ଥୁଆମୂଳ ରାମପୁର, ୨୭।୧୦(ଦୁର୍ଗା କୀର୍ତ୍ତି): ନିଜ ଘର ପରିବାରର ପ୍ରତି ପୋଷଣ କରିବା ସ୍ବପ୍ନ ନେଇ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ପୋଡ଼ାପଦର ଗ୍ରାମ ପଞ୍ଚାୟତ କାରବାଡ଼ି ଗ୍ରାମର ଜନୈକଙ୍କ ପୁଅ ଆନ୍ଦାର ମାଝୀ (୨୫) ଗତ ଦୁଇ ସପ୍ତାହ ତଳେ ଦାଦନ ଖଟିବା ପାଇଁ ଘରୁ ବାହାରି ଆନ୍ଧ୍ର ପ୍ରଦେଶ ଯାଇଥିଲେ। ହେଲେ ଆନ୍ଦାରଙ୍କ ସ୍ବପ୍ନ ସ୍ବପ୍ନରେ ରହିଗଲା, ଅକାଳରେ ତାଙ୍କ ଜୀବନରେ କଳାବାଦଲ ଛାଇ ଗଲା। ଶେଷରେ ଟ୍ରେନ ଲାଇନରେ କଟି ଶବ ହୋଇ ଘରକୁ ଫେରିଲେ। ଗାଁରେ ବେକାରୀ ସମସ୍ୟା ହେତୁ ସେ ଭାବିଥିଲେ, ବାହାର ରାଜ୍ୟକୁ ଯାଇ କିଛି ପଇସା ରୋଜଗାର କରି ଘରକୁ ପଠେଇବି , ହେଲେ ଭଗବାନଙ୍କ କି ବିଚିତ୍ର ଖେଳସେ ପଇସା ପଠାଇବା ଆଗରୁ ଆର ପାରିକୁ ଚାଲିଗଲେ। ଦୁର୍ଗମ ଥୁଆମୂଳ ରାମପୁର ବ୍ଲକରୁ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଇ ଶବ ହୋଇ ଫେରୁଛନ୍ତି ଅନେକ ଶ୍ରମିକ, ଏଥିରୁ ପ୍ରମାଣିତ କରୁଅଛି ଯେ ଡବଲ ଇଞ୍ଜିନ ସରକାର ଦାଦନ ରୋକିବାରେ ବିଫଳ ହୋଇଛନ୍ତି ବୋଲି । ମିଳିଥିବା ସୂଚନା ଅନୁସାରେ, ଗତ ରବିବାର ରାତିରେ ଆନ୍ଧ୍ରପ୍ରଦେଶ ସ୍ଥିତ ବିଜୟ ନଗରମ ଅଞ୍ଚଳର ଗରୁଡ଼ି ନାମକ ଏକ ରେଳ ଷ୍ଟେଶନରେ ମୃତ ଆନ୍ଦାର ମାଝୀ ଦିନମଜୁରି ଭାବରେ ଏକ ଦଲାଲଙ୍କ ସହ ଯାଇ କାମ କରୁଥିଲେ। ହେଲେ କୌଣସି କାରଣ ବଶତଃ ତାଙ୍କର ଟ୍ରେନ ଲାଇନରେ ଦୁଇଟି ଗୋଡ଼ ଏବଂ ମୁଣ୍ଡ, ମୁଁହ କଟି ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ନେଇ ମୃତକଙ୍କ ଘରକୁ ତାଙ୍କ ସହ ଥିବା ଅନ୍ୟ ଦାଦନ ସାଥୀମାନେ ଫୋନ ଜଣାଇଥିଲେ। ହେଲେ ମୃତ ଆନ୍ଦାରଙ୍କ ପରିବାର ପାଖରେ ସେତେ ଟଙ୍କା ପଇସା ନାହିଁ କି ସେମାନେ ଯାଇ ମୃତଦେହକୁ ନିଜ ଭିଟା ମାଟିକୁ ଆଣିବେ। ମୃତ ଆନ୍ଦାର ବିବାହିତ ଥିବା ବେଳେ ତାଙ୍କର ୩ଟି ସନ୍ତାନ ଅଛନ୍ତି । ଗରୁଡ଼ି ରେଳ ଷ୍ଟେଶନ ଅଞ୍ଚଳର ପୋଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରି ପାଖ ମେଡିକାଲରେ ମୃତଦେହ ରଖିଥିବା ବେଳେ ଆସନ୍ତା ମଙ୍ଗଳବାର ବ୍ୟବଚ୍ଛେଦ ପରେ ତାଙ୍କ ଭିଟା ମାଟିକୁ ଆମ୍ବୁଲାନ୍ସ ଯୋଗେ ନିଆଯିବ। ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଥୁଆମୂଳ ରାମପୁର ଥାନାରେ ମୃତକଙ୍କ ପରିବାର ପକ୍ଷରୁ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ l ତେବେ ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେବା ନେଇ ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶାସନଙ୍କ ପାଖରେ ସାଧାରଣରେ ଦାବି ହେଉଥିବା ବେଳେ ଉକ୍ତ ଅଂଚଳରେ ଏଭଳି ଦୁଃଖତ ଘଟଣାକୁ ନେଇ ଶୋକର ଛାୟା ଖେଳି ଯାଇଛି।
Dharitri – The Largest & Most Trusted Odia Daily
\



