ଖବରଦାତାଙ୍କ ଦୁଃଖ

ଅଲେଖ ଚନ୍ଦ୍ର ମିଶ୍ର
ଅଶୀ ଦଶକର କଥା। ସେତେବେଳର କଟକ ଜିଲା ଜଗତ୍‌ସିଂହପୁର ସବ୍‌ଡିଭିଜନ ଅନ୍ତର୍ଗତ ବିରିଡି ବ୍ଲକ୍‌ ଅଞ୍ଚଳରେ ଘଟିଥିଲା ଏକ ବୀଭତ୍ସ, ଲୋମହର୍ଷଣକାରୀ ଅଘଟଣ, ଯାହାକୁ ଲୋକମାନେ ଏ ପର୍ଯ୍ୟନ୍ତ ଭୁଲି ନ ଥିବେ। ସମ୍ପୃକ୍ତ ଅଞ୍ଚଳରେ ରହୁଥିଲେ ନବକିଶୋର ମହାପାତ୍ର ନାମକ ଜଣେ ସାଦାସିଧା ଲୋକ। ସ୍ତ୍ରୀ ଛବିରାଣୀ ଓ ଦୁଇଟି ଛୋଟ ପିଲାଙ୍କୁ ନେଇ ହସଖୁସିରେ କଟୁଥିଲା ତାଙ୍କର ଦିନ। ହଠାତ୍‌ ତାଙ୍କ ଜୀବନରେ ମାଡ଼ିଆସିଲା ଘୋର ଅନ୍ଧକାର। ନବକିଶୋର ଥିଲେ ଖବରକାଗଜ ପାଇଁ ଏକ ସାଧାରଣ ଖବରଦାତା। ସ୍ଥାନୀୟ ଅଞ୍ଚଳରେ ଘଟିଥିବା ଏକ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ସମ୍ପର୍କରେ ଏକ ଖବରକାଗଜକୁ ଜଣେଇଦେବାରୁ ସେ ସେହି ଅଞ୍ଚଳର ଏକ କୁଖ୍ୟାତ ମାଫିଆ ଗୋଷ୍ଠୀର ପ୍ରତିଶୋଧର ଶିକାର ହୋଇପଡ଼ିଲେ। ସେମାନେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଚକ୍ରାନ୍ତ କରୁଥିବାର ସୁରାକ ପାଇ ବିଚରା ସେଇ ରାତିରେ ଲୁଚିଛପି ସପରିବାର ଗାଁ ଛାଡ଼ି ଅନ୍ୟତ୍ର ଚାଲିଯାଉଥିଲା ବେଳେ ନିକଟସ୍ଥ ବିଲୁଆଖାଇ ନଦୀର ବାଲୁକା ଶଯ୍ୟାରେ ସମ୍ପୃକ୍ତ ମାଫିଆ ଗୋଷ୍ଠୀ ନବଙ୍କ ସ୍ତ୍ରୀ ଛବିରାଣୀଙ୍କୁ ଗୋଡ଼େଇ ଗୋଡ଼େଇ ଧରିଲେ। ସେଇ ନଈବାଲିରେ ତାଙ୍କୁ ଗଣବଳାତ୍କାର କରି ଅତି ନୃଶଂସଭାବେ ହତ୍ୟା କଲେ। ନବ ତାଙ୍କର ଦୁଇଟି ପିଲାଙ୍କୁ ନେଇ ପଳେଇଯିବାକୁ ସକ୍ଷମ ହେଲେ। ସେତେବେଳେ ଏହି ଘଟଣାଟି ସାରା ଓଡ଼ିଶାରେ ଚହଳ ପକେଇଥିଲା।
କେବଳ ଓଡ଼ିଶାରେ ନୁହେଁ ସାରା ଭାରତରେ ସର୍ବତ୍ର ଘଟିଚାଲିଛି ଏହିପରି ମର୍ମନ୍ତୁଦ ଘଟଣା। ଦେଶର ବିଭିନ୍ନ ପ୍ରାନ୍ତରେ ଘଟୁଥିବା ବେଆଇନ କାର୍ଯ୍ୟକଳାପ, ଅନୁସନ୍ଧାନମୂଳକ ବିବରଣୀ, ଧାର୍ମିକ ଅସହିଷ୍ଣୁତା କିମ୍ବା ରାଜନେତାମାନଙ୍କର କାରନାମା ଭଳି ସମ୍ବେଦନଶୀଳ ତଥ୍ୟାବଳୀ ଖବରକାଗଜ ମାଧ୍ୟମରେ ଲୋକଲୋଚନକୁ ଆଣି ଖବରଦାତା ଏବଂ ପତ୍ରକାରମାନେ ମାଫିଆ ତଥା ଅସାମାଜିକମାନଙ୍କର କ୍ରୋଧାଗ୍ନିରେ ଭସ୍ମୀଭୂତ ହୋଇଯାଉଛନ୍ତି, ଯେମିତି ହୋଇଛନ୍ତି ନରେନ୍ଦ୍ର ଢାବୋଲକର, ଗୋବିନ୍ଦ ପାନସାରେ, ଏମ୍‌ଏମ୍‌ କାଲବର୍ଗୀ, ଗୌରୀ ଲଙ୍କେଶ ପ୍ରମୁଖ। ତଥ୍ୟ ଅନୁସାରେ ୨୦୧୫ରୁ ୨୦୧୭ ମଧ୍ୟରେ ଭାରତରେ ୧୫ଜଣ ଖବରଦାତାଙ୍କୁ ହତ୍ୟା କରାଯାଇଛି। ବିଶ୍ୱ ସମୁଦାୟ ବି ଏଭଳି ସମସ୍ୟାରୁ ମୁକ୍ତ ନୁହେଁ, ଯାହାର ଦୃଷ୍ଟାନ୍ତ ହେଉଛନ୍ତି ଅଷ୍ଟ୍ରେଲିଆର ଜୁଲିଆନ ଆସାଞ୍ଜ, ଇରାକର ଚେଲ୍‌ସି ମ୍ୟାନିଂ ଏବଂ ଏଡଓ୍ବାର୍ଡ ସ୍ନୋଡେନ। ୨ା୧୦ା୨୦୧୮ରେ ଓ୍ବାଶିଂଟନ ପୋଷ୍ଟର ପ୍ରତିନିଧି ସୌଦି ଆରବର ଜମାଲ ଖସୋଗୀ ଏକ ଅନୁସନ୍ଧାନମୂଳକ ତଥ୍ୟ ପ୍ରକାଶ କରିଥିବା ଯୋଗୁ ଇସ୍ତାନବୁଲସ୍ଥିତ ସୌଦି ଆରବ ଦୂତାବାସଠାରେ ତାଙ୍କୁ ନିଷ୍ଠୁର ଭାବରେ ହତ୍ୟା କରାଯିବା ଘଟଣା ଏଭଳି ଅପରାଧର ଇତିହାସରେ ଆଉ ଏକ ପୃଷ୍ଠା ଯୋଡ଼ିଦେଇଛି। ପ୍ରଖ୍ୟାତ ଅନ୍ତର୍ଜାତୀୟ ସଂସ୍ଥା ‘ରିପୋର୍ଟ ଓ୍ବିଦାଉଟ୍‌ ବର୍ଡର’ର ତଥ୍ୟ ଅନୁସାରେ କେବଳ ୨୦୧୮ରେ ସାରା ବିଶ୍ୱରେ ୮୦ ଜଣ ଖବରଦାତାଙ୍କୁ ସଂହାର କରାଯାଇଛି।
ଏଭଳି ନିର୍ଯାତନାର ପରିସର କେବଳ ଖବରଦାତାଙ୍କ କ୍ଷେତ୍ରରେ ସୀମିତ ନୁହେଁ। ୨୦୦୫ରୁ ପ୍ରଚଳିତ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ମାଧ୍ୟମରେ ତଥ୍ୟ ସଂଗ୍ରହକାରୀମାନେ ବି ସମଦଶାପନ୍ନ। ୨୦୧୭ରେ ଭାରତରେ ୬୫ ଜଣ ଆର୍‌ଟିଆଇ ଆବେଦନକାରୀଙ୍କୁ ହତ୍ୟା କରାଯାଇଛି।
ଅନେକ ସମୟରେ ସରକାରୀ କର୍ମଚାରୀମାନେ ବି ଆକ୍ରୋଶର ଶରବ୍ୟ ହୁଅନ୍ତି। ଯେଉଁମାନେ ସତ୍ୟାନ୍ବେଷୀ ଏବଂ ସରକାରୀ ଦପ୍ତରରେ ଚାଲିଥିବା ଦୁର୍ନୀତି, ପ୍ରିୟାପ୍ରୀତି ତୋଷଣ ଓ ସ୍ବେଚ୍ଛାଚାର ବିପକ୍ଷରେ ସ୍ବର ଉତ୍ତୋଳନ କରନ୍ତି ସେମାନଙ୍କୁ ଅଯଥାରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ଜଡ଼ିତ କରାଯାଏ। ଏହାର ଏକ ଦୁଃଖଦ ଉଦାହରଣଭାବେ ୨୦୦୩ରେ ଘଟିଥିବା ଏକ ଘଟଣାର ଅବତାରଣା କରାଯାଇପାରେ। ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥାର ଗୟା କାର୍ଯ୍ୟାଳୟରେ ମ୍ୟାନେଜର ଥିବା ସତ୍ୟେନ୍ଦ୍ର କୁମାର ଦୁବେ ବିଭାଗୀୟ ଅଧିକାରୀଙ୍କର ଦୁର୍ନୀତି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଗୋପନୀୟ ପତ୍ର ଲେଖି ନିଜର ପରିଚୟ ଗୋପନ ରଖିବାକୁ ଅନୁରୋଧ କରିଥିଲେ। କିନ୍ତୁ ପତ୍ରଟି ପ୍ରକାଶ ପାଇଗଲା, ଯାହାଫଳରେ ଦୁବେଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ସରକାରଙ୍କର ଚେତା ପଶିଲା ଏବଂ ପାର୍ଲାମେଣ୍ଟରେ ପାରିତ ହେଲା ହ୍ବିସିଲ୍‌ବ୍ଲୋୟର୍ସ ପ୍ରୋଟେକ୍ସନ ଆକ୍ଟ-୨୦୧୪, ଯାହାର ମୁଖ୍ୟାଂଶ ହେଲା ଏହିପରି: ଦୁର୍ନୀତିର ଅଭିଯୋଗ, ଜାଣିଶୁଣି କ୍ଷମତାର ଅପବ୍ୟବହାର, ସରକାରୀ ଚାକିରିଆଙ୍କ ବିରୋଧରେ ଆପରାଧିକ ବା ଫୌଜଦାରି ମାମଲା ଇତ୍ୟାଦି ଘଟଣା କିମ୍ବା ଘଟିବାର ଆଶଙ୍କାକୁ ସମ୍ପୃକ୍ତ ଅଧିକାରୀଙ୍କ ଦୃଷ୍ଟିକୁ ଆଣୁଥିବା ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନକୁ ସମ୍ପୂର୍ଣ୍ଣ ନିରାପତ୍ତା ଯୋଗାଇଦିଆଯିବ। ଯେଉଁମାନେ ନିଜ ପରିଚୟ ଗୋପନ ରଖିବାକୁ ଚାହୁଁଥିବେ ସେମାନଙ୍କର ପରିଚୟ ସମ୍ପୂର୍ଣ୍ଣ ଗୁପ୍ତ ରଖାଯିବ। ଯେଉଁମାନେ ପୋଲିସ ସୁରକ୍ଷା ଚାହୁଁଥିବେ ସେମାନଙ୍କୁ ତୁରନ୍ତ ପୋଲିସ ସହାୟତା ଯୋଗାଇଦିଆଯିବ।
ଏସବୁ ସତ୍ତ୍ୱେ ପରିସ୍ଥିତି ଯଥା ପୂର୍ବଂ ତଥା ପରମ୍‌ ରହିଛି। ସେମିତି ସଚ୍ଚୋଟ, ନିର୍ଭୀକ, ନିରପେକ୍ଷ ଓ ସ୍ବାଧୀନଚେତା ନ ହେଲେ ଜଣେ ସଫଳ ଖବରଦାତା ହୋଇପାରିବନି। ଦିନ ଥିଲା ଯେତେବେଳେ ଖବରଦାତାମାନେ (ଯଥା ଦଫାଦାର, ଚୌକିଦାର) ସମାଜରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ଏବେ ତ ତାହା ନାହିଁ। କିନ୍ତୁ ଖବରଦାତାମାନେ ସେହିପରି କର୍ତ୍ତବ୍ୟପରାୟଣ ହୋଇ ରହିଛନ୍ତି। ସେଇମାନଙ୍କ ଯୋଗୁ ହିଁ ସ୍ଥାନୀୟ ସମସ୍ୟାର ସମାଧାନ, ଅସୁବିଧାରେ ପଡ଼ିଥିବା ଲୋକଙ୍କ ପାଇଁ ସାହାଯ୍ୟ ଭିକ୍ଷା, ସତ୍ୟର ପରିପ୍ରକାଶ, ଅନ୍ୟାୟର ପ୍ରତିରୋଧ, ଦେଶ ବିଦେଶର ଖବର ଗାଁଗଣ୍ଡାରେ ପହଞ୍ଚେଇବା ଇତ୍ୟାଦି ଜନହିତକର କାର୍ଯ୍ୟ ସମ୍ପାଦିତ ହୋଇଥାଏ। ଅତଏବ କିଏ ସାହାଯ୍ୟ କରୁ ବା ନ କରୁ ଯେଉଁ ଜନସାଧାରଣଙ୍କ ପାଇଁ ସେମାନଙ୍କର ଜୀବନ ଉତ୍ସର୍ଗୀକୃତ, ସେହିମାନେ ଯଦି ତାଙ୍କ ପଛରେ ଛିଡ଼ା ହୁଅନ୍ତି କୌଣସି ଶକ୍ତି ସେମାନଙ୍କର ଅନିଷ୍ଟ କରିପାରିବନି। ଚତୁର୍ଥ ସ୍ତମ୍ଭ ଅକ୍ଷତ ରହିବ।
ସାରଦାଶ୍ରୀ, ୯୦୪ ଶାସ୍ତ୍ରୀନଗର, ଭୁବନେଶ୍ୱର, ମୋ-୯୪୩୮୬୭୩୮୯୮


All Right Reserved By Dharitri.Com

ମନୁଷ୍ୟକୃତ ଆଲୋକ ପ୍ରଦୂଷଣ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ପିଲା କାନ୍ଦିଲେ ତାକୁ ତୁନେଇବାକୁ ହେଉ ଅଥବା ସେ ନ ଶୋଇ ମା’କୁ ହଇରାଣ କରିବା ବିଷୟରେ ହେଉ, ମା’ମାନେ ଏହି...

ଆଜିର ଅର୍ଥନୀତି/ ଭଣ୍ଡାର ନୀତି ସୁଧାର

ଖାଦ୍ୟଶସ୍ୟ ଭଣ୍ଡାରଘରେ ସାଇତି ରଖିବା ଏକ ଖର୍ଚ୍ଚବହୁଳ ଓ କଷ୍ଟକର କାର୍ଯ୍ୟ। ପ୍ରତି କୁଇଣ୍ଟାଲ ଗହମ ଓ ଚାଉଳକୁ ସାଇତି ରଖିବା ପାଇଁ କେନ୍ଦ୍ର ସରକାର...

ଜୀବନର ନାଲିଆଖି

ଡ. ସୁବାସ ଚନ୍ଦ୍ର ପାତ୍ର ମୃତ୍ୟୁର ନାଲିଆଖିର ବର୍ଣ୍ଣନା ସହିତ ଆମେ ଏତେ ପରିଚିତ ଯେ ଜୀବନର ଯେ ଗୋଟିଏ ଆଖି ଅଛି, ସେ ନାଲି...

ନମସ୍ତେ, ଖୁସିରେ ରୁହ ସମସ୍ତେ

ପ୍ରକାଶ ତ୍ରିପାଠୀ ଭାରତୀୟ ସଭ୍ୟତା, ସଂସ୍କୃତି, ପରମ୍ପରା ଓ ଚଳଣି କ’ଣ ଏତେ ଖରାପ ଯେ ତାକୁ ତ୍ୟାଗକରି ବିଦେଶୀ ସଂସ୍କୃତିକୁ ଆମେ ଆପଣେଇବା? ଘର...

ଏଇ ଭାରତରେ

ସମାଜସେବାରେ ସାରା ଜୀବନ ବିତାଇଦେବା ଲୋକଙ୍କ ସଂଖ୍ୟା କିଛି କମ୍‌ ନାହିଁ। ଏମାନଙ୍କ ମଧ୍ୟରୁ ମହାରାଷ୍ଟ୍ର ପୁଣେ ନିବାସୀ ପଦ୍ମିନୀ ଷ୍ଟମ୍ପ୍‌ ଅନ୍ୟତମ। ସେ ଏବେ...

ବାଲ୍ୟ ବିବାହକୁ ରୋକିବ ନୂତନ ଶିକ୍ଷାନୀତି

ଘାସିରାମ ପଣ୍ଡା ୧୯୮୬ ମସିହାରୁ ପ୍ରଚଳିତ ଜାତୀୟ ଶିକ୍ଷାନୀତିକୁ ଦେଶର ଏକ ମାଇଲ ଖୁଣ୍ଟ ଭାବରେ ଗଣାଯାଏ। ଶିକ୍ଷାକୁ ମୌଳିକ ଅଧିକାର ଭାବରେ ଗ୍ରହଣ କରାଯାଇ...

ଯେଉଁ କଥାକୁ ସେଇ କଥା

ଜମ୍ମୁ ଓ କଶ୍ମୀରକୁ ଦିଆଯାଇଥିବା ସ୍ବାୟତ୍ତତାକୁ ୫ ଅଗଷ୍ଟ ୨୦୧୯ରେ କେନ୍ଦ୍ର ସରକାର ହଟାଇ ଦେଇଥିଲେ। ପରେ ଏହି ରାଜ୍ୟକୁ ଭାଗ କରାଯାଇ ଜମ୍ମୁ ଓ...

ଏଇ ଭାରତରେ

ସ୍କୁଲରେ ପିଲାମାନେ ଶିକ୍ଷକଙ୍କ ଅନୁଶାସନରେ ଚାଲନ୍ତି, କିନ୍ତୁ ଛତିଶଗଡ଼ର ଏକ ସରକାରୀ ସ୍କୁଲ୍‌ ପିଲାଙ୍କ କ୍ୟାବିନେଟ ନିଷ୍ପତ୍ତିକୁ ଶିକ୍ଷକ ଓ ଗ୍ରାମବାସୀ ମାନୁଛନ୍ତି। ରାୟପୁରଠାରୁ ୩୫୦...

Leave a comment

Your email address will not be published. Required fields are marked *