ମୁମ୍ବାଇ,୨।୧୧: ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ ର ଐତିହାସିକ ଫାଇନାଲ୍ ମ୍ୟାଚ୍ ନଭି ମୁମ୍ବାଇରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳର ଅଧିନାୟିକା ଲୌରା ୱୋଲଭାର୍ଡ଼ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଉଭୟ ଦଳ ସେମାନଙ୍କ ସେମି-ଫାଇନାଲ୍ ମ୍ୟାଚ୍ରେ ଖେଳିଥିବା ଅପରିବର୍ତ୍ତିତ ଚୂଡାନ୍ତ ଏକାଦଶ ସହିତ ମଇଦାନକୁ ଓହ୍ଲାଇଛନ୍ତି। ଏହି ଫାଇନାଲ୍ରୁ ବିଶ୍ୱ କ୍ରିକେଟ୍କୁ ଏକ ନୂଆ ବିଶ୍ୱ ଚାମ୍ପିଅନ୍ ମିଳିବ, କାରଣ ଉଭୟ ଭାରତ କିମ୍ବା ଦକ୍ଷିଣ ଆଫ୍ରିକା କେହି ବି ପୂର୍ବରୁ କେବେ ମହିଳା ଦିନିକିଆ ବିଶ୍ୱକପ୍ ଟାଇଟଲ୍ ଜିତି ନାହାଁନ୍ତି।
ଭାରତର ଅଧିନାୟିକା ହରମନପ୍ରୀତ କୌର କହିଛନ୍ତି ଯେ, ସେମାନେ ପ୍ରଥମେ ବ୍ୟାଟିଂ କରି ଭଲ ସ୍କୋର ଛିଡ଼ା କରିବାକୁ ଚେଷ୍ଟା କରିବେ। ପାଗକୁ ଦେଖି ପ୍ରଥମେ ବୋଲିଂ କରିବା ପାଇଁ ଭାବୁଥିଲେ ମଧ୍ୟ ପିଚ୍ ୫-୬ ଓଭର ପରେ ଅଧିକ ପ୍ରଭାବୀ ରହିବ ନାହିଁ। ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ଏବଂ ସମସ୍ତେ ଖେଳିବାକୁ ଉତ୍ସାହିତ ଅଛନ୍ତି।
ଦକ୍ଷିଣ ଆଫ୍ରିକାର ଅଧିନାୟିକା ଲୌରା ୱୋଲଭାର୍ଡ଼ କହିଛନ୍ତି ଯେ, ଚତୁଃପାର୍ଶ୍ୱରେ ଥିବା ବର୍ଷା ଏବଂ ପରେ କାକର ସମ୍ଭାବନାକୁ ଦୃଷ୍ଟିରେ ରଖି ସେମାନେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେମି-ଫାଇନାଲ୍ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ଏବଂ ଏହି ବଡ଼ ମ୍ୟାଚ୍ରେ ଖେଳିବା ପାଇଁ ସେମାନେ ଅତ୍ୟନ୍ତ ଆତ୍ମବିଶ୍ୱାସୀ ଅଛନ୍ତି।



