ଚାଷୀ ଆମତ୍ହତ୍ୟା: ତଦନ୍ତ କରି ଫେରିଲା ଜିଲା ପ୍ରଶାସନ


ବିଞ୍ଝାରପୁର(ଡି.ଏନ.ଏ)/ବରୀ (ସ୍ବ.ପ୍ର),୬।୧୨ ବିଞ୍ଝାରପୁର ଥାନା ମଧୂସୁଦନପୁର ପଞ୍ଚାୟତ ସୁନ୍ଦରପୁର ଗ୍ରାମର ସୁରେଶଙ୍କ ଆତ୍ମହତ୍ୟାକୁ ନେଇ ବିବାଦ ବଢିବାରେ ଲାଗିଛି। ସୁରେଶଙ୍କ ଆତ୍ମହତ୍ୟାକୁ ସ୍ଥାନୀୟ ଲୋକେ ଓ ଭାଜପା କର୍ମୀ ଚାଷୀ ଆତ୍ମହତ୍ୟା ବୋଲି ଦାବି କରିବାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, କୃଷି ଉପନିର୍ଦ୍ଦେଶକ ବିଜୟ କୁମାର ପଟ୍ଟନାୟକ, ବରୀ ତହସିଲଦାର ପରମାନନ୍ଦ ବେହେରା, ବରୀ ବ୍ଲକ କୃଷି ଅଧିକାରୀ ଭାଗ୍ୟଧର ସାହୁ ପ୍ରମୁଖ ବୁଧବାର ପୂର୍ବାହ୍ନରେ ମୃତ ସୁରେଶଙ୍କ ପରିବାରକୁ ଭେଟି ଗ୍ରାମବାସୀଙ୍କଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ସୁରେଶଙ୍କ ବାପା ନାରଣ ସାହୁଙ୍କ କହିବା ଅନୁଯାୟୀ, ସୁରେଶ ପୂର୍ବରୁ କଲିକତାରେ ପାଣି ପାଇପ କାମ କରୁଥିବା ବେଳେ ୩ବର୍ଷ ହେବ ଗାଁକୁ ଆସି ଚାଷ କରୁଥିଲେ। ନିଜର ୨ଏକର ଜମି ସହିତ ପଡୋଶୀଙ୍କର ଆଉ ୧୦ଏକର ଜମିରେ ଭାଗଚାଷ କରୁଥିଲେ। ତେବେ ଗତ ଲଗାଣ ବର୍ଷାରେ ଫସଲ ନଷ୍ଟ ହେବା ଯୋଗୁ ସେ ମାନସିକ ଭାରସାମ୍ୟ ହରାଇ ଆମତ୍ହତ୍ୟା କିରିଥିଲେ ବୋଲି ତାଙ୍କ ବାପା ନାରଣ ସାହୁ ପ୍ରକାଶ କରିଥିଲେ। ତେଣୁ ଏହା ଜଣେ ଚାଷୀଙ୍କ ଆମତ୍ହତ୍ୟା ବୋଲି ଅଭିଯୋଗ ହେଉଥିବାରୁ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଛି। ଅନ୍ୟ ପକ୍ଷରେ ବ୍ଲକ କୃଷି ଅଧିକାରୀ ବେହେରାଙ୍କ କହିବା ଅନୁଯାୟୀ, ସୁରେଶ ଯେଉଁ ୧୦ଏକର ଭାଗ ଚାଷ କରିବା କଥା କୁହାଯାଉଛି, ତାହା ବରୀ ତହସିଲ ଅଞ୍ଚଳର ନୁହେଁ। ତେବେ ସୁରେଶ କେଉଁ ଲୋକଙ୍କ ଜମି ଚାଷ କରିଥିଲେ ତାହାର ବ୍ୟାପକ ତଦନ୍ତର ଆବଶ୍ୟକତା ରହିଛି ବୋଲି କୃଷି ଅଧିକାରୀ କହିଥିଲେ। ଘଟଣା ସମ୍ପର୍କରେ ତଦନ୍ତ କରିବାକୁ ଆସିଥିବା ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ଓ କୃଷି ଉପନିଦ୍ଦେର୍ଶକ ବିଜୟ କୁମାର ପଟ୍ଟନାୟକ ଘଟଣା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରିବେ ବୋଲି କହିଥିଲେ। ଅପରପକ୍ଷରେ ଭାଜପା ନେତୃବୃନ୍ଦ ବୁଧବାର ସନ୍ଧ୍ୟାରେ ସୁରେଶଙ୍କ ପରିବାରକୁ ଭେଟିଥିବା ଜଣାପଡିଛି। ଭାଜପାର ଏହି ପ୍ରତିନିଧି ମଣ୍ଡଳୀରେ ବରୀ ଭାଜପା ନେତା ବିଶ୍ୱରଞ୍ଜନ ମଲିକ, ଜିଲା ସଭାପତି ଗୌତମ ରାୟ, ମହିଳା ସଭାନେତ୍ରୀ ବବିତା ମଲିକ, ବ୍ଲକ ଅଧ୍ୟକ୍ଷା ସୁନନ୍ଦା ଦାସ, ବରିଷ୍ଠ ନେତା ଦେବେନ୍ଦ୍ର ଦାସ ପ୍ରମୁଖ ସୁନ୍ଦରପୁର ଗ୍ରାମରେ ପହଞ୍ଚି ସୁରେଶଙ୍କ ପରିବାରକୁ ଭେଟିଥିଲେ। ସୂଚନା ଥାଉକି, ସୁନ୍ଦରପୁର ଗ୍ରାମର ନାରଣ ସାହୁଙ୍କ ପୁଅ ସୁରେଶ(୪୮)ଙ୍କ ମୃତଦେହ ସୋମବାର ବିଳମ୍ବିତ ରାତିରେ ତାଙ୍କ ଘର ନିକଟସ୍ଥ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri