ଏମ୍‌ଓୟୁ ହେଉଛି, ଜମି ନାହିଁ


ଯାଜପୁର ଅଫିସ,୬।୧୨ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସକାଶେ ସରକାର ରାଜ୍ୟ ଓ ରାଜ୍ୟ ବାହାରର ଶିଳ୍ପୋଦ୍ୟୋଗୀଙ୍କ ସହ ଏକାଧିକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଛନ୍ତି। ଶିଳ୍ପ ପ୍ରତିଷ୍ଠା ହେଲେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ବେକାରୀ ହଟିବାର ଆଶା ପୋଷଣ କରୁଛନ୍ତି। କିନ୍ତୁ ଏମ୍‌ଓୟୁ ସ୍ବାକ୍ଷର ସର୍ବାଧିକ କାଳ ଅତିକ୍ରାନ୍ତ ହୋଇ ଯାଉଥିଲେ ମଧ୍ୟ କାରଖାନା ଗଢ଼ି ଉଠୁ ନାହିଁ। ଏ କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି ଜମି। ସରକାର ବିଭିନ୍ନ ଶିଳ୍ପାଞ୍ଚଳ ଓ ଅନ୍ୟ ଅଞ୍ଚଳରେ ସମ୍ପୃକ୍ତ ଶିଳ୍ପସଂସ୍ଥାଗୁଡ଼ିକୁ ଜମି ଯୋଗାଇ ଦେବେ ବୋଲି ଏମ୍‌ଓୟୁ ସମୟରେ ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି, ତାହା ପୂରଣ ହୋଇପାରୁ ନାହିଁ। ଏପରିକି କେତେକ ସ୍ଥାନରେ ଜଙ୍ଗଲ ଜମିକୁ କିସମ ପରିବର୍ତ୍ତନ କରି ଶିଳ୍ପସଂସ୍ଥାଗୁଡ଼ିକୁ ଯୋଗାଇ ଦେବାର ଉଦ୍ୟମ ହେଉଛି। ରାଜ୍ୟର ଇସ୍ପାତ ରାଜଧାନୀ କୁହାଯାଉଥିବା ଯାଜପୁର ଜିଲାର କଳିଙ୍ଗନଗରରେ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ କମ୍ପାନୀର ଲମ୍ବାଧାଡି ଲାଗିଛି । ସରକାର ମଧ୍ୟ ଏ ସମ୍ପର୍କରେ ଅନେକ ଏମ୍‌ଓୟୁ ସ୍ବାକ୍ଷର କରି ସାରିଛନ୍ତି। ଯାଜପୁର ଜିଲା ଶିଳ୍ପ କେନ୍ଦ୍ର ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଡିସେମ୍ବର ୪ ତାରିଖ ସୁଦ୍ଧା କଳିଙ୍ଗନଗର ଇଣ୍ଡଷ୍ଟ୍ରିଆଲ କମ୍ପ୍ଲେସ ଏବଂ ଜାରକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପରିସରରେ ଶିଳ୍ପ ପ୍ରତିଷ୍ଠା ପାଇଁ ୫୧ଟି ଆବେଦନ ମିଳି ସାରିଛି। ସେଥିମଧ୍ୟରୁ ୨୫ଟି ଶିଳ୍ପ କମ୍ପାନୀକୁ ଇଡ୍‌କୋ ଜରିଆରେ ଜମି ଆବଣ୍ଟିତ ହୋଇସାରିଛି । ଏପରିକି ୧୬ଟି କମ୍ପାନୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଦେଲେଣି । ଜମିର ଅଭାବ ଏବେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । କଳିଙ୍ଗନଗରର ୫ଟି ଗ୍ରାମର ପ୍ରାୟ ୨୨୦୦ ଏକର ଜଙ୍ଗଲ ଜମିକୁ କିସମ ପରିବର୍ତ୍ତନ କରିବାକୁ ଇଡ୍‌କୋ ଆବେଦନ କରିଛି। ଏହି ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ ଶିଳ୍ପଦ୍ୟୋଗୀଙ୍କୁ ଜମି ଯୋଗାଇ ଦେବାରେ ବିଫଳ ହୋଇଥିବା ସୂଚନା ମିଳିଛି । ଜାଣିବାକୁ ମିଳିଛି ଯେ, କମ୍ପାନୀଗୁଡ଼ିକ ସାର୍ବଜନୀନ କାର୍ଯ୍ୟ ଦର୍ଶାଇ ଇଡ୍‌କୋ ଜରିଆରେ ଜମି ହାତେଇବାକୁ ଉଦ୍ୟମ କରୁଛନ୍ତି । ଶିଳ୍ପ ସଂସ୍ଥା ନାମରେ ଲୋକଙ୍କ ଚାଷଜମି, ଘରବାଡି, ଜଙ୍ଗଲ ଜମିକୁ ହାତେଇବା ପାଇଁ ଯୋଜନା ହେଉଛି। ଏଥିରେ ଜାରକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ରାମକୋ ସିମେଣ୍ଟ ସଫଳତା ମଧ୍ୟ ପାଇଛି। ସାଧାରଣ ଲୋକଙ୍କ ଜମିକୁ ଜଣେ ଜମି ମାଲିକଙ୍କଠାରୁ ବିନା ଅଧିଗ୍ରହଣରେ ହାତେଇ ନେଇ ରାମକୋ ଏକ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ ପ୍ରତିଷ୍ଠା କରିବାକୁ ଯାଉଛି। ଏପରିକି କମ୍ପାନୀ ସ୍ଥାନୀୟ ଲୋକଙ୍କ ମତାମତ ନେବାକୁ ଜନଶୁଣାଣି କରିବାକୁ ମଧ୍ୟ ଉପଯୁକ୍ତ ମନେ କରିନାହିଁ । ଗତ ସେପ୍ଟେମ୍ବର ୧୩ରେ ଟାଟା ଓ ଜିନ୍ଦଲ କାରଖାନା ପରିସରରେ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପୋଦ୍ୟୋଗୀଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଅଞ୍ଚଳରୁ ଶତାଧିକ ଶିଳ୍ପୋଦ୍ୟୋଗୀ, କେତେକ ଫାର୍ମର କର୍ମକର୍ତ୍ତା ତଥା ପ୍ରତିନିଧି ଯୋଗ ଦେଇଥିଲେ । ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ସ୍ଥାପନର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ। ଏହି କର୍ମଶାଳାକୁ ୩ ମାସ ପୂରିବାକୁ ଯାଉଛି। ହେଲେ କାରଖାନା ପ୍ରତିଷ୍ଠା ପାଇଁ ପ୍ରାୟ ୧୧ଟି କମ୍ପାନୀକୁ ଜମି ଯୋଗାଇ ଦିଆଯାଇ ପାରିନାହିଁ। ଏହି ସମୟ ମଧ୍ୟରେ ୧୪ଟି ସଂସ୍ଥାର ଆବେଦନ ରଦ୍ଦ କରିଦିଆଯାଇଛି। ଯାହାକୁ ନେଇ ଶିଳ୍ପୋଦ୍ୟାଗୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ କଳିଙ୍ଗନଗର ଇଣ୍ଡଷ୍ଟ୍ରିଜ ସେଣ୍ଟର (ଡିଆଇସି)ର ଜେନେରାଲ ମ୍ୟାନେଜର ମନୋରଞ୍ଜନ ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ଯାଜପୁର ଜିଲାରେ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ବିଭାଗ ସଦାସର୍ବଦା ସକାରାମତ୍କ ମନୋଭାବ ପୋଷଣ କରିବ। ନୀତି ନିୟମ ଅନୁସାରେ ଶିଳ୍ପୋଦ୍ୟୋଗୀଙ୍କୁ ସବୁପ୍ରକାର ସହଯୋଗ କରିବ। ତେବେ ସେ ଗତ ୭ଦିନ ହେଲା ଏଠାରେ ଯୋଗ ଦେଇଥିବାରୁ ଜମି ଆବଣ୍ଟିତ ଓ ରଦ୍ଦ ସମ୍ପର୍କରେ ବିଶେଷ କିଛି କହି ପାରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri