Posted inଜାତୀୟ

ବିଡିଏ ନିର୍ଦ୍ଦେଶକୁ ମାନିଲେନି ମଲ୍‌ କର୍ତ୍ତୃପକ୍ଷ:ଖୋଲାଖୋଲି ପାର୍କିଂ ଫି ଆଦାୟ କଲେ

ଭୁବନେଶ୍ୱର, ୧୮-୧୦ (ସ୍ଥିତପ୍ରଜ୍ଞ ମିଶ୍ର):ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍‌, ମଲ୍‌, ଆପାର୍ଟମେଣ୍ଟରେ ପାର୍କିଂ ଫି ଆଦାୟ ବନ୍ଦ କରିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ବୁଧବାର ନିର୍ଦ୍ଦେଶ ଦେଇଥିଲେ। ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ହେଲେ ଗୋଟିଏ ଦିନ ବି ମାନିଲେନି ମଲ୍‌ ଓ ଘରୋଇ ହସ୍ପିଟାଲ ମାଲିକ। ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ଗୁରୁବାର ଲୋକଙ୍କଠାରୁ ପାର୍କିଂ ଫି ନେଇଛନ୍ତି। କେତେକ ସ୍ଥାନରେ ଗଣମାଧ୍ୟମଠାରୁ ଦୂରେଇ ରହିବା ପାଇଁ ଭିନ୍ନ ପନ୍ଥା ଆପଣାଯାଇଛି। ତେବେ ଏହାକୁ ଲୋକେ ବିରୋଧ କରିଥିଲେ ମଧ୍ୟ ଦାୟିତ୍ୱରେ ଥିବା କର୍ମଚାରୀ ନାଲିଆଖି ଦେଖାଇଥିବା ଅଭିଯୋଗ ହୋଇଛି।
ବାସ୍ତବ ସ୍ଥିତି ପରଖିବାକୁ ଆମ ପ୍ରତିନିଧି ସହରର ପ୍ରମୁଖ ମଲ୍‌ ଓ ଘରୋଇ ହସ୍ପିଟାଲକୁ ଯାଇଥିଲେ। ଶହୀଦନଗରସ୍ଥିତ ବିଏମ୍‌ସି ଭବାନୀ ମଲ୍‌ରେ ପୂର୍ବପରି ପାର୍କିଂ ହେଉଥିବା ଦେଖାଯାଇଥିଲା। କିନ୍ତୁ ପ୍ରବେଶଦ୍ୱାରକୁ ଛାଡ଼ି ପାର୍କିଂ ସ୍ଥଳରେ ଫି ଆଦାୟ କରାଯାଉଥିଲା। ଲୋକେ ଗାଡ଼ି ରଖିସାରିବା ପରେ କର୍ମଚାରୀମାନେ ଫି ମାଗି ନେଉଥିଲେ। ବାଇକ୍‌ ପାଇଁ ୧୦ଟଙ୍କା ଓ କାର୍‌ ୨୦ ଟଙ୍କା ଆଦାୟ କରାଯାଇ ରସିଦ ଧରାଇ ଦିଆଯାଉଥିଲା। ଲୋକେ ନିୟୋଜିତ ସିକ୍ୟୁରିଟି ଗାର୍ଡଙ୍କୁ ପଚାରିବାରୁ ସେମାନେ କହିଥିଲେ, ଏହା ‘ପାର୍କିଂ ଫି ନୁହେଁ, ସେଫ୍‌ ମେଣ୍ଟେନାନ୍ସ ଚାର୍ଜ’। ରସିଦ ନ ଦେଖାଇଲେ ଗେଟ୍‌ରୁ ବାହାରିପାରିବେନି ବୋଲି କହି ପରୋକ୍ଷ ଧମକ ଦେଇଥିଲେ। ତେବେ କେତେଜଣ ଲୋକ ସିକ୍ୟୁରିଟି ଅଫିସରଙ୍କୁ ଭେଟିବାକୁ ଚହିଁଥିଲେ ମଧ୍ୟ ଏଡ଼ାଇ ଯାଇ ଅଯଥା ଗହଳି କରନ୍ତୁ ନାହିଁ ବୋଲି କହି ସ୍ଥାନ ଛାଡ଼ିବାକୁ ଉଚ୍ଚଗଳାରେ କହିଥିଲେ।
ସେହିପରି ରସୁଲଗଡ଼ ନିକଟ କଟକରୋଡ୍‌ରେ ଥିବା ଏସ୍‌ପ୍ଲାନେଡ୍‌ ମଲ୍‌ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ମଲ୍‌କୁ ପ୍ରବେଶ କରିବା ବାଟରେ ହିଁ ଦୁଇଜଣ ମହିଳା କର୍ମଚାରୀ ପାର୍କିଂ ଫି ଆଦାୟ କରୁଥିଲେ। ଏହା ବେଆଇନ ବୋଲି ବିଡିଏ ଘୋଷଣା କରିଥିବାବେଳେ ଆପଣ କେମିତି ଫି ନେଉଛନ୍ତି ବୋଲି ପ୍ରଶ୍ନ କରିବାରୁ ସେମାନେ ଏ ବିଷୟରେ କିଛି ଜାଣି ନ ଥିବା କହିଥିଲେ। ମଲ୍‌ କର୍ତ୍ତୃପକ୍ଷଙ୍କ ଦ୍ୱାରା ପାର୍କିଂ ସ୍ଥଳ ପରିଚାଳିତ ହେଉଛି, ଫି ଆଦାୟ ବନ୍ଦ କରିବାକୁ କୁହାଯାଇ ନ ଥିବା ସେମାନେ କହିଥିଲେ।
ଅନ୍ୟପକ୍ଷରେ ସତ୍ୟନଗରସ୍ଥିତ ଫୋରମ୍‌ ମାର୍ଟ ଭିନ୍ନ ପନ୍ଥା ଆପଣାଇଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ମଲ୍‌ ପରିସରରେ ହେଉଥିବା ପାର୍କିଂକୁ ଯିବା ପ୍ରବେଶ ପଥରେ ପାର୍କିଂ ଫୁଲ୍‌ ଲେଖାଥିବା ବୋର୍ଡ ରଖି ଭିତରକୁ ଗାଡ଼ି ଛଡ଼ାଯାଉ ନ ଥିଲା। ଉପସ୍ଥିତ ସିକ୍ୟୁରିଟି ଗାର୍ଡ ଆସୁଥିବା ଲୋକଙ୍କୁ ଏହା କେବଳ ଷ୍ଟାଫ୍‌ଙ୍କ ପାଇଁ ରଖାଯାଇଥିବା କହୁଥିଲେ। ମଲ୍‌ ପାର୍ଶ୍ୱରେ ଥିବା ବିଏମ୍‌ସି ପାର୍କିଂ ସ୍ଥଳରେ ଗାଡ଼ି ରଖିବାକୁ କହି ସେମାନଙ୍କୁ ବିଦା କରୁଥିଲେ। କିନ୍ତୁ ପୂର୍ବପରି ଫାଟକର ଗୋଟିଏ ପାର୍ଶ୍ୱରେ ୪ ଚକିଆ ଯାନକୁ ୨ ଘଣ୍ଟା ପାଇଁ ପାର୍କିଂ ଫି ୨୦ ଟଙ୍କା ଓ ପରବର୍ତ୍ତୀ ଅତିରିକ୍ତ ଘଣ୍ଟା ଲାଗି ୧୦ ଟଙ୍କା ଲେଖାଯାଇଥିବା ଦେଖିବାକୁ ମିଳିଥିଲା।
କେବଳ ମଲ୍‌ ନୁହେଁ, ବିଭିନ୍ନ ସିନେମା ହଲ୍‌ ଓ ମଲ୍ଟିପ୍ଲେକ୍ସରେ ମଧ୍ୟ ଖୁଲମ୍‌ଖୁଲା ପାର୍କିଂ ଆଦାୟ ହେଉଥିଲା। ଶ୍ରୀୟା, ଶ୍ରୁତି, ସ୍ତୁତି ସିନେ କମ୍ପ୍ଲେକ୍ସ ହେଉ କି କେଶରୀ ଅଥବା ମହାରାଜା ସମସ୍ତ ସିନେମା ହଲ୍‌ରେ ଲୋକଙ୍କଠାରୁ ପାର୍କିଂ ଫି ନିଆଯାଉଥିଲା। ସେହିଭଳି ଆପୋଲୋ, କଳିଙ୍ଗ ହସ୍ପିଟାଲ, କିମ୍ସ, କେୟାର ଆଦି ପ୍ରମୁଖ ଘରୋଇ ହସ୍ପିଟାଲ ପକ୍ଷରୁ ମଧ୍ୟ ଗାଡ଼ି ରଖିବା ପାଇଁ ଫି ଆଦାୟ କରାଯାଉଥିବା ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ଲୋକେ ପ୍ରତିବାଦ କରିବାରୁ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା।
ଏନେଇ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ମୋଟ ୭୨ ବିଲ୍ଡିଂ ବେଆଇନ ଭାବେ ପାର୍କିଂ ଫି ଆଦାୟ କରୁଥିବା ଜଣାପଡିଛି। କାହିଁକି ସେମାନେ ପାର୍କିଂ ଫି’ ଆଦାୟ କରୁଛନ୍ତି ସେନେଇ ନୋଟିସ୍‌ କରାଯିବ। ଦିଆଯାଉଥିବା ମଧ୍ୟରେ ସଂଶୋଧନ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଡିଏ ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟଁା କହିଛନ୍ତି, ଲୋକେ ଆମକୁ ଅଭିଯୋଗ କରନ୍ତୁ, ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଏହାଛଡ଼ା ବିଡିଏର ଏକ ଟିମ୍‌ କ୍ଷେତ୍ର ପରିଦର୍ଶନ କରୁଛି। ବେଆଇନ ପାର୍କିଂ ଫି ଆଦାୟ ନଜରକୁ ଆସିଲେ ତତ୍‌କ୍ଷଣାତ୍‌ କାର୍ଯ୍ୟାନୁଷ୍ଠାନ ନିଆଯିବ। ଉକ୍ତ ସଂସ୍ଥାକୁ ନୋଟିସ କରାଯିବା ସହ ମାସେ ସମୟ ଦିଆଯିବ ବୋଲି ସେ କହିଛନ୍ତି।


All Right Reserved By Dharitri.Com

ରାମମନ୍ଦିର ନିର୍ମାଣରେ ଖର୍ଚ୍ଚ ହେବ ଶହେ କୋଟି

ନୂଆଦିଲ୍ଲୀ,୧୦।୧୧: ଐତିହାସିକ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବା ପରେ ଏବେ ମନ୍ଦିର ନିର୍ମାଣ ନେଇ ଯୋଜନା ଆରମ୍ଭ ହୋଇଛି। ୧୨୮ଫୁଟ ଉଚ୍ଚା ମନ୍ଦିର ନିର୍ମାଣରେ...

ପାକ୍‌ ସେନା ଗୁଳିରେ ମହିଳା ମୃତ

ଶ୍ରୀନଗର,୨୫-୧୦ (ପି.ଟି.):ଏଲ୍‌ଓସି ଅନ୍ତର୍ଗତ ଜମ୍ମୁ-କଶ୍ମୀରର ତଙ୍ଗଧର ସେକ୍ଟରରେ ପାକିସ୍ତାନ ସେନାର ଗୁଳିମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ପାକିସ୍ତାନୀ ସୈନ୍ୟଙ୍କ...

ଠକେଇ ମାମଲାରେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀଙ୍କ ନାଁରେ ଓ୍ବାରେଣ୍ଟ ଜାରି

ହାଇଦ୍ରାବାଦ,୩୦।୮: କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀଙ୍କ ନାଁରେ ଜାମିନ ବିହିନ ଓ୍ବାରେଣ୍ଟ ଜାରି କରାଯାଇଛି। ୪ ବର୍ଷ ତଳର ଏକ ଠକେଇ ମାମଲାକୁ ନେଇ ରେଣୁକାଙ୍କ...

୨୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ଶିବକୁମାର

ନୂଆଦିଲ୍ଲୀ,୧୫।୧୦: ବଢିଲା କଂଗ୍ରେସ ନେତା ଡିକେ. ଶିବକୁମାରଙ୍କ ବିଚାର ବିଭାଗୀୟ ହାଜତ ମିଆଦି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସେ ବିଚାର ବିଭାଗୀୟ ହାଜତରେ ରହିବେ।...

ରାଫାଲ ପୂଜାକୁ କଂଗ୍ରେସ କହିଲା ଡ୍ରାମା

ନୂଆଦିଲ୍ଲୀ,୯।୧୦:  ଫ୍ରାନ୍ସ ଗସ୍ତରେ ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆରବି-୦୦୧ ଲେଖାଥିବା ରାଫାଲ ବିମାନକୁ ଫୁଲ ଓ ସିନ୍ଦୂର ଲଗାଇବା ପରେ ସେଥିରେ ଓଁ...

ବଳାତ୍କାରୀଙ୍କୁ ୬ ମାସ ମଧ୍ୟରେ ମିଳିବ ଦଣ୍ଡ: କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୧: ଏଣିକି ଏମିତି ସିଷ୍ଟମ ତିଆରି କରାଯିବ ଯେଉଁଥିରେ ବଳାତ୍କାରୀଙ୍କୁ ୬ ମାସ ମଧ୍ୟରେ ଦଣ୍ଡ ମିଳିବ ବୋଲି ଶୁକ୍ରବାର କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

ଋଣ ଭାର ସହି ନ ପାରି କୋଲ୍ଡ ଡ୍ରିଙ୍କସ୍‌ରେ ଜହର ମିଶାଇ ପିଇଲେ ପରିବାର ସଦସ୍ୟ: ୩ ଜଣଙ୍କ ମୃତ୍ୟୁ

ଭୋପାଳ,୨୫।୫: ଋଣ ଭାର ସହି ନ ପାରି ଜହର ମିଶା କୋଲ୍ଡ ଡ୍ରିଙ୍କସ୍‌ ପିଇ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶ...

ବିହାରର ବନ୍ୟା ପରିସ୍ଥିତିକୁ ଦେଖି ଜରୁରୀ ବୈଠକ ଡାକିଲେ ନୀତୀଶ

ପାଟନା,୩୦।୭: ବିହାରର ବନ୍ୟା ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଏକ ଜରୁରୀ ବୈଠକ ଡକାଇଥିଲେ। ଏଥିରେ ରାଜ୍ୟର ମନ୍ତ୍ରୀ, ମୁଖ୍ୟ ସଚିବ, ପ୍ରମୁଖ...

Leave a comment

Your email address will not be published. Required fields are marked *