କାହାକୁ କହିବା ସୁଶାସନ

ଶରତ ଚନ୍ଦ୍ର ମିଶ୍ର
ମହାଭାରତ ଯୁଦ୍ଧ ସମାପ୍ତ। ପିତାମହ ଭୀଷ୍ମ ଶରଶଯ୍ୟାରେ। ଯୁଧିଷ୍ଠିର ଯାଇ ପ୍ରଶ୍ନ କଲେ- ”ପିତାମହ! ସୁଶାସନ କାହାକୁ କହନ୍ତି?“ ପିତାମହ କହିଲେ- ”ସୁଶାସନ ଅର୍ଥ, ରାଜା ଦେଶର ଅର୍ଥନୈତିକ ଓ ସାମାଜିକ ସମ୍ବଳକୁ ଉଚିତ ଭାବରେ ପରିଚାଳନା କରି ଜନତାର ମଙ୍ଗଳ ସାଧନ କରିବା। ଆର୍ଥିକ ପ୍ରଗତିର ସଫଳତା ଓ ବିଫଳତା ତାହା ଉପରେ ନିର୍ଭର କରେ। ଶାସନ ବ୍ୟବସ୍ଥା ସ୍ବଚ୍ଛ, ସରଳ ଓ ନିରପେକ୍ଷ ହେବ। ଆଇନ କାନୁନ ପ୍ରଣୟନ ଅପେକ୍ଷା ତାହାର ସଫଳ କାର୍ଯ୍ୟାନ୍ବୟନ ଅଧିକ ଜରୁରୀ। ଶାସନକଳର ଉତ୍ତରଦାୟିତ୍ୱ ରହିବ ଓ ପ୍ରତ୍ୟେକ ରାଜକର୍ମଚାରୀ ନିଜର କୃତକର୍ମ ନିମନ୍ତେ ଦାୟୀ ରହିବେ। ଶାସନ କଳରେ ଭ୍ରଷ୍ଟାଚାର ରହିବ ନାହିଁ ଓ ଜନସାଧାରଣ ଅଳ୍ପ କାଳରେ ଏବଂ ସ୍ବଳ୍ପ ବ୍ୟୟରେ ନ୍ୟାୟ ପାଇପାରିବେ। ରାଜା ସମସ୍ତ ପ୍ରଜାଙ୍କୁ ସମାନ ଦୃଷ୍ଟିରେ ଦେଖିବେ ଓ ଆଇନ ସମସ୍ତଙ୍କ ନିମନ୍ତେ ସମାନ ହେବ। ଆଇନ ଭଙ୍ଗକାରୀମାନେ ଦଣ୍ଡିତ ହେବେ।“
ସୁଶାସନର ଏ କାରକଗୁଡିକ ଏବେ ମଧ୍ୟ ବୈଧ। ଜାତିସଂଘର ପୂର୍ବତନ ସେକ୍ରେଟାରୀ ଜେନେରାଲ କୋଫି ଆନ୍ନନଙ୍କ ମତରେ ଦେଶର ବିକାଶ ଓ ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ସୁଶାସନ ଏକାନ୍ତ ଜରୁରୀ। ଊନବିଂଶ ଶତାବ୍ଦୀର ଶେଷ ଭାଗରେ ବିସ୍‌ମାର୍କ ଜର୍ମାନୀରେ ଏକ ଦକ୍ଷ ଅମଲାତନ୍ତ୍ର ଓ ସୁଶାସନ ପ୍ରତିଷ୍ଠା କରି ଦେଶର ପ୍ରଭୂତ ଉନ୍ନତି ଘଟାଇ ପାରିଥିଲେ। ଦ୍ୱିତୀୟ ମହାଯୁଦ୍ଧର ଧ୍ୱସ୍ତ ବିଧ୍ୱସ୍ତ ଇଂଲଣ୍ଡର ପୁନର୍ଗଠନ ନିମନ୍ତେ ବେଭରିଜ ଯୋଜନା ପ୍ରଣୟନ ହୋଇ, ସରକାର ନାଗରିକମାନଙ୍କର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ସମସ୍ୟାର ଦାୟିତ୍ୱ ଗ୍ରହଣ କରି ଜନମଙ୍ଗଳ ରାଷ୍ଟ୍ରର ମୂଳଦୁଆ ପକାଇଥିଲେ। ଏ ବ୍ୟବସ୍ଥାର ବ୍ୟୟଭାର ସମ୍ଭାଳି ନ ପାରି ପ୍ରାୟ ଚାଳିଶ ବର୍ଷ ପରେ ଇଂଲଣ୍ଡର ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଥିରେ ବ୍ୟାପକ ପରିବର୍ତ୍ତନ ଆଣି ଅନେକ ସୁବିଧା ପ୍ରତ୍ୟାହାର କରିନେଇଥିଲେ। ସାମ୍ରାଜ୍ୟବାଦରୁ ମୁକ୍ତି ପାଇଲା ପରେ ଗଣତନ୍ତ୍ରରେ ବିଶ୍ୱାସୀ ଦେଶଗୁଡ଼ିକ ଓ କେତେକ ପାଶ୍ଚାତ୍ୟ ଦେଶ ମଧ୍ୟ ଏହି ଜନମଙ୍ଗଳ ରାଷ୍ଟ୍ର ପରିକଳ୍ପନାରେ ପ୍ରଭାବିତ ହୋଇ ନୀତିଗତ ଭାବରେ ଏହାକୁ ଗ୍ରହଣ କଲେ। ବିଭିନ୍ନ ଦେଶରେ ବ୍ୟାପକ ସବ୍‌ସିଡି ପ୍ରଦାନ ଏ ଯୋଜନାର ଅଂଶବିଶେଷ। ବର୍ତ୍ତମାନ ପୃଥିବୀର ପ୍ରାୟ ପ୍ରତ୍ୟେକ ଗଣତାନ୍ତ୍ରିକ ଦେଶର ବଜେଟ୍‌ ନିଅଣ୍ଟିଆ ଓ ଦେଶ ଋଣଗ୍ରସ୍ତ। ତେଣୁ ଚାର୍ବାକ୍‌ପନ୍ଥୀ ‘ଋଣଂ କୃତ୍ୱା ଘୃତଂ ପିବେତ୍‌’। ଜନମଙ୍ଗଳ ଶାସନ ଓ ସୁଶାସନ ଏକା କଥା ନୁହେଁ।
ସୁଶାସନର ମୁଖ୍ୟ ବୈଶିଷ୍ଟ୍ୟ ହେଲା (୧) ଆଇନ ପ୍ରଣୟନ ଓ ତାହାକୁ ଯଥାର୍ଥ ଭାବେ କାର୍ଯ୍ୟକାରୀ କରିବା, (୨) ଉପଲବ୍‌ଧ ସମ୍ବଳର ଉଚିତ ପରିଚାଳନା, (୩) ଆଇନର ଶାସନ, (୪) ନିଜର କାର୍ଯ୍ୟ ଓ ତା’ର ଫଳ ନିମନ୍ତେ ଉତ୍ତରଦାୟିତ୍ୱ ଓ (୫) ଭ୍ରଷ୍ଟାଚାର ନିୟନ୍ତ୍ରଣ। ଆଇନର ଶାସନ ଓ ଅର୍ଥନୈତିକ ପ୍ରଗତି ଅଙ୍ଗାଙ୍ଗୀ ଭାବେ ଜଡିତ। ବେସରକାରୀ ଉଦ୍ୟୋଗପତିମାନେ ନିଜର ଅର୍ଥନୈତିକ କାର୍ଯ୍ୟକ୍ରମ ଜାରି ରଖିବା ନିମନ୍ତେ ଟିକସ ରିହାତି ବା ଦରଦାମ୍‌ରେ କିଛି ଫାଇଦା ଅପେକ୍ଷା ଆଇନର ଶାସନକୁ ଅଧିକ ଗୁରୁତ୍ୱ ପ୍ରଦାନ କରନ୍ତି। ଆଇନର ଶାସନରେ ଆଇନଗୁଡିକ ଆଗରୁ ଜଣାଥିବା ଆବଶ୍ୟକ ଓ ନିରପେକ୍ଷ ଭାବରେ ବ୍ୟକ୍ତିବିଶେଷ ନିର୍ବିଶେଷରେ ତାହାର ପ୍ରୟୋଗ ହେବା ଆବଶ୍ୟକ। କାର୍ଯ୍ୟକାରିତାରେ ସ୍ବଚ୍ଛତା, ଆଇନ ପ୍ରଣୟନ ଓ ଆଇନର ତର୍ଜମା ଠିକ୍‌ ଭାବରେ ଓ ଠିକ୍‌ ସମୟରେ ହେବା ଦରକାର। ଆଇନ ପ୍ରଣୟନ ପ୍ରକ୍ରିୟାରେ ଜନମତ ପ୍ରକଟିତ ହେବା ଆବଶ୍ୟକ। ଏହି ପାଞ୍ଚୋଟି ମାନଦଣ୍ଡକୁ ବିଚାର କଲେ, ଆମର ଆଇନ ପ୍ରୟୋଗ କ୍ଷେତ୍ରରେ ଅନେକ ତ୍ରୁଟି ପରିଲକ୍ଷିତ ହୁଏ।
ସରକାରୀ କ୍ଷେତ୍ରରେ ଦାୟବଦ୍ଧତା ପ୍ରାୟତଃ ହ୍ରାସ ପାଇଛି। ପଞ୍ଚାୟତିରାଜର ପ୍ରବର୍ତ୍ତନ ଓ ସୂଚନା ଅଧିକାର ଆଇନ ହେତୁ ଦାୟବଦ୍ଧତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିଲା। ଅଧିକାଂଶ ଯୋଜନାର ସଫଳ ରୂପାୟନ ତୃଣମୂଳ ସ୍ତରରେ ଅର୍ଥାତ୍‌ ଜିଲା ପ୍ରଶାସନ ଓ ତଦ୍‌ନିମ୍ନସ୍ତରରେ ହେବା ଆବଶ୍ୟକ। କିନ୍ତୁ ଆମ ଦେଶରେ ଜିଲା ଶାସନକଳଟି କର୍ମଚାରୀଙ୍କ ହାତରେ। ଇଂଲଣ୍ଡର କାଉଣ୍ଟି କାଉନ୍‌ସିଲ, ଫ୍ରାନ୍ସର ପ୍ରିଫେକ୍ଟ ବା ପାକିସ୍ତାନର ନଜିମ ପରି ଆମ ଦେଶରେ ଜିଲାସ୍ତରରେ ନିର୍ବାଚିତ ସରକାର ନାହିଁ। ଜିଲା ଶାସକ ଅଧିକାଂଶ କ୍ଷେତ୍ରରେ ରାଜ୍ୟ ବାହାରର ଲୋକ। ପରବର୍ତ୍ତୀ ସମୟରେ ସେ କେନ୍ଦ୍ର ସରକାରକୁ ଯିବେ ଓ ଅବସର ପରେ ନିଜ ରାଜ୍ୟରେ ଅଥବା ଦିଲ୍ଲୀରେ ବାସ କରିବେ। ଜିଲାବାସୀଙ୍କ ପାଖରେ ତାଙ୍କର କୌଣସି ଉତ୍ତରଦାୟିତ୍ୱ ରହୁନାହିଁ। ଏପରି କି ନିଜର କର୍ମଫଳର ପରିଣାମ ଦେଖିବାକୁ କି ଜାଣିବାକୁ ଅନେକ ସମୟରେ ଅବକାଶ ନାହିଁ। ଜିଲାରେ ନିର୍ବାଚିତ ସରକାର ଗଠନ କରି ସେମାନଙ୍କୁ ଦାୟିତ୍ୱ ଅର୍ପଣ କଲେ ଉତ୍ତରଦାୟିତ୍ୱ ସୃଷ୍ଟି ହେବ ଓ ଜନସାଧାରଣଙ୍କ ସହିତ ଶାସନକଳର ସମ୍ପର୍କ ବୃଦ୍ଧି ହେବ।
ଆଉ ଏକ ମୁଖ୍ୟ ସମସ୍ୟା ହେଲା ଦେଶରେ ଭ୍ରଷ୍ଟାଚାରର ବୃଦ୍ଧି। ଭ୍ରଷ୍ଟାଚାର ଓ ଦୁର୍ନୀତି ହେତୁ ଆମର ଏକ ଭାଗ ଜାତୀୟ ଆୟ ବୃଦ୍ଧି ହ୍ରାସ ପାଉଛି। ଦୁର୍ନୀତି ଗୋଟିଏ ରାଷ୍ଟ୍ରବିରୋଧୀ, ପ୍ରଗତିବିରୋଧୀ କାର୍ଯ୍ୟ ଓ ଏହା ଦରିଦ୍ର ଶ୍ରେଣୀର ଲୋକଙ୍କ ପାଇଁ ବିଶେଷ ବାଧକ। ଦୁର୍ନୀତିର ପ୍ରକାରଭେଦ ରହିଛି। ତୃଣମୂଳସ୍ତରରେ ଲୋକଙ୍କଠାରୁ ଜୋରଜବରଦସ୍ତି ଅର୍ଥ ଆଦାୟ ହୁଏ। ଏଥିରେ ପୋଲିସ, ଡାକ୍ତର, ରେଭିନ୍ୟୁ କର୍ମଚାରୀ, କୋର୍ଟ ପେସ୍କାର ଆଦି ଭାଗୀଦାର। ସରକାରୀ ଯୋଜନାଗୁଡ଼ିକରେ ବାଟମାରଣା ଓ ନିମ୍ନମାନର କାର୍ଯ୍ୟ ଆଦି ଜଣାଶୁଣା। ଉପରସ୍ତରରେ ଟିକସ ଫାଙ୍କି, ସରକାରୀ ବିକାକିଣା, ଜମି ଖଣି କିଣା, ନିଲାମ ଇତ୍ୟାଦିରେ ମିଳିମିଶି ଦୁର୍ନୀତି ହୁଏ। ତଳସ୍ତରରେ ଧମକା ଚମକା ଦୁର୍ନୀତି ଯେତେ ଲୋକଲୋଚନକୁ ଆସେ, ଉପରସ୍ତରର ମିଳିମିଶି କରିବା ଦୁର୍ନୀତି ସେତେ ନଜରକୁ ଆସେନାହିଁ। କିନ୍ତୁ ପରିମାଣ ହିସାବରେ ଉପର ସ୍ତର ଦୁର୍ନୀତିରେ ଅଧିକ ଅର୍ଥ ସମ୍ପୃକ୍ତ। ଦୁର୍ନୀତିରେ କ୍ଷତି ସହୁଥିବା ଲୋକମାନଙ୍କ ଅପେକ୍ଷା ଦୁର୍ନୀତିରେ ଲାଭବାନ ବ୍ୟକ୍ତି ଅଧିକ ଶକ୍ତିଶାଳୀ ଓ ପ୍ରଭାବଶାଳୀ। ତେଣୁ ଦୁର୍ନୀତି ହଟିବା ସମ୍ଭବପର ହେଉନାହିଁ। ରାଜନୈତିକ ନେତାଙ୍କର ଦଳ ଓ ନିର୍ବାଚନ ଖର୍ଚ୍ଚ ସେଇଥିରେ ଚାଲେ। ଉଚ୍ଚ ଅଫିସରଙ୍କ ବିଳାସବହୁଳ ଜୀବନ ଓ ତଳସ୍ତରର କର୍ମଚାରୀଙ୍କର ଆବଶ୍ୟକତା ଓ ଭୋଗବାଦର ଆଶା ସେଇଥିରୁ ପୂରଣ ହୁଏ। ବୃତ୍ତିଧାରୀମାନେ, ଯଥା-ଡାକ୍ତର, ଓକିଲ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନେ ସବୁଠାରୁ ଅଧିକ ଟିକସ ଫାଙ୍କନ୍ତି। ସାମ୍ବାଦିକମାନେ ବେଶି ତା’ ବିରୋଧରେ କହନ୍ତି, କିନ୍ତୁ ସବୁ ପ୍ରକାର ସରକାରୀ ଓ ବେସରକାରୀ ଫାଇଦା ନିଅନ୍ତି। ବ୍ୟବସାୟୀମାନଙ୍କୁ ଦୁର୍ନୀତି ସୁହାଏ। ସାଧାରଣ ଜନତା ମଧ୍ୟ ଟିକସ ଫାଙ୍କି କରେ ଓ ଭୋଟ ବଦଳରେ ଟଙ୍କା ନିଏ। ଅନେକ ଏନ୍‌ଜିଓ ବିଦେଶରୁ ଅର୍ଥ ପାଆନ୍ତି ଓ ଲୋକପାଳ ପରିସରଭୁକ୍ତ ହେବା ଚାହାନ୍ତି ନାହିଁ। ପ୍ରବଳ ରାଜନୈତିକ ଓ ସାମାଜିକ ଇଚ୍ଛାଶକ୍ତି ଓ ଅର୍ଥନତୈକ ପ୍ରଗତି ଘଟି ସମସ୍ତ ପ୍ରକାର ଦ୍ରବ୍ୟ ଓ ସେବା ସୁଲଭ ଭାବରେ ପ୍ରାପ୍ତ ହେଲେ ଦୁର୍ନୀତି ହ୍ରାସ ପାଇବାର ସମ୍ଭାବନା ଅଛି।
ଶେଷରେ ଦେଶର ଆର୍ଥିକ ପରିଚାଳନା ଦକ୍ଷତାର ସହିତ ହେବା ଆବଶ୍ୟକ। ଆମ ଦେଶରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ବଜେଟ୍‌ ନିଅଣ୍ଟିଆ ଅର୍ଥାତ୍‌ ସେମାନେ ଆୟ ଅପେକ୍ଷା ଅଧିକ ବ୍ୟୟ କରୁଛନ୍ତି। ସରକାର ଦୈନନ୍ଦିନ ପରିଚାଳନା ନିମନ୍ତେ ଅଧିକ ଖର୍ଚ୍ଚ କରିବା ଅପେକ୍ଷା କ୍ୟାପିଟାଲ ବଜେଟରେ ଅଧିକ ଖର୍ଚ୍ଚ କରିବା ଆବଶ୍ୟକ। ଦେଶରେ ଗରିବ ଶ୍ରେଣୀର ବହୁ ବ୍ୟକ୍ତି ଥିବା ହେତୁ ଅନେକ କ୍ଷେତ୍ରରେ ସବ୍‌ସିଡି ପ୍ରଦାନ କରାହେଉଛି। ଦେଶରେ ସବ୍‌ସିଡି ପ୍ରଦାନ ବର୍ତ୍ତମାନ କ୍ଷେତ୍ରରେ ବନ୍ଦ କରିବା ସମ୍ଭବ ନୁହେଁ, କିନ୍ତୁ ଏହାର ଅପବ୍ୟବହାର ରୋକିବା ନିମନ୍ତେ ଉଚିତ ନିୟନ୍ତ୍ରଣ ଆବଶ୍ୟକ। ଆମ ଦେଶ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ନିଅଣ୍ଟିଆ, ଆମେ ଯେତିକି ଦ୍ରବ୍ୟ ବିଦେଶକୁ ରପ୍ତାନି କରୁଛୁ, ତା’ଠାରୁ ଅଧିକ ଦ୍ରବ୍ୟ ବିଦେଶରୁ ଆମଦାନି କରୁଛୁ। ଦେଶର ଆର୍ଥିକ ପ୍ରଗତି ନିମନ୍ତେ ଉଭୟ ବଜେଟ କ୍ଷେତ୍ରରେ ଓ ବାଣିଜ୍ୟ କ୍ଷେତ୍ରରେ ସନ୍ତୁଳନ ରହିବା ଆବଶ୍ୟକ। ଦେଶର ପ୍ରଗତି ନିମନ୍ତେ ଉତ୍ତମ ନୀତି ପ୍ରଣୟନ ଯେତିକି ଆବଶ୍ୟକ ତାହାଠାରୁ ଅଧିକ ସୁଶାସନ ଆବଶ୍ୟକ।
ମୋ-୯୯୩୭୪୨୨୫୨୧


All Right Reserved By Dharitri.Com

ଲଦାଖର ତତ୍ତ୍ୱାବଧାରକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଜମ୍ମୁ ଓ କଶ୍ମୀରରେ ଲାଗୁ ହୋଇଆସିଥିବା ସମ୍ବିଧାନର ୩୭୦ ଧାରାକୁ କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୧୯ରେ ଉଚ୍ଛେଦ କରିଥିଲେ। ଏଥିସହିତ...

ଅଭିବୃଦ୍ଧିର କାରକ

ଆକାର ପଟେଲ ଭାରତ କିପରି ଉଚ୍ଚହାରର ଅଭିବୃଦ୍ଧି ହାସଲ କରିବ ଓ ତାକୁ ଧରିରଖି ପାରିବ? ଉଚ୍ଚହାର କହିଲେ ବାର୍ଷିକ ୮ ପ୍ରତିଶତ ବା ତା’ଠୁ...

ସମସ୍ତଙ୍କ ବିଶ୍ୱାସଭାଜନ

ସପ୍ତଦଶ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ୩୦୩ ଆସନ ପାଇ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ସହଯୋଗୀଙ୍କୁ ନେଇ ଏନ୍‌ଡିଏ...

ଆଜିର ଅର୍ଥନୀତି/ ଫିକା ସୁନା ବଜାର

ସୁନାର ମାତ୍ରାଧିକ ମୂଲ୍ୟବୃଦ୍ଧି ଆସନ୍ତା ଦୀପାବଳି ଅବସରରେ ଲୋକଙ୍କ ସୁନାକିଣା ମାନସିକତା ଉପରେ ଖୁବ୍‌ ପ୍ରତିକୂଳ ପ୍ରଭାବ ପକାଇବ। ଗହଣା ଦୋକାନୀମାନେ ବିକ୍ରିବଟାର ସମ୍ଭାବ୍ୟ ମାନ୍ଦା...

ସଂଗମର ସମ୍ମାନଧାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ବ୍ରିଟିଶ୍‌ ପାର୍ଲାମେଣ୍ଟରୁ ମର୍ଯ୍ୟାଦାଜନକ କନ୍‌ଫ୍ଲୁଏନ୍ସ ଏକ୍ସଲେନ୍ସ ଆଓ୍ବାର୍ଡ ଗ୍ରହଣ କରୁଥିବା ବ୍ୟକ୍ତି ଗର୍ବ ଅନୁଭବ କରିବା ସ୍ବାଭାବିକ। କୌଣସି ଏକ କ୍ଷେତ୍ରରେ...

ଏଇ ଭାରତରେ

ନବଜାତ ଶିଶୁକନ୍ୟାକୁ ନାଳରେ ଫୋପାଡ଼ିଲେ ମା’। ଉଦ୍ଧାର କଲା କୁକୁର। ଏପରି ଏକ ଅଭାବନୀୟ ଘଟଣା ଘଟିଛି ହରିୟାଣାରେ। ଏହି ରାଜ୍ୟର କୈଠାଲ୍‌ରେ ଜଣେ ମହିଳା...

ନୀତି ସିଇଓଙ୍କ ଛାଟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ରେଳ ଷ୍ଟେଶନଗୁଡ଼ିକର ଆଧୁନିକୀକରଣରେ ମନ୍ଥରତାକୁ ନେଇ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଅମିତାଭ କାନ୍ତ କଟୁ ସମାଲୋଚନା କରିବା...

ଏଇ ଭାରତରେ

ଜଳାଭାବ କେବଳ ମଣିଷକୁ ନୁହେଁ ମହାବିନାୟକଙ୍କୁ ବି ସଙ୍କଟରେ ପକାଇଦେଇଛି। ଏମିତି ପରିସ୍ଥିତି ଦେଖାଦେଇଛି ମହାରାଷ୍ଟ୍ରର ଲାଟୁର୍‌ରେ। ସେଠାରେ ବିନାୟକଙ୍କ ମୂର୍ତ୍ତି ବିସର୍ଜନ ହେଉନି। ପୂଜା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *