ତର୍କ ବିତର୍କ

ରମେଶ ଚନ୍ଦ୍ର ସାମଲ

ଦୁନିଆରେ ଏଭଳି କିଛି ବିଷୟ ନାହିଁ ଯାହାକୁ ନେଇ କିଛି ତର୍କବିତର୍କ କରିହୁଏନା। କାରଣ ସବୁଥିରେ କିଛି ଭଲମନ୍ଦ ଦିଗ ଥାଏ। ଉଭୟ ସପକ୍ଷ ଓ ବିପକ୍ଷବାଦୀମାନେ ତାଙ୍କ ଯୁକ୍ତି ମାଧ୍ୟମରେ ଜନମତକୁ ତାଙ୍କ ଆଡକୁ ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି। ଏସବୁରୁ ଗୋଟିଏ ଲାଭ ହୁଏ- ସମସ୍ତେ ଆଲୋଚ୍ୟ ବିଷୟର ଭଲମନ୍ଦ ଉଭୟ ଜାଣିବାର ସୁଯୋଗ ପାଆନ୍ତି। ବିଷୟଟିର ପୂର୍ଣ୍ଣାଙ୍ଗ ବିବରଣୀ ଜାଣି ଯାହାକୁ ଯାହା ପସନ୍ଦ ସେ ତାହା ଗ୍ରହଣ କରନ୍ତି।
ଯେ କୌଣସି ବିଷୟରେ ତର୍କବିତର୍କରେ ଭାଗ ନେଉଥିବା ଲୋକର ସେ ବିଷୟରେ ଗଭୀର ଜ୍ଞାନ ଥିବା ଦରକାର। ଆଗକାଳରେ ହାତଗଣତି ଗୁଣୀ ଜ୍ଞାନୀ ଲୋକ ଥିଲେ। ସେମାନେ ଯାହା କହୁଥିଲେ ତାହା ସମସ୍ତେ ଗ୍ରହଣ କରି ନେଉଥିଲେ। ଏବେ ଯୁଗ ବଦଳିଛି। ଶିକ୍ଷାର ପ୍ରସାର ହେତୁ ବହୁ ଲୋକଙ୍କର ଜ୍ଞାନଗରିମାର ପ୍ରସାର ଘଟିଛି। ଏଣୁ ଯେ କୌଣସି ତର୍କବିତର୍କ ହେଲେ ଆଲୋଚନା ସରଗରମ ହେଉଛି। ଆଗକାଳରେ ମୁଖ୍ୟତଃ ରାଜସଭାମାନଙ୍କରେ ତର୍କବିତର୍କ ହେଉଥିଲା। ଯେଉଁ ଗୁଣୀଜ୍ଞାନୀ ଲୋକ ବିତର୍କରେ ଶ୍ରେଷ୍ଠ ପ୍ରମାଣିତ ହେଉଥିଲେ ସେମାନଙ୍କୁ ରାଜା ରାଜସଭାରେ ମର୍ଯ୍ୟାଦାପୂର୍ଣ୍ଣ ପଦବୀରେ ରଖୁଥିଲେ। ରାଜା ବିକ୍ରମାଦିତ୍ୟ ତାଙ୍କ ରାଜସଭାରେ ଏଭଳି ନଅଜଣ ପଣ୍ଡିତଙ୍କୁ ରଖିଥିଲେ, ସେମାନଙ୍କୁ ନବରତ୍ନ ବୋଲି କୁହାଯାଏ। ସେମାନେ ହେଲେ-
ଧନ୍ବନ୍ତରୀ କ୍ଷପଣାକାମରସିଂହ ଶଙ୍କୁଃ
ବେତାଳଭଟ୍ଟ ଘଟକର୍ପର କାଳିଦାସାଃ।
ଖ୍ୟାତୋ ବରାହମିହିରୋ ନୃପତେର୍ସଭାୟାଂ
ରତ୍ନାନି ବୈ ବରରୁଚିର୍ନବ ବିକ୍ରମସ୍ୟ।
ଏମାନଙ୍କର ବିଭିନ୍ନ ବିଷୟରେ ପାରଦର୍ଶିତା ଥିଲା। ନିଜର ଧୀଶକ୍ତି ବଳରେ ସେମାନେ ରାଜାଙ୍କୁ ରାଜ୍ୟର ସୁପରିଚାଳନା ପାଇଁ ପରାମର୍ଶ ଦେଉଥିଲେ।
ରାଜା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ରାଜସଭାରେ ଚାଣକ୍ୟ ନାମରେ ଜଣେ ମନ୍ତ୍ରୀ ଥିଲେ। ତାଙ୍କର ଅସାଧାରଣ ବିଜ୍ଞତା ଓ ମୂଲ୍ୟବାନ ଉପଦେଶ ବଳରେ ସେ ନନ୍ଦବଂଶ ଧ୍ୱଂସ କରିବା ସହିତ ଚନ୍ଦ୍ରଗୁପ୍ତଙ୍କୁ ରାଜା କରି ମୌର୍ଯ୍ୟବଂଶ ସ୍ଥାପନ କରିଥିଲେ। ସେ ଏକାଧାରରେ ଜଣେ ଅର୍ଥନୀତିଜ୍ଞ, କୂଟନୀତିଜ୍ଞ ଓ ଦାର୍ଶନିକ ଥିଲେ। ତାଙ୍କର ମୂଲ୍ୟବାନ ଉପଦେଶ ପାଇଁ ସେ ସବୁ ସମୟରେ ସ୍ମରଣୀୟ ହୋଇ ରହିଛନ୍ତି। ସମ୍ରାଟ ଆକବରଙ୍କ ରାଜସଭାରେ ତାନସେନ ଓ ବୀରବଲଙ୍କ ପରି ପଣ୍ଡିତ ଥିଲେ। ସେହିଭଳି ଆଉ ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଆର୍ଯ୍ୟଭଟ୍ଟ। ଗୁପ୍ତଯୁଗରେ ସେ ପାଟଳିପୁତ୍ରରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଗଣିତ ବିଶାରଦ ଓ ଜ୍ୟୋତିର୍ବିଜ୍ଞାନୀ ହିସାବରେ ପ୍ରସିଦ୍ଧି ଲାଭ କରିଥିଲେ। ନିଜକୁ ପ୍ରତିଷ୍ଠା କରିବା ପାଇଁ ତାଙ୍କୁ କିଛି କମ୍‌ ତର୍କ ବିତର୍କ ଓ ସମାଲୋଚନାର ଶିକାର ହେବାକୁ ପଡି ନ ଥିଲା। ବହୁ ତର୍କବିତର୍କର ସମ୍ମୁଖୀନ ହୋଇ ପଠାଣି ସାମନ୍ତ ନିଜକୁ ଜଣେ ଜ୍ୟୋତିର୍ବିଜ୍ଞାନୀ ଓ କବି ଯଦୁମଣି ଜଣେ ବିଦୂଷକ ଭାବେ ପ୍ରତିଷ୍ଠା ଲାଭ କରିପାରିଥିଲେ। ବହୁ ବୈଜ୍ଞାନିକ ଯଥା- ସାର୍‌ ରୋନାଲ୍ଡ ରସ, ଆଇଜାକ ନିଉଟନ, ଆର୍କମେଡିସ ପ୍ରମୁଖଙ୍କୁ ପ୍ରାଥମିକ ସ୍ତରରେ ନିଜର ମତ ପାଇଁ ବହୁ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା।
କୁହାଯାଏ ନାନା ମୁନିଙ୍କର ନାନା ମତ। ଦୁଇଜଣ ବୁଦ୍ଧିମାନ ଲୋକ ଅନେକ ସମୟରେ ଏକମତ ହୋଇପାରନ୍ତିନି- Two wisemen never agree. ତର୍କବିତର୍କ ହେବା ଭଲ। କିନ୍ତୁ ଏହା ଗଠନମୂଳକ ହେବା ଉଚିତ। ବିତଣ୍ଡା ତର୍କର କିଛି ମାନେ ନ ଥାଏ। ଏହାଦ୍ୱାରା କୌଣସି ବିଷୟର ସମାଧାନ ହୋଇପାରେନା। ବରଂ ଏହା ଦୁଇପକ୍ଷ ମଧ୍ୟରେ ଅଶୋଭନୀୟ ପରିସ୍ଥିତି ସୃଷ୍ଟି କରେ। ତର୍କବିତର୍କର ପରିସର ଖୁବ୍‌ ବ୍ୟାପକ। କଥାରେ ଅଛି ‘ଯହିଁ ଅନେକ ଲୋକ ମିଳି, ଅବଶ୍ୟ ଉପୁଜଇ କଳି।’ ପରିବାରରେ ବିଭିନ୍ନ ପାରିବାରିକ ଘଟଣା, ଗ୍ରାମରେ ଗ୍ରାମର ଭଲମନ୍ଦ, ରାଷ୍ଟ୍ର ଓ ଅନ୍ତଃରାଷ୍ଟ୍ରୀୟ କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ନେଇ ପକ୍ଷଭୁକ୍ତ ବାଦୀ ଓ ପ୍ରତିବାଦୀଙ୍କ ମଧ୍ୟରେ ଆଲୋଚନା ସମୟରେ ବହୁ ତର୍କବିତର୍କ ହୁଏ। ଏହା ନିଜ ମଧ୍ୟରେ ସମାଧାନ ହୋଇ ନ ପାରିଲେ ତୃତୀୟ ପକ୍ଷର ସାହାଯ୍ୟ ନିଆଯାଏ। ଏଥିରେ ସମାଧାନ ହୋଇ ନ ପାରିଲେ କୋର୍ଟକଚେରି ମାଧ୍ୟମରେ ସମାଧାନ ହୁଏ। ଅନ୍ତଃରାଷ୍ଟ୍ରୀୟ କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ପାରସ୍ପରିକ ବୁଝାମଣାରେ ସମସ୍ୟାର ସମାଧାନ ହୋଇ ନ ପାରିଲେ ତୃତୀୟ ରାଷ୍ଟ୍ରର ମଧ୍ୟସ୍ଥତାରେ କିମ୍ବା ଅନ୍ତର୍ଜାତୀୟ ବିଚାରାଳୟରେ ମାମଲାର ସମାଧାନ ହୁଏ।
ତର୍କବିତର୍କର ଉଭୟ ଭଲମନ୍ଦ ଦିଗ ଅଛି। ଦୁଧରୁ ଦହି ଓ ଦହିରୁ ଲହୁଣି ଓ ସେଥିରୁ ଘିଅ ବାହାର କଲା ଭଳି ଯେ କୌଣସି ବିଷୟକୁ ବିଭିନ୍ନ ଦିଗରୁ ତର୍ଜମା କଲେ ସମାଧାନର ପନ୍ଥା ବାହାରିବା ସମ୍ଭବ ହୁଏ। ତେଲରୁ ପିଡିଆ ବାହାରି ଅଲଗା ହୋଇଯାଏ। ସୁନାକୁ ପୋଡିଲେ ସେଥିରୁ ଖାଦ ବାହାରିଯାଇ ସୁନାର ଔଜ୍ଜ୍ୱଲ୍ୟ ବୃଦ୍ଧି ହୁଏ। ଏଥିପାଇଁ କିନ୍ତୁ ଖୋଲାମନ ନେଇ ଆଲୋଚନା କରିବା ଉଚିତ। ଉଦ୍ଦେଶ୍ୟପୂର୍ଣ୍ଣ ଆଲୋଚନାରୁ କୌଣସି ସୁଫଳ ମିଳେନାହିଁ କାରଣ ଏଥିରେ ନିଜ ମତଲବ ଆଧାରରେ ଲୋକେ ବିତଣ୍ଡା ଯୁକ୍ତି ଉପସ୍ଥାପନ କରନ୍ତି। ଏଣୁ ପ୍ରକୃତ ତଥ୍ୟ ପଦାକୁ ଆସିପାରେନା। ଏହା ଚଷୁ କୁଟିବା ସଙ୍ଗେ ସମାନ। ଆଲୋଚନାରେ ଉପଯୁକ୍ତ ସଂଯୋଜକ ଥିଲେ ଅଧିକାଂଶ କ୍ଷେତ୍ରରେ ଆଲୋଚ୍ୟ ବିଷୟରୁ ପ୍ରକୃତ ତଥ୍ୟ ବାହାର କରିବା ସହଜ ହୁଏ। ତର୍କବିତର୍କ ଦ୍ୱାରା ମଣିଷର ଜ୍ଞାନର ପରିସୀମା ବୃଦ୍ଧି ହୁଏ। ଏଥିପାଇଁ ସ୍କୁଲକଲେଜଗୁଡିକରେ ବିଭିନ୍ନ ବିଷୟକୁ ନେଇ ତର୍କ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ। ଆଜିକାଲି ବହୁ ଟିଭି ଚାନେଲ ମାଧ୍ୟମରେ ଦେଶର ଅର୍ଥନୈତିକ, ସାମାଜିକ, ରାଜନୈତିକ ଆଦି ବିଭିନ୍ନ ବିଷୟକୁ ନେଇ ବିତର୍କ ହେଉଛି। ଏହାଦ୍ୱାରା ସାଧାରଣ ଲୋକେ ବହୁକିଛି ଜାଣି ପାରୁଛନ୍ତି। ରାଜ୍ୟ ଓ ଦେଶ ପରିଚାଳନା ପାଇଁ ଆବଶ୍ୟକ ନୀତିନିୟମ ଆଦି ରାଜ୍ୟର ବିଧାନସଭା ଓ ଦେଶର ପାର୍ଲାମେଣ୍ଟରେ ସଦସ୍ୟମାନଙ୍କ ଦ୍ୱାରା ବିସ୍ତୃତ ଭାବେ ଆଲୋଚନା ହୋଇ ବହୁମତ ଅନୁଯାୟୀ ନିୟମକାନୁନ୍‌ ତିଆରି ହେଉଛି। ତର୍କ ବିତର୍କ ଦ୍ୱାରା ବହୁ ଅଶୋଭନୀୟ ପରିସ୍ଥିତି ଉପୁଜୁଥିଲେ ମଧ୍ୟ ଏହା ସତ୍ୟ ଅନୁସନ୍ଧାନରେ ବହୁ ଭାବରେ ସାହାଯ୍ୟ କରେ। ଏହାର ନିର୍ଯାସକୁ କାର୍ଯ୍ୟକାରୀ କରିପାରିଲେ ଏହା ସମସ୍ତଙ୍କ ପାଇଁ ମଙ୍ଗଳକର ହେବ।
ମୋ-୯୪୩୯୮୭୯୦୨୨


All Right Reserved By Dharitri.Com

ଆଜିର ଅର୍ଥନୀତି/କେବଳ ଟୋକନିଜ୍‌ମ

ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉପସ୍ଥାପିତ ୨୦୨୦-୨୧ର ବଜେଟ କେବଳ ଟୋକନିଜ୍‌ମ ଭଳି ମନେହେଉଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦାବି କରିଥିଲେ ଯେ, ଚଳିତବର୍ଷର ରାଜ୍ୟ ବଜେଟ...

ପରିବେଶ ପ୍ରହରୀ ଘରଚଟିଆ

ପୀତାମ୍ବର ରାଉତ ବିଶିଷ୍ଟ ପରିବେଶବିତ୍‌ ମହମ୍ମଦ ଦିଲ୍‌ୱାର୍‌ଙ୍କ ଉଦ୍ୟମରେ ୨୦୧୦ ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ...

ଏଇ ଭାରତରେ

ନିଜେ ଉଚ୍ଚତର ଶିକ୍ଷା ହାସଲ କରିନାହାନ୍ତି, କିନ୍ତୁ ଗଁାର ପିଲାମାନେ କିପରି ତାହା ଲାଭ କରିବେ ସେଥିପାଇଁ ଜଣେ କୃଷକଙ୍କ ପ୍ରୟାସ ଏକ ଉଦାହରଣ ସୃଷ୍ଟି...

କ୍ଷମାର ମହତ୍ତ୍ୱ

ହରିଶ୍ଚନ୍ଦ୍ର ଅରିଶଲ୍ୟ ଶୁଭ ଶୁକ୍ରବାର ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ସର୍ବଶ୍ରେଷ୍ଠ ବଳିଦାନ, କ୍ଷମା ଓ ତ୍ୟାଗର ଜୀବନକୁ ମନେପକାଇଦିଏ। ୨୦୦୦ରୁ ଅଧିକ ବର୍ଷ ତଳେ ମିଥ୍ୟା ଓ...

ଏଇ ଭାରତରେ

ଶହୀଦଙ୍କ ସ୍ତ୍ରୀଙ୍କୁ ଗ୍ରାମବାସୀଙ୍କ ରାଖୀ ପୂର୍ଣ୍ଣିମା ଉପହାର। ମଧ୍ୟପ୍ରଦେଶର ଦେପାଲପୁର ଅନ୍ତର୍ଗତ ପୀର ପିପ୍‌ଲିୟା ଗାଁରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ, ଯାହା ସମସ୍ତଙ୍କ...

ମଣିଷ ଶିଖୁ

ମାନସ ରଂଜନ ବିଶ୍ୱାଳ ଆଖିକୁ ଦେଖାଯାଉ ନ ଥିବା ଏକ ଭୂତାଣୁର ପ୍ରଭାବ ନିକଟରେ ସମଗ୍ର ବିଶ୍ୱ ଅସହାୟ। ଗୋଟିଏ ଝଟକାରେ ମାଟିରେ ମିଶିଗଲା ମଣିଷ...

କଳିଙ୍ଗପ୍ରାଣ ବିଚ୍ଛନ୍ଦଚରଣ

ଡ. ଉଦ୍ଧବ ଚରଣ ନାୟକ ବିଚ୍ଛିନ୍ନ ଉତ୍କଳର ଏକତ୍ରୀକରଣ, ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପ୍ରସାର ତଥା ବିକାଶ କ୍ଷେତ୍ରରେ ଉତ୍କଳର...

ସମ୍ପାଦକୀୟ/କୂଟନୈତିକ ଚ୍ୟାଲେଞ୍ଜ

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ୧୮ ନଭେମ୍ବର ୨୦୧୯ରେ ଗୋଟାବାୟା ରାଜପାକ୍‌ସେ ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ଗୋଟାବାୟା କହିଛନ୍ତି...

Leave a comment

Your email address will not be published. Required fields are marked *