ଓଡ଼ିଶା ରାଜନୀତିରେ ନାରୀଶକ୍ତି

ଶରତଚନ୍ଦ୍ର ମିଶ୍ର
ଏଥର ନିର୍ବାଚନ(୨୦୧୯)ରେ ବିଜେଡି ଓଡ଼ିଶାର ସମୁଦାୟ ଲୋକ ସଭା ସିଟ୍‌ର ତିନିଭାଗରୁ ଏକଭାଗ ମହିଳାଙ୍କୁ ପ୍ରଦାନ କରି ଏକ ସକାରାତ୍ମକ ଉଦାହରଣ ସୃଷ୍ଟି କରିଛି। ମହିଳାମାନଙ୍କ ନିମନ୍ତେ ପୌରସଭା ଓ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକରେ ୫୦ଭାଗ ଆସନ ସଂରକ୍ଷିତ ଅଛି। ଫଳତଃ ବର୍ତ୍ତମାନ ବହୁ ମହିଳା ରାଜନୀତିରେ ଅଂଶଗ୍ରହଣ କରିବାକୁ ସକ୍ଷମ ହୋଇଛନ୍ତି। ଇଂଲଣ୍ଡ ଆଦି ପାଶ୍ଚାତ୍ୟ ଦେଶରେ ମହିଳାମାନଙ୍କ ନିମନ୍ତେ ଏ ପ୍ରକାର ସୁବିଧା ନାହିଁ ଓ ଭୋଟ ଅଧିକାର ପ୍ରାପ୍ତ ହେବାକୁ ଇଂଲଣ୍ଡରେ ମହିଳାମାନଙ୍କୁ ଦୀର୍ଘବର୍ଷ ଧରି ଆନ୍ଦୋଳନ କରିବାକୁ ପଡିଥିଲା। ଭାରତବର୍ଷରେ ମହାତ୍ମା ଗାନ୍ଧୀ ମହିଳାମାନଙ୍କୁ ଗୃହାଙ୍ଗନରୁ ବାହାରକୁ ଆଣିଥିଲେ। ସରୋଜିନୀ ନାଇଡୁ, ବିଜୟଲକ୍ଷ୍ମୀ ପଣ୍ଡିତ ପ୍ରମୁଖଙ୍କୁ ଉଚ୍ଚ ପଦବୀରେ ଆସୀନ କରାଇ ମହିଳାମାନଙ୍କ ମନୋବଳ ବୃଦ୍ଧି କରାଇଥିଲେ। ବିଜୟଲକ୍ଷ୍ମୀ ୧୯୩୭ ମସିହାରେ ଉତ୍ତରପ୍ରଦେଶର ମନ୍ତ୍ରୀ ହେଲାବେଳେ ପଶ୍ଚିମ ଜଗତରେ କୌଣସି ମହିଳା ଏପରି ପଦପ୍ରାପ୍ତ ହୋଇ ନ ଥିଲେ।
ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରେ ଶୈଳବାଳା ଦାସ ଓ ରମା ଦେବୀ ସାଧାରଣ ସମାଜ ଜୀବନରେ ପ୍ରବେଶ କଲେ। ରମା ଦେବୀ ସାରା ଜୀବନ ଦେଶସେବା କଲେ ମଧ୍ୟ ନିର୍ବାଚନ ରାଜନୀତିରେ ଆଗ୍ରହ ପ୍ରକାଶ କରିନାହାନ୍ତି। ମାଳତୀ ଦେବୀ ତାଙ୍କ ଦିଅର ନବକୃଷ୍ଣ ଚୌଧୁରୀଙ୍କ ସ୍ତ୍ରୀ। ସେ କଂଗ୍ରେସ ଆନ୍ଦୋଳନ ସହିତ ପ୍ରାରମ୍ଭରୁ ସଂଶ୍ଳିଷ୍ଟ ଓ କଂଗ୍ରେସରେ ଆନୁଷ୍ଠାନିକ ପଦ ପ୍ରାପ୍ତ ହୋଇଥିଲେ। ଜୀବନର ସାୟାହ୍ନରେ ୧୯୭୭ ମସିହାରେ ସ୍ବାଧୀନ ପ୍ରାର୍ଥୀ ଭାବେ ଢେଙ୍କାନାଳ ବିଧାନସଭା ସଭ୍ୟ ପାଇଁ ପ୍ରାର୍ଥୀ ଭାବେ ନନ୍ଦିନୀ ଶତପଥୀଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରି ଶୋଚନୀୟ ଭାବେ ପରାସ୍ତ ହୋଇଥିଲେ।
ଓଡ଼ିଶା ପ୍ରଦେଶ ଗଠନ ପରେ ୧୯୩୭ ମସିହା ନିର୍ବାଚନରେ ମହିଳାଙ୍କ ନିମନ୍ତେ ଦୁଇଟି ସ୍ଥାନ ସଂରକ୍ଷିତ ଥିଲା ଓ ସରଳା ଦେବୀଙ୍କୁ ଲଗାଇ ଦୁଇଜଣ ଏଥିପାଇଁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ନିର୍ବାଚନ ହେଲା ୧୯୪୬ରେ। ଗଞ୍ଜାମର ଭି.ଭି. ଗିରିଙ୍କ ଭଉଣୀ ଲକ୍ଷ୍ମୀ ଆମ୍ମା ନିର୍ବାଚିତ ହୋଇ ୫ ବର୍ଷ ନିମନ୍ତେ ଉପବାଚସ୍ପତି ହୋଇଥିଲେ। କୌଣସି ନିର୍ବାଚିତ ପଦପଦବୀ ଅଧିକାର କରିବାରେ ସେ ଓଡ଼ିଶାରେ ପ୍ରଥମ। ତାଙ୍କର ମାତୃଭାଷା ତେଲୁଗୁ ଓ ସେ ବ୍ରହ୍ମପୁର ଅଧିବାସୀ। ତାଙ୍କ ବ୍ୟତୀତ ଓଡ଼ିଶା ରାଜନୀତିରେ ପ୍ରତିଷ୍ଠା ଲାଭ କରିଥିବା ଅନ୍ୟ ଅଣଓଡ଼ିଆମାନେ ହେଲେ ଶୈଳବାଳା ଦାସ, ମାଳତୀ ଚୌଧୁରୀ (ଉଭୟ ବଙ୍ଗଭାଷୀ), ସୁଜ୍ଞାନ କୁମାରୀ ଦେଓ (ତାମିଲ), ଅପରାଜିତା ଷଡଙ୍ଗୀ, ପ୍ରତ୍ୟୁଷା ଦେବୀ ଓ ସଙ୍ଗୀତା ସିଂହଦେଓ (ହିନ୍ଦୀଭାଷୀ)। ଏମାନେ ସମସ୍ତେ ଓଡ଼ିଶା ବାହାରର ଲୋକ ଓ ବୈବାହିକ ସୂତ୍ରରେ ଓଡ଼ିଶାର ବଧୂ। କେବଳ ଶୈଳବାଳା ହାଜରା ମଧୁବାବୁଙ୍କ ପାଳିତା କନ୍ୟା ହୋଇ ଶୈଳବାଳା ଦାସ ହୋଇଥିଲେ।
ସ୍ବାଧୀନତା ପରେ ସାବାଳକ ଭୋଟପ୍ରଥା ପ୍ରଚଳନ ହୋଇ ୧୯୫୨ରେ ନିର୍ବାଚନ ହେଲା। ସେ ନିର୍ବାଚନରେ ପ୍ରଥମ କରି ରଜା, ଜମିଦାର ପରିବାରର ରାଜମାତା, ରାଣୀ ଓ ଯୁବରାଣୀ ଅଂଶଗ୍ରହଣ କରିବା ଆରମ୍ଭ କଲେ ଓ ନିର୍ବାଚନ ସଂଗ୍ରାମରେ ସଫଳ ହେଲେ। ସେ ଧାରା ଏବେ ମଧ୍ୟ ଅବ୍ୟାହତ ରହିଛି। ନିର୍ବାଚନରେ ଆଗ୍ରହୀ ଥିବା ରାଜବଂଶର ମହିଳାମାନଙ୍କ ମଧ୍ୟରେ ଢେଙ୍କାନାଳ, ରଣପୁର, ବଲାଙ୍ଗୀର, ଖଲ୍ଲିକୋଟ, ଆଳି, ଚିକିଟି ଓ ନୟାଗଡ ଅନ୍ତର୍ଭୁକ୍ତ। ରଣପୁରର ରାଜମାତା ସ୍ବର୍ଗତ ବସନ୍ତ ମଞ୍ଜରୀ ଦେବୀ ୧୯୫୨ରେ ବିଧାନସଭାକୁ ନିର୍ବାଚିତ ହୋଇ ସ୍ବାସ୍ଥ୍ୟମନ୍ତ୍ରୀ ପଦବୀ ମଣ୍ଡନ କରିଥିଲେ। ସେ ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ। ସେଇବର୍ଷ (୧୯୫୨) ମଧୁବାବୁଙ୍କ ପାଳିତା କନ୍ୟା ଶୈଳବାଳା ଦାସ କଂଗ୍ରେସରେ ଯୋଗଦେଲେ ଓ ଦୁଇବର୍ଷ ନିମନ୍ତେ ରାଜ୍ୟ ସଭାକୁ ନିର୍ବାଚିତ ହେଲେ। ସେ ଓଡ଼ିଶାର ପ୍ରଥମ ମହିଳା ପାର୍ଲାମେଣ୍ଟ ସଦସ୍ୟ। ଲୋକ ସଭାକୁ ନିର୍ବାଚିତ ପ୍ରଥମ ଓଡ଼ିଆ ମହିଳା ସଦସ୍ୟା ହେଉଛନ୍ତି ଜୟନ୍ତୀ ପଟ୍ଟନାୟକ ।
ପ୍ରଥମେ ପ୍ରଥମେ ରାଜ ପରିବାର ଓ ପ୍ରତିଷ୍ଠିତ ପରିବାରର ମହିଳାମାନେ ରାଜନୀତିରେ ପ୍ରବେଶ କରୁଥିଲେ। କାଳକ୍ରମେ ସାଧାରଣ ପରିବାର, ରାଜନୈତିକ ପରିବାର ଓ କୌଣସି ରାଜନୈତିକ ବ୍ୟକ୍ତିଙ୍କର ନିଧନ ହେଲେ, ତାଙ୍କ ବିଧବା ସ୍ତ୍ରୀ ରାଜନୀତିରେ ପ୍ରବେଶ କରିବା ପରିଦୃଷ୍ଟ ହେଲା। ମ୍ୟୁନିସିପାଲିଟି ଓ ପଞ୍ଚାୟତିରାଜ ଅନୁଷ୍ଠାନରେ ମହିଳାମାନଙ୍କ ନିମନ୍ତେ ବ୍ୟାପକ ସଂରକ୍ଷଣ ବ୍ୟବସ୍ଥା ହେବା ଫଳରେ ବହୁ ଅନୁସୂଚିତ ଜନଜାତି ଓ ଅନଗ୍ରସର ଶ୍ରେଣୀର ମହିଳା ନିର୍ବାଚିତ ହେଲେ ଓ ସେଥିରୁ କେତେକ ବିଶେଷ ଶିକ୍ଷାପ୍ରାପ୍ତ ହୋଇ ନ ଥିବାରୁ ସେମାନଙ୍କ କାମ ଅନ୍ତରାଳରେ ଥାଇ ତାଙ୍କ ପତିମାନେ ନିର୍ବାହ କଲେ। ଗ୍ରାମାଞ୍ଚଳରେ ‘ସରପଞ୍ଚ ପତି’ ନାମରେ ଏକ ଶ୍ରେଣୀ ସୃଷ୍ଟି ହେଲା। ଆଶା କରାଯାଏ, ମହିଳାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ଘଟିଲେ ଏ ଶ୍ରେଣୀ ପ୍ରଭାବଶୂନ୍ୟ ହେବ। ଗତ ପଚାଶ ବର୍ଷ ମଧ୍ୟରେ ଓଡ଼ିଶାରେ ମହିଳାମାନେ ଯେଉଁ ପରିମାଣରେ ରାଜନୈତିକ କ୍ଷମତାପ୍ରାପ୍ତ ହୋଇଛନ୍ତି, ସେ ସ୍ତରକୁ ପହଞ୍ଚିବା ନିମନ୍ତେ ପାଶ୍ଚାତ୍ୟ ଦେଶଗୁଡ଼ିକୁ ୨୫୦ରୁ ୩୦୦ ବର୍ଷ ଲାଗିଥିଲା। କାରଣ ପାଶ୍ଚାତ୍ୟ ଦେଶରେ ମହିଳାମାନଙ୍କ ଶ୍ରେଷ୍ଠତ୍ୱକୁ ପୁରୁଷମାନେ ସହଜରେ ଗ୍ରହଣ କରନ୍ତି ନାହିଁ। ଭାରତରେ ତଥା ଓଡ଼ିଶାରେ ମହିଳାମାନଙ୍କ ଦ୍ୱାରା ଶାସିତ ହେବାରେ ପୁରୁଷମାନେ କୁଣ୍ଠା ପ୍ରକାଶ କରନ୍ତି ନାହିଁ। ଫଳତଃ ପାଶ୍ଚାତ୍ୟ ଦେଶରେ ମହିଳାମାନେ ରାଜନୈତିକ ଅଧିକାର ଆନ୍ଦୋଳନ କରି ପ୍ରାପ୍ତ ହୋଇଥିଲା ବେଳେ ଭାରତ ତଥା ଓଡ଼ିଶାରେ ଉଦାରବାଦୀ ପୁରୁଷ ନେତାଙ୍କ ଦୂରଦୃଷ୍ଟି ଦ୍ୱାରା ଏହା ସମ୍ଭବ ହୋଇପାରିଛି।
ଓଡ଼ିଶାରେ ସବୁଠାରୁ ସଫଳ ମହିଳା ରାଜନୀତିଜ୍ଞ ହେଉଛନ୍ତି ନନ୍ଦିନୀ ଶତପଥୀ। ଜଣେ ବାମପନ୍ଥୀ ଛାତ୍ରନେତ୍ରୀ ଭାବରେ ସେ ରାଜନୈତିକ ଜୀବନ ଆରମ୍ଭକରି ମାତ୍ର ୩୧ ବର୍ଷ ବୟସରେ କଂଗ୍ରେସ ପ୍ରାର୍ଥୀ ଭାବରେ ରାଜ୍ୟ ସଭା ସଭ୍ୟା ହେଲେ ଓ ଅଳ୍ପକାଳ ପରେ କେନ୍ଦ୍ରରେ ଉପମନ୍ତ୍ରୀ ହେଲେ ଏବଂ ୪୧ ବର୍ଷ ବୟସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ। ସେ ଏକମାତ୍ର ଓଡ଼ିଆ ମହିଳା କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ। ସେ ଜୀବନରେ ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ କରି ମଧ୍ୟ କେବେ ନିର୍ବାଚନରେ ପରାଜିତ ହୋଇନାହାନ୍ତି। ସେ ୧୯୭୨ରେ କଟକ ଉପନିର୍ବାଚନ ଓ ୧୯୭୬ରେ ଢେଙ୍କାନାଳ ବିଧାନସଭା ନିର୍ବାଚନରେ କଠିନ ବିରୋଧର ସମ୍ମୁଖୀନ ହୋଇ ମଧ୍ୟ ସଫଳ ହୋଇଥିଲେ। ଜଣେ ଦକ୍ଷ ପ୍ରଶାସକ ଭାବରେ ତାଙ୍କର ନାମ ଅଛି। ଅନ୍ୟ ଏକ ସଫଳ ରାଜନୀତିଜ୍ଞ ହେଉଛନ୍ତି ସୁଜ୍ଞାନ କୁମାରୀ ଦେଓ। ଲଗାତର ୯ ଥର ଏହି ତାମିଲ ମହିଳା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ କେବେ ମନ୍ତ୍ରିପଦ ନିମନ୍ତେ ଆଶାୟୀ ନ ଥିଲେ। ତାଙ୍କର ପ୍ରଭାବ ଖଲ୍ଲିକୋଟ ଜମିଦାରି ଅଞ୍ଚଳ ମଧ୍ୟରେ ସୀମିତ ଓ ନବେ ଦଶକରେ ବ୍ରହ୍ମପୁର ପାର୍ଲାମେଣ୍ଟ ସଦସ୍ୟ ନିମନ୍ତେ ପ୍ରାର୍ଥୀ ହୋଇ ସେ ପରାଜିତ ହୋଇଥିଲେ। ନନ୍ଦିନୀ ଦେବୀଙ୍କ ଭଳି ରାଜନୈତିକ ଓ ଆନ୍ଦୋଳନାତ୍ମକ ପୃଷ୍ଠଭୂମି କିମ୍ବା ସୁଜ୍ଞାନ କୁମାରୀଙ୍କ ଭଳି ପାରିବାରିକ ପ୍ରତିପତ୍ତି ନ ଥାଇ ମଧ୍ୟ ଗରିବ ଆଦିବାସୀ ପରିବାରର ଦ୍ରୌପଦୀ ମୁର୍ମୁ ଜଣେ ସାଧାରଣ ସରକାରୀ କର୍ମଚାରୀରୁ ଉଠି ଓଡ଼ିଶାରେ ଏମ୍‌ଏଲ୍‌ଏ ଓ ମନ୍ତ୍ରୀ ହୋଇଛନ୍ତି। ବର୍ତ୍ତମାନ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଅଛନ୍ତି। ତାଙ୍କର ରାଜନୈତିକ ସଫଳତା ପ୍ରଶଂସନୀୟ।
ଢେଙ୍କାନାଳର ରାଣୀ ରତ୍ନପ୍ରଭା ଦେବୀ ୧୯୫୭ରେ ବିପୁଳ ଭୋଟରେ ନିର୍ବାଚିତ ହୋଇ ରାଜପରିବାରର ଦୁର୍ନାମରେ ସୁଧାର ଆଣିଥିଲେ। ୧୯୬୧ ମସିହାରେ ସେ ବିଜୁ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ।
ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କୁ ବିଶେଷ କିଛି ଗୁରୁତର ଅଭିଯୋଗ ନ ଥାଇ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରାଯିବା ଏକ ଅନାକାଙ୍‌କ୍ଷିତ ଘଟଣା। ନନ୍ଦିନୀ ଶତପଥୀଙ୍କ ପରବର୍ତ୍ତୀ କାଳରେ ଓଡ଼ିଶାରେ ମହିଳା ରାଜନୀତିଜ୍ଞମାନେ ଯେ ବିଶେଷ ପ୍ରଭାବ ବିସ୍ତାର କରିପାରି ନାହାନ୍ତି ଏହା ଧ୍ରୁବସତ୍ୟ। ମହିଳାମାନଙ୍କୁ ସ୍ଥାନୀୟ ସ୍ବାୟତ୍ତଶାସନରେ ପ୍ରାଧାନ୍ୟ ଦିଆଗଲେ ମଧ୍ୟ ରାଜ୍ୟ ଶାସନରେ ସେମାନଙ୍କୁ ସମୁଚିତ ଭାଗ ନେବାକୁ ରାଜନୈତିକ ଦଳଗୁଡ଼ିକ ମାନସିକ ସ୍ତରରେ ଆଜି ବି ପ୍ରସ୍ତୁତ ଥିବା ହୃଦ୍‌ବୋଧ ହୁଏନାହିଁ।
ମୋ-୯୯୩୭୪୨୨୫୨୧


All Right Reserved By Dharitri.Com

ସିସିଫସ୍‌ ନୁହେଁ, କୃଷ୍ଣଚୂଡ଼ା

ସୁଧିରାଜ ରାଉତ ଆଜି ରବିବାର ଅଫିସ ଛୁଟି, କାମର ବୋଝ ନାହିଁ, ଅଫିସରଙ୍କ ନାଲିଆଖି ନାହିଁ, ନିଜ ଇଚ୍ଛାରେ ଆଜି ମୁଁ ରଜା…। ଏମିତି ଭାବି...

ଏଇ ଭାରତରେ

କେତେକ ବ୍ୟକ୍ତି ନିଜର ସ୍ବାସ୍ଥ୍ୟକୁ ଜଳାଞ୍ଜଳି ଦେଇ ଅର୍ଥ ରୋଜଗାର କରିଥାଆନ୍ତି। ଏଭଳି ଏକ ଘଟଣା ମହାରାଷ୍ଟ୍ରର ବିଡ୍‌ ଜିଲାରେ ଦେଖିବାକୁ ମିଳୁଛି। ଅଧିକ ଅର୍ଥ...

ପୁନଃ ଶୂନଗାଡ଼ି

ଡ. ପ୍ରଫୁଲ୍ଲ କୁମାର ସାହୁ ଊନବିଂଶ ଶତାବ୍ଦୀରେ ଦୁଇଚକିଆ ଓ ଚାରିଚକିଆ ଯାନର ଉଦ୍ଭାବନ ଥିଲା ସମଗ୍ର ମାନବଜାତି ପାଇଁ ଏକ ବଡ଼ ଉପଲବ୍ଧି। ମୋଟର...

ସମ୍ପାଦକୀୟ/ଭୁଶୁଡ଼ିଲା ମେଣ୍ଟ

ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟବରଣ କରିଥିବା ରାଜନୈତିକ ଦଳଗୁଡ଼ିକ ବିଫଳତାର କାରଣ ଖୋଜିବାରେ ଲାଗିଛନ୍ତି। କେତେକ ଦଳର ତୁଙ୍ଗ ନେତା ଇସ୍ତଫା ଦେବା ବିଷୟ ଘୋଷଣା...

ବେୟାରଫୁଟ ଡାକ୍ତର

ଡା. ଦ୍ୱିଜେଶ କୁମାର ପଣ୍ଡା ଚାଇନାରେ କୃଷି ଶ୍ରମିକମାନଙ୍କୁ ସ୍ବାସ୍ଥ୍ୟ ଓ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ତାଲିମ ଦେଇ ଗ୍ରାମୀଣ ଲୋକମାନଙ୍କୁ ଚିକିତ୍ସା କରିବାର ଅନୁମତି...

ମୋ ଘର

ଅଲେଖ ଚନ୍ଦ୍ର ମିଶ୍ର ଚାରିକାନ୍ଥ ଓ ଛପର ଦ୍ୱାରା ଆବଦ୍ଧ କ୍ଷେତ୍ର ଗୃହ, ବାସସ୍ଥାନ, ବସାଘର ବା ଭଡ଼ାଘର ହୋଇପାରେ (ହାଉସ)। କିନ୍ତୁ ଘର (ହୋମ୍‌)...

ଏଇ ଭାରତରେ

ଗୁପ୍ତଯୁଗର ସ୍ବର୍ଣ୍ଣମୁଦ୍ରା ପାଇବା ପାଇଁ ଲୋକେ ଗାଁ ସାରା ଖୋଳି ପକାଇଲେ। ମଣିଷର ଧନ ଲୋଭ ବେଳେବେଳେ ସୀମା ଟପିଯାଏ। ଫଳରେ ସେ ଏଭଳି କାମ...

ବନ୍ଧୁତାର ମହତ୍ତ୍ୱ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଇଂରେଜ କବି ହେନ୍‌ରି ଅଷ୍ଟିନ ଡବସନ୍‌ କହିଥିଲେ, ଯଶ ହେଉଛି ଏପରି ଏକ ଖାଦ୍ୟ ଯାହା କେବଳ ମୃତବ୍ୟକ୍ତି ଖାଇଥାନ୍ତି। (Fame...

Leave a comment

Your email address will not be published. Required fields are marked *