭ ଉପରେ। ଏଣୁ ସରକାର ନିଜ ବିଫଳତା ସ୍ବୀକାର କରି ଠିକ୍‌ ସିଦ୍ଧାନ୍ତ ନିଅନ୍ତୁ। ନାଗରିକତ୍ୱ ସଂଶୋଧନ ଆଇନ ପରି ଅଯଥା କଥାରେ ମୁଣ୍ଡ ପୂରାନ୍ତୁ ନାହିଁ। କେଉଁ କାର୍ଯ୍ୟ ଆଗ ତାହା ସରକାର ସ୍ଥିର କରିବା ଉଚିତ।
ମୋ-୯୪୩୭୨୦୮୭୬୨


All Right Reserved By Dharitri.Com

ଶିକ୍ଷାର୍ଥୀ, ଶିକ୍ଷାୟତନ ଓ ର଼୍ୟାଗିଂ

ପ୍ରଦୀପ୍ତ ନାୟକ ଶିକ୍ଷାନୁଷ୍ଠାନର ଅନ୍ୟନାମ ବିଦ୍ୟାମନ୍ଦିର, ଯେଉଁଠାରେ ମାତାପିତାଙ୍କର ଯୋଗ୍ୟ ସନ୍ତାନ ତଥା ଦେଶର ସୁନାଗରିକ ତିଆରି ହୁଅନ୍ତି। ଏଣୁ ଏହାକୁ ମଣିଷ ତିଆରି କାରଖାନା...

ଗୁରୁ ହିଁ ଈଶ୍ୱର

ସଂଗ୍ରାମ କେଶରୀ ପୃଷ୍ଟି ବ୍ୟକ୍ତି ନିର୍ମାଣ ଓ ଚରିତ୍ର ଗଠନ ଦିଗରେ ଶିକ୍ଷାର ବିଶେଷ ଭୂମିକା ରହିଛି। ଶିକ୍ଷା ପରି ଏକ ପବିତ୍ର ଦାନ ସମ୍ଭବତଃ...

ଏଇ ଭାରତରେ

ପ୍ରାଥମିକ ଅବସ୍ଥାରେ ଭାଷା ଶିକ୍ଷା କରିବା ପିଲାଙ୍କ ପକ୍ଷେ କଷ୍ଟକର ହୋଇଥାଏ। କିନ୍ତୁ ଏହି କାର୍ଯ୍ୟକୁ ଅନାୟାସରେ କରିପାରୁଛନ୍ତି ଜଣେ ୮ ବର୍ଷର ବାଳକ। ସେ...

ତଥାପି ବଞ୍ଚିଛି ମାନବିକତା

ଡ. ରମେଶ ଚନ୍ଦ୍ର ପରିଡ଼ା ମଣିଷ କ୍ରମେ ଅଧିକରୁ ଅଧିକ କ୍ରୂର ହୋଇଚାଲିଛି। ଫଳରେ ବଢ଼ି ବଢ଼ି ଚାଲିଛି ଯୁଦ୍ଧ ଘନଘଟା, ଅପରାଧ, ଆତଙ୍କବାଦ ଭଳି...

ଶୁଦ୍ଧ ଶାକାହାରବାଦ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ କିଛି ମାସ ତଳେ ଦିଲ୍ଲୀରେ ଏକ ଭିଗନ୍‌ ଫେଷ୍ଟ (ଶୁଦ୍ଧ ଶାକାହାରୀ ଉତ୍ସବ) ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ହଜାର...

ପ୍ରଶଂସାର ମୂଲ୍ୟ

ଅର୍ଥନୈତିକ ଉନ୍ନତି ଆଧାରରେ ବିକଶିତ, ବିକାଶଶୀଳ ଓ ଅବିକଶିତ ରାଷ୍ଟ୍ରଗୁଡ଼ିକର ବର୍ଗୀକରଣ କରାଯାଇଛି। କୌଣସି ଦେଶର ସମୁଦାୟ ଘରୋଇ ଉତ୍ପାଦ (ଜିଡିପି), ମୁଣ୍ଡପିଛା ଆୟ, ଶିଳ୍ପ...

କର୍ପୋରେଟ୍‌ଙ୍କ ଝୁଲାରେ ଦେଶ ସମ୍ପତ୍ତି

ଭାଲଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ରର ଏନ୍‌ଡିଏ ସରକାର ନିଜର ଦ୍ୱିତୀୟ ପାଳିରେ ଦେଶର ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ଏକ ବଡ଼ ଧରଣର ଘରୋଇକରଣ ଅଭିଯାନ ଆରମ୍ଭ କରିଛନ୍ତି। ଆର୍ଥିକ...

ସମର୍ପିତ ଶିକ୍ଷାସେବୀ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଇଂରେଜ ଶାସନ ସମୟରେ ଭାରତରେ ଆଧୁନିକ ଶିକ୍ଷାର ପ୍ରସାର ଘଟିଲା। ପ୍ରଚଳିତ କୁସଂସ୍କାରଗୁଡିକୁ ଦୂର କରିବା ପାଇଁ ଅନେକ ଉତ୍ସାହୀ ଯୁବକ...

Leave a comment

Your email address will not be published. Required fields are marked *