ହାତଛଡ଼ା ସୁଯୋଗ

ଡ. ସୁବାସ ଚନ୍ଦ୍ର ପାତ୍ର
କୁହାଯାଏ ନାୟକ ଓ ଖଳନାୟକ ମଧ୍ୟରେ ପାର୍ଥକ୍ୟରେଖା ବହୁତ କ୍ଷୀଣ। ସାମାନ୍ୟ ବୈଚାରିକ ତ୍ରୁଟିପାଇଁ ଏହି ମୁହୂର୍ତ୍ତରେ ଯେ ନାୟକ, ସାଧାରଣ ମୂଲ୍ୟାୟନରେ ଯେ ହିମାଳୟର ଶିଖରରେ, ପରବର୍ତ୍ତୀ ସମୟରେ ଆମେ ତାଙ୍କୁ ଧୂଳିଧୂସରିତ ଅବସ୍ଥାରେ ଦେଖୁଁ ବଙ୍ଗୋପସାଗର କୂଳରେ। ଗ୍ରୀକ୍‌ ଟ୍ରାଜେଡି ଏବଂ ସେକ୍ସପିୟରଙ୍କ ଟ୍ରାଜେଡିରେ ନାୟକମାନଙ୍କ ଏହି ପ୍ରକାର ପତନର ଏକ ନାଟ୍ୟରୂପ ଦେଖିବାକୁ ମିଳେ, ସେଇଥିପାଇଁ ବିୟୋଗାନ୍ତକ ନାଟକର ନାୟକମାନଙ୍କୁ ସର୍କସର ଭିଡ଼ା ହୋଇଥିବା ଦଉଡ଼ି ଉପରେ ଭାରସାମ୍ୟ ରଖି ଚାଲୁଥିବା କଳାକାର ସହ ତୁଳନା କରାଯାଏ। ଭାରସାମ୍ୟ ଠିକ୍‌ଠାକ୍‌ ରହିଲେ ବହୁତ କରତାଳି, ସେ ଜଣେ ସଫଳ ନାୟକ, ଟିକେ ଏପଟ ସେପଟ ହେଲେ ତଳେ ବିଛା ହୋଇଥିବା ଜାଲ ଉପରେ ପତନ। ସର୍କସର ପରିଚାଳକଙ୍କ ପାଇଁ ସେ ଖଳନାୟକ, ଦର୍ଶକମାନଙ୍କ ପାଇଁ ସେ ଜୋକର।
ନାଟକ ଯେମିତି ଜୀବନ ସେମିତି। ଯାବତୀୟ ମହନୀୟତା, ସଂଯମ, ଶୃଙ୍ଖଳାବୋଧ ସତ୍ତ୍ୱେ ମଣିଷର କେତେବେଳେ ଯେ ସ୍ଖଖଳ ଘଟିବ, କେତେବେଳେ ଯେ ନୈତିକ ପତନ ଘଟିବ ସେ କଥା ଅନୁମାନ କରିବା କଷ୍ଟକର। ମଣିଷ ଯେହେତୁ ଭଗବାନ ନୁହଁ, ତା’ର ଚରିତ୍ର, ବ୍ୟକ୍ତିତ୍ୱରେ ବିଦ୍ୟମାନ ଅପୂର୍ଣ୍ଣାଙ୍ଗତା ହିଁ ତାକୁ ପତନ ଆଡ଼କୁ ଅଗ୍ରସର କରାଏ। ତେଣୁ ଇଂଲିଶ କବି ଆଲେକ୍‌ଜାଣ୍ଡର ପୋପ୍‌ କହନ୍ତି, ‘ମଣିଷ ସବୁର ଅଧୀଶ୍ୱର, ପୁଣି ସବୁର ଶିକାର’ (ଗ୍ରେଟ୍‌ ଲର୍ଡ ଅଫ୍‌ ଅଲ୍‌ ଥିଙ୍ଗସ୍‌ ୟେଟ୍‌ ଏ ପ୍ରେ ଟୁ ଅଲ୍‌)। ନିଜର ବିଚାରବୋଧ ଅବା ଚେତନାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖି ଏକ ନୈତିକ ରାସ୍ତାରେ ଭାରସାମ୍ୟ ରଖି ଚାଲିବା ସଚରାଚର ଦୈନନ୍ଦିନ ଜୀବନରେ ସମ୍ଭବ ନୁହେଁ, ତେଣୁ ଯଦି ସେମିତି କିଛି ତ୍ରୁଟି ଘଟିଯାଏ, ଉତ୍ତମ ମାର୍ଗ ହେଲା ତ୍ରୁଟିକୁ ମାନିଯାଇ ନିଷ୍ଠାର ସହ ସମାଜ ତଥା ଅନୁଷ୍ଠାନ ଦରବାରରେ ଆତ୍ମସମର୍ପଣ କରି ଜନମାନସରେ ବିଶ୍ୱାସଭାଜନ ହେବା ପାଇଁ ଉଦ୍ୟମ କରିବା। କାରଣ ଜଣକର ଯତେବେଳେ ପତନ ଘଟେ ସେ ଯେତିକି ଅପମାନିତ ଅନୁଭବ କରନ୍ତି ସମଭାବରେ ଅପମାନିତ ଓ ଦୁଃଖିତ ହୁଅନ୍ତି ତାଙ୍କ ପରିବାରବର୍ଗ, ଅଞ୍ଚଳବାସୀ ଓ ସେ ବୃତ୍ତି ବା ଗୋଷ୍ଠୀର ଅନ୍ୟ ସଦସ୍ୟମାନେ। ଦୁଇ, ତିନୋଟି ଘଟଣା ଉପରେ ଦୃଷ୍ଟିପାତ କରାଯାଉ।
ଏବେ ଓଡ଼ିଶାର ଏକ ସରକାରୀ ମହାବିଦ୍ୟାଳୟର ଜନୈକ ଅଧ୍ୟାପକଙ୍କ ବିରୋଧରେ ଛାତ୍ରୀନିର୍ଯାତନା ଅଭିଯୋଗ ଆସିଲା। କ୍ରମେ ତାହା ଛାତ୍ର ଅଶାନ୍ତିରେ ପରିଣତ ହେଲା। କଲେଜର ଅଧ୍ୟକ୍ଷ ସଂପୃକ୍ତ ଅଧ୍ୟାପକଙ୍କୁ ଛୁଟିରେ ଯିବାକୁ ବାଧ୍ୟ କଲାବେଳେ ଅନ୍ୟ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଲା। ଯେଉଁ ଛାତ୍ରୀଛାତ୍ରଙ୍କୁ ସେ ପାଠ ପଢ଼ାଉଥିଲେ ସେମାନେ କାଳେ ତାଙ୍କୁ ଲୁକ୍କାୟିତ ଅବସ୍ଥାରୁ ବାହାର କରି ପୋଲିସକୁ ହସ୍ତାନ୍ତର କଲେ। ଶିକ୍ଷାନୁଷ୍ଠାନ ହେଉ ଅବା ଅନ୍ୟ କର୍ମକ୍ଷେତ୍ର, ନାରୀ-ପୁରୁଷ କୈନ୍ଦ୍ରିକ ଏହି ଅଭିଯୋଗର ମୂଳଭିତ୍ତି ହେଲା ମଣିଷର ପ୍ରବୃତ୍ତି ଉପରେ ନିୟନ୍ତ୍ରଣର ଅଭାବ। ଯେହେତୁ ସେ ଜଣେ ଅଧ୍ୟାପକ ଏବଂ ସର୍ବସାଧାରଣରେ ଏହି ବୃତ୍ତି ପ୍ରତି ଯେହେତୁ ଏକ ଉଚ୍ଚ, ଅନୁକୂଳ ମନୋଭାବ ରହିଛି ଏବଂ ଘଟଣାର ଯଦି ଆପାତ ସତ୍ୟତା ରହିଛି, ତାହା ଅଧିକ ପ୍ରଘଟ ହୋଇ ସେ ଅଧିକ ଭୂଲୁଣ୍ଠିତ ହେବା ପୂର୍ବରୁ ନିଜେ ଯାଇ ପୋଲିସ ପାଖରେ ଆତ୍ମସମର୍ପଣ କରିପାରିଥାନ୍ତେ। ଏହାଦ୍ୱାରା ବୃତ୍ତି ଅନୁପମ ଏକ ଉଚ୍ଚ ଆଦର୍ଶ ସହିତ ସେ ଏକ ଭିନ୍ନ ଉଦାହରଣ ସୃଷ୍ଟି କରିପାରିଥାନ୍ତେ। ଦୋଷ ବା ଦୋଷହୀନତା ନିର୍ବିଶେଷରେ ଏକ ନୈତିକ ପଦକ୍ଷେପ ନେବାର ସୁଯୋଗ ହାତଛଡ଼ା କଲେ ସେ।
କିଛିବର୍ଷ ତଳେ ଓଡ଼ିଶା ସରକାରଙ୍କ ଜଣେ ମନ୍ତ୍ରୀ ନିର୍ଦ୍ଦୋଷରେ ପାରବାରିକ କଳହରେ ଛନ୍ଦି ହୋଇଗଲେ। ପୁଅ-ବୋହୂ କଳିର ଦୃଶ୍ୟପଟରେ ସେ ଜଣେ ଖଳନାୟକ ବୋଲି ଗଣମାଧ୍ୟମ ଚିତ୍ରିତ କଲା, ଜନମାନସରେ ସେ ଧାରଣା କିନ୍ତୁ ସୃଷ୍ଟି ହୋଇ ନ ଥିଲା। ଶେଷରେ ଚାପର ବଶବର୍ତ୍ତୀ ହୋଇ ସେ ଇସ୍ତଫା ଦେଲେ। କିନ୍ତୁ ତା’ ପରବର୍ତ୍ତୀ ଘଟଣା ଥିଲା ବିୟୋଗାନ୍ତକ ନାଟକର କାହାଣୀ। ନିଜର ସୈଦ୍ଧାନ୍ତିକ ତ୍ରୁଟି, ମନ୍ତ୍ରୀସୁଲଭ ଅହଂକାର, ଚାଟୁକାରମାନଙ୍କ ମନ୍ତ୍ରଣାରେ ସେ ଯେତେବେଳେ ଆଇନର ରାସ୍ତାରୁ ଖସିଯିବାକୁ ଚାହିଁଲେ ଜନ-ସହାନୁଭୂତି ହରାଇଲେ ଏବଂ ଶେଷରେ ଏକ ମହାନଗରୀରୁ ପୋଲିସ ହାତରେ ସସ୍ତ୍ରୀକ ଧରାପଡ଼ି ସେ ନିଜର ରାଜନୈତିକ ଜୀବନ ପାଇଁ ଅଧିକ ବିପଦ ଡାକି ଆଣିଲେ। ସମୟକ୍ରମେ ସେ ପାରିବାରିକ କଳହ ସମ୍ମାନର ସହ ସମାଧାନ ହେଲା, କିନ୍ତୁ ପଙ୍କିଳ ରାଜନୈତିକ ମହଲରେ ଭିନ୍ନ ଉଦାହରଣ ସୃଷ୍ଟିର ଏକ ସୁଯୋଗ ସେ ହାତଛଡ଼ା କଲେ। ତଥାକଥିତ ଅଭିଯୋଗ ଆଧାରରେ ଇସ୍ତଫା ଦେବା ପରେ ସେ ଯଦି ଥାନାକୁ ଯାଇ ଆତ୍ମସମର୍ପଣ କରିଥାନ୍ତେ, ନିଜର ସମ୍ମାନ ଫେରି ପାଇବା ସହ ରାଜନେତାମାନଙ୍କୁ ନେଇ ସର୍ବସାଧାରଣରେ ଯେଉଁ ନକାରାତ୍ମକ ଧାରଣା ସୃଷ୍ଟି ହେଉଛି ତା’ ମଧ୍ୟ କିଛିଟା ପ୍ରତିହତ ହୋଇ ପାରିଥାନ୍ତା।
ପତନ ଯେତିକି ଦୁଃଖଦାୟକ, ପତନ ପଛରେ କାହାରି ପ୍ରଚ୍ଛନ୍ନ ଭୂମିକା ସେତିକି ଦୁଃଖଦାୟକ। ସେ ପ୍ରକାର ଏକ ବିବାଦୀୟ ଭୂମିକାରୁ ଭାରତର ପ୍ରଧାନମନ୍ତ୍ରୀ ନିଜକୁ ଦୂରେଇ ରଖି, ସେ ଜଣେ ଦଳଭୁକ୍ତ ସଦସ୍ୟ ନୁହନ୍ତି, ସେ ଦେଶର ପ୍ରଧାନମନ୍ତ୍ରୀ ବୋଲି ପ୍ରମାଣିତ କରିବାର ଅପୂର୍ବ ସୁଯୋଗ ହାତଛଡ଼ା କଲେ। ନିକଟରେ ମହାରାଷ୍ଟ୍ରରେ ଘଟିଯାଇଥିବା ରାଜନୈତିକ ଘଟଣା ପ୍ରସଙ୍ଗରେ ସେ ଯଦି ପ୍ରଧାନମନ୍ତ୍ରୀ ସୁଲଭ ନିରପେକ୍ଷତା ରକ୍ଷା କରିଥାନ୍ତେ, ବିଗତ ନିର୍ବାଚନରେ ସେ ଯେଉଁ ବିପୁଳ ଜନସମର୍ଥନ ହାସଲ କରିଥିଲେ ତା’ ଉପରେ ଏକ ଶକ୍ତ ଚାପୁଡ଼ା ଲାଗି ନ ଥାନ୍ତା। ଉପରୋକ୍ତ ଦୁଇଟି ଘଟଣାରେ ପ୍ରକଟିତ ବୈଚାରିକ ତ୍ରୁଟି, ଚାଟୁକାରମାନଙ୍କ କୁମନ୍ତ୍ରଣାର ସେ ଶିକାର ହେଲେ। ସାଧାରଣରେ ଜଳଜଳ ହୋଇ ଦେଖାଯାଉଥିବା ଏକ ଆତ୍ମ-ପରାଜୟୀ, ବିଫଳ ରାଜନୈତିକ ପ୍ରୟାସକୁ ସେ ସର୍ବୋଚ୍ଚ ପ୍ରଶାସନର ଆନୁଷ୍ଠାନିକ ସମର୍ଥନ ଜଣାଇ ନିଜର ଅପରିପକ୍ୱତା ପ୍ରଦର୍ଶନ କରିବା ସହିତ ଭାରତୀୟ ଅମଲାତନ୍ତ୍ର ଏବଂ ରାଜ୍ୟପାଳମାନଙ୍କ ମେରୁଦଣ୍ଡହୀନତା ନେଇ ଯେଉଁ ଧାରଣା ରହିଛି ତାହାକୁ ସେ ଅଧିକ ଦୃଢ଼ୀଭୂତ କଲେ। ଏହି ଦୟନୀୟ ରାଜନୈତିକ ନାଟକରେ ସରକାରୀ ସଂଶ୍ଳିଷ୍ଟତା ରାତ୍ର ୯.୩୦ରୁ ଆରମ୍ଭ ହୋଇ ଆପାତତଃ ଶେଷ ହୋଇଥିଲା ତା’ପରଦିନ ସକାଳ ୭.୩୦ରେ। ଏ ନିରର୍ଥକ ସରକାରୀ ତପତ୍ରତାର ମୂଲ୍ୟ କ’ଣ? ଯୁଦ୍ଧ, ବନ୍ୟା, ବାତ୍ୟା, ଜାତୀୟ ଦୁର୍ବିପାକ ବେଳେ ଏ ପ୍ରକାର ତପତ୍ରତା ସାଜେ। ଖାଲି ଆଖିରେ ଦେଖାଯାଉଥିବା ଆସନ୍ନ ବିଫଳତା କେମିତି ଦେଶର ସର୍ବୋଚ୍ଚ ନେତାଙ୍କୁ ଦେଖାଗଲା ନାହିଁ?
ହାତଛଡ଼ା ସୁଯୋଗକୁ ଇଂଲିଶରେ ‘ଲଷ୍ଟ ଅପରଚ୍ୟୁନିଟିଜ୍‌’ କହନ୍ତି। ବ୍ୟକ୍ତିଗତ ବା ବୃତ୍ତିଗତ ଜୀବନରେ ବେଳେବେଳେ ଏମିତି ସୁଯୋଗ ଆସେ ଯେତେବେଳେ ମଣିଷ ତା’ର ପତନର ନୈତିକ ରୂପାନ୍ତରୀକରଣ ମାଧ୍ୟମରେ କିଛିଟା ଆତ୍ମସମ୍ମାନ ରକ୍ଷା କରିବାରେ ସମର୍ଥ ହୁଏ ଏବଂ ବେଶି କିଛି ଅବଦାନ ରହୁ ବା ନ ରହୁ, ସେ ଯେ ଅନ୍ୟଠୁ ଭିନ୍ନ ଆପାତତଃ ସେତିକି ପ୍ରମାଣ କରିବାରେ ନିହତ ଥାଏ ଏ ସୁଯୋଗ।
ପୂର୍ବତନ ଅଧ୍ୟକ୍ଷ, ଜେଲ୍‌ରୋଡ, ବାଲେଶ୍ୱର, ମୋ:୯୪୩୭୩୭୬୨୧୯


All Right Reserved By Dharitri.Com

କୃଷିର ସ୍ଥିତି ଚିନ୍ତାଜନକ

ନଟବର ଖୁଣ୍ଟିଆ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ କୃଷି ଗଣନା ପ୍ରତି ପାଞ୍ଚ ବର୍ଷରେ ଥରେ ହେଉଛି। ୨୦୧୦-୧୧ରେ କୃଷି ଗଣନା ହୋଇଥିବା ବେଳେ...

ଏଇ ଭାରତରେ

ଜୀବନର ମୋଡ଼ କେତେବେଳେ କେମିତି ନେବ ତାହା କହିବା ମୁସ୍କିଲ, ଯେମିତି ଘଟିଛି ଅର୍‌ମିଦାଙ୍କ କ୍ଷେତ୍ରରେ। ୭୬ ବର୍ଷୀୟା ଅର୍‌ମିଦା ଫର୍ଣ୍ଣାଡିଜ୍‌ ଲକ୍ଷ ଲକ୍ଷ ଶିଶୁଙ୍କ...

ଦୀର୍ଘଜୀବୀ ହେଉ ଆମ ଗଣତନ୍ତ୍ର

ପ୍ରକାଶ ତ୍ରିପାଠୀ ଜାନୁୟାରୀ ୨୪, ୧୯୫୦ରେ ଇଂଲିଶ ଖବରକାଗଜ ହିନ୍ଦୁସ୍ଥାନ ଟାଇମ୍ସର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଥିଲା ଏକ ଦୃଷ୍ଟି ଆକର୍ଷଣକାରୀ କାର୍ଟୁନ। ଦୃଶ୍ୟଟି ଥିଲା...

ବିବର୍ତ୍ତନବାଦ ଓ ଦଶାବତାର

ପ୍ରକାଶ ତ୍ରିପାଠୀ ତ୍ରେତୟା ଯୁଗରେ ଲଙ୍କାର ରାଜା ରାବଣ ପୁଷ୍ପକ ବିମାନରେ ଆକାଶମାର୍ଗରେ ଯାତାୟାତ କରୁଥିଲା। ଦ୍ୱାପର ଯୁଗରେ ମହାଭାରତ ଯୁଦ୍ଧର ଟିକିନିଖି ବିବରଣୀ ଯୁଦ୍ଧସ୍ଥଳଠାରୁ...

ବାବୁଙ୍କ ଆଇନଗତ ଲଢ଼େଇ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ କେରଳ ସରକାର ନିକଟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜୁ ନାରାୟଣ ସ୍ବାମୀଙ୍କୁ ଚାକିରିରୁ ବହିଷ୍କାର କରିଥିବାରୁ ଏହାକୁ ନେଇ...

ନୈରାଶ୍ୟରେ ସରେନାହିଁ ବାର୍ଦ୍ଧକ୍ୟ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ଏକ ସହରର ଘଟଣା। ସେଠାରେ ଜଗଦୀଶ ନାମକ ଜଣେ ପଚାଶ ବର୍ଷ ବୟସ୍କ ବ୍ୟକ୍ତି ରହୁଥାନ୍ତି। ସେ ଉଚ୍ଚଶିକ୍ଷିତ। ରସାୟନ ଶାସ୍ତ୍ରରେ...

ଆଜିର ପ୍ରାଥମିକତା ଭୂତଳ ବିଦ୍ୟୁତ୍‌ ସେବା

ସବ୍ୟସାଚୀ ଅମିତାଭ ସାମୁଦ୍ରିକ ବାତ୍ୟା ଫନୀ ପରବର୍ତ୍ତୀ ସ୍ଥିତିକୁ ଦେଖିଲେ ସ୍ପଷ୍ଟ ଅନୁମେୟ ଯେ, ରାଜ୍ୟ ସରକାର ଏହି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଏକପ୍ରକାର...

ହଜିଲାଣି ବିକାଶ ଦୃଷ୍ଟିଭଙ୍ଗୀ

ଆକାର ପଟେଲ ସରକାରଙ୍କ ଗୁଜରାଟ ମଡେଲ ନିର୍ଦ୍ଦିଷ୍ଟ କଥନିକା (ନ୍ୟାରେଟିଭ୍‌) ଉପରେ ଆଧାରିତ ଥିଲା। ନରେନ୍ଦ୍ର ମୋଦିଙ୍କ ଅଧୀନରେ ଯେପରି ଭାବେ ରାଜ୍ୟ ସରକାର ପରିଚାଳିତ...

Leave a comment

Your email address will not be published. Required fields are marked *