ବିଲୁପ୍ତ ଚେତନା

ମନ-ମାନଚିତ୍ର/ ଡ. ନରହରି ବେହେରା
ସମୟ ଥିଲା, ବୃକ୍ଷ ବେଷ୍ଟନୀ ଭିତରେ ଏ ପୃଥବୀ ସବୁଜ ଦିଶୁଥିଲା। ସେଥିପାଇଁ ପ୍ରାଚୀନ ଆର୍ଯ୍ୟ ଋଷିଗଣ ଶାନ୍ତିପାଠ ବେଳେ ଜଳ, ସ୍ଥଳ, ବନ, ଆକାଶ ପ୍ରଭୃତି ଶାନ୍ତ ହେଉ ପ୍ରାର୍ଥନା କରିସାରିବା ପରେ, ଗାନ କରୁଥିଲେ- ଏ ଶାନ୍ତିକୁ ବାଧା ଦିଅନାହିଁ। ମାତ୍ର ସମୟ ବଦଳିଛି, ଆମେ ସଭ୍ୟ ହେବା ସହିତ ଆର୍ଯ୍ୟ ଋଷିଙ୍କର ଏହି ଉପଦେଶକୁ ବିସ୍ମୃତ ହୋଇଯାଇଛୁ। ଶିଳ୍ପାୟନର ଅଭିବୃଦ୍ଧି, ଜନସଂଖ୍ୟାର ଦ୍ରୁତ ବିକାଶ, ଗାଡ଼ି ମୋଟର ପ୍ରଭୃତିର ବହୁଳ ବ୍ୟବହାର ସହିତ ଗଛବୃଚ୍ଛର ହ୍ରାସ କାଳକ୍ରମେ ଏ ଶୀତଳ-ଶ୍ୟାମଳ ପୃଥିବୀକୁ ଉତ୍ତପ୍ତ ଗ୍ରହରେ ପରିଣତ କରିଚାଲିଛି। ଜଳ, ସ୍ଥଳ, ବନ ପ୍ରଭୃତି ଅଶାନ୍ତ ହୋଇଯାଇଛି। ଏହା ପ୍ରଭାବରେ ପାଣିପାଗରେ ଘୋର ପରିବର୍ତ୍ତନ ଘଟିଚାଲିଛି- ଏ କଥା ଆମେ ସବୁ ଜାଣିଛୁ। ପରିଣତି ସ୍ବରୂପ ଆମେ ସୁନାମି, ମହାବାତ୍ୟା ପରି ଭୟଙ୍କର ପରିସ୍ଥିତିକୁ ସାମ୍ନା କରିସାରିଲୁଣି। କଥା ଏତିକିରେ ଶେଷ ହୋଇନାହିଁ, ବିଶ୍ୱର ତାପ ବୃଦ୍ଧି ହେତୁ ପର୍ବତର ବରଫ ତରଳି ସମୁଦ୍ର ପତ୍ତନ ବୃଦ୍ଧିପାଇବାରୁ ଅନେକ ଉପକୂଳବର୍ତ୍ତୀ ଅଞ୍ଚଳ ସମୁଦ୍ରଗର୍ଭରେ ଲୀନ ହେବାରେ ଲାଗିଛି। ଆକଳନରୁ ଜଣାଯାଇଛି,୨୯ ବର୍ଷ ଭିତରେ କେବଳ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ୧୫୦ କି.ମି. ସ୍ଥଳଭାଗ ଧୋଇଗଲାଣି। ଅର୍ଥାତ୍‌ ଆମେ ପ୍ରତିବର୍ଷ ପାଖାପାଖି ପାଞ୍ଚ କି.ମି. ସ୍ଥଳଭାଗ ହରାଉଛୁ।
ଏବେ ‘ନେଚର କମ୍ୟୁନିକେଶନ୍‌ସ’ ନାମକ ଏକ ଆନ୍ତର୍ଜାତିକ ପତ୍ରିକାରେ ଯେଉଁ ଭୟଙ୍କର ଚିତ୍ର ପ୍ରକାଶ ପାଇଛି ତା’କୁ ଦେଖିଲେ ମନେହୁଏ, ଏ ପୃଥିବୀ ସତେଯେମିତି ପୁଣି ଜଳମଗ୍ନ ହୋଇଯିବ। ଜୟଦେବଙ୍କର ସେହି ‘ପ୍ରଳୟ ପୟୋଧିଜଳେ’ର ପୁନରାବୃତ୍ତି ଘଟିବ। ଏ ପତ୍ରିକାରେ ଆମେରିକୀୟ ଗବେଷକମାନେ କହିଛନ୍ତି, ବର୍ତ୍ତମାନ ସ୍ଥିତି ଯଦି ଗତାନୁଗତିକ ଭାବରେ ଚାଲୁରହେ ତେବେ ୨୦୫୦ ମସିହା ସୁଦ୍ଧା ପୃଥିବୀର ଅନେକ ସହର ଜଳମଗ୍ନ ହୋଇଯିବ। ଏହି ତଥ୍ୟ ଅନୁଯାୟୀ ଉତ୍ତାପ ବୃଦ୍ଧି ହେତୁ ହିମାଳୟ ପରି ବହୁ ହିମଗିରି ସହିତ ଆଣ୍ଟାର୍କଟିକା ମହାଦେଶରେ ବରଫ ତରଳିବା ଯୋଗୁ ସମୁଦ୍ରର ଜଳପତ୍ତନ ତିନିଫୁଟରୁ ସାତଫୁଟ ପର୍ଯ୍ୟନ୍ତ ବଢ଼ିଯିବ। ଏହା ଫଳରେ ଭାରତ, ବାଂଲାଦେଶ, ଚାଇନା, ଭିଏତ୍‌ନାମ, ବ୍ରାଜିଲ୍‌, ବ୍ରିଟେନ ପରି ଦେଶଗୁଡ଼ିକର ବହୁ ଛୋଟ ଛୋଟ ସହର ସହିତ ମୁମ୍ବାଇ, କୋଲକାତା, ଢାକା, ହଂକଂ, ସାଂଘାଇ ପରି ବହୁତ ବଡ଼ ବଡ଼ ସହର ସମୁଦ୍ରଗର୍ଭରେ ଲୀନ ହୋଇଯିବ। ଏହି ବିବରଣୀ ବର୍ତ୍ତମାନର ସ୍ଥିତିକୁ ଆକଳନ କରାଯାଇ ପ୍ରସ୍ତୁତ ହୋଇଛି। ମାତ୍ର ଆମ ଜନସମାଜର ବେପରୱା ଭାବ ତଥା ଶିଳ୍ପ ଓ ଜନସଂଖ୍ୟା ବୃଦ୍ଧିର ହାର ଏହି ପରିସ୍ଥିତିକୁ ଅଧିକ ସଙ୍ଗିନ କରିଦେଇପାରେ।
ବର୍ତ୍ତମାନ ବୁଦ୍ଧିଜୀବୀର ସହର ବୋଲି ବିବେଚିତ ହେଉଥିବା ଭାରତର ରାଜଧାନୀ ଦିଲ୍ଲୀର ଅବସ୍ଥା ଏମିତି ସାଂଘାତିକ ହୋଇପଡ଼ିଛି ଯେ, ଏଠାରେ ଚାଳିଶ ପ୍ରତିଶତ ଲୋକ ଦିଲ୍ଲୀ ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ଉଚିତ ମନେକରୁଛନ୍ତି ବୋଲି ସର୍ଭେରୁ ଜଣାପଡ଼ିଛି। ପ୍ରଦୂଷଣ ଦିଲ୍ଲୀରେ ପ୍ରଥମ ଘଟଣା ନୁହେଁ। ପ୍ରାୟ ପ୍ରତିବର୍ଷ ଦୀପାବଳି ପରେ ଏପରି ପ୍ରଦୂଷଣ ଚରମ ସୀମାରେ ପହଞ୍ଚତ୍ଥାଏ। ଏ ବର୍ଷ ସର୍ବାପେକ୍ଷା ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୬୦୦ ଉପରକୁ ଚାଲିଯାଇଛି। ପାଣିପାଗ ତଥ୍ୟ ଅନୁସାରେ ଏକ୍ୟୁଆଇ ୪୦୧-୫୦୦ ମଧ୍ୟରେ ରହିଲେ ଅତି ଖରାପ ବୋଲି ଧରାଯାଏ। ଏହାଠାରୁ ଏ ବର୍ଷ ଅଧିକ ଏକ୍ୟୁଆଇ ଥିବାରୁ ପରିସ୍ଥିତି କେତେ ଅଣାୟତ୍ତ ହୋଇପଡ଼ିଛି ତାହା ଅନୁମାନ କରାଯାଇପାରେ। ଦିଲ୍ଲୀ ସରକାର ବାଧ୍ୟହୋଇ ସ୍କୁଲ ବନ୍ଦ କରିଛନ୍ତି, ବିମାନ ଚଳାଚଳର ଦିଗ ପରବର୍ତ୍ତନ କରିଛନ୍ତି ଏବଂ ଅଡ୍‌-ଇଭିନ୍‌ (ଗୋଟିଏ ଦିନ ସମ ନମ୍ବର ଓ ଅନ୍ୟ ଦିନରେ ବିଷମ ନମ୍ବର ଥିବା ଗାଡ଼ି ଚଳାଇବା) ନିୟମ ପ୍ରଚଳନ କରିଛନ୍ତି। ଏ ହେଉଛି ଆପତ୍‌କାଳୀନ ବ୍ୟବସ୍ଥା। ମାତ୍ର ଏଥିପାଇଁ ସ୍ଥାୟୀ ବ୍ୟବସ୍ଥା ଆବଶ୍ୟକ।
କେବଳ ଦିଲ୍ଲୀ ନୁହେଁ, ଆମ ଓଡ଼ିଶାର ଅବସ୍ଥା ମଧ୍ୟ ଖୁବ୍‌ ସଂକଟାପନ୍ନ ହୋଇପଡ଼ିଛି, ଯାହା ଆମ ବିଶ୍ୱାସର ବାହାରେ। ଏବେ ସାରା ଭାରତରେ ୧୦୨ଟି ସହର ପ୍ରଦୂଷିତ ସହର ରୂପେ ବିବେଚିତ ହୋଇଥିବାବେଳେ ତନ୍ମଧ୍ୟରୁ ଓଡ଼ିଶାର ଅନୁଗୋଳ, ବାଲେଶ୍ୱର, ଭୁବନେଶ୍ୱର, କଟକ ଓ ରାଉରକେଲା ସ୍ଥାନ ପାଇଛି। କେବଳ ସେତିକି ନୁହେଁ ୟୁନିଭର୍ସିଟି ଅଫ୍‌ ଶିକାଗୋର ଟାଟା ସେଣ୍ଟର ଫର୍‌ ଡେଭ୍‌ଲପମେଣ୍ଟ (ଟିସିଡି) ଓଡ଼ିଶା ବିଷୟରେ ଯେଉଁ ଭୟଙ୍କର ପୂର୍ବାନୁମାନ କରିଛି ତାହା ନିଶ୍ଚିତ ଭାବରେ ଆମକୁ ଶଙ୍କାକୁଳ କରିଦେଇଛି। ଏହି ଗବେଷଣାଧର୍ମୀ ପୂର୍ବାନୁମାନ ଅନୁଯାୟୀ ଏକବିଂଶ ଶତାବ୍ଦୀର ଅନ୍ତିମ ଭାଗରେ ଓଡ଼ିଶା ଗୋଟିଏ ଉତ୍ତପ୍ତ ରାଜ୍ୟରେ ପରିଣତ ହେବ। ଏହି ଉତ୍ତାପ ପ୍ରଭାବରେ ମୃତ୍ୟୁସଂଖ୍ୟା ବୃଦ୍ଧି ହେବା ସହିତ ପ୍ରତିବର୍ଷ ଫାଇଲିନ୍‌, ହୁଡ୍‌ହୁଡ୍‌, ଫନୀ ପରି ଅକାଳ ଦୁର୍ବିପାକ ବଢ଼ିଯିବ। ଏହି ଗବେଷଣା ପୂର୍ବ ବର୍ଷଗୁଡ଼ିକର ଉତ୍ତାପ ଏବଂ ଘଟିଥିବା ଘଟଣାକୁ ଆଧାର କରି କରାଯାଇଥିବାରୁ ଏହାର ବାସ୍ତବତା ଉପରେ ଅବିଶ୍ୱାସ କରାଯାଇ ନ ପାରେ।
ଏଠାରେ ପ୍ରଶ୍ନ ଉଠୁଛି, ଆମ ଆଗରେ ଏତେ ଘଟଣା ଘଟୁଥିଲେ ମଧ୍ୟ ଆମେ ଏଥିପାଇଁ କ’ଣ କରିଛୁ? ବାସ୍ତବରେ ଆମେ ସବୁ ଜାଣି ନ ଜାଣିବା ପରି ହିଁ ରହିଯାଇଛୁ। ଆମର ଅହଂକାର, ବଡ଼ ହୋଇ ଦେଖାଇବାର ପ୍ରବୃତ୍ତି ଆମକୁ ଅନ୍ଧ କରିଦେଇଛି। ଆମେ ଚେତନଶୀଳ ହେଲେ ମଧ୍ୟ ଆମ ଚେତନା ଲୋପ ହୋଇଯାଇଛି। ପ୍ରତିବର୍ଷ ଦୀପାବଳି ଦିନ ଭାରତରେ କୋଟି କୋଟି ଟଙ୍କାର ବାଣ ଫୁଟାଯାଉଛି। ଆମେ ସମସ୍ତେ ଜାଣୁ ଏହାର କୁପରିଣାମ। ପ୍ରତିବର୍ଷ ଦୀପାବଳିର ଏକସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀର ପରିସ୍ଥିତି ଅସମ୍ଭାଳ ହୋଇପଡୁଛି। ତଥାପି ଏଠାରେ ବୁଦ୍ଧିଜୀବୀମାନେ ଏଥିରୁ ନିବୃତ୍ତ ହେଉନାହାନ୍ତି। ପରମ୍ପରା ନାଁରେ ଆମେ ସମାଜ ପାଇଁ ଅଭିଶାପ ସୃଷ୍ଟି କରୁଛୁ।
ହାତରେ ଝୁଲାଟିଏ ଧରିଲେ ଆମ ଆତ୍ମସମ୍ମାନରେ ଆଞ୍ଚ ଲାଗୁଛି, ମାତ୍ର ପଲିଥିନ୍‌ରେ ସଉଦା ଆଣିଲେ ଆମେ ସଭ୍ୟ ମଣିଷ ପରି ଲାଗୁଛୁ। ଏ ଭାବନା କାହିଁକି ଆମକୁ ଘାରିଛି, ତାହାର କିଛି କାରଣ ଦେଖାଯାଉ ନାହିଁ। ଏ ପଲିଥିନ୍‌ ଭସ୍ମାସୁର ହୋଇ ଅଭୂତପୂର୍ବ କ୍ଷତି ଘଟାଉଛି ବୋଲି ଜାଣିଥିଲେ ମଧ୍ୟ ଆମ ଅଭ୍ୟାସ ବଦଳୁନି। ଆମେ ଜାଣିଛୁ ମଣିଷଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବାରୁ କୋଠାଘର ସଂଖ୍ୟା ବଢ଼ିବ, ପକ୍କା ରାସ୍ତା ନିର୍ମାଣ ହେବ, ବୃକ୍ଷଚ୍ଛେଦନ ମଧ୍ୟ ହେବ। ଆମେ ଏଗୁଡ଼ିକୁ ବନ୍ଦ କରିପାରିବା ନାହିଁ। କିନ୍ତୁ କ୍ଷଣିକ ଉତ୍ତେଜନାରେ ଆମେ ଯାହା ଭୁଲ୍‌ କରୁଛୁ ତାକୁ ସଂଶୋଧନ କରିପାରିବା। କୋଟି କୋଟି ଟଙ୍କା ବାଣରୋଶଣିରେ ପୋଡ଼ି ଆମେ ଯେଉଁ ଧ୍ୱଂସଲୀଳା ସୃଷ୍ଟିକରୁଛୁ ତା’କୁ ବଦଳାଇପାରିବା। ଆବଶ୍ୟକତା ପାଇଁ ଆମେ ଗଛ କାଟୁଛୁ, ସେଥିପାଇଁ ବୃକ୍ଷରୋପଣ ଆନ୍ତରିକତା ସହକାରେ କରିପାରିବା। ଆନ୍ତରିକତା ଏଇଥିପାଇଁ କୁହାଯାଉଛି ଯେ, ଉପରଠାଉରିଆ ଭାବରେ ବନ ମହୋତ୍ସବ ପାଳନ କରାଯାଉଛି, ସରକାରୀ ସ୍ତରରେ ବୃକ୍ଷରୋପଣ କରାଯାଉଛି, ମାତ୍ର ଆଖିଦୃଶିଆ କିଛି ସୁଫଳ ମିଳୁନାହିଁ। ଏମିତି ବି ହୋଇପାରନ୍ତା, ଯେଉଁମାନେ ଚାଷଜମିକୁ ଘରବାଡ଼ିରେ ପରିବର୍ତ୍ତନ କରୁଛନ୍ତି, ସେମାନେ ନିଜ ବାଡ଼ିରେ ଅତିକମ୍‌ରେ ଚାରିଟି ବୃକ୍ଷରୋପଣ କରିବାକୁ ସତ୍ୟପାଠ କରିବାକୁ ଆଇନ ହେଉ। ଏଥିରେ ଖିଲାପ କଲେ ସେମାନଙ୍କର ଏ ଅନୁମୋଦନ ଖାରଜ କରାଯିବା ବା ଅନ୍ୟାନ୍ୟ ଦଣ୍ଡବିଧାନର ନିୟମ ରହୁ। କାରଣ ଯେଉଁଠି ବ୍ୟକ୍ତି ବିଶୃଙ୍ଖଳିତ ହୁଏ ସେଇଠି କଠୋର ଆଇନ ହିଁ ମାର୍ଗ ନିର୍ଦ୍ଦେଶକ ହୋଇଥାଏ। ଏ ପୃଥିବୀରେ ଆମେମାନେ ବୁଦ୍ଧିମାନ ପ୍ରାଣୀ ବୋଲି ଗରିମା ପ୍ରଦର୍ଶନ କରୁଛୁ। ମାତ୍ର ଆମର ଚେତନା ଯଦି ବିଲୁପ୍ତ ହୁଏ ପ୍ରକୃତିଠାରୁ ହେଉ କି ଶାସକଙ୍କଠାରୁ ଦଣ୍ଡ ହିଁ ଆମର ପ୍ରାପ୍ୟ ହେବାକଥା। ତେଣୁ କେବଳ ସରକାରଙ୍କ ଆଇନର ଭୟ ନୁହେଁ, ଉତ୍ତରପିଢ଼ିଙ୍କ ଭବିଷ୍ୟତ ପ୍ରତି ଆମର ମଧ୍ୟ ଭୟ ରହିବା ଉଚିତ। ଏପରି ହେଉ, ଆମର ମିଥ୍ୟା ଅହମିକା, କ୍ଷଣିକ ଆନନ୍ଦବୋଧର ପ୍ରମତ୍ତତା ଆମ ସଦ୍‌ଭାବନାର ଚେତନାଟିକୁ ନଷ୍ଟକରି ଏ ସୁନ୍ଦର ସଂସାରକୁ ଧ୍ୱଂସ କରି ନ ଦେଉ-ଏତିକି ହିଁ ଅନୁଚିନ୍ତା।
ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର, ବାଇପାସ, ଭଦ୍ରକ, ମୋ:୭୯୭୮୯୦୩୫୦୯


All Right Reserved By Dharitri.Com

ବାବୁ କରିବେ ଗୁରୁଗିରି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଶିକ୍ଷାନବିସ ପ୍ରଶାସନିକ ସେବା ବାବୁମାନଙ୍କୁ ଏଣିକି ନିକଟରେ ଆରମ୍ଭ ହୋଇଥିବା ମୋଦି ସରକାରଙ୍କ ‘ନର୍ଚର ଦ ଫ୍ୟୁଚର’ ବା ‘ଭବିଷ୍ୟତକୁ...

ସ୍ମାର୍ଟ ସିଟିରେ ଟ୍ରାଫିକ୍‌ ସମସ୍ୟା

ଅଂଶୁମାନ ଦାଶ ବର୍ତ୍ତମାନର ସ୍ମାର୍ଟ ଯୁଗ ସହ ତାଳଦେଇ ଯିବାକୁ ହେଲେ ଆବଶ୍ୟକ ରହିଛି ଉତ୍କୃଷ୍ଟ ଗମନାଗମନର ବ୍ୟବସ୍ଥା। ଯେଉଁ ଦେଶରେ ଏହି ବ୍ୟବସ୍ଥା ଯେତେ...

ଲକ୍‌ଡାଉନ୍‌ ଯଥେଷ୍ଟ ନୁହେଁ

କରୋନା ଭାଇରସ୍‌ ଭାରତରେ ୧୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସଂକ୍ରମିତ କରିଥିବା ବେଳେ ୨୭ ଜଣଙ୍କ ଜୀବନ ନେଇଗଲାଣି। ଗତ କିଛି ଦିନ ମଧ୍ୟରେ ଏହା ଯେଭଳି...

ଆମ ପିଲା ଓ ପ୍ରାଣୀ ନିର୍ଯାତନା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପିଲାମାନେ ନିଜକୁ ବୁଝିବା ପାଇଁ ଓ ଜଟିଳ ପରିସ୍ଥିତିର ମୁକାବିଲା ପାଇଁ ରୋଲ୍‌ପ୍ଲେ (ଚରିତ୍ରରେ ଅଭିନୟ)ର ଉପଯୋଗ କରିଥାନ୍ତି। ସେମାନେ...

ପ୍ରାଣୀପ୍ରେମୀଙ୍କୁ ନିର୍ଯାତନା

ମାର୍ଚ୍ଚ ୨୪ରେ ଲକ୍‌ଡାଉନ ଘୋଷଣା ହେବା ପରେ ଘରେ ରହିବା ଲାଗି କୁହାଗଲା । ଏହି ସମୟରେ କେଉଁ କାର୍ଯ୍ୟଟି ଭଲ ତାହା ଜାଣିବା ଓ...

ମଙ୍ଗଳ ଅଭିଯାନ

ଆକାର ପଟେଲ ଗତ ସପ୍ତାହରେ ଆମେ ଚନ୍ଦ୍ରଯାନ-୨ ଓ ଭାରତର ଚନ୍ଦ୍ର ଅଭିଯାନ ବିଷୟରେ ଉଲ୍ଲେଖ କରିଥିଲୁ ଏବଂ ସେଥିରେ ମଙ୍ଗଳ ଅଭିଯାନ ବିଷୟରେ ବି...

ଜଳ ସଂରକ୍ଷଣ ଅନିବାର୍ଯ୍ୟ

ଇଂ. ବିଦ୍ୟାଧର ପଣ୍ଡା ସନ୍ଧ୍ୟା ଭାଉଜଙ୍କ ବାପଘର ବାଲିସାହି, ସାପୁଆ ନଦୀକୂଳରେ। ପ୍ରଭାତଭାଇ ଘର ମେଘା, ମୁଣ୍ଡିଆ ଉପରେ। ବାପଘରେ ଥିଲାବେଳେ ସନ୍ଧ୍ୟା ଭାଉଜ ଦିନକୁ...

ଏଇ ଭାରତରେ

ଆହତ ପ୍ରାଣୀମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷିତ ଭାବେ ରଖିବାରେ ସମୟ କାଟୁଥିବା ମୁମ୍ବାଇର ଜଣେ ମହିଳା ହେଉଛନ୍ତି ଫିଜା ଶାହା। ତାଙ୍କୁ ବର୍ତ୍ତମାନ ବୟସ...

Leave a comment

Your email address will not be published. Required fields are marked *