ଉଚ୍ଚଶିକ୍ଷା ବିଭାଗ କାହାର

ଡ. ସୁବାସ ଚନ୍ଦ୍ର ପାତ୍ର
କ୍ରିକେଟ ଖେଳରେ ଉଠିଥିବା କ୍ୟାଚ୍‌ଟି କ୍ଷେତ୍ରରକ୍ଷକ ନ ଥିବା କୌଣସି ଏକ ସ୍ଥାନରେ ପଡ଼ିବା ବା ନୋ ମ୍ୟାନ୍‌ସ ଲ୍ୟାଣ୍ଡରେ ପଡ଼ିବା କଥା ଭଳି ଉଚ୍ଚଶିକ୍ଷା ବିଭାଗ ଏକ ‘ନୋ ମ୍ୟାନ୍‌ସ ଲ୍ୟାଣ୍ଡ’ରେ ପରିଗଣିତ ହେଲାଣି। ‘ମୋ ସରକାର’ କାର୍ଯ୍ୟକ୍ରମରେ ଅନ୍ୟ ବିଭାଗ ବିଶେଷତଃ ପୋଲିସ ଓ ସ୍ବାସ୍ଥ୍ୟ ବିଭାଗରେ ହଇଚଇ ସୃଷ୍ଟି ହେଲାବେଳେ, ସବୁ ବିଭାଗର ଜନନୀ ବୋଲି ବିଚାର କରାଯାଉଥିବା ଶିକ୍ଷା ବିଭାଗ ଉପରେ ସରକାରଙ୍କ ଦୃଷ୍ଟି କେବେ ପଡ଼ିବ ଜଣାନାହିଁ। ପୋଲିସ, ଡାକ୍ତରଙ୍କ ସ୍ଥିତି ସୁଧାରିବାରେ ଅସୁବିଧା ନାହିଁ, କିନ୍ତୁ ଯେଉଁ ବିଭାଗ ଉନ୍ନତ ମାନବସମ୍ବଳ ସୃଷ୍ଟି ମାଧ୍ୟମରେ ଉତ୍ତମ ଡାକ୍ତର ବା ପୋଲିସ କର୍ମଚାରୀଙ୍କୁ ଜନ୍ମଦେବ ସେ ବିଭାଗ ପ୍ରାଥମିକତା ହରାଇବାର କାରଣ କ’ଣ? ଉଚ୍ଚଶିକ୍ଷା ବିଭାଗ ଯେ ସମ୍ପୂର୍ଣ୍ଣ ଦିଶାହୀନ ହୋଇପଡ଼ିଛି, ତାହା ନିମ୍ନୋକ୍ତ କେତୋଟି ବିଷୟ ଉପରେ ଦୃଷ୍ଟିପାତ କଲେ ସ୍ପଷ୍ଟ ଜଣାପଡ଼ିବ।
ଏବେ ଶିକ୍ଷା ବିଭାଗ କହିଲେ ଖାଲି ଅଧ୍ୟାପକ ବା ଅତିଥି ଅଧ୍ୟାପକଙ୍କୁ ବୁଝାଯାଉଛି। ସରକାରଙ୍କ ହିସାବରେ ୧୪୦୦ ଅଧ୍ୟାପକ ପଦବୀ ଖାଲିଥିବା ବେଳେ ପବ୍ଲିକ ସର୍ଭିସ୍‌ କମିଶନଙ୍କୁ ୬୦୬ ଅଧ୍ୟାପକ ନିଯୁକ୍ତି ପାଇଁ ପରୀକ୍ଷା କରିବାକୁ କୁହାଯାଇଛି। ଅର୍ଥାତ୍‌ ୮୦୦ ପଦବୀ ଖାଲି ରହିଗଲା। ଏହା ଭିତରେ ଆହୁରି କିଛି ଲୋକ ଅବସର ନେଇଯାଇଥିବେ, ନୂଆ ପଦବୀ ସୃଷ୍ଟି ହୋଇଥିବ। ଅର୍ଥାତ୍‌ ମୋଟାମୋଟି ହଜାରେ ଅଧ୍ୟାପକ ପଦ ଖାଲି। ସେଥିପାଇଁ ପୁଣି ଅତିଥି ଶିକ୍ଷକ ଆସିବେ। କହିବା ବାହୁଲ୍ୟ ଯେ, ଅତିଥି ଅଧ୍ୟାପକ ନିୟୋଜନ ଏକ କାମଚଳା ବ୍ୟବସ୍ଥା। ଏ କାମଚଳା ବ୍ୟବସ୍ଥାରୁ କାମଚଳା ଜ୍ଞାନ ନେଇ ଯେଉଁ ଯୁବପିଢ଼ି ବାହାରିବେ ସେମାନଙ୍କ ଅନ୍ଧକାର ଭବିଷ୍ୟତ ପାଇଁ କିଏ ଦାୟୀ ହେବ? ଶାରୀରିକ ଅସୁସ୍ଥତା ମଣିଷର ତତ୍‌କ୍ଷଣାତ୍‌ କ୍ଷତି କରିପାରେ। କିନ୍ତୁ ବହୁ ବ୍ୟବସ୍ଥାଗତ ଅସୁସ୍ଥତା ମାଧ୍ୟମରେ ପିଢ଼ି ପରେ ପିଢ଼ି ଦୀର୍ଘମିଆଦି ସୂତ୍ରରେ ଅସୁସ୍ଥ ହୋଇ ଦୁର୍ବଳ ହୋଇଯାଇଥିବା ମାନବସମ୍ବଳ ଶେଷରେ କାହାର ଚିକିତ୍ସା କରିବ? ଅତିଥି ଶିକ୍ଷକ ନିଯୁକ୍ତିର ବଡ଼ ଦୁର୍ବଳତା ସ୍ଥାନୀୟତା। ଏହା ଏକ ମହାବିଦ୍ୟାଳୟସ୍ତରୀୟ ନିଯୁକ୍ତି ହୋଇଥିବାରୁ ଏବଂ ପାରିଶ୍ରମିକ କମ୍‌ ଥିବାରୁ ଦୂରଦୂରାନ୍ତର ମେଧାବୀ ପ୍ରାର୍ଥୀମାନେ ସେଥିରେ ଭାଗ ନିଅନ୍ତି ନାହିଁ। ତା’ଛଡ଼ା ସ୍ଥାନୀୟସ୍ତରରେ କିଛି ପ୍ରିୟାପ୍ରୀତିର ଅଭିଯୋଗ ମଧ୍ୟ ହୁଏ। ପାଠ୍ୟକ୍ରମ ଏବଂ ପ୍ରଶ୍ନପତ୍ରର ସମାନତା ଥିବାବେଳେ ଶିକ୍ଷକଙ୍କ ଗୁଣାତ୍ମକ ମାନର ଅସମତାର ଶିକାର ହୁଏ ଛାତ୍ରସମାଜ। ତେଣୁ ଏହା ବଦଳରେ କେନ୍ଦ୍ରୀୟ ଭାବରେ ୟୁଜିସି ନିୟମ ଆଧାରରେ ଆଡହକ୍‌ ଅଧ୍ୟାପକ ଚୟନ କରି ଯଦି ସମଗ୍ର ଓଡ଼ିଶାର ସରକାରୀ କଲେଜ ମଧ୍ୟରେ ବାଣ୍ଟି ଦିଆଯାଆନ୍ତା ତେବେ ଗୁଣାତ୍ମକତା କ୍ଷେତ୍ରରେ ପରିବର୍ତ୍ତନ ଆସିପାରନ୍ତା। ତା’ଛଡ଼ା ପାଣ୍ଠି ଦୃଷ୍ଟିରୁ ଏଥିରେ ସରକାରଙ୍କ ଖର୍ଚ୍ଚ କମ୍‌। ଅର୍ଥାତ୍‌ ଜଣେ ଆଡହକ୍‌ ଅଧ୍ୟାପକ ୪୮୦୦୦ ଟଙ୍କା ଦରମାରେ ସପ୍ତାହକୁ ୨୫ଟି ଲେଖାଏ ମାସକୁ ୧୦୦ଟି ପିରିୟଡ୍‌ ନେବାର ବ୍ୟବସ୍ଥା ଥିବାବେଳେ ଜଣେ ଅତିଥି ଅଧ୍ୟାପକ ମାସକୁ ୨୫ ହଜାର ଟଙ୍କା ଦରମାରେ ୫୦ଟି ପିରିୟଡ୍‌ ନେବାର ବ୍ୟବସ୍ଥା ଅଛି। ଅଧିକନ୍ତୁ ଜଣେ ଆଡହକ୍‌ ଅଧ୍ୟାପକ ନିୟମିତ ଅଧ୍ୟାପକ ପରି କଲେଜର ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ କରିବା ସହ କଲେଜରେ ସାତଘଣ୍ଟା ରହିବେ ଅର୍ଥାତ୍‌ ୪୮୦୦୦ ଟଙ୍କାରେ ଶିକ୍ଷାଦାନ କରୁଥିବା ଜଣେ ଆଡହକ୍‌ ଅଧ୍ୟାପକ ୫୦ ହଜାର ଟଙ୍କାରେ ଶିକ୍ଷାଦାନ କରୁଥିବା ଦୁଇଜଣ ଅତିଥି ଅଧ୍ୟାପକଙ୍କ ଅପେକ୍ଷା ଅଧିକ କାମ କରିବେ। ଶିକ୍ଷାଦାନ କ୍ଷେତ୍ରରେ ପ୍ରାଦେଶିକ ସ୍ତରରେ ଏକ ସମାନତା ଦେଖାଯିବ। ସରକାର ଯଦି ଆଡହକ୍‌ ଅଧ୍ୟାପକଙ୍କର ନିୟମିତୀକରଣକୁ ନେଇ ଆଇନଗତ ସମସ୍ୟା କଥା ଭାବୁଥାନ୍ତି, ପ୍ରତିବର୍ଷ ମେ’ ମାସରେ ସେମାନଙ୍କ ଚାକିରିର ଧାରାବାହିକତାକୁ ବ୍ରେକ୍‌ ଦିଆଯାଇପାରେ, ଯାହା ସରକାର ଏବେ ମଧ୍ୟ କରୁଛନ୍ତି।
ଖାଲି ଶିକ୍ଷକଙ୍କୁ ନେଇ କଲେଜ ଚାଲେନାହିଁ। ମହାବିଦ୍ୟାଳୟ ପାଇଁ ଶିକ୍ଷକ ଯେତିକି ଗୁରୁତ୍ୱପୂର୍ଣ୍ଣ, ଜଣେ ସଫେଇ କର୍ମଚାରୀ, ପିଅନ, ମାଳୀ, ଲାବରେଟୋରି ଆଟେଣ୍ଡାଣ୍ଟ, ରାତ୍ରି ଜଗୁଆଳି, ଲାଇବ୍ରେରି ଆଟେଣ୍ଡାଣ୍ଟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏବେ ଏ ସବୁ ପଦବୀ ସରକାର ପୂରଣ ନ କରି ଆଭ୍ୟନ୍ତରୀଣ ସମ୍ବଳ ମାଧ୍ୟମରେ କଲେଜଗୁଡ଼ିକୁ ସେ କଥା ବୁଝିବାକୁ ଛାଡି଼ଦେଇଛନ୍ତି। ଫଳରେ ଆଜି ଅଧିକାଂଶ ସରକାରୀ କଲେଜ ଭୂତଖାନାରେ ପରିଣତ ହେଲାଣି। ବିଡ଼ମ୍ବନାର କଥା ଯେ ବିଶ୍ୱବ୍ୟାଙ୍କ, ରୁସା, ୟୁଜିସି ଅନୁଦାନରେ ବହୁତଳବିଶିଷ୍ଟ କୋଠାବାଡ଼ି ନିର୍ମିତ ହେଉଥିଲାବେଳେ ତାକୁ ସଫାସୁତୁରା କରିବା, ତା’ର କବାଟ ଝରକା ଖୋଲିବା ବା ବନ୍ଦ କରିବା ପାଇଁ ଲୋକ ନାହିଁ। ଅନୁରୂପ ଲାଇବ୍ରେରି ଓ ଲାବରେଟୋରିର ଅବସ୍ଥା। ଅର୍ଥାତ୍‌ ଲାବରେଟୋରି/ଲାଇବ୍ରେରିରେ ଯେଉଁ ଉପକରଣ ବା ବହି ଅଛି, ତା’ର ରକ୍ଷଣାବେକ୍ଷଣ ଅବା ପ୍ରଦର୍ଶନ ପାଇଁ କେହି ନାହାନ୍ତି।
ତଥାକଥିତ ଆଭ୍ୟନ୍ତରୀଣ ସମ୍ବଳର କଲେଜୱାରି ଅବସ୍ଥା କ’ଣ ସରକାର ବୁଝିଛନ୍ତି କି? ଉଦାହରଣ ସ୍ବରୂପ, ୬୦୦ ଛାତ୍ରୀଛାତ୍ରବିଶିଷ୍ଟ ଗୋଟିଏ କଳା ମହାବିଦ୍ୟାଳୟର ୩ଟି ଶ୍ରେଣୀ ପାଇଁ ୨୫୦ ଟଙ୍କା ହାରରେ ବାର୍ଷିକ ୪ ଲକ୍ଷ ୫୦ ହଜାର ସଂଗୃହୀତ ହେଲେ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବାଦ୍‌ ଦେଲେ ବହୁକଷ୍ଟରେ ୩ଲକ୍ଷ ଟଙ୍କା ବଳିବ। ବର୍ଷକୁ ୩ ଲକ୍ଷ ଅର୍ଥ ମାସକୁ ୨୫ ହଜାର ଟଙ୍କାରେ ସରକାରଙ୍କ ଅର୍ଦ୍ଧକୁଶଳୀ ବା ଅଣକୁଶଳୀ ଶ୍ରମିକ ନିୟୋଜନର ନିର୍ଦ୍ଧାରିତ ଦର ହିସାବରେ କେତେଜଣ କର୍ମଚାରୀ ରଖିହେବ? ଖୁବ୍‌ ବେଶିରେ ୨ରୁ ୩ ଜଣ। ସେଥିମଧ୍ୟରୁ କେତେଜଣ ପିଅନ, ସଫେଇ କର୍ମଚାରୀ, ରାତ୍ରି ଜଗୁଆଳି, ମାଳୀ ଓ ଲାବରେଟୋରି/ ଲାଇବ୍ରେରି ଆଟେଣ୍ଡାଣ୍ଟ୍‌ ନିଯୁକ୍ତ ହେବେ?
ଉଲ୍ଲେଖଯୋଗ୍ୟ ଯେ, ରକ୍ଷଣାବେକ୍ଷଣ ଓ ସଫାସୁତରା ବ୍ୟାପାରରେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଆଗରେ। ତେଣୁ ଗୁଣାତ୍ମକତା ଥାଉ ବା ନ ଥାଉ ଏହି ବାହ୍ୟ ଚାକଚକ୍ୟ ମୋହରେ ଲୋକେ ଘରୋଇ ଶିକ୍ଷାନୁଷ୍ଠାନ ଆଡ଼କୁ ଆକର୍ଷିତ ହେଉଛନ୍ତି। ତେବେ ଏହାର ମଧ୍ୟ ସମାଧାନ ସମ୍ଭବ। ସରକାର ଯଦି ଏହି ସବୁ ପଦବୀରେ ନିୟମିତ କର୍ମଚାରୀ ରଖିବା ବ୍ୟୟବହୁଳ ବୋଲି ଭାବୁଛନ୍ତି, ଅତିଥି ଶିକ୍ଷକ ନିଯୁକ୍ତି ପାଇଁ ଅର୍ଥ ବ୍ୟବସ୍ଥା କଲାଭଳି ପ୍ରତି ଅନୁଷ୍ଠାନରେ ସୃଷ୍ଟ ପଦବୀ ଆଧାରରେ ବାହ୍ୟ ସଂସ୍ଥାରୁ ମାନବସମ୍ବଳ ଆଣି ଏହି ପଦବୀରେ ନିୟୋଜିତ କରିବାକୁ କଲେଜଗୁଡ଼ିକୁ ସ୍ବାଧୀନତା ଦିଅନ୍ତୁ।
ଶିକ୍ଷାନୁଷ୍ଠାନଗୁଡ଼ିକରେ ଏ ବର୍ଷ ନିର୍ବାଚନ ବନ୍ଦ ହେଲା। ଉପରକୁ ଏହା ଭଲ ଦେଖାଯାଉଛି କିନ୍ତୁ ଏହାର ଅନ୍ତରାଳରେ ଯେଉଁ କେତେକ ସମସ୍ୟା ସୃଷ୍ଟି ହେଲା ତାହା ଉପରେ ଧ୍ୟାନ ଦିଆଯାଉନାହିଁ। ଅର୍ଥାତ୍‌ ଛାତ୍ର ୟୁନିୟନ, କ୍ରୀଡ଼ା ସଂସଦ, ନାଟ୍ୟ ସଂସଦ, ଦିବାଧ୍ୟାୟୀ ଛାତ୍ର ସଂସଦ ଆନୁକୂଲ୍ୟରେ ଯେଉଁ ପ୍ରତିଯୋଗିତାମାନ ଅନୁଷ୍ଠିତ ହେଉଥିଲା, ଯେପରି ପ୍ରବନ୍ଧ ଲିଖନ, ଦଳଗତ ଆଲୋଚନା, ତର୍କ ପ୍ରତିଯୋଗିତା, ସାକ୍ଷାତ୍‌କାର ପରୀକ୍ଷା, କବିତା ଲିଖନ, ଚିତ୍ରକଳା, ଗୀତ ପ୍ରତିଯୋଗିତା, ସଂଗୀତ ପ୍ରତିଯୋଗିତା, ନାଟ୍ୟାଭିନୟ, ବାଳିକାମାନଙ୍କ ମୁରୁଜ, ରଙ୍ଗୋଲି, ଝୋଟି, ଶଂଖବାଦନ, ମେହେନ୍ଦି ଏବଂ ବାର୍ଷିକ ଖେଳକୁଦ ତାହା ବନ୍ଦ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ଓ ସଫଳତା ଜଣେ ଛାତ୍ରକୁ ବୌଦ୍ଧିକ, ସାଂସ୍କୃତିକ ତଥା ଶାରୀରିକ ଦୃଷ୍ଟିରୁ ସମୃଦ୍ଧ କରେ। ସ୍ଥଳ ବିଶେଷରେ ଏଥିରୁ ମିଳୁଥିବା ପ୍ରମାଣପତ୍ର ସେମାନଙ୍କୁ କର୍ମନିଯୁକ୍ତିରେ ସହାୟକ ହୁଏ। ସ୍କୁଲ୍‌ଗୁଡ଼ିକରେ ନିର୍ବାଚନ ନ ଥିଲେ କ’ଣ ପ୍ରତିଯୋଗିତାମାନ ହୁଏନାହିଁ ନା ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୁଏନାହିଁ?
ବାଲେଶ୍ୱର, ମୋ-୯୪୩୭୩୭୬୨୧୯


All Right Reserved By Dharitri.Com

ଏଇ ଭାରତରେ

ବିଭିନ୍ନ ଆକୃତିର ନିଶକୁ ନେଇ ଅନେକ ସମୟରେ ଚର୍ଚ୍ଚା ଜୋର ଧରେ। କେତେକ ନିଶ ରଖିବାକୁ ସମ୍ମାନଜନକ ବିଷୟ ବୋଲି ମନେକରନ୍ତି। ମାତ୍ର ରାଜସ୍ଥାନ ଜୟପୁରର...

ୟୁପିରେ କମିଶନରେଟ୍‌

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ସାମ୍ପ୍ରତିକ ବିକ୍ଷୋଭ ପରିପ୍ରେକ୍ଷୀରେ ତଥା ରାଜ୍ୟର ଆଇନଶୃଙ୍ଖଳାରେ ଉନ୍ନତି ଆଣିବା ଲାଗି ଉତ୍ତରପ୍ରଦେଶ...

ମହାରାଷ୍ଟ୍ରର ସମସ୍ତ ଲୋକ ସଭା ଆସନରେ ମହିଳାଙ୍କ ପାଇଁ ରହିବ ସ୍ବତନ୍ତ୍ର ମତଦାନ କେନ୍ଦ୍ର

ମୁମ୍ବାଇ,୨୮।୩: ଆସନ୍ତା ମାସରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ମହିଳାମାନଙ୍କୁ ଅଧିକ ମାତ୍ରାରେ ସାମିଲ କରିବା ଲାଗି ମହାରାଷ୍ଟ୍ର ସରକାର ଏକ ଅଭିନବ ଉପାୟ...

କନକ ଉପତ୍ୟକାରେ ବିକାଶ

ଦିଲୀପ କୁମାର ଦାଶ ମନକୁ ପ୍ରଥମ ପ୍ରଶ୍ନ ଆସେ – ‘କନକ’ ଉପତ୍ୟକା କେଉଁଠି? ଉତ୍ତର ଭାରି ସହଜ। ସେଇଟା ଏବେ ବିକାଶର ନୂଆ ଠିକଣା।...

ବିକାଶ ଶିଡ଼ିରେ ଚାଷୀ

ବିଚିତ୍ର ବିଶ୍ୱାଳ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ କହିଥିଲେ, ଖାଦ୍ୟଦ୍ରବ୍ୟ ଆମଦାନି କରିବା ପ୍ରତ୍ୟେକ ଦେଶ ପାଇଁ ଅତ୍ୟନ୍ତ ଲଜ୍ଜାର ବିଷୟ। ସେ ପୁଣି...

ଏଇ ଭାରତରେ

ସମାଜରେ ହିନ୍ଦୁ ଓ ମୁସଲମାନ ଏକାଠି ବିଭିନ୍ନ ପର୍ବ ପାଳନ କରୁଥିବାର ଦୃଷ୍ଟାନ୍ତ ରହିଥିବାବେଳେ ବିହାରର ଏକ ଗାଁ ଏଥିରୁ ବାଦ୍‌ପଡିନି। ଗାଁର ନାମ ବଥୁଆ...

ଏଇ ଭାରତରେ

ପ୍ରତିବର୍ଷ ଅଗଷ୍ଟ ୧୫କୁ ଭାରତ ସ୍ବାଧୀନତା ଦିବସ ଭାବେ ପାଳନ କରିଥାଏ। କାରଣ ଭାରତୀୟଙ୍କ ପାଇଁ ଏହି ଦିନର ମହତ୍ତ୍ୱ ଖୁବ୍‌ ଅଧିକ। ହେଲେ ଭାରତରେ...

ଦକ୍ଷ କୂଟନୀତିଜ୍ଞ

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ ସବୁ କାର୍ଯ୍ୟରେ ନିଷ୍ଠା ଓ ପ୍ରଚେଷ୍ଟା କାର୍ଯ୍ୟଦକ୍ଷତା ପ୍ରତିପାଦନ କରେ , ଯାହା କରିଛନ୍ତି ବରିଷ୍ଠ କୂଟନୀତିଜ୍ଞ ତଥା ଆମେରିକାରେ ଭାରତର...

Leave a comment

Your email address will not be published. Required fields are marked *