ସମସ୍ୟାର ବୌଦ୍ଧିକ ସମାଧାନ

ବୈକୁଣ୍ଠନାଥ ମିଶ୍ର
ମନୁଷ୍ୟ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହେଉଥାଏ ଏବଂ ସେହି ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ସେ ନିରନ୍ତର ପ୍ରୟାସ ଜାରି ରଖିଥାଏ। କିଛି ସମସ୍ୟା ସେ ନିଜେ ସମାଧାନ କରିପାରୁଥିବା ବେଳେ ଆଉ କିଛି ସେ ଗୁରୁଜନଙ୍କ ଉପଦେଶ ଦ୍ୱାରା ସମାଧାନ କରିଥାଏ। ଆଚାର୍ଯ୍ୟ ମହାପ୍ରଜ୍ଞାନଙ୍କ ମତାନୁସାରେ ମନୁଷ୍ୟ ସାମ୍‌ନା କରୁଥିବା ସମସ୍ୟାଗୁଡ଼ିକର ସମାଧାନ ନିମିତ୍ତ ଦୁଇପ୍ରକାର ଉପାୟ ଅଛି। ପ୍ରଥମତଃ ତାକୁ ସ୍ମରଣ ରଖିବାକୁ ହେବ ଯେ, ଏ ସଂସାରରେ ସବୁକିଛି କ୍ଷଣସ୍ଥାୟୀ ଓ ସମୟର ପ୍ରଭାବରେ ଏହା ଛାଏଁ ଛାଏଁ ଦୂର ହୋଇଥାଏ। ଆଜି ପାହାଡ଼ ଭଳି ମନେ ହେଉଥିବା ସମସ୍ୟାଟି କାଲିକୁ ହୁଏ ତ କ୍ଷୁଦ୍ର ପ୍ରସ୍ତର ଖଣ୍ଡରେ ପରିଣତ ହୋଇପାରେ। ଦ୍ୱିତୀୟତଃ ସମସ୍ୟାଗୁଡ଼ିକୁ ସୁଦୂରପରାହତ କରିବା ପାଇଁ କିଛି ନୂତନ ଉପାୟର ସଂଯୋଜନା ଆବଶ୍ୟକ। ଏଥିପାଇଁ ଦୃଢ଼ପ୍ରଜ୍ଞା ଓ ପ୍ରତ୍ୟୁତ୍ପନ୍ନମତିତାର ଆଶ୍ରୟ ନେବାକୁ ହୁଏ। ଏ ସମ୍ବନ୍ଧରେ ଏକ ଗଳ୍ପର ଅବତାରଣା ପ୍ରାସଙ୍ଗିକ ମନେହୁଏ।
ଜଣେ ମହାନ୍‌ ପ୍ରଜ୍ଞାଶୀଳ ବ୍ରାହ୍ମଣ ବାର୍ଦ୍ଧକ୍ୟରେ ଉପନୀତ ହେଲା ବେଳକୁ ସମ୍ପୂର୍ଣ୍ଣ ଧନହୀନ ହୋଇ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଥିଲେ। ବୟସ ଥିଲାବେଳେ ନିଜ ସାମର୍ଥ୍ୟ ଓ ପାଣ୍ଡିତ୍ୟ ବଳରେ ଯାହା ରୋଜଗାର କରୁଥିଲେ, ସେଥିରେ ଯେନତେନ ପ୍ରକାରେଣ କେବଳ ବଞ୍ଚି ଯାଉଥିଲେ। ହେଲେ ବାର୍ଦ୍ଧକ୍ୟ ଉପନୀତ ହେବାରୁ ତାଙ୍କର ଦାରିଦ୍ର୍ୟ ଦ୍ୱିଗୁଣିତ ହେଲା। ଦୁଇବେଳା ଦୁଇମୁଠା ଅନ୍ନ ତାଙ୍କ ପାଇଁ ଉପଲବ୍ଧ ହେଲା ନାହିଁ। ରୋଗାକ୍ରାନ୍ତ କ୍ଷୀଣ ଶରୀରକୁ ଢାଙ୍କିବା ନିମିତ୍ତ ପିନ୍ଧାବସ୍ତ୍ର ମଧ୍ୟ ଚିରି ଟୁକୁରା ଟୁକୁରା ହେବାକୁ ଲାଗିଲା। ବୃଦ୍ଧ ଚିନ୍ତା କଲେ ଯେ, ସେ ରାଜଦରବାରକୁ ଯାଇ ରାଜାଙ୍କୁ ସାକ୍ଷାତ କରିବେ ଓ ନିଜ ପାଣ୍ଡିତ୍ୟ ପ୍ରଦର୍ଶନ କରି ରାଜାନୁଗ୍ରହ ପ୍ରାପ୍ତ ହେବା ପାଇଁ ଉଦ୍ୟମ କରିବେ। ଶାସ୍ତ୍ର କହେ-
”ଉଦ୍ୟମେ ନାସ୍ତି ଦାରିଦ୍ର୍ୟଂ ଜପତୋ ନାସ୍ତି ପାତକମ୍‌।
ମୌନେନ କଳହୋ ନାସ୍ତି ଜାଗ୍ରତସ୍ୟ ନ ଚ ଭୟମ୍‌।“
ଅର୍ଥାତ୍‌ ଉଦ୍ୟମ ଦ୍ୱାରା ଦାରିଦ୍ର୍ୟ ଦୂର ହୁଏ, ଜପ ଦ୍ୱାରା ପାପ ଦୂର ହୁଏ, ମୌନ ଦ୍ୱାରା କଳହର ସମ୍ଭାବନା ନ ଥାଏ ଏବଂ ଜାଗ୍ରତ ବ୍ୟକ୍ତିକୁ ଭୟ ଲାଗି ନ ଥାଏ। ରାଜା ସନ୍ତୁଷ୍ଟ ହେଲେ ହୁଏ ତ ତାଙ୍କ ଅନ୍ନବସ୍ତ୍ରର ଅଭାବ ଦୂର ହେବ। କିନ୍ତୁ ସେ ରାଜାଙ୍କୁ ଭେଟିବେ କିପରି। ଏପରି ଚ୍ଛିନ୍ନବସ୍ତ୍ର ଓ ଜୀର୍ଣ୍ଣ ଶରୀରରେ ରାଜଦ୍ୱାରକୁ ଯିବା ପାଇଁ ସେ କୁଣ୍ଠାବୋଧ କଲେ। ଯେହେତୁ ଅନ୍ୟ ଉପାୟ ନାହିଁ, ଅଗତ୍ୟା ତାଙ୍କୁ ସେହି ଅବସ୍ଥାରେ ରାଜଦ୍ୱାରକୁ ଯିବାକୁ ହେଲା। ରାଜପ୍ରାସାଦର ପ୍ରଥମ ଓ ଦ୍ୱିତୀୟ ଦ୍ୱାରପାଳଙ୍କୁ ସେ ନିଜ ବୁଦ୍ଧି ବଳରେ ବଶୀଭୂତ କରି ତୃତୀୟ ତଥା ଶେଷ ଦ୍ୱାରରେ ଉପନୀତ ହେଲେ। ତୃତୀୟ ଦ୍ୱାରରକ୍ଷକ ଥିଲେ ଜଣେ ଅତି କଠୋର ବ୍ୟକ୍ତି। ପଣ୍ଡିତେ ଦେଖିଲେ ତାକୁ ବଶୀଭୂତ କରିବା ପାଇଁ କିଛି ନୂତନ ଉପାୟ ଅବଲମ୍ବନ କରିବାକୁ ହେବ। ତେଣୁ ସେ ନିଜ ଶାଣିତ ପ୍ରଜ୍ଞାର ଆଶ୍ରୟ ନେଲେ। ସେ ତୃତୀୟ ଦ୍ୱାରରକ୍ଷକକୁ କହିଲେ, ତୁମେ ଯାଇ ରାଜାଙ୍କୁ ଜଣାଅ ଯେ ତାଙ୍କ ମାଉସୀଙ୍କ ପୁଅ, ଅର୍ଥାତ୍‌ ତାଙ୍କ ଜ୍ୟେଷ୍ଠ ଭ୍ରାତା ତାଙ୍କ ସାକ୍ଷାତ ଅପେକ୍ଷାରେ ଦ୍ୱାରଦେଶରେ ଦଣ୍ଡାୟମାନ। ଉପସ୍ଥିତ ସମସ୍ତ ରାଜକର୍ମଚାରୀ, ପାରିଷଦବୃନ୍ଦ ତାଙ୍କୁ ଆପାଦମସ୍ତକ ନିରୀକ୍ଷଣ କରିବାକୁ ଲାଗିଲେ। ସେମାନଙ୍କ ମଧ୍ୟରେ ବିସ୍ମୟ ଖେଳିଗଲା ଯେ ଇଏ ଯଦି ରାଜାଙ୍କର ସମ୍ପର୍କୀୟ ଭାଇ ତେବେ ଏହାଙ୍କର ଅବସ୍ଥା ଏତେ ଶୋଚନୀୟ କାହିଁକି। ଆମ ରାଜା ତ ସେପରି ନୁହନ୍ତି ଯେ ନିଜ ନିକଟ କିମ୍ବା ଦୂର ସମ୍ପର୍କୀୟଙ୍କ ପ୍ରତି ଏତେ ଅନାସକ୍ତ ହେବେ। ସେମାନଙ୍କୁ ଦ୍ୱିଧାଗ୍ରସ୍ତ ହେବାର ଦେଖି ବୃଦ୍ଧ କହିଲେ- ମୁଁ ମିଥ୍ୟା କହୁ ନାହିଁ। ମୁଁ ମଧ୍ୟ ପାଗଳ ନୁହେଁ। ରାଜକୀୟ ବ୍ୟସ୍ତତା ମଧ୍ୟରେ ରହି ରାଜା ଆମ ପରି ସମ୍ପର୍କୀୟଙ୍କୁ ଭୁଲିଯିବା ସ୍ବାଭାବିକ। ମୁଁ ତ ଶକ୍ତିହୀନ ବୃଦ୍ଧଟିଏ ମାତ୍ର। ଏପରି ଚଞ୍ଚକତା କରି ମୁଁ କ’ଣ ରାଜପ୍ରାସାଦରୁ ପଳାୟନ କରିପାରିବି। ତୁମେ ମୋତେ ବିଶ୍ୱାସ କର ଓ ମୋ କଥା ରାଜାଙ୍କୁ ଜଣାଅ। ଘଟଣାର ରହସ୍ୟ ଉନ୍ମୋଚନ ଲକ୍ଷ୍ୟରେ ଜଣେ ବରିଷ୍ଠ ଅଧିକାରୀ ଅତି ସନ୍ତର୍ପଣରେ ରାଜାଙ୍କୁ ଏ ବିଷୟରେ ଅବଗତ କଲେ। ରାଜା ମଧ୍ୟ ଭଲଭାବରେ ଜାଣନ୍ତି ତାଙ୍କର ସେପରି କୌଣସି ସମ୍ପର୍କୀୟ ନାହାନ୍ତି। ଦ୍ୱିତୀୟତଃ ସେ କ୍ଷତ୍ରିୟ। ଜଣେ ବ୍ରାହ୍ମଣଙ୍କର ସେ ଭାଇ ହେଲେ କିପରି। ରାଜା ମଧ୍ୟ ଦ୍ୱିଧାଗ୍ରସ୍ତ। ତଥାପି କୌତୂହଳ ସମ୍ବରଣ କରି ନ ପାରି ବୃଦ୍ଧଙ୍କୁ ଦରବାର ପ୍ରବେଶର ଆଦେଶ ଦେଲେ।
ରାଜା କହିଲେ, ମହାଭାଗ! ଆପଣ ଯଦି ମୋର ଭାଇ ତେବେ ଏତେଦିନ ହେଲା ମୋଠାରୁ ଦୂରରେ ଥିଲେ କାହିଁକି। ଆପଣ ଯେ ମୋର ଭାଇ ଏହାର ପ୍ରମାଣ କ’ଣ। ବୃଦ୍ଧ ଅଳ୍ପ ହସି କହିଲେ, ଆଶ୍ଚର୍ଯ୍ୟ! ଆପଣ ଏତେ ବିଶାଳ ରାଜ୍ୟର ରାଜା ହୋଇ ଆପଣା ଲୋକକୁ ଭୁଲିଗଲେ କିପରି। ଆପଣ କ’ଣ ସତରେ ମୋତେ ଚିହ୍ନି ପାରୁ ନାହାନ୍ତି, ନା ଚିହ୍ନି ନ ଥିବାର ଅଭିନୟ କରୁଛନ୍ତି। ଏତିକି କଥାରେ ରାଜା କ୍ରୋଧିତ ହୋଇ ଆଦେଶ କଲେ ଶୀଘ୍ର ଆପଣଙ୍କ ପରିଚୟ ଦିଅନ୍ତୁ। ନଚେତ୍‌ ଅବିଳମ୍ବେ ଏ ସ୍ଥାନ ପରିତ୍ୟାଗ କରନ୍ତୁ। କିଛି ସମୟର ନୀରବତା ପରେ ବୃଦ୍ଧ ଉତ୍ତର ଦେଲେ- ମହାରାଜ! ମୁଁ ଯେ ଆପଣଙ୍କ ଭାଇ ଏହା ସୂର୍ଯ୍ୟଚନ୍ଦ୍ର ପରି ସତ୍ୟ। ଆପଣଙ୍କ ପ୍ରଥମ ପ୍ରଶ୍ନ- ମୁଁ ଏତେଦିନ ଯାଏ ନ ଆସିବାର କାରଣ ସମ୍ବନ୍ଧରେ ମୁଁ ଏତିକି କହିବି ଯେ ଆପଣ ମୋତେ କେବେ ଖୋଜୁଛନ୍ତି- ତାକୁ ହିଁ ମୁଁ ଅପେକ୍ଷା କରିଥିଲି। ଯେତେବେଳେ ନିରାଶ ହେଲି- ଅନାହୂତ ଆସିବାକୁ ବାଧ୍ୟ ହେଲି। ରାଜା ଅଧିକ କ୍ରୋଧିତ ହୋଇ ବୃଦ୍ଧଙ୍କୁ ବିତାଡ଼ିତ କରିବା ପାଇଁ ସେନାପତିଙ୍କୁ ଆଦେଶ ଦେଲେ। ସେନାପତି ବୃଦ୍ଧଙ୍କୁ ବହିଷ୍କାର କରିବାକୁ ଉଦ୍ୟତ ହେବାରୁ ବୃଦ୍ଧ କହିଲେ, ଶୁଣ ରାଜନ୍‌! ଏବେ ମଧ୍ୟ ଆପଣଙ୍କ ଚକ୍ଷୁରୁ ପରଦା ହଟିନାହିଁ। ଆପଣଙ୍କ ମାତା ଓ ମୋ ମାତା ଦୁଇ ଭଉଣୀ ହୋଇଥିବାରୁ ମୁଁ ଆପଣଙ୍କ ମାଉସୀପୁଅ ଭାଇ। ସୌଭାଗ୍ୟ ଦେବୀ ଓ ଦୁର୍ଭାଗ୍ୟ ଦେବୀ ଦୁଇ ଭଉଣୀ। ସୌଭାଗ୍ୟ ମା’ଙ୍କ ପୁତ୍ର ହୋଇଥିବାରୁ ଆପଣ ରାଜା ଓ ଦୁର୍ଭାଗ୍ୟ ମା’ଙ୍କ ପୁଅ ହୋଇଥିବାରୁ ମୁଁ ଧନହୀନ, ଦରିଦ୍ର ଓ ଅବହେଳିତ। ଏ କଥାର ସତ୍ୟତା ପରୀକ୍ଷା ନିମିତ୍ତ ଆପଣଙ୍କ ରାଜସଭାର ଜ୍ଞାନୀ, ଗୁଣୀ, ପଣ୍ଡିତମାନଙ୍କର ମତ ନିଆଯାଇପାରେ। ରାଜପଣ୍ଡିତମାନେ ସମସ୍ବରରେ ବୃଦ୍ଧଙ୍କ ଯୁକ୍ତିକୁ ସମର୍ଥନ କଲେ। ରାଜାଙ୍କର ଜ୍ଞାନୋଦୟ ହେଲା। ସେ ନିଜର ଭୁଲ ବୁଝିପାରିଲେ ଯେ ରାଜା ହେଲେ ମଧ୍ୟ ସେ ଜଣେ ନିରନ୍ନ ଭିକାରିର ଭାଇ।
ବୃଦ୍ଧ ଦରିଦ୍ର ହେଲେ ମଧ୍ୟ ଜଣେ ଉଚ୍ଚକୋଟୀର ଜ୍ଞାନୀ ଓ ବୁଦ୍ଧିମାନ। ରାଜା ସସମ୍ମାନ ବୃଦ୍ଧଙ୍କୁ ଆତିଥ୍ୟ ପ୍ରଦାନପୂର୍ବକ ରାଜପଣ୍ଡିତ ଆସନରେ ବସାଇଲେ। ଜ୍ଞାନ ଯେ ଧନ ତୁଳନାରେ ଅଧିକ ଗୁରୁତ୍ୱପୂର୍ଣ୍ଣ- ଏ କଥା ରାଜା ଖୁବ୍‌ଶୀଘ୍ର ବୁଝିଗଲେ। ବୃଦ୍ଧ ତାଙ୍କର ଅସୀମ ଜ୍ଞାନ ବଳରେ ରାଜା ସମ୍ମୁଖୀନ ହେଉଥିବା ସମସ୍ତ ସମସ୍ୟାର ଉତ୍ତମ ସମାଧାନ କରି ରାଜାଙ୍କର ଗୌରବ ବୃଦ୍ଧି କଲେ। ସାଧୁ ଯେତେ ବିପଦରେ ପଡ଼ିଲେ ମଧ୍ୟ ନିଜର ସୁଗୁଣ ତ୍ୟାଗ କରି ନ ଥାନ୍ତି। ନୀତିଶାସ୍ତ୍ରୀ ଚାଣକ୍ୟ କହନ୍ତି-
”ସ୍ବଭାବଂ ନ ଜହାତ୍ୟେବ ସାଧୁରାପଦ୍‌ ଗତୋଽପି ସନ୍‌।
କର୍ପୂରଂ ପାବକସ୍ପୃଷ୍ଟଂ ସୌରଭଂ ଲଭତେତ୍ୱରାମ୍‌।ା“
ଅର୍ଥାତ୍‌ ସାଧୁ ଯେତେ ବିପଦରେ ପଡ଼ିଲେ ମଧ୍ୟ ସ୍ବଧର୍ମ ତ୍ୟାଗ କରି ନ ଥାନ୍ତି। ବରଂ ଅଧିକ ଗୁଣ ପ୍ରକାଶ କରନ୍ତି, ଠିକ୍‌ ଯେପରି କର୍ପୂର ଅଗ୍ନି ସଂଯୁକ୍ତ ହେଲେ ତା’ର ସୌରଭ ତ୍ୱରାନ୍ବିତ ହୋଇଥାଏ। ଧନୀ ଓ କ୍ଷମତାସୀନ ବ୍ୟକ୍ତିମାନେ ଧନ ଓ କ୍ଷମତାର ପ୍ରାବଲ୍ୟରେ ଅନ୍ଧ ନ ହୋଇ ଧନହୀନ, ବୃଦ୍ଧ, ଜ୍ଞାନୀ ଓ ଗୁଣୀ ପଣ୍ଡିତ ଜନଙ୍କ ପ୍ରତି ଔଦାର୍ଯ୍ୟ ପ୍ରଦର୍ଶନପୂର୍ବକ ସେମାନଙ୍କୁ ଭ୍ରାତୃବତ୍‌ ପ୍ରେମ ପ୍ରଦାନ କରିବା ଉଚିତ। ସମସ୍ତଙ୍କର ବୁଝିବା ଦରକାର ଧନ, କ୍ଷମତା କ୍ଷଣସ୍ଥାୟୀ। କିନ୍ତୁ ଭ୍ରାତୃତ୍ୱର ବନ୍ଧନ ଚିରନ୍ତନ। ଏପରି ଏକ ମାନବିକ ଓ ମାନସିକ ପ୍ରସ୍ତୁତିର ଆବଶ୍ୟକତା ଅତୀବ ଗୁରୁତ୍ୱପୂର୍ଣ୍ଣ ମନେହୁଏ। ରାଜସିଂହାସନ ଉପଭୋଗ ନିମିତ୍ତ ଉଦ୍ଦିଷ୍ଟ ନୁହେଁ। ଏହାର ପ୍ରକୃଷ୍ଟ ଉପଯୋଗ ହିଁ ଏହାର ଗୌରବ ବୃଦ୍ଧି କରିଥାଏ। ଶାସକ, ପ୍ରଶାସକ ଏହାର ମହତ୍ତ୍ୱ ବୁଝିବା ବାଞ୍ଛନୀୟ। ସମସ୍ତ ଅସମାହିତ ସମସ୍ୟାର ସମାଧାନ ବୌଦ୍ଧିକ ଉପାୟରେ ହିଁ କରାଯାଇପାରେ। ଧନହୀନମାନେ ଯେ ଅଜ୍ଞାନ ନୁହନ୍ତି- ଏ କଥା ମହାନୁଭବମାନେ ବୁଝିବା ଆବଶ୍ୟକ।
ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦


All Right Reserved By Dharitri.Com

ଏଇ ଭାରତରେ

ଭାରତର ଅନେକ ସ୍ଥାନରେ ପରମ୍ପରା ଓ ଲିଙ୍ଗଗତ ଅସମାନତାର ବେଡ଼ିରେ ବାନ୍ଧିହୋଇ ମହିଳାମାନେ ଅଣନିଃଶ୍ୱାସୀ ହୋଇପଡୁଥିବା ବେଳେ ବାରାଣସୀର ଏକ ଗାଁରେ ମହିଳାମାନେ ଯେପରି ସଂସ୍କାରୀ...

ବିଦେଶିନୀ

ଡ. ବାସୁଦେବ ମିଶ୍ର ଟ୍ରେନର କମ୍ପାର୍ଟମେଣ୍ଟ ଭିତରକୁ ପଶିଯାଇ ଦେଖିଲି ମୋ ପାଖ ସିଟ୍‌ରେ ଉପବିଷ୍ଟା ଗୌରାଙ୍ଗୀ ତନ୍ବୀ ସମ୍ବଲପୁରୀ ଶାଢ଼ି ପରିହିତା ତରୁଣୀଙ୍କୁ ଭାରତୀୟ...

ପାପୀମାନଙ୍କ ନର୍କ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ”ମାମା! ବାପା ଅଫିସରେ କ’ଣ କରନ୍ତି,“ ପୁଅ ପଚାରିଲା ମାଆକୁ। ”ସେ ମାଙ୍କଡ଼ମାନଙ୍କୁ ଡରାନ୍ତି,“ ମା’ ଉତ୍ତର ଦେଲେ। ବନ୍ୟପ୍ରାଣୀଙ୍କୁ...

ସମାଧାନ ନିଷେଧରେ ନାହିଁ

ସମ୍ପାଦକୀୟ/ତଥାଗତ ସତପଥୀ ଶ୍ରୀଲଙ୍କାରେ ୨୧ ଏପ୍ରିଲ ୨୦୧୯ରେ ଘଟିଥିବା ବିସ୍ଫୋରଣରେ ପାଖାପାଖି ୩୨୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ...

କୁକୁଡ଼ା ବଞ୍ଚିଲେ ସୁନାର ଅଣ୍ଡା

ରଞ୍ଜନ କୁମାର ଦାସ ଚାକିରି କରୁଥିବା ଲୋକଙ୍କୁ ଭଲରେ ଅଛନ୍ତି ଭାବି ଅନ୍ୟମାନେ ଈର୍ଷା କରନ୍ତି। ସମସ୍ତଙ୍କର ଧାରଣା ଯିଏ ଥରେ ଚାକିରିଟେ ପାଇଗଲା ତା’...

ସମସ୍ତଙ୍କ ବିଶ୍ୱାସଭାଜନ

ସପ୍ତଦଶ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ୩୦୩ ଆସନ ପାଇ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ସହଯୋଗୀଙ୍କୁ ନେଇ ଏନ୍‌ଡିଏ...

ସମ୍ପାଦକୀୟ/ ପୋଲ ଦବିଲା

ନିକଟ ଅତୀତରେ ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର ନିର୍ମାଣ ବେଳେ ସ୍ଲାବ ଖସିବା ଓ ଗାର୍ଡଓ୍ବାଲ୍‌ ଭାଙ୍ଗିପଡ଼ିବା ଯୋଗୁ ଦୁଇ ଜଣଙ୍କ ଜୀବନ ଯାଇଥିଲା। କିଛିଦିନ ପୂର୍ବରୁ...

ପୁରୀରୁ ବ୍ରହ୍ମଗିରି

ଡ. ପ୍ରଫୁଲ୍ଲ କୁମାର ସାହୁ ସଚରାଚର ବିଶ୍ୱରେ ଯାହା କିଛି ଘଟୁଛି, ତା’ ପଛରେ ରହିଛି ବିଶ୍ୱନିୟନ୍ତାଙ୍କ ମହତ୍‌ ଉଦ୍ଦେଶ୍ୟ। ସେ ଉଦ୍ଦେଶ୍ୟ ଚରିତାର୍ଥ ପାଇଁ...

Leave a comment

Your email address will not be published. Required fields are marked *