ଭାରତୀୟ ଗଣତନ୍ତ୍ରରେ ନିର୍ବାଚନ

ନାରାୟଣ ପଣ୍ଡା
ବିଶ୍ୱର ବୃହତ୍ତମ ଗଣତାନ୍ତ୍ରିକ ଦେଶ ଭାରତରେ ସପ୍ତଦଶ ସାଧାରଣ ନିର୍ବାଚନ ଆରମ୍ଭ ହୋଇଛି। ଦେଶର ସମ୍ବିଧାନ ଅନୁସାରେ ପ୍ରତି ୫ବର୍ଷରେ ଉକ୍ତ ନିର୍ବାଚନ ହେବା କଥା। କିନ୍ତୁ ଗତ ୬୮ବର୍ଷର ନିର୍ବାଚନକୁ ହିସାବକୁ ନେଲେ ହାରାହାରି ପ୍ରାୟ ୪ବର୍ଷରେ ଏହା ହେଉଥିବା ଜଣାଯାଏ। ରାଜନୈତିକ ବାଧ୍ୟବାଧକତା ଏହି ବ୍ୟତିକ୍ରମର କାରଣ। ଦେଶରେ ୧୯୫୧-୫୨ରୁ ୧୯୬୭ ମଧ୍ୟରେ ପ୍ରଥମ ୪ଟି ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ୫ମ ନିର୍ବାଚନ ୪ବର୍ଷରେ ହୋଇଥିଲା। ୧୯୭୭ରେ ଷଷ୍ଠ ସାଧାରଣ ନିର୍ବାଚନକୁ ଜରୁରିକାଳୀନ ଅବସ୍ଥା ସମୟରେ ଇନ୍ଦିରା ଗାନ୍ଧୀ ଏକବର୍ଷ ଘୁଞ୍ଚାଇଦେଲେ। ଏହି ନିର୍ବାଚନରେ ସ୍ବାଧୀନତା ପରଠାରୁ ୩୦ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶାସନଡୋରି ଧରିଆସିଥିବା କଂଗ୍ରେସର ପତନ ଘଟିଲା। ଜରୁରୀ ପରିସ୍ଥିତିରେ ଅତିଷ୍ଠ ଦେଶର ସଚେତନ ଭୋଟରମାନେ ଗଣତାନ୍ତ୍ରିକ ଇତିହାସରେ ପ୍ରଥମଥର ପାଇଁ ଏକ ଅଣକଂଗ୍ରେସ ସରକାରକୁ ନିର୍ବାଚିତ କଲେ। କିନ୍ତୁ ବିଡମ୍ବନାର ବିଷୟ, ମୋରାରଜୀ ଦେଶାଇଙ୍କ ନେତୃରେ ଗଠିତ ଏହି ସରକାର ଗୋଷ୍ଠୀକନ୍ଦଳ ଯୋଗୁ ୩୦ମାସରୁ ଅଧିକ ତିଷ୍ଠିପାରିଲା ନାହିଁ।
୧୯୮୦ରେ ଅନ୍ୟ ଏକ ନିର୍ବାଚନର ବୋଝ ଦେଶ ଉପରେ ପଡିଲା। ୮ମ ଲୋକ ସଭା ଶେଷବେଳକୁ ବିଶ୍ୱନାଥ ପ୍ରତାପ ସିଂଙ୍କ ବୋଫର୍ସ ପ୍ରସଙ୍ଗରେ ବିଦ୍ରୋହ ଯୋଗୁ ରାଜୀବ ଗାନ୍ଧୀ ସରକାରର ପତନ ଘଟିଲା। ୧୯୮୯ରେ ତାଙ୍କ ଆବାହକତ୍ୱରେ ଗଠିତ ଜାତୀୟ ସାମ୍ମୁଖ୍ୟର ଉତ୍ଥାନ ଘଟି ସେ ପ୍ରଧାନମନ୍ତ୍ରୀ ହେଲେ। ଏଥର ମଧ୍ୟ ଏହି ଅଣକଂଗ୍ରେସ ସରକାର ଅନ୍ତର୍ଦ୍ୱନ୍ଦ୍ୱର ସମ୍ମୁଖୀନ ହେଲା। ଫଳତଃ ବର୍ଷଟିଏ ନ ପୁରୁଣୁ ବିଶ୍ୱନାଥ ପ୍ରତାପ ସିଂ ଇସ୍ତଫା ଦେଲେ। କଂଗ୍ରେସ ସହଯୋଗରେ ଦୃଶ୍ୟପଟକୁ ଆସିଲେ ତରୁଣତୁର୍କ ଚନ୍ଦ୍ରଶେଖର। କଂଗ୍ରେସର କ୍ରମବର୍ଦ୍ଧିଷ୍ଣୁ ଚାପ ଆଗରେ ଚନ୍ଦ୍ରଶେଖର ତିଷ୍ଠି ନ ପାରି ଇସ୍ତଫା ଦେବାକୁ ବାଧ୍ୟହେଲେ। ମାତ୍ର ୨ବର୍ଷରେ ପୁନଶ୍ଚ ଏକ ନିର୍ବାଚନର ସମ୍ମୁଖୀନ ହେଲା ଦେଶ। ୧୯୯୬ର ଏକାଦଶ ନିର୍ବାଚନରେ ଭାଜପା ମେଣ୍ଟ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଗଠନ କରିଥିବା ସରକାର ଗୃହରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ନ ପାରିବାରୁ ମାତ୍ର ୧୩ ଦିନରେ ପତନ ଘଟିଲା। କଂଗ୍ରେସ ସମର୍ଥନରେ କର୍ନାଟକର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. ଦେବେଗୌଡା ହେଲେ ପ୍ରଧାନମନ୍ତ୍ରୀ । ସେ କିନ୍ତୁ ତାଙ୍କ ପୂର୍ବସୂରୀଙ୍କ ପରି ସତ୍ତା ସମ୍ଭାଳିବାରେ ବ୍ୟର୍ଥହୋଇ ଗାଦି ଛାଡିଲେ। ତାଙ୍କ ପରେ ପ୍ରଧାନମନ୍ତ୍ରୀ ହୋଇଥିବା ଇନ୍ଦର କୁମାର ଗୁଜୁରାଲ ମଧ୍ୟ ବର୍ଷଟିଏ ରହି ନ ପାରି ଇସ୍ତଫା ଦେବାରୁ ମାତ୍ର ୨ବର୍ଷରେ ଲୋକ ସଭା ଭଙ୍ଗାଯାଇ ୧୯୯୮ରେ ଦ୍ୱାଦଶ ଲୋକ ସଭା ପାଇଁ ନିର୍ବାଚନ କରାଗଲା। ଏଥିରେ ୫୪୩ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ୨୮୬ ଜଣଙ୍କ ସମର୍ଥନରେ ଗଠିତ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଏଆଇଡିଏମ୍‌କେ ସମର୍ଥନ ପ୍ରତ୍ୟାହାର କରିବା ପରିପ୍ରେକ୍ଷୀରେ ସଙ୍କଟାପନ୍ନ ହେଲା। ଆଗତ ଅନାସ୍ଥା ପ୍ରସ୍ତାବରେ ମାତ୍ର ଗୋଟିଏ ଭୋଟ ଊଣା ହେବାରୁ ବାଜପେୟୀ ଇସ୍ତଫା ଦେଲେ। ବର୍ଷକ ପରେ ୧୯୯୯ରେ ହେଲା ତ୍ରୟୋଦଶ ସାଧାରଣ ନିର୍ବାଚନ । ଏଥିରେ ଭାଜପାର ଅଟଳ ବିହାରୀ ବାଜପେୟୀ ମେଣ୍ଟର ଅନ୍ୟ ୨୦ଟି ଦଳର ସମର୍ଥନରେ ପୁନଶ୍ଚ ସରକାର ଗଠନ କଲେ। ପ୍ରଥମଥର ପାଇଁ ଏକ ଅଣକଂଗ୍ରେସ ଦଳରୂପେ ବାଜପେୟୀଙ୍କ ସରକାର ସମ୍ପୂର୍ଣ୍ଣ ୫ବର୍ଷ କ୍ଷମତାରେ ରହି ରେକର୍ଡ ସୃଷ୍ଟିକଲା।
୧୯୯୦ ଦଶକ ଭାରତୀୟ ରାଜନୀତିରେ ଏକ ସନ୍ଧିକ୍ଷଣ ଥିଲା। ଏକକ ଦଳର ଶାସନ ବଦଳରେ ମେଣ୍ଟ ସରକାରର ଅଭ୍ୟୁତ୍ଥାନ ଅସ୍ଥିରତା ମଧ୍ୟକୁ ଠେଲିଦେଲା ଦେଶକୁ। ଏକବିଂଶ ଶତାବ୍ଦୀର ପ୍ରଥମ ତିନୋଟି ନିର୍ବାଚନରେ ପୁନଶ୍ଚ ଦୃଶ୍ୟପଟର ପରିବର୍ତ୍ତନ ଘଟିଲା। ୨୦୦୪ ଓ ୨୦୦୯ରେ କଂଗ୍ରେସର ମନମୋହନ ସିଂଙ୍କ ନେତୃତ୍ୱରେ ଗଠିତ ହେଲା ଉପା ସରକାର। ୨୦୧୪ରେ ଭାଜପା ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ ମଧ୍ୟ ୩୭ଟି ଦଳକୁ ନେଇ ଗଠିତ ଏନ୍‌ଡିଏ ସରକାର ବର୍ତ୍ତମାନ ୫ବର୍ଷ ଶାସନ ପୂରଣ କରିବାକୁ ଯାଉଛି। ଭାରତର ଲୋକ ସଭା ଇତିହାସରୁ ଜଣାଯାଏ, କଂଗ୍ରେସ ବ୍ୟତୀତ କେବଳ ଭାଜପା ନେତୃତ୍ୱାଧୀନ ସରକାର ହିଁ ପୂର୍ଣ୍ଣକାଳୀନ ଶାସନରେ ରହିପାରିଛି। ଅଣକଂଗ୍ରେସ ମେଣ୍ଟର କେବଳ ମୋରାରଜୀ ଦେଶାଇଙ୍କ ବ୍ୟତୀତ କୌଣସି ପ୍ରଧାନମନ୍ତ୍ରୀ ଏକବର୍ଷରୁ ଅଧିକ ସମୟ ପଦବୀରେ ରହି ନ ପାରିବା ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ତାଚ୍ଛଲ୍ୟ। ଆମ ଗଣତାନ୍ତ୍ରିକ ଇତିହାସରେ ଏହା ହିଁ ବିଡମ୍ବିତ ସତ୍ୟ, ଅଣକଂଗ୍ରେସ ମେଣ୍ଟ ପ୍ରତି ଥର ଭୋଟରମାନଙ୍କୁ ପ୍ରଭାବିତ କରି ଶାସନଦଣ୍ଡ ଧରିଥିଲେ ମଧ୍ୟ ପରଶ୍ରୀକାତରତା ଓ କ୍ଷମତାଲାଳସା ଯୋଗୁ ବାରମ୍ବାର ପତନକୁ ସାମ୍ନା କରିଛନ୍ତି।
୧୯୫୧ରେ ମାତ୍ର ୫୩ ରାଜନୈତିକ ଦଳ ନିର୍ବାଚନରେ ଅଂଶଗ୍ରହଣ କରିଥିବା ବେଳେ ୨୦୧୪ରେ ଏମାନଙ୍କ ସଂଖ୍ୟା ଥିଲା ୪୬୫। ବିଶ୍ୱରେ ଭାରତର ରାଜନୈତିକ ଦଳଗୁଡିକ କେବଳ ସୁବିଧା ପାଇଁ ମେଣ୍ଟଗଠନ କରିବା ଓ ଦଳର ସ୍ବାର୍ଥସାଧନ ପାଇଁ ଯେ କୌଣସି ସମୟରେ ମେଣ୍ଟ ତ୍ୟାଗ କରିବାର ଲମ୍ବା ଇତିହାସ ରହିଛି। ୧୯୯୬-୯୮ରେ କଂଗ୍ରେସ ସହାୟତାରେ ମେଣ୍ଟସରକାର ଗଠନ କରିଥିବା ଦେବେଗୌଡା ଓ ଇନ୍ଦର କୁମାର ଗୁଜୁରାଲଙ୍କ ମନ୍ତ୍ରିମଣ୍ଡଳରେ ପ୍ରଥମଥର ପାଇଁ ଜଣେ କମ୍ୟୁନିଷ୍ଟ ଏମ୍‌ପି ଇନ୍ଦ୍ରଜିତ୍‌ ଗୁପ୍ତାଙ୍କୁ ସ୍ବରାଷ୍ଟ୍ରମନ୍ତ୍ରୀ ରୂପେ ବଛାଗଲା। ଏହା ଥିଲା ସେହି କମ୍ୟୁନିଷ୍ଟ, ଯାହା ସ୍ବାଧୀନତା ପରଠାରୁ ଅନ୍ତତଃ ୩ଥର ବେଆଇନ ଘୋଷିତ ହୋଇଥିଲା, ସ୍ବୟଂ ଇନ୍ଦ୍ରଜିତ୍‌ଙ୍କ ସମେତ ଅନେକ ନେତା କାରାରୁଦ୍ଧ ହୋଇଥିଲେ। ପଞ୍ଚଦଶ ଲୋକ ସଭାରେ କଂଗ୍ରେସର ଉପା ସରକାରରେ ସ୍ବର୍ଗତ ସୋମନାଥ ଚାଟାର୍ଜୀ ଥିଲେ ବାଚସ୍ପତି। ପରେ ଦଳ ଉପାଠାରୁ ସମର୍ଥନ ପ୍ରତ୍ୟାହାର କରିଥିଲେ ମଧ୍ୟ ସ୍ବର୍ଗତ ଚାଟାର୍ଜୀ ପଦବୀରୁ ଇସ୍ତାଫା ନ ଦେଇ ପାର୍ଟି ଦ୍ୱାରା ବହିଷ୍କୃତ ହୋଇଥିଲେ। ତ୍ରୟୋଦଶ ଲୋକ ସଭାର ବାଜପେୟୀଙ୍କ ସରକାରକୁ ଅନାସ୍ଥା ପ୍ରସ୍ତାବରେ ଗିରିଧର ଗମାଙ୍ଗଙ୍କ ଗୋଟିଏ ମାତ୍ର ଭୋଟ ଯୋଗୁ ଇସ୍ତଫା ଦେବାକୁ ହୋଇଥିଲା। ସମ୍ପ୍ରତି ଗମାଙ୍ଗ ଭାଜପାର ଅନ୍ୟତମ ନେତା। ଅତୀତରେ ଦଳପତି କିମ୍ବା ଦଳର ନିହିତ ସ୍ବାର୍ଥ ଯୋଗୁ ଭାରତର ମେଣ୍ଟ ସରକାରଗୁଡିକର ପତନ ଘଟିଛି। ଭାରତର ରାଜନୈତିକ ଇତିହାସରେ ଅନେକ ପୃଷ୍ଠା କେବଳ କତିପୟ ନେତାଙ୍କର ଉଚ୍ଚାକାଂକ୍ଷା ଓ ଅବିମୃଶ୍ୟକାରିତାର କଳଙ୍କିତ କାହାଣୀରେ ଭରିହୋଇଛି। କ୍ଷମତା ପାଇଁ ପରସ୍ପର ବିରୋଧୀ ଚରିତ୍ର ହାତ ମିଳାଇବାକୁ କୁଣ୍ଠିତ ହୋଇନାହାନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ରାଜନୀତିରେ ବଂଶବାଦର ଅଭ୍ୟୁଦୟ ସ୍ଥିର ଶାସନ ପକ୍ଷେ ମହଙ୍ଗା ସାବ୍ୟସ୍ତ ହେଉଛି। ନେହେରୁ-ଗାନ୍ଧୀ ପରିବାରରୁ ଆସିଛନ୍ତି ତିନିଜଣ ପ୍ରଧାନମନ୍ତ୍ରୀ। ମହାରାଷ୍ଟ୍ରର ଶିବସେନା, ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି, ବିହାରର ଆରଜେଡି ଓ ପଞ୍ଜାବର ଶିରୋମଣି ଅକାଳିଦଳ ପ୍ରାଚୀନ ଭାରତର ରାଜବଂଶୀୟ ପରମ୍ପରାକୁ ଅନୁସରଣ କରୁଥିବା ମନେହୁଏ। ଲୋକ ସଭା ଦେଶର କୋଟିକୋଟି ନାଗରିକଙ୍କ ପ୍ରତିନିଧି ଓ ରାଜ୍ୟ ସଭା ଭାରତର ସଂଘୀୟ ରାଜ୍ୟଗୁଡ଼ିକର ପ୍ରତିନିଧିଙ୍କ ଦ୍ୱାରା ପରିପୁଷ୍ଟ। କିନ୍ତୁ ସମ୍ବିଧାନ ପ୍ରଣେତାଙ୍କ ଏହି ମହତ୍‌ ଲକ୍ଷ୍ୟ କେଉଁଠି ନା କେଉଁଠି ବାଧାପ୍ରାପ୍ତ ହେଉଛି। ଦେଶବାସୀଙ୍କ ଦାରିଦ୍ର୍ୟ, ସାମାଜିକ ଓ ଆର୍ଥିକ ଅସମାନତା, ସୀମା ସୁରକ୍ଷା ଓ ବିଦେଶରେ ଦେଶର ଭାବମୂର୍ତ୍ତି ସେମାନଙ୍କ କ୍ଷମତା ନିଶା ନିକଟରେ ମଳିନ ହୋଇଯାଉଛି। ପରସ୍ପରକୁ କାଦୁଅ ଫିଙ୍ଗି ସେମାନେ ଭୟଙ୍କର ଭାବେ ଦେଶବାସୀଙ୍କୁ ପ୍ରତାରଣାକରି ନିର୍ବାଚନ ବୋଝ ଲଦିଚାଲନ୍ତି ଦେଶ ଉପରେ।
ଏକ ତଥ୍ୟରୁ ଜଣାଯାଇଛି ୧୯୭୭ର ଷଷ୍ଠ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଭୋଟର ପିଛା ଏକଟଙ୍କାରୁ କମ୍‌ ନିର୍ବାଚନୀ ଖର୍ଚ୍ଚ ହୋଇଥିଲା। ୧୯୯୬ରେ ଏହି ବ୍ୟୟ ୧୦ଟଙ୍କା ଅତିକ୍ରମ କରି ୧୯୯୯, ୨୦୦୪ ଓ ୨୦୦୯ରେ ପାଖାପାଖି ୧୫ଟଙ୍କାରେ ପହଞ୍ଚିଲା। ଉକ୍ତ କ୍ରମବର୍ଦ୍ଧିଷ୍ଣୁ ବ୍ୟୟ ୨୦୧୪ରେ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ଭୋଟର ପିଛା ୪୫ଟଙ୍କାରୁ ଅଧିକ ରହିଲା। ଏହା ବ୍ୟତୀତ ପ୍ରାର୍ଥୀମାନଙ୍କର ନିର୍ବାଚନୀ ଖର୍ଚ୍ଚ ମଧ୍ୟ ରହିଛି। ସ୍ବାଧୀନତା ପରେ ୬୮ବର୍ଷର ନିର୍ବାଚନୀ ଗଣତନ୍ତ୍ରରେ କଂଗ୍ରେସ ପ୍ରାୟ ୫୫ବର୍ଷ ରହିଥିବା ବେଳେ ଭାଜପା୧୧ବର୍ଷରୁ କିଛି ଅଧିକ କାଳ ଶାସନ ଡୋରି ଧରିଛି। କିନ୍ତୁ ଏହି ସମୁଦାୟ ସମୟ ମଧ୍ୟରେ ଦେଶର ଦାରିଦ୍ର୍ୟ ବଢି ବଢି ଚାଲିଛି। ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରତିଟି ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ହୁଙ୍କାର ଦେଇ ଆସିଥିବା ବେଳେ ଭାରତ ଆଜି ବି ବିଶ୍ୱରେ ସର୍ବାଧିକ ଅଭୁକ୍ତଙ୍କ ଦେଶରୂପେ ପରିଚିତ। ନିର୍ବାଚନ ପାଖେଇ ଆସିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡାଏ ଯୋଜନା ବର୍ଷା କରନ୍ତି ପ୍ରତିଯୋଗିତାମୂଳକ ଭାବେ। ଦାରିଦ୍ର୍ୟ ଯେଉଁଠି ଥିଲା ସେଇଠି । ବିତରିତ ହୁଏ ଅଧିକରୁ ଅଧିକ ଦାରିଦ୍ର୍ୟର ପ୍ରମାଣପତ୍ର। ବିରୋଧୀମାନେ ଅନେକ କ୍ଷେତ୍ରରେ କେବଳ ବିରୋଧ ପାଇଁ ହିଁ ବିରୋଧ କରନ୍ତି। ଶତ୍ରୁ ଦେଶର ଦୂରଦର୍ଶନ ପରଦାରେ ନିଜର ହସିଲା ମୁହଁ ଦେଖି ଶିହରିତ ହୁଅନ୍ତି ଆତ୍ମରତିର ରୋମାଞ୍ଚରେ। ସୀମାନ୍ତରେ କିନ୍ତୁ ପ୍ରତିଦିନ ଶହୀଦ ହୁଅନ୍ତି ଆମର ବୀର ସୈନିକମାନେ। ଦେଶସେବକମାନଙ୍କ ନିକଟରେ ଦେଶର ସ୍ବାର୍ଥ ନିଜ ସ୍ବାର୍ଥ ନିକଟରେ ଗୌଣ ହୁଏ।
ନୂଆବନ୍ଧ ସାହି, ନବରଙ୍ଗପୁର, ମୋ-୯୪୩୭୧୧୮୯୬୨


All Right Reserved By

ଅବୈଧ ଗର୍ଭପାତ

ଡା. ଶୁଭଶ୍ରୀ ମିଶ୍ର ସୃଷ୍ଟି ସର୍ଜନାରେ ଜଣେ ପୁରୁଷ ସହିତ ନାରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସମ୍ପ୍ରତି ଲିଭ୍‌-ଇନ୍‌-ରିଲେସନ୍‌ଶିପ୍‌ ହେଉ ବା ଅନ୍ୟ କିଛି ବାହାନାରେ...

ଭାରତ ଓ ଆଣବିକ ଶକ୍ତି

ଇଂ. ମାୟାଧର ସ୍ବାଇଁ ଭାରତ ୧୯୯୮ ମସିହା ମେ ୧୧ ତାରିଖରେ ତିନୋଟି ଓ ୧୩ ତାରିଖରେ ଦୁଇଟି ଆଣବିକ ପରୀକ୍ଷା କରି ନିଜକୁ ଆଣବିକ...

ବଡ଼ ଲୋକଙ୍କୁ ଉତ୍ତର ନାହିଁ

ବୈକୁଣ୍ଠନାଥ ମିଶ୍ର ଘଞ୍ଚ ଜଙ୍ଗଲ ମଧ୍ୟରେ ସୁଉଚ୍ଚ ପାହାଡ଼। ପାହାଡ଼ରୁ କଳକଳ ନାଦ କରି ବହିଆସୁଛି ଚିର ଚଞ୍ଚଳ ଝରଣା। ବନ୍ୟଜନ୍ତୁଙ୍କ ତୃଷା ନିବାରଣର ଏକ...

କଶ୍ମୀରୀଙ୍କ ପ୍ରତିକ୍ରିୟାକୁ ଅପେକ୍ଷା

ଅାକାର ପଟେଲ କଶ୍ମୀରରେ ଅାମେ ଯାହା କଲୁ ତାହାର ପୂର୍ଣ୍ଣ ଅର୍ଥ କଣ ତାହା ଯଥାସମୟରେ ଜଣାପଡ଼ିବ ଏବେ ଅାମେ କହିଚାଲିଛୁ କି ଅାମେ ଯାହା...

ଆଜିର ଅର୍ଥନୀତି/ସୁଧ କମାଅ

ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ରେପୋ ରେଟ୍‌ (ଦରକାର ବେଳେ ଯେଉଁ ସୁଧହାରରେ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକ ରିଜର୍ଭ ବ୍ୟାଙ୍କଠାରୁ ଋଣ ନିଅନ୍ତି) ୩୫ ବେସିସ୍‌ ପଏଣ୍ଟ...

ବାବୁଙ୍କ ଆଇନଗତ ଲଢ଼େଇ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ କେରଳ ସରକାର ନିକଟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜୁ ନାରାୟଣ ସ୍ବାମୀଙ୍କୁ ଚାକିରିରୁ ବହିଷ୍କାର କରିଥିବାରୁ ଏହାକୁ ନେଇ...

ଏଇ ଭାରତରେ

ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଏଠାରେ ବିଭିନ୍ନ ଜାତି ଓ ଧର୍ମର ଲୋକେ ବାସ କରନ୍ତି। ପ୍ରତ୍ୟେକ ଧର୍ମର ରୀତିନୀତି, ଚାଲିଚଳନ ଓ ସଂସ୍କୃତି ଭିନ୍ନ...

ନିମିଷକେ ବଦଳୁଛି ଜ୍ଞାନର ପୃଥିବୀ

ଡ. ସୁବାସ ଚନ୍ଦ୍ର ପାତ୍ର ସମୟ ବ୍ୟବଧାନର ଗାଣିତିକତା ବୋଧହୁଏ ପାରିପାର୍ଶ୍ୱିକ ଅବସ୍ଥା ଉପରେ ନିର୍ଭର କରେ, ଯେଉଁଥିପାଇଁ ୫୦ ବର୍ଷର ବ୍ୟବଧାନ ୫/୧୦ବର୍ଷ ପରି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *