ପୁଣି ବିବାଦ ଘେରରେ ଇଭିଏମ୍‌

ଅରୁଣ କୁମାର ପଣ୍ଡା
ଏବେ ପୁଣି ଇଭିଏମ୍‌ (ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ) ବିବାଦ ଘେରକୁ ଆସିଛି। ଭୋଟରଙ୍କ ମତଦାନ ପରେ ଇଭିଏମ୍‌ଗୁଡ଼ିକୁ ସ୍ଥାନାନ୍ତର ସମୟରେ ସେଥିରେ ଟାମ୍ପରିଂ (ହେରଫେର) କରାଯାଇଛି ବୋଲି ପ୍ରାୟ ସମସ୍ତ ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ଲୋକ ସଭା ଓ କେତେକ ରାଜ୍ୟର ବିଧାନସଭା ନିର୍ବାଚନରେ ସ୍ବଚ୍ଛତା ଓ ନିରପେକ୍ଷତା ବଜାୟ ରଖିବାକୁ ଦାବି କରି ୨୧ା୦୫ା୨୦୧୯ ଦିନ ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିଶନଙ୍କୁ ଭେଟି ଶାସକ ଦଳ ଇଭିଏମ୍‌ରେ ଟାମ୍ପରିଂ କରିବାର ସମ୍ଭାବନା ରହିଛି ବୋଲି ଅଭିଯୋଗ କରିଥିଲେ। ବିରୋଧୀ ଦଳଙ୍କ ଏହି ଅଭିଯୋଗକୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଅଣଦେଖା କରାଯିବା ଉଚିତ ନୁହେଁ ବୋଲି ମତ ଦେଇ କହିଛନ୍ତି, ଇଭିଏମ୍‌ର ସୁରକ୍ଷା ଓ ନିରାପତ୍ତା ଦାୟିତ୍ୱ ନିର୍ବାଚନ କମିଶନରଙ୍କର। ତେଣୁ ଗଣତନ୍ତ୍ରର ମୂଳତତ୍ତ୍ୱ ନେଇ କୌଣସି ପ୍ରକାର ସନ୍ଦେହ ଉପୁଜିଲେ ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେବା ଉଚିତ।
ଅପରପକ୍ଷରେ ଇଭିଏମ୍‌ରେ ଟାମ୍ପରିଂ ସନ୍ଦେହ କରି ଉଚ୍ଚତମ ନ୍ୟାୟାଳୟରେ କରାଯାଇଥିବା ଏକ ମାମଲାର ଶୁଣାଣି କରି ମାନ୍ୟବର କୋର୍ଟ ନିଜ ଆଦେଶରେ କହିଥିଲେ ଯେ, ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପ୍ରତି ବିଧାନସଭା କ୍ଷେତ୍ରର ଯେକୌଣସି ପାଞ୍ଚଟି ବୁଥ୍‌ର ଇଭିଏମ୍‌ ସହିତ ଭିଭିପିଏଟି (ଭୋଟର ଭେରିଫାଏଡ୍‌ ପେପର ଅଡିଟ୍‌ ଟ୍ରେଲ) ସ୍ଲିପ୍‌ ଯାଞ୍ଚ କରାଯିବ। ତେଣୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏହି ପ୍ରକ୍ରିୟା ଶେଷ ପରେ ହିଁ ଇଭିଏମ୍‌ ଭୋଟ ଗଣତି କରାଯିବାକୁ ବିରୋଧୀ ଦଳଗୁଡ଼ିକ ଦାବି କରିଥିଲେ।
ମଧ୍ୟପ୍ରଦେଶର ଭିଣ୍ଡ ଜିଲା ଅଟେରଠାରେ ଗତ ବିଧାନସଭା ନିର୍ବାଚନ ପୂର୍ବରୁ ଇଭିଏମ୍‌ର ଡେମୋ (ପରୀକ୍ଷାମୂଳକ ପ୍ରଦର୍ଶନ) ସମୟରେ ଏହାର କୌଣସି ବି ବଟନକୁ ଦବାଇଲେ ଭିଭିପିଏଟି ସ୍ଲିପ୍‌ରେ ଭାରତୀୟ ଜନତା ପାର୍ଟିର ନାଁ ଆସିବା ପରେ ଜିଲାର କଲେକ୍ଟର ଏବଂ ପୋଲିସ ଅଧୀକ୍ଷକଙ୍କୁ ହଟାଇ ଦିଆଯାଇଥିଲା। ରାଜ୍ୟର ନିର୍ବାଚନ ଅଧିକାରୀଙ୍କଠାରୁ ନିର୍ବାଚନ ଆୟୋଗ ମଧ୍ୟ ସେତେବେଳେ ଏ ନେଇ ପୂରା ରିପୋର୍ଟ ମାଗିଥିଲେ। ଏହାପରେ ଜିଲାପାଳ ଏବଂ ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ରାଜ୍ୟ ନିର୍ବାଚନ ଅଧିକାରୀ ସେତେବେଳେ ଏ ସଂକ୍ରାନ୍ତରେ କହିଥିଲେ ଯେ, ମେଶିନ ଠିକ୍‌ ଭାବରେ ସେଟ୍‌ ହୋଇ ନ ଥିଲା। ସେଥିପାଇଁ ଏଭଳି ଘଟଣା ସାମ୍‌ନାକୁ ଆସିଲା। ଏହି ମେଶିନଟି ଉତ୍ତରପ୍ରଦେଶ ନିର୍ବାଚନ ମତଦାନ ସମୟରେ କାନପୁର ବିଧାନସଭା କ୍ଷେତ୍ରର ଏକ ବୁଥ୍‌ରେ ଉପଯୋଗ କରାଯାଇଥିଲା।
ଦେଶରେ ଏକ୍‌ଜିଟ୍‌ ପୋଲ୍‌ର ପୂର୍ବାନୁମାନ ଫଳାଫଳ ଆସିବା ପରେ ଏବଂ ଏନ୍‌ଡିଏ (ଭାଜପା)ର ବିପୁଳ ବିଜୟ ସମ୍ଭାବନା ଥିବାବେଳେ ବିରୋଧୀ ଦଳଗୁଡ଼ିକ ନିଜ ନୈରାଶ୍ୟର ପରିପ୍ରକାଶ ଇଭିଏମ୍‌ ଟାମ୍ପରିଂ ଅଭିଯୋଗ ମାଧ୍ୟମରେ କରୁଛନ୍ତି ବୋଲି ଭାଜପା ପକ୍ଷରୁ କୁହାଯାଇଛି। ୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ପ୍ରାୟ ସବୁ ବୁଥ୍‌ରେ ଇଭିଏମ୍‌ ସହିତ ଭିଭିପିଏଟି ସଂଯୁକ୍ତ କରିବାର ବ୍ୟବସ୍ଥା କରିଥିଲେ।
ଗତ ଉତ୍ତରପ୍ରଦେଶ ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ଭାଜପାର ଆଶାତୀତ ସଫଳତା ପରେ ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀ ଇଭିଏମ୍‌ର ଭୂମିକା ନେଇ ପ୍ରଶ୍ନ ଉଠାଇଥିଲେ। ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ମଧ୍ୟ କହିଥିଲେ ଯେ, ଏକ ଜାତୀୟ ଦଳର ଅଧ୍ୟକ୍ଷ ଯଦି ଇଭିଏମ୍‌ ନେଇ ଶଙ୍କାବ୍ୟକ୍ତ କରିଛନ୍ତି ଏହାର ଠିକ୍‌ ଭାବରେ ଯାଞ୍ଚ କରାଯିବା ଆବଶ୍ୟକ। ଗତ ପଞ୍ଜାବ ବିଧାନସଭା ଫଳାଫଳକୁ ନେଇ ଆମ୍‌ ଆଦ୍‌ମୀ ପାର୍ଟି ଇଭିଏମ୍‌ରେ ହେରଫେର ହୋଇଥିବା ଅଭିଯୋଗ କରିଥିଲେ। ପରନ୍ତୁ ନିର୍ବାଚନ ଆୟୋଗ ଏହି ଅଭିଯୋଗକୁ ଖାରଜ କରି ଦେଇଥିଲେ।
କେନ୍ଦ୍ରୀୟ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ବିରୋଧୀଙ୍କର ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି ମତ ଦେଇ କହିଥିଲେ ଯେ, ନିର୍ବାଚନରେ ଜିତିଲେ ଏମାନେ ଇଭିଏମ୍‌ର ପ୍ରଶସ୍ତି କରୁଥିବା ବେଳେ ହାରିଲେ ଏମାନଙ୍କୁ ଲାଗୁଛି ଯେ, ମେଶିନରେ କିଛି ହେରାଫେରି କରାଯାଇଛି। ୨୦୦୬ରେ କେନ୍ଦ୍ରରେ କଂଗ୍ରେସ ସରକାର ଥିବାବେଳେ ନିର୍ବାଚନ ଆୟୋଗ ଇଭିଏମ୍‌ର ଉପଯୋଗକୁ ନେଇ ଯେତେବେଳେ ସବୁ ଦଳର ବୈଠକ ଡାକିଥିଲେ ସେତେବେଳେ କେହି ଏହାର ବିରୋଧ କରି ନ ଥିଲେ। ଇଭିଏମ୍‌ରେ ମତଦାତା ଦେଇଥିବା ଭୋଟ ଠିକ୍‌ ପ୍ରାର୍ଥୀଙ୍କୁ ଯାଉଛି କି ନାହିଁ, ତାହା ଜାଣିବା ପାଇଁ ଏବେ ଭିଭିପିଏଟି ମେଶିନ ଇଭିଏମ୍‌ ସହିତ ମତଦାନ କେନ୍ଦ୍ରଗୁଡ଼ିକରେ ରଖାଯାଇଥିଲା। ମତଦାତାଙ୍କ ମନରୁ ସନ୍ଦେହ ଦୂର କରିବା ପାଇଁ ଏହା ଏକ ଚମତ୍କାର ବ୍ୟବସ୍ଥା। ଭାଜପା ନେତା ସୁବ୍ରମଣ୍ୟମ୍‌ ସ୍ବାମୀଙ୍କ ଏକ ଜନହିତ ଯାଚିକା ଉପରେ ଶୁଣାଣି କରି ସୁପ୍ରିମ୍‌କୋର୍ଟ ୨୦୧୩ରେ ମତଦାନ କେନ୍ଦ୍ରଗୁଡ଼ିକରେ ଇଭିଏମ୍‌ ସହ ଭିଭିପିଏଟି ମେଶିନ ରଖାଯିବା ନେଇ ଭାରତର ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରନ୍ତୁ କୋର୍ଟଙ୍କ ଏହି ଆଦେଶକୁ ପାଳନ କରିବା ପାଇଁ ନିର୍ବାଚନ କମିଶନଙ୍କୁ ୩ହଜାର କୋଟି ଟଙ୍କା ଆବଶ୍ୟକ ଥିଲା। କମିଶନଙ୍କ ପକ୍ଷରୁ ବାରମ୍ବାର ମଗାଯିବା ସତ୍ତ୍ୱେ କେନ୍ଦ୍ର ସରକାର ଏହି ଟଙ୍କା ବହୁ ବିଳମ୍ବରେ ଦେଲେ। ତେଣୁ ୨୦୧୯ ନିର୍ବାଚନରେ ପ୍ରାୟ ସମସ୍ତ ମତଦାନ କେନ୍ଦ୍ରରେ ଭିଭିପିଏଟି ମେଶିନ୍‌ ଲଗାଇବା ସମ୍ଭବପର ହୋଇପାରିଛି।
ଆମେରିକା, ବ୍ରିଟେନ୍‌, ଜର୍ମାନୀ ପରି ଅନେକ ବଡ଼ବଡ଼ ଗଣତନ୍ତ୍ର ରାଷ୍ଟ୍ରରେ ବାଲଟ୍‌ ପେପରରେ ମତଦାନ ହେଉଥିବା ବେଳେ ପୂର୍ବପରି ଭାରତରେ ମଧ୍ୟ ଏହାକୁ ଲାଗୁ କରାଯିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକ ସ୍ବରରେ ଦାବି କରି ଆସୁଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ଏମାନେ ନିର୍ବାଚନ କମିଶନ ଏବଂ ପରେ ରାଷ୍ଟ୍ରପତିଙ୍କୁ ଭେଟି ଏଭଳି ଦାବି ଜଣାଇଥିଲେ। କଂଗ୍ରେସ ପ୍ରବକ୍ତା ଅଭିଷେକ ମନୁ ସିଙ୍ଗ୍‌ଭି ନିର୍ବାଚନ କମିଶନଙ୍କ ଆଚାର ସଂହିତାକୁ ଲାଚାର ସଂହିତା କହି ଇଭିଏମ୍‌କୁ ଇଲେକ୍ସନ ଭିକ୍ଟୋରି ମେଶିନ ବୋଲି ମତ ଦେଇଛନ୍ତି। ଇଭିଏମ୍‌ ଭୋଟ ସହ ଭିଭିପିଏଟିର ୫୦ ପ୍ରତିଶତ ସ୍ଲିପ୍‌ ମିଶାଯିବା ପାଇଁ ୟୁପିଏର ୨୨ଟି ଦଳ ଦାବିକୁ କମିଶନ ପ୍ରତ୍ୟାଖ୍ୟାନ କରି ନମୁନା ସ୍ବରୂପ ୫ଟି ଲେଖା ମିଶାଯିବା ପାଇଁ ନିଷ୍ପତ୍ତି ଘୋଷଣା କରିଥିଲେ।
ତେଣେ ଏନ୍‌ଡିଏ ପକ୍ଷରୁ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ମତ ହେଲା- କେବେ ନା କେବେ ଇଭିଏମ୍‌ ମାଧ୍ୟମରେ ଅନୁଷ୍ଠିତ ନିର୍ବାଚନରେ ଜିତିଥିବା ଏବଂ ସରକାର ଗଢିଥିବା ଅଣଭାଜପା ଦଳଗୁଡ଼ିକର ଯଦି ଇଭିଏମ୍‌ ଉପରେ ବିଶ୍ୱାସ ନ ଥିଲା ବିଜୟ ପରେ ପଦତ୍ୟାଗ କଲେ ନାହିଁ କାହିଁିକି? ଗତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ବିଶେଷକରି ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ ପରେ ଏମାନେ ଇଭିଏମ୍‌ ବିରୋଧରେ ପଦୁଟିଏ ମଧ୍ୟ କାହିଁକି କହିଲେ ନାହିଁ? ଇଭିଏମ୍‌ର ବିରୋଧ ଜନାଦେଶର ଅନାଦର ବୋଲି ସେ କହିଛନ୍ତି।
୨୦୦୯ରେ ଓଡ଼ିଶା ବିଧାନସଭା ଓ ଲୋକ ସଭା ପାଇଁ ଅନୁଷ୍ଠିତ ସାଧାରଣ ନିର୍ବାଚନ ବେଳେ ରାଜ୍ୟର ବିରୋଧୀ ଦଳଗୁଡ଼ିକ ମଧ୍ୟ ଇଭିଏମ୍‌ରେ ହେରଫେର କରି ବିଜେଡି ଏତେ ଆସନ ହାସଲ କରିଥିବା କହିଥିଲେ। ଯେଉଁ ଭାଜପା ଏବେ ଇଭିଏମ୍‌ ବ୍ୟବହାରକୁ ସମର୍ଥନ କରୁଛି ୨୦୦୯ ସାଧାରଣ ନିର୍ବାଚନ ବେଳେ ସେମାନେ ଏହାର ବିରୋଧ କରିଥିଲେ। ୨୦୦୯ ନିର୍ବାଚନରେ ଭାଜପାର ଭଲ ଫଳାଫଳ ନ ହେବା ପରେ ଏହାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଇଭିଏମ୍‌ ଉପରେ ପ୍ରଶ୍ନ ଉଠାଇଥିଲେ। ୨୦୧୦ରେ ଭାଜପାର ପ୍ରବକ୍ତା ତଥା ନିର୍ବାଚନ ମାମଲା ବିଶେଷଜ୍ଞ ଜିବିଏଲ୍‌ ନରସିଂହ ରାଓ ‘ଡେମୋକ୍ରାସି ଆଟ୍‌ ରିସ୍‌କ: କ୍ୟାନ୍‌ ଉଇ ଟ୍ରଷ୍ଟ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ’ ନାମକ ଏକ ପୁସ୍ତକ ରଚନା କରିଥିଲେ। ଏହି ପୁସ୍ତକର ମୁଖବନ୍ଧ ଲେଖିଥିଲେ ଆଡଭାନୀ ଏବଂ ଚନ୍ଦ୍ରାବାବୁ ନାଇଡୁଙ୍କ ମନ୍ତବ୍ୟ ମଧ୍ୟ ଏହି ପୁସ୍ତକରେ ପ୍ରକାଶିତ ହୋଇଥିଲା। ଏହି ପୁସ୍ତକରେ ଷ୍ଟନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଡେବିଡ ଡିଲ୍‌ ଲେଖିଥିଲେ ଯେ ଇଭିଏମ୍‌ର ଉପଯୋଗ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ନୁହେଁ। ଜଣେ ପ୍ରାର୍ଥୀଙ୍କୁ ଦିଆଯାଇଥିବା ଭୋଟ ଅନ୍ୟ ପ୍ରାର୍ଥୀଙ୍କ ଖାତାକୁ ଯାଉଥିବା କଥା ପୁସ୍ତକରେ ଉଲ୍ଲେଖ କରାଯାଇଥିଲା।
ଭାରତୀୟ ଜନତାପାର୍ଟିର ବରିଷ୍ଠ ନେତା ସୁବ୍ରମଣ୍ୟମ୍‌ ସ୍ବାମୀ ୨୦୦୯ ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ପରେ ଇଭିଏମ୍‌କୁ୍‌ ଦୃଢ ବିରୋଧ କରି କହିଥିଲେ ଯେ, ଏଭଳି ୯୦ଟି ଆସନରେ କଂଗ୍ରେସର ବିଜୟ ଆଦୌ ସମ୍ଭବ ନ ଥିଲା। ଇଭିଏମ୍‌ ଦ୍ୱାରା କଂଗ୍ରେସ ଭୋଟରେ ହୋଲସେଲ ଫ୍ରଡ୍‌ କରିଛି ବୋଲି ସେ ଅଭିଯୋଗ କରିଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ବିପୁଳ ବିଜୟ ପରେ କଂଗ୍ରେସ ମଧ୍ୟ ଇଭିଏମ୍‌କୁ ନେଇ ଭାଜପା ବିରୋଧରେ ସମାନ ଅଭିଯୋଗ ଆଣିଥିଲା। ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଇଭିଏମ୍‌ ମାଧ୍ୟମରେ ନିର୍ବାଚନ ଜିତିଥିଲେ ମଧ୍ୟ ଏହାର ବିରୋଧ କରିଥିଲେ।
ଏବେ ପ୍ରଶ୍ନଉଠୁଛି ଯେ ଇଭିଏମ୍‌କୁ କ’ଣ ସୁରକ୍ଷିତ ଓ ସନ୍ଦେହମୁକ୍ତ କରାଯାଇପାରିବ ନାହିଁ? ଭାରତ ପରି ଏକ ବିଶାଳ ଗଣତନ୍ତ୍ର ରାଷ୍ଟ୍ରରେ ବାଲଟ୍‌ ପେପର ମତ ଗଣନା ଯେତିକି ସମୟ ସାପେକ୍ଷ ସେତିକି ବ୍ୟୟବହୁଳ। ନିର୍ବାଚନ କମିଶନ ମଝିରେ ମଝିରେ ଇଭିଏମ୍‌କୁ ଠିକ୍‌ ଓ ଆଧୁନିକ କରିବା ପାଇଁ ପଦକ୍ଷେପ ନେଇ ଆସୁଛନ୍ତି। ଭାରତରେ ୨୦୦୪ର ସାଧାରଣ ନିର୍ବାଚନରେ ଇଭିଏମ୍‌ର ଉପଯୋଗ ସମଗ୍ର ଦେଶରେ କରାଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ହୋଇଥିବା ନିର୍ବାଚନରେ କୌଣସି ଆସନରେ ଦ୍ୱିତୀୟ ଥର ପାଇଁ ମତଗଣନାର ଅବକାଶ ଆସିନାହିଁ। ନବଗଠିତ ସଂସଦର ସଂଯୁକ୍ତ ସଂସଦୀୟ ସମିତି ଗଠନ କରାଯାଇ ଇଭିଏମ୍‌ ସମ୍ପର୍କରେ ଅନୁଧ୍ୟାନ ହେଉ। ଇଭିଏମ୍‌ ନା ବାଲଟ୍‌ ପେପର ତା’ ଉପରେ ବ୍ୟାପକ ଚର୍ଚ୍ଚା କରାଯାଉ।
ମୋ: ୯୪୩୭୨୭୦୬୦୫


All Right Reserved By

ଅନ୍ଧବିଶ୍ୱାସ ଓ ଚକରା ମଉସା

ସୁଧାକର ଦାସ ଅନ୍ଧବିଶ୍ୱାସ କ’ଣ ଏକ ପ୍ରଥା? ଏହା ସହିତ ଆମ ସାମାଜିକ ଓ ଅର୍ଥନୈତିକ ଜୀବନର କ’ଣ କିଛି ସମ୍ପର୍କ ନାହିଁ? ହତାଶା ଓ...

ବ୍ୟକ୍ତିଗତ ପ୍ରସଙ୍ଗ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ୨୦୧୪ରେ ମୋଦି ସରକାର ନିଷ୍ପତ୍ତି ନେଇଥିଲେ ଯେ ପ୍ରଶାସନିକ ବାବୁମାନେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (ପିଏସ୍‌) ଓ ସ୍ବତନ୍ତ୍ର ଡ୍ୟୁଟି...

କୂଟନୈତିକ ରାଜନେତା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ କେନ୍ଦ୍ରରେ ୩୦ ମେ ୨୦୧୯ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦ୍ୱିତୀୟ ଥର ଲାଗି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର...

ସମ୍ପାଦକୀୟ/ କିଏ ବଞ୍ଚାଇବ

ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି କିଭଳି ବିପର୍ଯ୍ୟସ୍ତ ହେବାରେ ଲାଗିଛି, ତାହା ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ଅପରାଧରୁ ଦେଖିବାକୁ ମିଳୁଛି। ନିକଟରେ କଳାହାଣ୍ଡି...

ଲୋକ ସଭା ନିର୍ବାଚନ: ୩ ସପ୍ତାହରେ ଇସିଙ୍କ ଦ୍ୱାରା ୬୧୩ କୋଟିରୁ ଅଧିକ ମୂଲ୍ୟର ପ୍ରତିବନ୍ଧିତ ସାମଗ୍ରୀ ଜବତ

ନୂଆଦିଲ୍ଲୀ,୨୮।୩: ଲୋକ ସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବାର ପ୍ରାୟ ୩ ସପ୍ତାହ ମଧ୍ୟରେ ନିର୍ବାଚନ କମିଶନ(ଇସି)ଙ୍କ ଦ୍ୱାରା ୬୧୩. ୧୭୬ କୋଟି...

ଆଜିର ଅର୍ଥନୀତି/ ଚାହିଦା ମରୁଡ଼ି

ଦେଶ ବର୍ତ୍ତମାନ ଘୋର ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ଗତିକରୁଛି। ପ୍ରାୟ ସବୁ କ୍ଷେତ୍ରରେ ଖରାପ ପ୍ରଦର୍ଶନ ଦେଖିବାକୁ ମିଳୁଛି। ଅର୍ଥନୈତିକ ପ୍ରଗତି ଧିମେଇ ଯାଇଛି। ଷ୍ଟକ୍‌...

ଏଇ ଭାରତରେ

ସ୍କୁଲ ଯିବାକୁ କେତେକ ପିଲା ଅମଙ୍ଗ ହୋଇଥାନ୍ତି। ତେବେ ମଧ୍ୟପ୍ରଦେଶ ଭୋପାଳର ଜଣେ ଛାତ୍ରୀ ୧୨ ବର୍ଷ ମଧ୍ୟରେ କୌଣସି ଗୋଟିଏ ବି ଦିନ ସ୍କୁଲ...

ଏଇ ଭାରତରେ

ଆଜିକାଲି ଅନେକ ଅପରାଧମୂଳକ ଘଟଣା ଘରର ଚାରିକାନ୍ଥ ଭିତରେ ଘଟୁଥଲେ ବି ଏହା ଲୋକଲୋଚନକୁ ଆସିପାରେ ନାହିଁ। ଗୋଟିଏ ପରିବାରରେ ଶାଶୁଙ୍କୁ ବୋହୂ ପିଟୁଥିବାବେଳେ ନାତୁଣୀ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *