ନ୍ୟାୟ ଅପେକ୍ଷାରେ କୁମାରୀ ମା’


ରସୁଲପୁର,୬।୧୨(ଡି.ଏନ୍‌.ଏ.) ରସୁଲପୁର ବ୍ଲକ ଅଧୀନ ୧୬ନଂ. ଜାତୀୟ ରାଜପଥ ନିକଟରେ ଥିବା ଏକ ଭଙ୍ଗା ପ୍ଲାଷ୍ଟିକ କାରଖାନାରେ ଘଟିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଆଦିବାସୀ ସମ୍ପ୍ରଦାୟର କୁମାରୀ ମା’ ତାଙ୍କ ମାସକର ଶିଶୁକୁ ସାଙ୍ଗରେ ଧରି ନ୍ୟାୟ ପାଇଁ ବାରଦୁଆର ଶୁଣ୍ଢୀପିଣ୍ଢା ହେଉଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ସେ ଥାନାରେ ଅଭିଯୋଗ କରି ନ ଥିବାରୁ ତାଙ୍କୁ ପୋଲିସ ନ୍ୟାୟ ପ୍ରଦାନ କରିପାରୁ ନ ଥିବା କହିଛି। ଉଭୟ ମା’ ଓ ଶିଶୁଙ୍କୁ ବୁଧବାର ଯାଜପୁର ଜିଲା ଶିଶୁ ସୁରକ୍ଷା କମିଟି ନିଜ ହେପାଜତକୁ ନେଇଛି । ଉଭୟଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେମାନଙ୍କୁ ସ୍ବଳ୍ପ ମିଆଦୀ ଗୃହରେ ରଖାଯାଇଛି । ଉଲ୍ଲେଖଯୋଗ୍ୟ, ରସୁଲପୁର ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ଗଙ୍ଗାଧରପୁର ଗ୍ରାମର ଦୁଇଜଣ ବ୍ୟକ୍ତି ଜାତୀୟ ରାଜପଥ ଜାଗାକୁ ଜବରଦଖଲ କରି ବର୍ଷ ବର୍ଷ ଧରି ସେଠାରେ ଭଙ୍ଗା ପ୍ଲାଷ୍ଟିକ ବ୍ୟବସାୟ କରିଆସୁଛନ୍ତି । କାରଖାନାରେ କିଛି ଅସହାୟା ଆଦିବାସୀ ମହିଳା, ନାବାଳକ ଓ ନାବାଳିକା କାମ କରୁଛନ୍ତି । ଶ୍ରମିକଙ୍କୁ ଯୋଗାଡ ଦାୟିତ୍ୱରେ ଥିବା ଜନୈକ ବ୍ୟକ୍ତି ଗତ ୩ବର୍ଷ ତଳେ ମୟୁରଭଞ୍ଜ ଜିଲା ମଲଡିଆ ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଯୁବତୀ(୧୭)ଙ୍କୁ ସାଙ୍ଗରେ ଆଣି କାରଖାନା କାର୍ଯ୍ୟରେ ନିୟୋଜିତ କରିଥିଲେ। କାର୍ଯ୍ୟରେ ଯୋଗଦେବା ସମୟରେ ସମ୍ପୃକ୍ତା ଯୁବତୀ ମଧ୍ୟ ନାବାଳିକା ଥିଲେ। ତେବେ କାର୍ଯ୍ୟରେ ଯୋଗ ଦେବାର କିଛି ଦିନ ପରେ ତାଙ୍କୁ ସାଙ୍ଗରେ ଆଣିଥିବା ବ୍ୟକ୍ତି ଓ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସେ ଉକ୍ତ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଖାଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ବ୍ୟକ୍ତି ଜଣକ ବିବାହିତ ହୋଇଥିବାରୁ ଏହାକୁ ଯୁବତୀ ବାରଣ କରିଥିଲେ। ତାଙ୍କୁ ସେ ଦ୍ୱିତୀୟ ପତ୍ନୀ ଭାବେ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ତାଙ୍କ କଥାରେ ବିଶ୍ୱାସ କରିଯାଇଥିଲେ ଯୁବତୀ। କିଛିଦିନ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ। ଏହା ଜାଣି ଉକ୍ତ ବ୍ୟକ୍ତି ଯୁବତୀଙ୍କୁ ଗର୍ଭପାତ ପାଇଁ ପ୍ରବର୍ତ୍ତାଇ ଥିଲେ । ମାତ୍ର ବ୍ୟକ୍ତିଙ୍କ କଥାରେ ଯୁବତୀ ରାଜି ହୋଇ ନ ଥିଲେ। ଗର୍ଭଧାରଣର ୬ମାସ ପରେ ଯୁବତୀଙ୍କୁ ଉକ୍ତ ବ୍ୟକ୍ତି ଚକ୍ରାନ୍ତ କରି ଆନନ୍ଦପୁରର ଏକ ଆଶ୍ରମରେ ଛାଡି ଦେଇ ପଳାଇ ଯାଇଥିଲେ । ପରେ ଆଶ୍ରମ ପକ୍ଷରୁ ଯୁବତୀଙ୍କୁ ଭଦ୍ରକ ଜିଲାରେ ଥିବା ଆଉ ଏକ ଆଶ୍ରମକୁ ସ୍ଥାନାନ୍ତର କରାଯାଇଥିଲା। ଗତ ନଭେମ୍ବର ୧୦ରେ ଯୁବତୀ ଜଣକ ଭଦ୍ରକ ଜିଲା ଡାକ୍ତରଖାନାରେ ଏକ ଶିଶୁ ଜନ୍ମ ଦେଇଥିଲେ। ଗତ ୪ତାରିଖରେ ସେ ତାଙ୍କ ଶିଶୁକୁ ସାଙ୍ଗରେ ଧରି ଗଙ୍ଗାଧରପୁର ଗ୍ରାମସ୍ଥିତ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚତ୍ ଥିଲେ। ଏହାଜାଣି ବ୍ୟକ୍ତି ଜଣକ ଯୁବତୀଙ୍କୁ ଦେଖା ଦେଇ ନ ଥିଲେ। ଉକ୍ତ ବ୍ୟକ୍ତିଙ୍କ ପ୍ରଥମ ସ୍ତ୍ରୀ ଯୁବତୀଙ୍କୁ ଦୁର୍ବ୍ୟବହାର କରି ବିଦା କରିଦେଇଥିଲେ। ଯୁବତୀ ଜଣକ ଗାଁ ଅଙ୍ଗନୱାଡି କେନ୍ଦ୍ରରେ ରାତ୍ରୀ ଯାପନ କରିଥିଲେ । ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ କୁଆଖିଆ ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ନବଜାତ ଶିଶୁ ସହ କୁମାରୀ ମା’କୁ ଗାଁରୁ ଉଦ୍ଧାର କରି କାରଖାନା ମାଲିକଙ୍କର ଏକ ଭଡା ଘରେ ରଖିଥିଲେ। ଏ ନେଇ ପୋଲିସ ଜିଲା ଶିଶୁ ସୁରକ୍ଷା କମିଟିକୁ ଖବର ଦେଇଥିଲା । ଯୁବତୀ ଜଣକ ଥାନାରେ ଲିଖିତ ଅଭିଯୋଗ କରି ନ ଥିବାରୁ ପୋଲିସ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନାହିଁ। ମାମଲାଟି ସମ୍ବେଦନଶୀଳ ରହିଛି ା ଏହାକୁ ଥାନା ଅଧିକାରୀ ଆଶିଷ କୁମାର ସାହୁ ଗୁରୁତର ସହ ନେଇଛନ୍ତି । କୁମାରୀ ମା’ଙ୍କୁ କେମିତି ନ୍ୟାୟ ମିଳିପାରିବ ସେ ଦିଗରେ ଚେଷ୍ଟା ଜାରି ରଖିଛନ୍ତି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri