ଜଳାତଙ୍କ ଏକ ଭୂତାଣୁଜନିତ ରୋଗ। ପାଗଳା କୁକୁର କାମୁଡ଼ିଲେ ଏହି ରୋଗର ଆଶଙ୍କା ଅଧିକ ଥାଏ। ଏ ସମ୍ପର୍କରେ ଜନସାଧାରଣଙ୍କୁ ଅଧିକ ସଚେତନ କରିବା ଲାଗି ପ୍ରତିବର୍ଷ ସେପ୍ଟେମ୍ବର ୨୮ ତାରିଖକୁ ‘ବିଶ୍ୱ ଜଳାତଙ୍କ ଦିବସ’ ଭାବରେ ପାଳନ କରାଯାଇଥାଏ। ଚଳିତବର୍ଷ ଏହି ଦିବସର ଥିମ୍ ରହିଛି- ‘ଆକ୍ଟ ନାଓଁ, ୟୁ, ମି, କମ୍ୟୁନିଟିଜ୍’। ଅର୍ଥାତ୍ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି କେବଳ ମୁଁ ନୁହେଁ, ଆପଣ ଏବଂ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି। ସବୁଠାରୁ ଖାସ୍ କଥା ହେଲା, ଏଭଳି ସମସ୍ୟାର ସମ୍ମୁଖୀନ ହେଲେ ତାହାର ସ୍ଥାୟୀ ଚିକିତ୍ସା ପ୍ରାୟ ନାହିଁ। ଅର୍ଥାତ୍ ଜଳାତଙ୍କ ଦ୍ୱାରା ଆକ୍ରାନ୍ତ ହେଲେ ମୃତ୍ୟୁ ପ୍ରାୟ ସୁନିଶ୍ଚିତ। ଏହି ରୋଗ କୁକୁର, ବିରାଡ଼ି, ବିଲୁଆ, ଗଧିଆ ଆଦି ସ୍ତନ୍ୟପାୟୀ ପ୍ରାଣୀମାନଙ୍କଠାରୁ ମନୁଷ୍ୟ ତଥା ଅନ୍ୟ ପ୍ରାଣୀମାନଙ୍କୁ ବ୍ୟାପିଥାଏ। ଜଳାତଙ୍କ ରୋଗ ଲାଇସା ଭୂତାଣୁ ଦ୍ୱାରା ବ୍ୟାପିଥାଏ। ଏହି ଭୂତାଣୁ ମୁଖ୍ୟତଃ ବୁଲା ପାଗଳା କୁକୁର କାମୁଡ଼ିବା କିମ୍ବା ସେମାନଙ୍କ ଲାଳ ଦ୍ୱାରା ସୁସ୍ଥ ମନୁଷ୍ୟ କିମ୍ବା ପଶୁମାନଙ୍କୁ ବ୍ୟାପିଥାଏ। କ୍ଷତ ସ୍ଥାନ ଜଳାପୋଡ଼ା ଏବଂ କୁଣ୍ଡେଇ ହେବା, ସ୍ନାୟବିକ ଦୁର୍ବଳତା ଓ ଅକ୍ଷମତା, ପାଣି, ପବନ, ନିଅଁା, ଶବ୍ଦ ଏବଂ ଆଲୋକ ଆଦିକୁ ଭୟ କରିବା, ଅତ୍ୟଧିକ ପରିଶ୍ରମ ସହ୍ୟ କରି ନ ପାରିବା, ଖାଦ୍ୟ ଢୋକିବାରେ କଷ୍ଟ ଅନୁଭବ କରିବା ଏବଂ ବାନ୍ତି ହେବା ହେଉଛି ଜଳାତଙ୍କର ପ୍ରମୁଖ ଲକ୍ଷଣ।
ଯଦି ଗୋଟିଏ ସୁସ୍ଥ ପ୍ରାଣୀ କିମ୍ବା ମନ୍ୟୁଷକୁ ଏକ ବୁଲା କୁକୁର କାମୁଡ଼ିଦେଲା, ତେବେ ଡାକ୍ତରୀ ପରାମର୍ଶ କରି ଟିକା ନେବା ପୂର୍ବରୁ ଉକ୍ତ କାମୁଡ଼ା ଜାଗାଟିକୁ ଭଲ ଭାବରେ ସାବୁନ୍ରେ ଅତିକମ୍ରେ ୧୫ ମିନିଟ୍ ଯାଏ ଧୁଅନ୍ତୁ। ଧୋଇ ସାରିବା ପରେ ଉକ୍ତ ଜାଗାଟିକୁ ଚଳନ୍ତା ପାଣି ସ୍ରୋତ କିମ୍ବା ଟ୍ୟାପ୍ ପାଣିରେ ୧୫ ମିନିଟ୍ ଯାଏ ଧୁଅନ୍ତୁ। ତା’ପରେ ଉକ୍ତ ସ୍ଥାନଟିରେ ଆଣ୍ଟିସେପ୍ଟିକ ମଲମ କିମ୍ବା ଲୋଶନ ଲଗାନ୍ତୁ। କୌଣସି ପରିସ୍ଥିତିରେ ଉକ୍ତ ଜାଗାକୁ ବ୍ୟାଣ୍ଡେଜ କରନ୍ତୁ ନାହିଁ। ଉପରୋକ୍ତ ପ୍ରାଥମିକ ଚିକିତ୍ସା କରିସାରିବା ପରେ ଡାକ୍ତରୀ ପରାମର୍ଶ ଅନୁସାରେ ଟିକା ନିଅନ୍ତୁ।
– ଡା. ଅନନ୍ତ ଆଚାର୍ଯ୍ୟ


