ବିପଦରେ ବଣ୍ଡା ସଂସ୍କୃତି

ଦ୍ୱିତୀ ଚନ୍ଦ୍ର ସାହୁ

ଘୋଡେଇ ହୋଇଛି ମାଛକାତିଆ ଆକାଶ। ନୀଳ ଓ ଧଳାର ଅପୂର୍ବ ସମନ୍ବୟରେ ଆକାଶ ଆହୁରି ଆକର୍ଷଣୀୟ ହୋଇଉଠିଛି ଶରତର ପହିଲି ଛୁଆଁରେ। ସବୁ ନୀରବତାକୁ ଭାଙ୍ଗି ଶୁଣିବାକୁ ବାଧ୍ୟ କରୁଛି ପାହାଡି ଝରଣାର ମୂର୍ଚ୍ଛନା। ପାହାଡ ଉପରେ ମାଡି ବସିଛି ହଳଦିଆ ରଙ୍ଗ ଠାଏ ଠାଏ। ମାଣ୍ଡିଆ ଫସଲ ପାଚି ଆସୁଥିବାର ସଂକେତ। ମଝିରେ ଲମ୍ବିଛି କଳା ମଚ ମଚ ନୂଆ ରାସ୍ତା ପାହାଡ ଉପରକୁ ଉଠିବାକୁ। ରାସ୍ତା ମଝିରେ ଠିଆ ହେଲେ ଲାଗିବ ଏହା ଘାଟି ନୁହେଁ, ସ୍ବର୍ଗକୁ ଚଢିବାକୁ ଆମନ୍ତ୍ରଣ। ଏମିତି ଏକ ଆକର୍ଷଣରେ ଚଢୁଥିଲା ଆମ ଗାଡି ଖଇରପୁଟରୁ ମୁଦୁଲିପଡାକୁ। ମୁଦୁଲିପଡା ବଣ୍ଡା ଦେଶର ରାଜଧାନୀ। ଘାଟି ଉପର ଇଲାକା ହେଉଛି ବଣ୍ଡା ଦେଶ। ଘାଟି ତଳର ଲୋକଙ୍କ ପାଇଁ ବଣ୍ଡା ରାଇଜ। ପ୍ରାକୃତିକ ଶୋଭାରାଜିରେ ତିନି ହଜାର ଫୁଟ ଉଚ୍ଚତାରେ ଥିବା ବଣ୍ଡା ଦେଶ ଆଗନ୍ତୁକଙ୍କ ଲାଗି ଗୋଟିଏ ଆକର୍ଷଣ। ଦୁଇ ତିନିଟା ମୋଡ ଉଠିବା ପରେ ଗାଡି ଅଟକାଇବାକୁ ବିବଶ କରିବ ପାହାଡ ତଳର ଦୃଶ୍ୟ, କ୍ୟାମେରାରେ ଧରି ରଖିବାକୁ। ପ୍ରତି ମୋଡରେ ପାହାଡ ତଳର ସେଇ ଏକା ଦୃଶ୍ୟ ବଦଳିବା ଭଳି ଲାଗେ କୋଉ ସିନେମାର ଦୃଶ୍ୟପଟ ପରି। ଏମିତି ଅଦ୍ଭୁତ ଅନୁଭବ ଭିତରେ ଯେତେ ଉପରକୁ ଉଠୁଥିଲୁ ସେତିକି ସେତିକି ଉଦ୍‌ବେଳନ ବଢୁଥିଲା ବଣ୍ଡା ଦେଶର କାହାଣୀକୁ ସାଉଁଟିବାକୁ। ବ୍ୟଗ୍ର ହୋଇପଡୁଥିଲା ମନ ବଣ୍ଡା ଗାଁରେ ବୁଲି ବଣ୍ଡାଙ୍କ ସହ ଗପିବାକୁ। ବାଟରେ ଗୋଟିଏ ମୋଡରେ ଡାଲଖାଇ। ଡାଳ ଦେଇ ପୂଜା କରାଯାଏ। ଘାଟି ଚଢି କିଛି ଦୂର ତଳକୁ ଓହ୍ଲାଇଲା ପରେ ଦେଖାଗଲା ମୁଦୁଲିପଡା। ବଣ୍ଡା ଦେଶର ପ୍ରଥମ ଗାଁ। ବାଟରେ ଥିବା ଆବାସିକ ବିଦ୍ୟାଳୟ ସମସ୍ତଙ୍କୁ ସ୍ବାଗତ ଜଣାଏ। ବଣ୍ଡା ପିଲାମାନେ ସଭ୍ୟ ଶିକ୍ଷିତ ହେବାର କାରଖାନା। ବର୍ଷ ବର୍ଷ ଧରି ପିଢି ପରେ ପିଢି ବଣ୍ଡା ପିଲାମାନେ ଏଠି ନିଜକୁ ଭିନ୍ନ ରୂପରେ ଗଢିଛନ୍ତି। ସାମାନ୍ୟ ଦୂରରେ ବଣ୍ଡାଙ୍କ ଉନ୍ନତି ଲାଗି ସ୍ବତନ୍ତ୍ର ପ୍ରକଳ୍ପର କାର୍ଯ୍ୟାଳୟ। କିନ୍ତୁ ବଣ୍ଡା ଗାଁରେ ବୁଲିଲା ପରେ ସବୁ କିଛି ପାଣିଚିଆ ଲାଗିଲା। ମଣିଷଗଢା କାରଖାନାରୁ ବାହାରୁଥିବା ଅଧିକାଂଶ ପିଲା ପରିବାରର ବୋଝ। ପାରମ୍ପରିକ ଚାଷରେ ନିଜର ଭାଗିଦାରିତା ଦେଇପାରୁନାହାନ୍ତି। ଅଧାପାଠୁଆ ହୋଇଥିବାରୁ ଚାକିରି ପାଇଁ ଯୋଗ୍ୟ ହୋଇପାରୁ ନାହାନ୍ତି। ଅଥଚ ସଭ୍ୟ ହୋଇଥିବାର ନିଆରା ଅନୁଭବ ଭିତରେ ସେମାନଙ୍କ ନିଜ ନିଜର ଆବଶ୍ୟକତା କାହିଁରେ କେତେ ବଢିଯାଇଛି। ଯେଉଁମାନେ ଚାକିରି କରୁଛନ୍ତି ସେମାନେ ପୁଣି ବଣ୍ଡା ଘାଟିକୁ ଆସି ମାଟି ଘର, ଅସ୍ବାସ୍ଥ୍ୟକର ଗାଁ ପରିବେଶ, ଝରଣା ପାଣିର ଜଳକୁ ନେଇ ବଞ୍ଚିବା କଷ୍ଟକର ହୋଇପଡୁଛି। ସେମାନେ ଜରୁରୀ ସମୟ ବ୍ୟତୀତ ଅନ୍ୟ ସମୟରେ ଗାଁର କିମ୍ବା ଜାତିର ଉନ୍ନତି ବିଷୟରେ ଚିନ୍ତା କରୁ ନ ଥିବା ଗାଁରେ ଥିବା ଅଧାପାଠୁଆ ବଣ୍ଡା ପିଲାଙ୍କ ସହ କଥା ଛଳରେ ଜାଣି ହେଲା। ଜଗତୀକରଣର ମହାସ୍ରୋତରେ ସାମିଲ ହୋଇ ବଣ୍ଡା ଯୁବ ପିଢିଙ୍କ ଭେକ ଓ ଭିକ ବଦଳିଯାଇଛି। ବଣ୍ଡା ରମଣୀ ପାରମ୍ପରିକ ଅଳଙ୍କାର ଆଉ ପିନ୍ଧୁ ନାହିଁ। ଗାଁରେ ଥିବା କାଁ ଭାଁ ବୟସ୍କା ମହିଳାମାନେ କେବଳ ନିଜ ପାଖରେ ଥିବା ପାରମ୍ପରିକ ଅଳଙ୍କାରକୁ ପିନ୍ଧୁୁଛନ୍ତି। ବଣ୍ଡାଙ୍କ ଭିତରେ ଚେତନା ଜାଗ୍ରତ ହେବା ଭଲ କଥା। ବଣ୍ଡା ଦେଶରେ ବୈପ୍ଲବିକ ସାମାଜିକ ପରିବର୍ତ୍ତନ ହୋଇଛି। ପାରମ୍ପରିକ ଖୋଦେଇ ଦ୍ୱାର ସହ ନୁଆଁଣିଆ ଚାଳଘର କେତୋଟି ପ୍ରାଚୀନତାକୁ ବାନ୍ଧି ରଖିଛି ସତ। ବାକି ଘରଗୁଡିକ ଟିଣ ଓ ଟାଇଲରେ ସଜେଇ ହୋଇ ନୂତନତାକୁ ଆବୋରିଛି। ଗାଁ ପାଖ ପାହାଡ ସବୁ ନଣ୍ଡା ହୋଇଗଲାଣି। ଚାଷବାସରେ ସେଭଳି ଆଖିଦୃଶିଆ ଫରକ ନାହିଁ। ସେଇ ପାରମ୍ପରିକ ମାଣ୍ଡିଆ, କାଙ୍ଗୁଲ, ସୁଆଁ, ମକା, କଦଳୀ ଚାଷ ଭିତରେ ସୀମିତ। ଏସବୁ ପରିବାରର ପେଟକୁ ନିଅଣ୍ଟ। ଏଣେ ଯୁବପିଢି ଆଧୁନିକତାର ସ୍ପର୍ଶରେ ମତୁଆଲା। ବୃତ୍ତି ଓ ପ୍ରବୃତ୍ତି ବଦଳିଛି। ବଢୁଛି ସେମାନଙ୍କ ଆବଶ୍ୟକତା। ପରିବାରର ବଞ୍ଚତ୍ବା ଚିନ୍ତା ସହ ଯୁବପିଢିଙ୍କ ମୌଳିକ ଆବଶ୍ୟକତା ମେଣ୍ଟାଇବାକୁ ପରିବାର ନିକଟରେ ଅର୍ଥର ଅଭାବ। ଅର୍ଥ ଲାଗି ନିଜ ଦେଶ ଛାଡୁଛନ୍ତି ଏବେ ବଣ୍ଡା। ବଣ୍ଡା ରମଣୀ ସବୁବେଳେ ପରିଶ୍ରମୀ। ପୁରୁଷର ହାତ ଟେକାକୁ ତା’ର ଅପେକ୍ଷା ନାହିଁ। ଡଙ୍ଗର ଭଲ ତ ସେ ଭଲ। ତା’ଠାରୁ ବୟସରେ କମ୍‌ ହୋଇଥିଲେ ବି ପୁରୁଷ ଚାଷବାସରେ ବଣ୍ଡା ରମଣୀଠାରୁ ବହୁ ପଛରେ। ହେଲେ ସେମାନଙ୍କର ବଦଳିଛି ମିଜାଜ। ଏବେ ସେ ଯାଉଛି ଦାଦନ ଖଟିବାକୁ। ବଣ୍ଡା ଓ ବଣ୍ଡା ରମଣୀ ମିଶି ଆନ୍ଧ୍ରକୁ ନିର୍ମାଣ ଶ୍ରମିକ ଭାବେ ବହୁ ସଂଖ୍ୟାରେ ଭିଟାମାଟି ଛାଡୁଥିବା ଶୁଣିଲା ପରେ ସବୁତକ ଆବେଗ ଓ ଆକର୍ଷଣ ଯେମିତି ଗୋଟିଏ ବିନ୍ଦୁରେ ଆସି ଠୁଳ ହୋଇଗଲା। ବଣ୍ଡାଙ୍କ ଭିତରେ ଏଇ ପରିବର୍ତ୍ତନ ଗୋଟେ ଗଣ୍ଠିମୁକ୍ତ, ସରଳ ଅଥଚ ଦୁର୍ଦ୍ଧର୍ଷ ଜାତିକୁ ବିଲୁପ୍ତି ଆଡକୁ ଟାଣି ନେଉଥିବା ଅନୁଭବ ହେଲା। ଅଚିରେ ଗୋଟିଏ ଜାତିର ମହାନ ସଂସ୍କୃତି ଲୋପ ପାଇଯିବାର ଆଶଙ୍କା ପ୍ରକାଶ ପାଇଲା। ଏଇ ସମୟରେ ଗାଁ ଭିତରେ ପ୍ରବେଶ କରୁଥିଲା ଚକଚକିଆ ଦାମୀ ଗାଡି। ଶ୍ରମିକ ଯୋଗାଡ ଲାଗି ଆସିଥିବା ଦଲାଲକୁ ଦେଖି କ୍ରମଶଃ ଭିଡ ଜମାଉଥିଲେ ବଣ୍ଡା ଯୁବତୀଯୁବକ। ଆଶଙ୍କାକୁ ସତ୍ୟ ପ୍ରମାଣିତ କରିବା ଲାଗି ପ୍ରମାଣର ଆଉ ଆବଶ୍ୟକତା ନ ଥିଲା। ପାରମ୍ପରିକ ବେଶଭୁଷାରେ ଥିବା ବଣ୍ଡା ମହିଳାଙ୍କ ଫୋଟୋଟିଏ ଲାଗି ମନ କିନ୍ତୁ ଆହୁରି ବିକଳିଆ ହୋଇପଡୁଥିଲା।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା,
ମୋ- ୯୫୫୬୨୮୭୭୭୫


All Right Reserved By Dharitri.Com

କେରଳ ରୋଲ ମଡେଲ

ଆକାର ପଟେଲ ଦେଶରେ ଲକ୍‌ଡାଉନ୍‌ ଲାଗୁକରି ୩୭,୦୦୦ ରୁ ୭୧,୦୦୦ କୋଭିଡଜନିତ ମୃତ୍ୟୁ ଟାଳି ଦେଇଛୁ ବୋଲି ସରକାର କହିଛନ୍ତି। ଯଦି ଦୁଇଟି ଲକ୍‌ଡାଉନ ଲାଗୁ...

ସମ୍ପାଦକୀୟ/ ସମାଧାନକାରୀ ନୁହେଁ, ସୃଷ୍ଟିକର୍ତ୍ତା

ସାଧାରଣ ନିର୍ବାଚନ ୨୦୧୯ର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଏପ୍ରିଲ ୧୮ରେ ଅନୁଷ୍ଠିତ ହେବାକୁ ଯାଉଛି। ସମଗ୍ର ଦେଶରେ ଦିନକୁ ଦିନ ପ୍ରଚାର ଅଭିଯାନ ଜୋରଦାର...

କରୋନା ସାମ୍ନାରେ ବ୍ୟକ୍ତିସ୍ବାଧୀନତାର ବଳି

ସହଦେବ ସାହୁ ମଣିଷ ନିଜେ ଏକ ପ୍ରାଣୀ, କିନ୍ତୁ ନିଜକୁ ଛାଡି ଅନ୍ୟ ପ୍ରାଣୀମାନଙ୍କୁ ପଶୁ କହେ, ସେମାନଙ୍କ ଆଚରଣକୁ ପାଶବିକ ଅର୍ଥାତ୍‌ ମୌଳିକତାବିହୀନ କହିଥାଏ।...

ସଂସ୍କୃତି ମୁଖା ଖୋଲିଦେଇଛି କୋଭିଡ୍‌-୧୯

କୋଭିଡ୍‌-୧୯ ସଂର୍କମଣ ଏବେ ଦେଶର ଭଲ ମନ୍ଦ କଥା ତଥା ବ୍ୟକ୍ତିର ଭଲ ମନ୍ଦ ଗୁଣକୁ ପଦାକୁ ନେଇଆସିଛି। କେବଳ ଏତିକି ନୁହେଁ ସଂସ୍ଖୃତିର ବିଶେଷତା...

ଆଜିର ଅର୍ଥନୀତି/ ବାହାପିଆ କଥା

ଚଳିତ ମାସରେ ଅନୁଷ୍ଠିତ ନୀତି ଆୟୋଗର ପଞ୍ଚମ ଗଭର୍ନିଂ କାଉନ୍‌ସିଲ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି ଇଚ୍ଛା ପ୍ରକଟ କରିଛନ୍ତି କି ୨୦୨୪ ବା...

ଅହିଂସା – ବୀରର ଭାଷା

ଅରୁଣ କୁମାର ପଣ୍ଡା ଦୁଇ ବିରୋଧୀ ବିଷୟକୁ ଆମେ ଦ୍ୱନ୍ଦ୍ୱ କହିଥାଉ। ଯେପରି ଥଣ୍ଡା ଓ ଗରମ, ଦିନ ଓ ରାତି। ସେହିପରି ଭୀରୁ ଓ...

ଟୁନାମାଛର ବିପଦ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆମେରିକାରେ ବିକ୍ରି ହେଉଥିବା ୟେଲୋଫିନ୍‌ ଟୁନା (ହଳଦିଆ ଡେଣାଯୁକ୍ତ ଟୁନା ମାଛ)ର ଉତ୍ପାଦଗୁଡ଼ିକ ଖାଦ୍ୟ ବିଷାୟନର କାରଣ ହୋଇପାରେ ବୋଲି...

ଭଲ ବିଭକ୍ତ ଖରାପ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ସମୟ ସା ସାତଟା। ପ୍ରାୟ ଦେଢ଼ଘଣ୍ଟା ପୂର୍ବରୁ ସୂର୍ଯ୍ୟ ଡୁବିଗଲେଣି। ରାଜଧାନୀର ଅସ୍ତାଚଳରେ ଉଜ୍ଜ୍ୱଳ ସ୍ବର୍ଣ୍ଣାଭ ଆଲୋକରେ ଉଦ୍ଭାସିତ ହେଲାଣି...

Leave a comment

Your email address will not be published. Required fields are marked *