ଧାନକିଣାରେ ପୁଣି ଅବ୍ୟବସ୍ଥା ଆଶଙ୍କା


ଯାଜପୁର ଅଫିସ,୭।୧୨ ସରକାରୀ ଚାଉଳ ବାଟବାରଣା କରିଥିବା ଅଭିଯୋଗରେ ଯାଜପୁର ଜିଲା ସାମିଆସ୍ଥିତ ଭଗବତୀ ରାଇସ ମିଲ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଯାଜପୁର ଜିଲା ଯୋଗାଣ ଅଧିକାରୀଙ୍କୁ ଗୁରୁବାର ଏହି ନିର୍ଦ୍ଦେଶ ହୋଇଛି। ଏହାସହ ଭଗବତୀ ରାଇସ ମିଲର ବ୍ୟାଙ୍କ ଗ୍ୟାରେଣ୍ଟିର ବ୍ୟବସ୍ଥିତ, ୨୦୧୬-୧୭ ଆର୍ଥିକ ବର୍ଷର ସ୍ବତନ୍ତ୍ର ଅଡିଟ ଆଦି ସମ୍ପର୍କରେ ପଦକ୍ଷେପ ନେବାକୁ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ନିରଞ୍ଜନ ନାୟକ ନିର୍ଦ୍ଦେଶ ଜାରି କରିଛନ୍ତି । ଯାଜପୁର ଜିଲାରେ ପ୍ରତିବର୍ଷ ୨/୩ଜଣ ମିଲର୍ସ ସମ୍ପୂର୍ଣ୍ଣ ଚାଉଳ ଦାଖଲ କରିବାରେ ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି। ଫଳରେ ଜିଲାର ବିପିଏଲ, ଅନ୍ତ୍ୟୋଦୟ, ଏମଡିଏମ ଆଦି ଯୋଜନାର ହିତାଧିକାରୀଙ୍କ ଆବଶ୍ୟକତାକୁ ପୂରଣ କରାଯାଇ ପାରୁନାହିଁ । ଯଦ୍ୱାରା ବାହାର ଜିଲାରୁ ଚାଉଳ ଆଣିବାକୁ ଜିଲା ପ୍ରଶାସନ ବାଧ୍ୟ ହେଉଛି। ଧାନ ସଂଗ୍ରହରେ ଅନିୟମିତତା ମଧ୍ୟ ଏହାର ମୁଖ୍ୟ କାରଣ ହୋଇଛି । ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଗତ ୧ ତାରିଖରୁ ଜିଲାରେ ଧାନ ସଂଗ୍ରହର ଶୁଭାରମ୍ଭ ହୋଇଛି। ହେଲେ ଏଯାଏ ମାତ୍ର ଗୋଟିଏ ମଣ୍ଡି ଖୋଲାଯାଇଥିବା ଜଣାପଡିଛି। ଫଳରେ ସମ୍ଭାବ୍ୟ ଲଘୁଚାପ ବର୍ଷା ଭୟରେ ଚାଷୀ କୁଇଣ୍ଟାଲ ପିଛା ୯୦୦ ରୁ ୧୦୦୦ ଟଙ୍କା ଦରରେ ଦଲାଲ ପାଖରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି । ଜିଲାରେ କେଉଁ ମିଲର କେଉଁଠାରେ ଧାନ କିଣିବେ ତାହା ଚୂଡାନ୍ତ ହୋଇ ପାରିନାହିଁ। ଏହାଦ୍ୱାରା ଚଳିତ ବର୍ଷ ମଧ୍ୟ ଗତ ବର୍ଷ ଭଳି ଧାନ ସଂଗ୍ରହରେ ଅବହେଳାର ପୁନରାବୃତ୍ତି ହେବ ବୋଲି ଆଶଙ୍କା କରାଯାଉଛି। କେତେକ ମିଲର ଦଲାଲ ଜରିଆରେ ଚାଷୀଙ୍କଠାରୁ ସରକାରଙ୍କ ଧାର୍ଯ୍ୟ ମୂଲ୍ୟଠାରୁ ବହୁତ କମ ମୂଲ୍ୟରେ ଧାନ କିଣିବା ଆରମ୍ଭ କରି ଦେଇଛନ୍ତି। ସରକାରଙ୍କ ସର୍ବନିମ୍ନ ମୂଲ୍ୟ ୧୫୫୦ଟଙ୍କା ହୋଇଥିବା ସାଧାରଣରେ ହାସ୍ୟାସ୍ପଦ ହୋଇଛି। ଏହାର ସୁଯୋଗ ନେବାକୁ ଗତବର୍ଷର ଖିଲାପି ମିଲର୍ସମାନେ ମଧ୍ୟ ଲାଗି ପଡିଛନ୍ତି। ୨୦୧୬-୧୭ ଆର୍ଥିକ ବର୍ଷରେ ୪୯୪୬୭.୯୯୪ ମେଟ୍ରିକ ଟନ ଚାଉଳ ସଂଗ୍ରହ ଲକ୍ଷ୍ୟଧାର୍ଯ୍ୟ ଥିଲା। ଏହି ଲକ୍ଷ୍ୟଧାର୍ଯ୍ୟ ପୂରଣ କରିବାକୁ ଗତ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଶେଷ ତାରିଖ ଥିଲା। ଜିଲାର ୧୦ଟି ମିଲର୍ସଙ୍କ ମଧ୍ୟରୁ ୮ ମିଲର୍ସ ସମ୍ପୂର୍ଣ୍ଣ ଚାଉଳ ଦାଖଲ କରିଥିଲାବେଳେ ୨ ମିଲର୍ସଙ୍କ ନିକଟରେ ୧୦୫୨.୦୩୮ ମେଟ୍ରିକ ଟନ ଚାଉଳ ବାକି ରହିଥିଲା । ଏଥିରେ ସାମିଆସ୍ଥିତ ଭଗବତୀ ରାଇସ ମିଲ ପାଖରେ ସର୍ବାଧିକ ୪୮୮୩.୩୩ କୁଇଣ୍ଟାଲ ଚାଉଳ ବାକି ରହିଛି। ଏହି ମିଲକୁ ୧୪,୩୧୩.୭୨ କୁଇଣ୍ଟାଲ ଧାନ ଲେଭି ଚାଉଳ ପାଇଁ ଦିଆଯାଇଥିଲା । ତଦନୁସାରେ ୯୭୩୩.୩୩ କୁଇଣ୍ଟାଲ ଚାଉଳ ଦାଖଲ କରିବା କଥା । ତେବେ ସରକାରୀ ମୂଲ୍ୟ କୁଇଣ୍ଟାଲ ପିଛା ୨୭୦୦ ଟଙ୍କା ଅନୁାସାରେ ଭଗବତୀ ରାଇସ ମିଲ ପାଖରେ ପ୍ରାୟ ୧.୩୦ କୋଟି ଟଙ୍କାର ଚାଉଳ ବାକି ରହିଛି। ୨୦୧୫-୧୬ ବର୍ଷରେ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ୧୮୭୧.୮୧୬ ମେଟ୍ରିକ ଟନ ଚାଉଳ ଦାଖଲ କରି ପାରି ନ ଥିଲା । ଫଳରେ ରାଇସ ମିଲ ମାଲିକଙ୍କୁ ଜେଲ ଯିବାକୁ ପଡିଥିଲା । ତେବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଦଲାଲଙ୍କ ନିକଟରୁ ନୂଆ ଧାନ କିଣି କିମ୍ବା ବିଭିନ୍ନ ଉପାୟରେ ହଡପ ହେଉଥିବା ଖାଦ୍ୟ ସୁରକ୍ଷା ଯୋଜନାର ଚାଉଳକୁ କିଣି ଆଇନଗତ କାର୍ଯ୍ୟାନୁଷ୍ଠାନରୁ ମୁକୁଳିବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହେଉଛି। ଏଥିରେ କେତେକ ବିଭାଗୀୟ ଅଧିକାରୀ ଓ ଏମଡିଏମ ଚାଉଳ ବଣ୍ଟନରେ ଥିବା ଏଜେଣ୍ଟମାନେ ସହଯୋଗ କରୁଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ସିଏସଓ ସୁରେନ୍ଦ୍ର କୁମାର ହୋତାଙ୍କୁ ପଚାରିବାରେ, ଖିଲାପି ମିଲର୍ସଙ୍କ ବିରୋଧରେ ଚୁକ୍ତି ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଭାବରେ ଗ୍ରହଣ କରାଯିବ। ଏହାସହ ନିର୍ଦ୍ଦେଶ ଅନୁସାରେ ପରବର୍ତ୍ତି ପଦକ୍ଷେପ ନେବାକୁ ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri