ପ୍ରଥମେ ମୁଁ

ଛନ୍ଦା ମିଶ୍ର
କୁହାଯାଏ ମନୁଷ୍ୟ ଜନ୍ମ ଅତି ଦୁର୍ଲଭ। କାରଣ, ମନୁଷ୍ୟ ହିଁ ଏକମାତ୍ର ପ୍ରାଣୀ, ଯାହା ପାଖରେ ବାହ୍ୟଚକ୍ଷୁ ସହ ଅନ୍ତର୍ଚକ୍ଷୁ ବା ବିବେକ ଥାଏ। ତଥାପି ମଣିଷ ଆଖି ଥାଉ ଥାଉ ଅନ୍ଧ ପରି ଆଚରଣ କରେ। ଚାଲି ନ ଜାଣି ବାଟର ଦୋଷ ଖୋଜେ। ଝୁଣ୍ଟିକରି ମୁହଁ ମାଡ଼ି ତଳେ ପଡ଼ି କ୍ଷତାକ୍ତ ହେଲେ ରାସ୍ତାର ଖାଲଖମାକୁ ଦୋଷ ଦିଏ। ମାତ୍ର ଦୃଷ୍ଟିଶକ୍ତି ଥାଇ ବି ସେ କାହିଁକି ତା’ର ସଦ୍‌ବ୍ୟବହାର ନ କଲା ସେ କଥା ନିଜକୁ ପଚାରେନା। ସେ ଭୁଲିଯାଏ ଯେ, ଅନ୍ୟର ଦୋଷକୁ ଗୋଟିଏ ଅଙ୍ଗୁଳି ନିର୍ଦ୍ଦେଶ କଲାବେଳକୁ ତା’ ଅଜାଣତରେ ତାଆରି ହାତର ଅନ୍ୟ ତିନି ଅଙ୍ଗୁଳି ସ୍ବୟଂ ତାକୁ ଦୋଷୀ ବୋଲି ପ୍ରମାଣିତ କରିସାରିଲେଣି। ବୋଧହୁଏ ସେଇଥିପାଇଁ ସଫଳତାର ଶ୍ରେୟ ନେବାକୁ, ବାହାବା ସାଉଁଟିବାକୁ ଅନେକେ ପଡ଼ିଉଠି ଧାଇଁଲା ବେଳକୁ ବିଫଳତା ପଡିଥାଏ ବାପଛେଉଣ୍ଡ ହୋଇ। ସାଧାରଣ ମଣିଷର ସ୍ବଭାବ ହିଁ ସେହିପରି। ପ୍ରଶଂସା ପାଇଁ ‘ମୁଁ କରିଛି’ର ଗର୍ବବୋଧରେ ଛାତି ତା’ର ଫୁଲି ଉଠୁଥିଲା ବେଳେ ‘ନିନ୍ଦା’ ସହ ମୁହାଁମୁହିଁ ହୋଇଗଲେ ସେ ‘ଭାଗ୍ୟର ଦୋଷ’ କହି ବାଟକାଟି ଚାଲିଯିବାକୁ ଉଚିତ ମଣେ। କିନ୍ତୁ ଭାଗ୍ୟ ଉପରେ ଦୋଷ ଲଦୁଥିବା ସେହି ମନୁଷ୍ୟଟି ଯେବେ ନିଜ ଚର୍ମଚକ୍ଷୁକୁ ମୁଦି ନିଜ ଅନ୍ତର୍ଚକ୍ଷୁକୁ ମେଲାଇ ଧରେ ତାକୁ ନିଜର ଦୋଷତ୍ରୁଟିଗୁଡିକ ଜଳ ଜଳ ହୋଇ ଦିଶେ। ସମାଜ ଆଗରେ ଯେତେ ଅଭିନୟ କଲେ ବି ‘ମନ ଜାଣେ ପାପ’ ନ୍ୟାୟରେ ସେ ଭିତରେ ଭିତରେ ସନ୍ତୁଳି ହୁଏ। ବିବେକ ତାକୁ କଟାକ୍ଷ ହାଣେ, ଶୁଆଇ ବସାଇ ଦିଏନା। ତା’ର ମଣିଷପଣିଆ ଜାଗିଉଠେ। ନିଜ ଦୋଷ ସ୍ବୀକାର କରିବାକୁ ସେ ହୁଏ ଆଗଭର। ଆଖିରୁ ତା’ର ପଶ୍ଚାତ୍ତାପର ଲୁହ ନିଗିଡ଼ି ପଡି ଅନ୍ତର୍ମନକୁ କରେ ଶୁଦ୍ଧ ଓ ପବିତ୍ର।
ତେବେ, କ୍ୱଚିତ୍‌ କ୍ଷେତ୍ରରେ ସ୍ବଳ୍ପ କିଛି ଭାଗ୍ୟବାନ୍‌ଙ୍କର ଏହି ତୃତୀୟ ନୟନଟି ନିଜ ଯାଦୁକରୀ ସ୍ପର୍ଶରେ ଜୀବନକୁ କରେ ମହିମାବନ୍ତ। ଅନ୍ୟଥା ଅଧିକାଂଶ ସ୍ଥାନରେ ତା’ ଉପରେ ଅହଂର ପରଳ ମାଡ଼ିଯାଇଥାଏ। ଯେବେ ଏହି ପରଳଟି ଫିଟେ, ନେଡ଼ିଗୁଡ଼ କହୁଣିକୁ ବୋହିଯାଇଥାଏ। ‘ବିଳମ୍ବ’ କରିଥିବାର ଦଣ୍ଡ ସ୍ବରୂପ ମୃତ୍ୟୁ ପର୍ଯ୍ୟନ୍ତ ଏକ ଦୋଷୀ ଦୋଷୀ ଭାବ ନେଇ ବଞ୍ଚିବାକୁ ହୁଏ।
ଝିଅଟିର ଆଖିରୁ ବୋହି ଯାଉଥିଲା ଲୁହଧାର। କାରଣଟି ଜାଣି ଦୀର୍ଘଶ୍ୱାସ ତ୍ୟାଗ କରିବା ଛଡ଼ା ଅନ୍ୟ ଉପାୟ ନ ଥିଲା। ନୂଆ ନୂଆ କଲେଜରେ ପାଦ ଦେଇଥିବା ଝିଅଟିକୁ ଅନ୍ୟ ଏକ ବିଭାଗର ଛାତ୍ରୀଟିଏ ଅହେତୁକ ସ୍ନେହ ପ୍ରଦର୍ଶନ କଲା। ଯେଉଁଠି ଦେଖିଲେ ଧାଇଁ ଆସି ଅତ୍ୟନ୍ତ ଆଗ୍ରହର ସହ ତା’ର ଭଲମନ୍ଦ ପଚାରିବା ଓ ନିଜ ବିଷୟରେ ବଖାଣିବାରେ ଛାତ୍ରୀଟି ପାଉଥିଲା ଆନନ୍ଦ। ମାତ୍ର ତା’ର ଏହି ଉପରେ ପଡ଼ି ଭଲେଇ ହେବା ସ୍ବଭାବଟି ଝିଅଟିକୁ ମନେ ହେଉଥିଲା ଅସ୍ବସ୍ତିକର। ଦିନେ ଝିଅଟି ବେଶ୍‌ କଡ଼ା ସ୍ବରରେ ଶୁଣାଇଦେଲା ଦୁଇପଦ: ”ତୋର କ’ଣ କିଛି କାମଧନ୍ଦା ନାହିଁ, ଏତେ କାଇଁ ଭଲେଇ ଦେଖେଇ ହେଉଛୁ?“ ଏପରି ଶୁଣି ସ୍ତବ୍ଧ ହୋଇଗଲା ଛାତ୍ରୀଟି। ସେହିଦିନଠାରୁ ଆଉ ଝିଅଟିକୁ ଦେଖା କଲା ନାହିଁ। ଝିଅଟି ଯେବେ ନିଜ ଭୁଲ୍‌ ବୁଝି ଛାତ୍ରୀ ନିକଟରୁ କ୍ଷମାପ୍ରାର୍ଥନା କରିବା ପାଇଁ ପହଞ୍ଚିଲା, ସେତେବେଳକୁ ବେଶ୍‌ ଡେରି ହୋଇସାରିଥିଲା। ଛାତ୍ରୀଟିର ନାମ ଆଗରେ ସ୍ବର୍ଗତା ଶବ୍ଦଟି ଯୋଡ଼ା ସରିଥିଲା। ସେ ଲ୍ୟୁକେମିଆରେ ଥିଲା ପୀଡିତା। ଘଟଣାଟି ଗଳ୍ପ ପରି ମନେହେଉଥିଲେ ବି ନିରାଟ ସତ୍ୟ।
ଆମ ଅଜାଣତରେ ଆମ ଦ୍ୱାରା ଅନେକ ଭୁଲ୍‌ଭଟକା ହୋଇଯାଏ ଏବଂ ଏହି ଭୁଲ୍‌ଗୁଡିକୁ ସୁଧାରିବା ପାଇଁ ଆମେ ନିଜ ଦୋଷକୁ ମଥାପାତି ମାନିନେଇ କ୍ଷମାଯାଚନା କରିବା ଦ୍ୱାରା ମନୁଷ୍ୟର ଅନ୍ତଃକରଣ ଶୁଦ୍ଧ ଏବଂ ପବିତ୍ର ହୁଏ। କିନ୍ତୁ କ୍ଷମାଯାଚନା ଏକ କଷ୍ଟକର କାର୍ଯ୍ୟ। ଏଥିପାଇଁ ନିଜ ସହିତ ନିଜକୁ ବେଶ୍‌ ଲଢ଼େଇ କରିବାକୁ ହୋଇଥାଏ। ଅହଂକାର ଓ ବିବେକର ଏହି ଲଢ଼େଇରେ ଯିଏ ଜିତେ ସେ ମଣିଷର ପ୍ରଭୁ ସାଜେ। ସହଜ କାମ ତ ସମସ୍ତେ କରିପାରନ୍ତି। ମାତ୍ର କଷ୍ଟ କାର୍ଯ୍ୟଟିକୁ କେବଳ ଦୃଢ଼ମନା ସାହସୀଟିଏ ହିଁ କରେ। ସମ୍ପର୍କ ବଞ୍ଚାଇବା ପାଇଁ, ସମ୍ପର୍କ ଯୋଡ଼ିବା ପାଇଁ ସେ କହେ ‘ପ୍ରଥମେ ମୁଁ’ ହିଁ କ୍ଷମା ମାଗିବି। ଆସନ୍ତୁ ସାହସୀ ହେବା। ଶୋଇପଡ଼ିଥିବା ବିବେକଟିକୁ ଜାଗ୍ରତ କରିବା। ଅନ୍ୟମାନଙ୍କୁ ଆକ୍ଷେପ କରିବା ପୂର୍ବରୁ ପ୍ରଥମେ ନିଜ ଦୋଷକୁ ନିଜେ ଅଣ୍ଡାଳିବା। ନିଜକୁ ସୁଧାରିବା। ସମୟ ଗଡ଼ିଯିବା ଆଗରୁ କରିନେବା କ୍ଷମାଯାଚନା। ପ୍ରତିବଦଳରେ ମିଳିପାରେ କ୍ଷମା ଅବା ଭର୍ତ୍ସନା। ଏ ଉଭୟକୁ ସାଦରେ କରିବା ସ୍ବାଗତ। ବାଚନିକ ହୋଇ ନ ପାରିଲେ ଲିଖିତ ଆକାରରେ ନିଜ ଦୋଷ ସ୍ବୀକାର କରିବା। ‘ହଁ, ମୋ ଦ୍ୱାରା ଏହି ଭୁଲ୍‌ଟି ହୋଇଯାଇଛି’ କହିଲା ମାତ୍ରେ ପଥର ହୃଦୟର ବ୍ୟକ୍ତି ତରଳି ଯିବାକୁ ସମୟ ଲାଗିବ ନାହିଁ।
ଏହି ପରିପ୍ରେକ୍ଷୀରେ ମନେପଡ଼େ କଥାଟିଏ। ଦୀର୍ଘ କେତେ ଦଶନ୍ଧି ଧରି ଦୁଇଟି ପରିବାର ମଧ୍ୟରେ ଥିଲା ଶତ୍ରୁତା। ପୈତୃକ ସମ୍ପତ୍ତି ପରି ତାହା ମଧ୍ୟ ଗଡ଼ି ଆସୁଥିଲା ପିଢ଼ି ପରେ ପିଢ଼ିକୁ। ଏକଦା ଗୋଟିଏ ପରିବାରର ମୁଖ୍ୟ ଏହି ଶତ୍ରୁତାର ଅନ୍ତ କରିବେ ବୋଲି ନିଷ୍ପତ୍ତି କରି ଅନ୍ୟ ପରିବାରର ମୁଖିଆଙ୍କୁ ଭେଟିବେ ବୋଲି ଅଣ୍ଟାଭିଡ଼ିଲେ। ତାଙ୍କ ପରିବାରର ଶତ ବାରଣ ସତ୍ତ୍ୱେ ସେ ଯାଇ ଅନ୍ୟ ପରିବାରରେ ଛିଡ଼ା ହେଲା ମାତ୍ରେ ସେ ପରିବାରର ସଦସ୍ୟମାନେ ବି ୟାଙ୍କୁ ମାରିବା ପାଇଁ ହୋଇଗଲେ ତୟାର। ମାତ୍ର ସେ ପରିବାରର ମୁଖିଆ ତାଙ୍କ କଥା ଶୁଣି ତାଙ୍କୁ ଲୋତକାପ୍ଳୁତ ନୟନରେ ଆଲିଙ୍ଗନ କରିବା ସହ କହିଉଠିଲେ, ”ଅନେକ ଦିନରୁ ଏକଥା ଭାବିଥିଲି, ମାତ୍ର ସାହସ ଜୁଟାଇ ପାରି ନ ଥିଲି।“
୩ଆର/୬, ବିଜେବିନଗର, ମୋ-୯୪୩୭୪୫୩୬୧୦


All Right Reserved By Dharitri.Com

ରାମ-କାଳୀ ଲଢ଼େଇ

ଡ. କୁଳାଙ୍ଗାର ତା’ର ଠାକୁର-ଠାକୁରାଣୀ ଓ ମାଙ୍କଡ଼ଙ୍କୁ ଭାରି ଭୟ। ଭୟର କାରଣ କାଳେ କ’ଣ ସବୁ ଛଡ଼େଇ ନେବେ। ଏ ଡରଟା ତା’ ଭିତରେ...

ବିପଦରେ ବର୍ଣ୍ଣବୋଧ

ଡ. ପ୍ରଫୁଲ୍ଲ କୁମାର ସାହୁ ପ୍ରତ୍ୟେକ ବ୍ୟକ୍ତିର ଜାତୀୟତାର ପରିଚୟ ହେଉଛି ତା’ର ଭାଷା। ମାତ୍ର ଭାଷାର ବ୍ୟବହାର ଉପରେ ନିର୍ଭର କରେ ସେହି ପରିଚୟ...

ଚାଇନା-ଭାରତ ବାଣିଜ୍ୟ ସମ୍ପର୍କ

ଇଂ. ମାୟାଧର ସ୍ବାଇଁ ଭାରତ ଓ ଚାଇନା ପୃଥିବୀର ଦୁଇଟି ପ୍ରାଚୀନ ସଭ୍ୟତା। ଏହି ଦୁଇ ଦେଶରେ ଅନେକ ଜ୍ଞାନବିଜ୍ଞାନ ବିକଶିତ ହୋଇ ସମଗ୍ର ବିଶ୍ୱରେ...

ଟଙ୍କା ମାଟି, ଯଦି ଖୁସି କିଣି ନ ପାରେ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ଅର୍ଥ ପଛରେ ଅହରହ ଧାଇଁଚାଲିଛି ମଣିଷ । ପୁଳାଏ ଟଙ୍କା ରୋଜଗାର କରିବାକୁ ସେ ଭାବିଥାଏ ଜୀବନର ଚରମ ସାର୍ଥକତା...

ଏଇ ଭାରତରେ

ଯେତେ ବାଧା ଥାଉ ପଛେ ମତଦାନ ଏକ ଅଧିକାର ଓ ରାଷ୍ଟ୍ର ନିର୍ମାଣରେ ପ୍ରତିଟି ମତର ମୂଲ୍ୟ ରହିଛି, ଯାହା ପ୍ରତିପାଦିତ ହୋଇଛି ଛତିଶଗଡ଼ର ଚିତ୍ରକୋଟ...

ସମ୍ପାଦକୀୟ/ ବ୍ୟାଙ୍କ ପ୍ରତିଦ୍ୱନ୍ଦ୍ୱିତା

ଭାରତୀୟ ଅର୍ଥନୀତି ବର୍ତ୍ତମାନ ଏକ ଖରାପ ସ୍ଥିତି ଦେଇ ଗତି କରୁଛି। ନିକଟରେ ସରକାରଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ଏପ୍ରିଲ-ଜୁନ୍‌ ତ୍ରୈମାସରେ ସମୁଦାୟ...

ସ୍ବଚ୍ଛତା ପାଇଁ ପ୍ଲାଷ୍ଟିକ ପ୍ରତିବନ୍ଧକ

ଡ. ଆଶୁତୋଷ ଦେବତା ସ୍ବଚ୍ଛତା ହିଁ ସୁସ୍ଥତାର ହେତୁ। ବିଶ୍ୱରେ ଆବର୍ଜନାର ପରିମାଣ ଗତ ୨୦ ବର୍ଷ ମଧ୍ୟରେ ୫ ଗୁଣରୁ ଅଧିକ ହୋଇଯାଇଛି। ମହାତ୍ମା...

ବିଜ୍ଞାନ ପାଇଁ ପଦଯାତ୍ରା

କମଳାକାନ୍ତ ଜେନା ପ୍ରକୃତି ଓ ପରିବେଶରୁ ବିଜ୍ଞାନର ଜନ୍ମ। ପ୍ରକୃତିରେ ଘଟୁଥିବା ଘଟଣାଗୁଡ଼ିକୁ ବୁଝିବା, ତା’ ପଛର କାରଣକୁ ଖୋଜିବା ଏବଂ ସେହି ଜ୍ଞାନକୁ ପ୍ରୟୋଗକରି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *