ଦୁଃଖବ୍ୟାଧିର ମହୌଷଧି

ଡ. ଶରତ ଚନ୍ଦ୍ର ରଥ
ଏ ପୃଥିବୀରେ ଯେତେ ପ୍ରାଣୀ ଅଛନ୍ତି ସେମାନଙ୍କ ମଧ୍ୟରେ ମଣିଷ ହେଉଛି ଅଧିକ ଦୁଃଖୀ। ଅନ୍ୟାନ୍ୟ ପ୍ରାଣୀ ଏତେ ଦୁଃଖରେ ନାହାନ୍ତି କାରଣ ସେମାନଙ୍କର ଦୁଶ୍ଚିନ୍ତା ନାହିଁ। ଦୁଃଖର କାରଣ ଅନେକ। ଗୋଟିଏ କାରଣ ହେଉଛି ମଣିଷ ଯାହା ପାଏ ତାହା ଚାହେଁନା ଏବଂ ଯାହା ଚାହେଁ ତାହା ପାଏନା। ତା’ ଚାହିଁବାଟା କେତେଦୂର ଠିକ୍‌ ଅଥବା ଭୁଲ୍‌ ତାହା ସେ ଜାଣେନାହିଁ। ଜାଣେନାହିଁ ବୋଲି ମଧ୍ୟ ଜାଣେନାହିଁ। ପ୍ରତିଦିନ ସେ ନ ପାଇବା କଥାଗୁଡ଼ିକର ତାଲିକା କରୁଥାଏ, ଦୁଃଖ କରୁଥାଏ, ଚିରୁଥାଏ ପୁଣି ତାଲିକା କରୁଥାଏ। ପାଇଥିବା କଥାକୁ ତାଲିକା କରେ ନାହିଁ। ଆଉ ଏକ କାରଣ ସେ ଦ୍ୱନ୍ଦ୍ୱ ଭିତରେ ଥାଏ। କ’ଣ କରିବି, କ’ଣ ହେବର ଦ୍ୱନ୍ଦ୍ୱ ତାକୁ ଘାରିଥାଏ। ସଂଗ୍ରାମ ଭୂମିରେ ଠିଆହୋଇ ମଧ୍ୟ ସ୍ଥିର କରିପାରେ ନାହିଁ ସଂଗ୍ରାମ କରିବ କି ନାହିଁ। ଆଗକୁ ଯେତିକି ଯାଉଥାଏ, ପଛକୁ ସେତିକି ଆସୁଥାଏ। ପାଦ ଦୁଇଟିକୁ ଠିକ୍‌ କେଉଁ ଜାଗାରେ ରଖିବ ଥୟ କରିପାରେ ନାହିଁ। ଅର୍ଜୁନ ଆଉ କେହି ନୁହେଁ, ସେ ହେଉଛନ୍ତି ସମଗ୍ର ମାନବ ସମାଜର ପ୍ରତିନିଧି, ସମଗ୍ର ଜୀବନ ହିଁ କୁରୁକ୍ଷେତ୍ର ବା ମଣିଷର କର୍ମକ୍ଷେତ୍ର।
ଅନ୍ୟ ସହ ତୁଳନା କରିବାରୁ ଦୁଃଖ ଆସେ। ଅନ୍ୟ ସମ୍ପର୍କରେ ସବୁ କଥା ନ ଜାଣି ଉପରୁ ଉପରୁ ଦେଖି ଅନ୍ୟ ସହିତ ନିଜକୁ ତୁଳନା କରି ଦୁଃଖକୁ ଟାଣିଆଣେ ମଣିଷ। ତୁଳନା କଲେ ହୀନମନ୍ୟତା ଆସେ, ମାନସିକ ଯନ୍ତ୍ରଣା ବଢ଼େ, ଦୁଃଖ ସହିତ ବିଦ୍ରୋହ ଓ କ୍ରୋଧ ଇତ୍ୟାଦିର ପ୍ରକୋପ ବଢ଼େ। କେବଳ ନିଜକୁ ହୀନ ଭାବିଲେ ଯେ ଦୁଃଖ ଆସେ ତାହା ନୁହେଁ, ନିଜକୁ ବଡ଼ ଭାବିଲେ ମଧ୍ୟ ଅହଂ ବଢ଼େ, ଔଦ୍ଧତ୍ୟ ବଢ଼େ, ଦୁଃଖ ଆସେ। ତେଣୁ ନିଜେ ଯାହା ନିଜକୁ ତାହା ବୋଲି ବିଚାରିବା ହେଉଛି ଏ ପ୍ରକାର ବ୍ୟାଧିର ଔଷଧି।
ବୁଦ୍ଧଦେବ କହିଥିଲେ କାମନା ହିଁ ଦୁଃଖର କାରଣ ଏବଂ କାମନାର ବିନାଶରେ ଦୁଃଖର ବିନାଶ। ମଣିଷ କାମନାକୁ ଆବଶ୍ୟକତା ବୋଲି ବୁଝିଥାଏ, ତେଣୁ ତଜ୍ଜନିତ ଦୁଃଖ ପାଇବାକୁ ବାଧ୍ୟ ହୁଏ। ଆବଶ୍ୟକତାର ଲକ୍ଷ୍ମଣରେଖା ଭିତରେ ରହିବା ହିଁ ଏଇ ବ୍ୟାଧିର ମହୌଷଧି।
ସତ୍ତ୍ୱ, ରଜ ଓ ତମ ଗୁଣରେ ମଣିଷର ପ୍ରକୃତି ଗଢ଼ା ହୋଇଛି। ତେଣୁ କୁହାଯାଇଛି ପ୍ରକୃତି ହେଉଛି ତ୍ରିଗୁଣାତ୍ମିକା। ଏଥିମଧ୍ୟରୁ ତମ ଗୁଣ ହିଁ ଦୁଃଖର ଗନ୍ତାଘର। ଲୋଭ, କ୍ରୋଧ, ଈର୍ଷା, ହିଂସା, କଳହ, ଘୃଣା, ବିରକ୍ତି, ଛଳନା, ମିଥ୍ୟା, କପଟାଚାର ସମେତ ଅନେକ ବଦଗୁଣ ଏହି ତମ ଭାବର ଅନ୍ତର୍ଭୁକ୍ତ। ଏମାନେ ଗୋଟିଏ ଗୋଟିଏ ରାକ୍ଷସ ସଦୃଶ। ମଣିଷର ଚିନ୍ତା, ଚେତନା, ଦିବ୍ୟତ୍ୱ ସର୍ବୋପରି ମାନବିକତାକୁ ତିଳ ତିଳ କରି ଧ୍ୱଂସ କରିଦିଅନ୍ତି। ବିନିମୟରେ ଦାରୁଣ ଦୁଃଖ ଆଣିଦିଅନ୍ତି ମଣିଷକୁ। ଦୁଃଖ ଯେ ଏଇ ବିରୋଧୀ ଶକ୍ତିଙ୍କର ଆକ୍ରମଣରୁ ଆସୁଛି ମଣିଷ ଜାଣିପାରେ ନାହିଁ।
ସର୍ବୋପରି କର୍ମଫଳ ହେଉଛି ଦୁଃଖର କାରଣ। ଏହାକୁ ଆମେ ଭାଗ୍ୟବାଦ ବୋଲି କହିପାରୁ। ପୂର୍ବଜନ୍ମ ଏବଂ ପୂର୍ବଜନ୍ମର କର୍ମକୁ ବିଶ୍ୱାସ କଲେ ତାହାର ଫଳକୁ ମଧ୍ୟ ବିଶ୍ୱାସ କରିବାକୁ ହେବ। ଭାଗବତରେ କୁହାଯାଇଛି, ”କର୍ମକଷଣ ଦେହ ସହେ, ଅରଣ୍ୟେ ଅଜଗର ପ୍ରାୟେ।“
ଦୁଃଖ ଯେଉଁ ଦିଗରୁ ଆସୁ ପଛକେ, ଦୁଃଖ ହିଁ ଦୁଃଖ। ତାକୁ ସହିବାକୁ ପଡ଼ିବ। ସହିବା ଅର୍ଥ କାନ୍ଦି କାନ୍ଦି ସହିବା ନୁହେଁ ବରଂ ସ୍ଥିରଚିତ୍ତରେ ସହିବା। ସହିବା ଶକ୍ତି ମଣିଷ ଭିତରେ ଅଛି, ଏହା ତା’ର ଜନ୍ମଗତ। ସେ ତାହାର ସଦ୍‌ବ୍ୟବହାର ଜାଣେ ନାହିଁ। ତେଣୁ ସେ ଅସ୍ଥିର ଓ ବିବ୍ରତ ହୁଏ, ବିଚଳିତ ହୋଇପଡ଼େ, ନିଜ ଜୀବନ ହାରିଦେବା ପର୍ଯ୍ୟନ୍ତ କଥାଯାଏ। ଏହା ଅସ୍ଥିରତାର ଲକ୍ଷଣ ଓ ପରିଣାମ। ଆଜିକାଲି ସମାଜରେ ଏହି ଅସ୍ଥିରତା ଅଧିକ ଦେଖାଯାଉଛି।
ଏଥର ଆସିବା ସମାଧାନ ଆଡ଼କୁ। ଏ କଥା ସତ୍ୟ ଯେ, ପ୍ରତ୍ୟେକଙ୍କ ପାଇଁ ଦୁଃଖର କାରଣ ଭିନ୍ନ ଏବଂ ଦୁଃଖର ପ୍ରକାର ଓ ପ୍ରକୋପ ଭିନ୍ନ। କାହାର ଅଭାବ, କାହାର ଅସୁସ୍ଥତା, କାହାର ଅସନ୍ତୋଷ, କାହାର ଅଶାନ୍ତି ତା’ ଦୁଃଖର କାରଣ। ପ୍ରତ୍ୟେକଙ୍କର ଦୁଃଖର ପରିମାଣ ଯେପରି ଭିନ୍ନ ଭିନ୍ନ ପ୍ରତ୍ୟେକଙ୍କର ଦୁଃଖ ସହିବାର ଶକ୍ତି ମଧ୍ୟ ଭିନ୍ନ ଭିନ୍ନ। ସହିବା ଶକ୍ତି ଅନୁସାରେ ଦୁଃଖ ଆସେ। ଯାହାର ଦୁଃଖ ବେଶି ନିଶ୍ଚୟ ବୁଝିବାକୁ ହେବ ଯେ ତାହା ଭିତରେ ତହିଁରୁ ଅଧିକ ସହିବା ଶକ୍ତି ରହିଛି। ସେ ତାହା ଜାଣି ନ ପାରିବାରୁ ଦୁଃଖ ଭୋଗୁଛି।
ମଣିଷର ବଡ଼ ଭୁଲ ସେ ନିଜ ଦୁଃଖକୁ ସବୁଠାରୁ ବଡ଼ ଦୁଃଖ ବୋଲି ବିଚାର କରୁଛି ଓ ବ୍ୟତିବ୍ୟସ୍ତ ହେଉଛି। ସେ ବୁଝିପାରୁ ନାହିଁ ଯେ ତା’ଠାରୁ ଆହୁରି ଦୁଃଖରେ ମଣିଷ ଅଛନ୍ତି ବୋଲି। ତା’ର କାନ ଅଛି ମାତ୍ର କାନଫୁଲ ନାହିଁ ବୋଲି ସେ ବ୍ୟସ୍ତ ହେଉଛି। ଆଉ କାହାର କାନଫୁଲ ଅଛି ତ କାନ ନାହିଁ। ପୁଣି ଆଉ କାହାର କାନ ନାହିଁ କି କାନଫୁଲ ନାହିଁ।
ଦୁଃଖର ସର୍ବଶ୍ରେଷ୍ଠ ମହୌଷଧି ହେଉଛି ଭଗବତ୍‌ ଶରଣ। କବିଙ୍କ ଭାଷାରେ, ଈଶ୍ୱର ଦୟା ଆହା କିବା ଉଦାର, ଲଘୁ କରଇ ଦୁଃଖୀ ହୃଦୟଭାର। ପାଶ୍ଚାତ୍ୟଜଗତ ଏ କଥାର ମହତ୍ତ୍ୱ ବୁଝିପାରିବ ନାହିଁ। ଆମେ ଭାରତୀୟମାନେ ଏ କଥାକୁ ବୁଝିବା ପାଇଁ ପୂର୍ଣ୍ଣ ଅଧିକାରୀ। ଆମେ ଏହାର ସଦୁପଯୋଗ କରିବା ନାହିଁ କାହିଁକି?
କେଦାରଗୌରୀ ଆପାର୍ଟମେଣ୍ଟ, ଭୁବନେଶ୍ୱର, ମୋ- ୯୪୩୭୭୫୬୨୪୦


All Right Reserved By Dharitri.Com

ଆଜିର ଅର୍ଥନୀତି/ ତାଲିମ ଲୋଡ଼ା

ରାଜ୍ୟ ସରକାର କୃଷକଙ୍କଠାରୁ ଧାନ ସଂଗ୍ରହ ନିମନ୍ତେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଡବ୍ଲ୍ୟୁଏସ୍‌ଏଚ୍‌ଜି)ଗୁଡ଼ିକୁ ଅନୁମତି ଦେଇଛନ୍ତି। ଏହା ସରକାରଙ୍କର ଆଉ ଏକ ଲୋକପ୍ରିୟବାଦୀ ପଦକ୍ଷେପ,...

ଆମ ବିଶ୍ୱବିଦ୍ୟାଳୟର ମାନ

ଡା. ସୁରେନ୍ଦ୍ର ନାଥ ପତି ଆମ ଦେଶରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ମୋଟ ୮୨୧। ସେଥିରେ ରାଜ୍ୟ ସରକାରଙ୍କର ୩୬୭ଟି, କେନ୍ଦ୍ର ସରକାରଙ୍କର ୪୯ଟି, ଡିମ୍‌ଡ ୟୁନିଭର୍ସିଟି...

ଏଇ ଭାରତରେ

ଉଚ୍ଚଶିକ୍ଷା ପ୍ରାପ୍ତ କରି ଭଲ ଚାକିରି କରିବାର ସ୍ବପ୍ନ ଦେଖିଥାନ୍ତି ପ୍ରତ୍ୟେକ ଯୁବକ। କିନ୍ତୁ ଉତ୍ତରାଖଣ୍ଡର ପବନ ପାଠକ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭିନ୍ନ। ସେ...

ଏଇ ଭାରତରେ

ଦାନକଲେ ପୁଣ୍ୟ ଅର୍ଜନ ହୋଇଥାଏ। ଅର୍ଥଦାନ, ଅନ୍ନଦାନ, କନ୍ୟାଦାନ, ଗୋ-ଦାନ ଏବଂ ଭୂମିଦାନ ଆଦି ଅନେକ ପ୍ରକାର ଦାନ କରାଯାଉଥିବା ବେଳେ କେଶଦାନ କରିବା ନୂଆ...

ଏଇ ଭାରତରେ

ଜେଲରେ ରହନ୍ତି ଜଣେ ମାତ୍ର କଏଦୀ। କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଗୁଜରାଟ ନିକଟବର୍ତ୍ତୀ ଆରବ ସାଗରର ଡିଉ ଆଇଲାଣ୍ଡରେ ଥିବା ଡିଉ ଫୋର୍ଟରେ...

ଅବସର ପରେ

ଭାରତବର୍ଷରେ କୌଣସି ବ୍ୟକ୍ତି ପଦପଦବୀ ହାସଲ କଲା ପରେ ତାଙ୍କ ଦୃଷ୍ଟି ଅବସର ପରବର୍ତ୍ତୀ ସମୟ ଉପରେ ପଡ଼ିଥାଏ। ସେଥିପାଇଁ ଅନେକ ନ୍ୟାୟାଧୀଶ ନିଜ କର୍ମମୟ...

ଶ୍ରୋତା ବଶୀକରଣ ମନ୍ତ୍ର

ମାଧବ ଚନ୍ଦ୍ର ସ୍ବାଇଁ ନିକଟରେ ବ୍ୟଙ୍ଗ କବି ହୁଙ୍କାପିଟାଙ୍କର ବ୍ୟଙ୍ଗ କବିତା ପୁସ୍ତକ ‘ଅବଲୋକରା’ ସାହିତ୍ୟ ଭବନରେ ଉନ୍ମୋଚନ ହୋଇଯାଇଛି। ଆଗକୁ କବି ଶୁଣ୍ଠା ଦାସଙ୍କର...

ଉଠରେ ପୁତ ଉଠ

ଶକୁନ୍ତଳା ପଣ୍ଡା ସମୟ ତା’ର ଚକ୍ରରେ ଘୂରି ଘୂରି ଛଅଟି ଋତୁ ଦିଏ ପୃଥିବୀକୁ। ସମସ୍ତେ ଜାଣିଛନ୍ତି ଛଅ ଋତୁରୁ ଆମେ ତିନୋଟି ଉପଭୋଗ କରୁଛେ,...

Leave a comment

Your email address will not be published. Required fields are marked *