ଏସିଡ୍‌ ମାଡ଼ ମାମଲା: ୨ ଅଭିଯୁକ୍ତଙ୍କୁ ଚିହ୍ନିଲେ ପୀଡ଼ିତା


ଜଗତ୍‌ସିଂହପୁର ଅଫିସ,୭।୧୨ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନା ଅଞ୍ଚଳର ଯୁବତୀଙ୍କୁ ଏସିଡ୍‌ ମାଡ଼ ମାମଲାର ତଦନ୍ତ ପ୍ରକ୍ରିୟାରେ ଗୁରୁବାର ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଦିବସ। ଦୀର୍ଘ ୮ ବର୍ଷ ପରେ ଅଭିଯୁକ୍ତ ଦ୍ୱୟଙ୍କୁ ଚିହ୍ନଟ କରିବା ପାଇଁ ପୀଡିତାଙ୍କୁ ଦେବାକୁ ପଡିଥିଲା ବଡ଼ ପରୀକ୍ଷା। ଅପରାହ୍ନ ପ୍ରାୟ ୫ଟାରେ ଆଳିପିଙ୍ଗଳ ଉପକାରଗାର ପରିସରରେ ଜଗତ୍‌ସିଂହପୁର ଏସ୍‌ଡିଜେଏମ୍‌ ଶୁଭଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କ ଟିଆଇ ପରେଡ କରାଯାଇଥିଲା। ଆଳିପିଙ୍ଗଳ ଉପକାରାଗାରରେ ଥିବା ୨ ଅଭିଯୁକ୍ତଙ୍କ ସମେତ ଅନ୍ୟ ୨୦ ଜଣଙ୍କୁ ଧାଡି କରି ଛିଡା କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ତଥା ଭଦ୍ରକ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଜୋରଗାଡ଼ିଆ ବାରିକପୁର ବଜାରର ସନ୍ତୋଷ କୁମାର ବେଦାନ୍ତ(୩୬)ଙ୍କୁ ୧୧ ଜଣଙ୍କ ମଧ୍ୟରେ ଛିଡା କରାଯାଇଥିବା ବେଳେ ତାଙ୍କ ସହଯୋଗୀ ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ଚମ୍ପାଗଡ଼ର ବିଶ୍ୱଜିତ ଦଳସିଂରାୟଙ୍କୁ ଅନ୍ୟ ୧୧ ଜଣଙ୍କ ଭିତରେ ରଖାଯାଇଥିଲା। ପରେ ବିଚାରପତି ପ୍ରଥମେ ପୀଡିତା ଓ ପରେ ଦୁର୍ଘଟଣା ଦିନ ତାଙ୍କ ସାଥିରେ ଥିବା ସମ୍ପର୍କୀୟ ଭାଇଙ୍କୁ ଚିହ୍ନଟ ପାଇଁ ଅନୁମତି ଦେଇଥିଲେ। ଏହି ସମୟରେ ନିଆରା ପରିବେଶ ସୃଷ୍ଟି ହୋଇଥିଲା। କାରଣ ପୀଡିତା ଯଦି ଅଭିଯୁକ୍ତ ଦ୍ୱୟଙ୍କୁ ଚିହ୍ନିପାରି ନ ଥାନ୍ତେ, ତେବେ ମାମଲାର ଦିଗ ବଦଳି ଯାଇଥାନ୍ତା। ସବୁଠୁ ବଡ଼ ସମସ୍ୟା ଥିଲା ପୀଡିତାଙ୍କ ଗୋଟିଏ ଆଖିକୁ ଦେଖାଯାଉ ନ ଥିବା ବେଳେ ଅନ୍ୟଟିରେ କମ୍‌ ଦୃଶ୍ୟ ହେଉଛି। ଏ ପରିସ୍ଥିତିରେ ସୌଭାଗ୍ୟ ବଶତଃ ପୀଡିତା ଖୁବ କମ ସମୟ ମଧ୍ୟରେ ୨ ଅଭିଯୁକ୍ତଙ୍କୁ ଚିହ୍ନି ପାରିଥିଲେ। କିନ୍ତୁ ତାଙ୍କ ମନରେ ଭୟର ପ୍ରତିଛବି ବାରି ହେଉଥିଲା। ଉପ କାରାଗାର ପରିସରରୁ ବାହାରକୁ ଯିବା ପର୍ଯ୍ୟନ୍ତ ତାଙ୍କ ଆଖିରୁ ଧାର ଧାର ଲୁହ ବହି ଯାଉଥିଲା। ଶରୀର ଥରୁଥିଲା। ଯେଉଁମାନେ ତାଙ୍କ ଜୀବନକୁ ବରମାଦ୍‌ କରି ଦେଇଛନ୍ତି, ସେମାନଙ୍କୁ ଏତେ ପାଖରେ ଦେଖି ଆହୁରି ଭୟଭୀତ ହେବା ସହ ବିଚଳିତ ହୋଇଯାଇଥିଲେ ସେ। ଏଥିସହ ପୀଡିତାଙ୍କ ସମ୍ପର୍କୀୟ ଭାଇ ଭାସ୍କର ଦାଶ ମଧ୍ୟ ମୁଖ୍ୟ ଅଭିଯୁକ୍ତ ବେଦାନ୍ତଙ୍କୁ ଚିହ୍ନି ପାରିଥିଲେ। ତେବେ ପୀଡିତା ସେଠାକୁ ଆସିବାଠାରୁ ଘରକୁ ଯିବା ପର୍ଯ୍ୟନ୍ତ ଭୟଭୀତ ଥିଲେ ଏବଂ ତାଙ୍କୁ ବୁଝାଶୁଝା ପାଇଁ ଅନେକ କିଛି କରିବାକୁ ପଡିଥିଲା। ସୂଚନାଯୋଗ୍ୟ, ୨୦୦୯ ଏପ୍ରିଲ୍‌ ୧୮ରେ ପୀଡିତାଙ୍କୁ ଏସିଡ୍‌ ମାଡ଼ ହୋଇଥିଲା। ସେତେବେଳେ ସେ ତିର୍ତ୍ତୋଲସ୍ଥିତ ଆଦିକବି ସାରଳା ଦାସ କଲେଜର ଯୁକ୍ତ ୨ ଛାତ୍ରୀ ଥିଲେ। କଲେଜରୁ ଘରକୁ ଫେରୁଥିବା ବେଳେ କନକପୁର ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଏଥିରେ ସେ ଗୁରୁତର ହୋଇ ପ୍ରାୟ ୨ ବର୍ଷ କାଳ କୋମାରେ ଥିଲେ। ଘଟଣାର ୮ବର୍ଷ ପରେ ଗତ ନଭେମ୍ବର ୨୬ରେ ମୁଖ୍ୟ ଅଭିଯୁକ୍ତ ବେଦାନ୍ତ ଓ ତାଙ୍କ ସହଯୋଗୀ ଦଳସିଂରାୟଙ୍କୁ ପୃଥକ ସ୍ଥାନରୁ ପୋଲିସ ଗିରଫ କରିଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri