ରାଜ ପରିବାରକୁ ଝଟକା

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ରାଜନୀତିରେ ଓଡ଼ିଶା ରାଜ ପରିବାରର ସକ୍ରିୟ ଅଂଶଗ୍ରହଣ ରହିଆସିଛି। ବଲାଙ୍ଗୀର ଜିଲା ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ। ସେହିପରି କେନ୍ଦ୍ରାପଡା ଜିଲା ଆଳିର ରାଜା ସାହେବ ଶରତ କୁମାର ଦେବ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ମଧ୍ୟ ହୋଇଥିଲେ। ଢେଙ୍କାନାଳ ରାଜ ପରିବାର ସଦସ୍ୟ କେ.ପି. ସିଂଦେଓ ଅତୀତରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇପାରିଛନ୍ତି। ପ୍ରତିଥର ଅନେକ ରାଜ ପରିବାର ସଦସ୍ୟଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ଦେଖିବାକୁ ମିଳିଥାଏ। ରାଜ୍ୟରେ ଚଳିତ ନିର୍ବାଚନରେ ଏକାଧିକ ରାଜ ପରିବାରର ସଦସ୍ୟ ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପରାସ୍ତ ହୋଇଛନ୍ତି। ଏହା ରାଜ୍ୟ ରାଜନୀତିରେ ରାଜ ପରିବାର ପ୍ରତି ଭୋଟରଙ୍କ ବିମୁଖତାକୁ ଦର୍ଶାଉଥିବା ସମୀକ୍ଷକମାନେ କହିଛନ୍ତି।
ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ଲଗାତର ଦୁଇ ଥର(୨୦୦୯,୨୦୧୪) ବିଜୟ ହାସଲ କରିଥିବା କଳିକେଶ ନାରାୟଣ ସିଂଦେଓ ଚଳିତ ନିର୍ବାଚନରେ ବିଜେଡିରୁ ପ୍ରତିଦ୍ୱନ୍ଦ୍ୱିତା କରି ୧୯,୫୧୬ ଭୋଟରେ ପରାଜିତ ହୋଇଛନ୍ତି। ତାଙ୍କ ଭାଉଜ ତଥା ଭାଜପା ନେତ୍ରୀ ସଙ୍ଗୀତା ସିଂଦେଓ ଚତୁର୍ଥଥର ପାଇଁ ସେହି ଆସନରୁ ବିଜୟୀ ହୋଇଛନ୍ତି। ପୂର୍ବରୁ ସଙ୍ଗୀତା ୧୯୯୮, ୧୯୯୯ ଏବଂ ୨୦୦୪ରେ ବିଜୟୀ ହୋଇଥିଲେ। କଳିକେଶଙ୍କ ସାନ ଭାଇ ଅର୍କେଶ ନାରାୟଣ ସିଂଦେଓ ଚଳିତ ନିର୍ବାଚନରେ ପ୍ରଥମ କରି ବଲାଙ୍ଗୀର ବିଧାନସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ। ହେଲେ ଅର୍କେଶ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତାରେ ୫,୩୪୧ ଭୋଟରେ ପରାଜିତ ହୋଇଛନ୍ତି। ବଡଭାଇ କଳିକେଶ ନାରାୟଣ ସିଂଦେଓ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ପରାଜିତ ହୋଇଥିବା ବେଳେ ଅର୍କେଶଙ୍କ ପରାଜୟ ରାଜ ପରିବାରକୁ ଶକ୍ତ ଝଟକା ଦେଇଛି।
ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ୧୯୯୫ରୁ ଲଗାତର ବିଜୟ ହାସଲ କରିଆସିଥିବା ପାଟଣା ମହାରାଜା କନକ ବର୍ଦ୍ଧନ ସିଂଦେଓ ଚଳିତ ନିର୍ବାଚନରେ ଯୁବ ପ୍ରାର୍ଥୀ ବିଜେଡିର ସରୋଜ ମେହେରଙ୍କଠାରୁ ୧୧,୦୨୮ ଭୋଟରେ ହାରିଯାଇଛନ୍ତି। କଳାହାଣ୍ଡି ଜିଲା ଧର୍ମଗଡ ବିଧାନ ସଭା କ୍ଷେତ୍ରରେ ଚଳିତ ଥର କଳାହାଣ୍ଡି ରାଜ ପରିବାରର ଅନନ୍ତ ପ୍ରତାପ ଦେଓ ଭାଜପା ଟିକେଟରୁ ଲଢି ୧୬,୦୯୮ ଭୋଟରେ ପରାସ୍ତ ହୋଇଛନ୍ତି। ଦେବଗଡ଼ ବିଧାନସଭା କ୍ଷେତ୍ରରୁ ଏକାଧିକ ଥର ବିଜୟୀ ହୋଇଥିବା ଦେବଗଡ ରାଜ ପରିବାରର ନୀତେଶ ଗଙ୍ଗଦେବ ଚଳିତ ଥର ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି।
ଜୟପାଟଣା ରାଜ ପରିବାରର ପୁଷ୍ପେନ୍ଦ୍ର ସିଂଦେଓ ଚଳିତ ଥର କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ ଲଢି ୨୬,୮୧୪ ଭୋଟରେ ପରାସ୍ତ ହୋଇଛନ୍ତି। ପୂର୍ବରୁ ସେ ଧର୍ମଗଡ ବିଧାନସଭା କ୍ଷେତ୍ରରୁ ଏକାଧିକ ଥର ନିର୍ବାଚିତ ହୋଇ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ । ବରିଷ୍ଠ କଂଗ୍ରେସ ନେତା ତଥା ଢେଙ୍କାନାଳ ରାଜ ପରିବାରର କାମାକ୍ଷା ପ୍ରସାଦ ସିଂଦେଓ ଏକାଧିକ ଥର ଲୋକ ସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଅଳଙ୍କୃତ କରିଛନ୍ତି। ଏପରି କି ସେ ୨୦୦୯ ନିର୍ବାଚନ ପୂର୍ବରୁ ପିସିସି ସଭାପତି ମଧ୍ୟ ରହିଥିଲେ। ହେଲେ ଚଳିତ ନିର୍ବାଚନରେ ସେ ଢେଙ୍କାନାଳ କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀଭାବେ ନିର୍ବାଚନ ଲଢି ଅମାନତ ରକ୍ଷା କରିପାରି ନାହାନ୍ତି।
ପାରଳାଖେମୁଣ୍ଡି ବିଧାନ ସଭା କ୍ଷେତ୍ରରୁ ଚଳିତ ଥର ପ୍ରତିଦ୍ୱନ୍ଦ୍ୱିତା କରିଥିବା ପାରଳା ମହାରାଣୀ କଲ୍ୟାଣୀ ଗଜପତି ବିଜେଡି ପ୍ରାର୍ଥିନୀ ହୋଇ ପରାସ୍ତ ହୋଇଛନ୍ତି। ସେ ମାତ୍ର ୨୬,୬୧୧ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ବାଲେଶ୍ୱର ଜିଲା ନୀଳଗିରିର ରାଜା ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନଙ୍କ ସ୍ତ୍ରୀ ମନୋଜ ମଞ୍ଜରୀ ଦେବୀ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ପରାଜୟ ବରଣ କରିଛନ୍ତି। ସେ ବିଜେଡି ଓ ଭାଜପା ପ୍ରାର୍ଥୀଙ୍କ ତୁଳନାରେ ବହୁ କମ୍‌ ଭୋଟ (୧୨,୩୭୨)ପାଇ ତୃତୀୟ ସ୍ଥାନରେ ରହିଛନ୍ତି। କଳାହାଣ୍ଡି ଜିଲା କର୍ଲାପାଟ ରାଜ ପରିବାରର ଅନିଲ ସିଂଦେଓ ଜୁନାଗଡ ବିଧାନସଭାରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି। ସେ ମଧ୍ୟ ତୃତୀୟ ସ୍ଥାନରେ(୩୨,୨୨୪ ଭୋଟ୍‌) ରହିଛନ୍ତି। ଧରାକୋଟ ରାଣୀ ତଥା ବିଧାୟିକା ନନ୍ଦିନୀ ଦେବୀ ପୁଣି ଥରେ ସାନଖେମୁଣ୍ଡି ବିଧାନସଭା କ୍ଷେତ୍ରରୁ କଂଗ୍ରେସ ନେତା ରମେଶ ଜେନାଙ୍କ ଠାରୁ ୨୩,୭୨୭ ଭୋଟରେ ପରାସ୍ତ ହୋଇଛନ୍ତି। କେନ୍ଦ୍ରାପଡା ଜିଲାର ଆଳିରୁ ରାଜ ପରିବାର ସଦସ୍ୟ ପ୍ରତାପ ଦେବ ଏବଂ ଗଞ୍ଜାମ ଜିଲା ଚିକିଟି ରାଣୀ ଉଷା ଦେବୀ ଚଳିତ ଥର ବିଜୟୀ ହେବାରେ ସଫଳ ହୋଇଛନ୍ତି।


All Right Reserved By Dharitri.Com

ନିମ୍ନମାନର ରାସ୍ତା କାମକୁ ବିରୋଧ: ଯନ୍ତ୍ରୀ ମାନିଲେ, ବନ୍ଦ ହେଲା କାମ

କାମାକ୍ଷାନଗର, ୨୩।୧୦(ଡି.ଏନ୍‌.ଏ.) : ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବାରୁଆ(କା) ପଞ୍ଚାୟତ ପୂର୍ତ୍ତ ବିଭାଗ ରାସ୍ତାଠାରୁ ଇଚ୍ଛାବତୀପୁର ଯାଏ ଚାଲିଥିବା ରାସ୍ତାକାମ ଅତ୍ୟନ୍ତ ନିମ୍ନମାନର ହେଉଥିବା...

ଆଧାରକରଣରେ ଓଡ଼ିଶା ଅଗ୍ରଣୀ ରାଜ୍ୟ

ଭୁବନେଶ୍ୱର,୨୭-୧୧(ବ୍ୟୁରୋ):ଚଳିତ ବର୍ଷ ୪.୫୮ କୋଟି ସାବାଳକଙ୍କ ମଧ୍ୟରୁ ପ୍ରାୟ ୯୩.୧ ଶତକଡା ଲୋକଙ୍କ ଆଧାର ପ୍ରସ୍ତୁତ କରାଯାଇଛି। ୦-୫ ବର୍ଷ ବୟସ ମଧ୍ୟରେ ୧୮,୨୬,୦୩୮ ଶିଶୁଙ୍କ...

କେୟାର ହସ୍ପିଟାଲରେ ଲୋକଙ୍କୁ ପାର୍କିଂ ମନା

ଭୁବନେଶ୍ୱର, ୩୧ା୧୦: ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍‌, ଆପାର୍ଟମେଣ୍ଟ, ମଲ୍‌ରେ ଲୋକଙ୍କ ଗାଡ଼ି ରଖିବା ଆବଶ୍ୟକ ପାର୍କିଂ ସ୍ଥାନ ରଖିବାକୁ ବାଧ୍ୟ। ଏବେ...

ଜୟଦେବ ଦାସଙ୍କ ଦେହାନ୍ତ

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ପ୍ରତିଷ୍ଠିତ ଓଡ଼ିଆ ଫିଲ୍ମ, ଟେଲିଭିଜନ, ରେଡିଓ ଓ ମଞ୍ଚ କଳାକାର ଜୟଦେବ ଦାସ ଆଉ ନାହାନ୍ତି। ଶୁକ୍ରବାର ଭୋର୍‌ ୪ଟାରେ କଟକସ୍ଥିତ ଏସ୍‌ସିବି ମେଡିକାଲରେ...

୧୩ ଆଇଏଏସ୍‌ ଅଧିକାରୀଙ୍କୁ ମେଡିକାଲ କଲେଜ,ହସ୍ପିଟାଲ ସଂଯୋଜନା ଦାୟିତ୍ୱ

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ସାରା ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି, ରକ୍ଷଣାବେକ୍ଷଣ, ସାମଗ୍ରିକ ପ୍ରଦର୍ଶନ ଇତ୍ୟାଦି ସମ୍ପର୍କିତ କାର୍ଯ୍ୟର ସଂଯୋଜନା ପାଇଁ ବୁଧବାର ୧୩ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ...

ହରିଶଙ୍କରରୁ ନୃସିଂହନାଥକୁ ପାହାଡ ଚଢି ଯିବା ମଜା ନିଆରା

ଖପ୍ରାଖୋଲ, ୧୭ା୫(ଡି.ଏନ.ଏ.):ବଲାଙ୍ଗୀର ଜିଲା ଓ ବରଗଡ ଜିଲା ସୀମାନ୍ତରେ ରହିଛି ଗନ୍ଧମାର୍ଦ୍ଦନ ପାହାଡ ା ପାହାଡର ଦୁଇପାର୍ଶ୍ୱରେ ହରିଶଙ୍କର ଏବଂ ନୃସିଂହନାଥ ପୀଠ ା ବର୍ଷ...

କଲ୍ୟାଣମଣ୍ଡପ ସିଲ୍‌ ଅଭିଯାନ ଆରମ୍ଭ

ଭୁବନେଶ୍ବର,୩।୨(ବ୍ୟୁରୋ): ବିନା ବିଲ୍ଡିଂ ପ୍ଲାନ ଅନୁମୋଦନରେ କୋଠା ନିର୍ମାଣ, ବିନା ଟ୍ରେଡ ଲାଇସେନ୍ସରେ ବ୍ୟବସାୟ କରୁଥିବା, ହୋଲ ଡିଂ ଟିକସ ଫାଙ୍କୁଥିବା, ପାର୍କିଂ ସୁବିଧା ନ...

ବାନିଗାଁ ଜଙ୍ଗଲରେ ଛୁଆ ହାତୀ : ଜଗି ରହିଛନ୍ତି ବନ ବିଭାଗ କର୍ମଚାରୀ

ଲାଞ୍ଜିଗଡ,୫।୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା ଲାଞ୍ଜିଗଡ ପଞ୍ଚାୟତ ଅନ୍ତର୍ଗତ ବଡବାନିଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ଏକ ଛୁଆହାତୀକୁ ଠାବ କରିଛି ବନ ବିଭାଗ । ଲାଞ୍ଜିଗଡ...

Leave a comment

Your email address will not be published. Required fields are marked *