ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନରେ ଥିବା ଜାରକାସ୍ଥିତ ଏକ ଘରୋଇ ହସ୍ପିଟାଲରେ ତ୍ରୁଟିଜନିତ ଅସ୍ତ୍ରୋପଚାର ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ମୃତ ମହିଳାଙ୍କ ପୁଅ ସୋମବାର ବିଳମ୍ବିତ ରାତ୍ରରେ ଧର୍ମଶାଳା ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଏହି ଥାନା ଭୁବନ ଗ୍ରାମର ଗୌରୀ ପଣ୍ଡିତଙ୍କ ପତ୍ନୀ ରଞ୍ଜିତା ପଣ୍ଡିତ(୪୫) ତାଙ୍କ ଗର୍ଭାଶୟ ଷ୍ଟୋନ ହୋଇଥିବାରୁ ସେ ଗତ ୪ ତାରିଖ ଗୁରୁବାର ଦିନ ଜାରକାସ୍ଥିତ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର କରିଥିଲେ। ଚିକିତ୍ସା ହୋଇ ଘରକୁ ଫେରିବା ପରେ ତାଙ୍କର ପରିସ୍ରା ବନ୍ଦ ହୋଇଯାଇଥିଲା। ପୁଣି ସେ ଏହି ହସ୍ପିଟାଲକୁ ଆସିଥିଲେ। ଡାକ୍ତର ତାଙ୍କୁ ସଲାଇନ ଦେଇଦେଲେ ପରିସ୍ରା ହେବ ବୋଲି କହି ଛାଡ଼ି ଦେଇଥିଲେ। କିନ୍ତୁ ଏହା ପରେ ବି ପରିସ୍ରା ନ ହେବାରୁ ତାଙ୍କୁ କଟକ ନେଇଯିବା ପାଇଁ ମେଡିକାଲ କର୍ତ୍ତୃପକ୍ଷ କହିଥିଲେ। ପରିବାର ପକ୍ଷରୁ ରଞ୍ଜିତାଙ୍କୁ ଭୁବନେଶ୍ୱର ସମ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ଘରୋଇ ମେଡିକାଲ କର୍ତ୍ତୃପକ୍ଷ ଏବଂ ଡାକ୍ତରଙ୍କ ତ୍ରୁଟି ଜନିତ ଅସ୍ତ୍ରୋପଚାର ଯୋଗୁ ମୃତ୍ୟୁ ହୋଇଥିବା ସ୍ବାମୀ ଗୌରୀ ପଣ୍ଡିତ ଓ ପୁଅ ହିମାଂଶୁ ପଣ୍ଡିତ ସିଧାସଳଖ ଅଭିଯୋଗ ଆଣିଛନ୍ତି। ପୁଅ ହିମାଂଶୁ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଧର୍ମଶାଳା ଥାନା ଭାରାପ୍ରାପ୍ତ ଅଧିକାରୀ ରମାକାନ୍ତ ନାୟକ କହିଛନ୍ତି। ଅନ୍ୟ ପକ୍ଷରେ ଏହି ହସ୍ପିଟାଲରେ ଏହି ଭଳି ତ୍ରୁଟି ଜନିତ ଚିକିତ୍ସାରେ ମୃତ୍ୟୁ ଘଟଣା ଅନେକଥର ହୋଇ ଥିବାବେଳେ ପ୍ରଶାସନ ପକ୍ଷରୁ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି।
Dharitri – Odisha’s No.1 Odia Daily


