ଡାକ୍ତରଙ୍କ ନିଲମ୍ବନକୁ ନେଇ ତେଜିଲା ବିବାଦ


ଜଗତ୍‌ସିଂହପୁର ଅଫିସ,୫। ୧୨ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ନିରାମୟ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ନ କରିବା ଓ କାର୍ଯ୍ୟରେ ଅବହେଳା କରିବା କାରଣରୁ ଗତ ମାସ ୩୦ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ୨ଜଣ ବିଶେଷଜ୍ଞଙ୍କୁ ନିଲମ୍ବନ କରିଥିଲେ। ଏହାକୁ ନେଇ ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଲାଣି। ସରକାରଙ୍କ ଏହି ନିଲମ୍ବନ ନିର୍ଦ୍ଦେଶକୁ ବିରୋଧ କରି ଓମ୍‌ସା ପକ୍ଷରୁ ଆନ୍ଦୋଳନ ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷରେ ଜଗତ୍‌ସିଂହପୁର ଜିଲା ଗଣ ସଂଗ୍ରାମ ପରିଷଦ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିବା ସହ ଓମ୍‌ସାର ଚେତାବନୀ ବିରୋଧରେ ପ୍ରତିବାଦ ସଭା କରିଛି। ସୂଚନା ଅନୁଯାୟୀ, ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣାରେ ଔଷଧ ଦେବାକୁ ବ୍ୟବସ୍ଥା ଥିବାବେଳେ ଏଠାରେ ଡାକ୍ତରମାନେ ବାହାରୁ କିଣିବା ପାଇଁ ପ୍ରେସ୍କ୍ରିପ୍‌ଶନ ଲେଖୁଥିଲେ। ଏଥିସହ କାର୍ଯ୍ୟରେ ଅବହେଳା କରୁଥିଲେ। ମନ୍ତ୍ରୀ ଜେନା, ଓଏସ୍‌ଏମ୍‌ସିଏଲ୍‌ ଏମ୍‌ଡି ଓ ବିଭାଗୀୟ ନିର୍ଦ୍ଦେଶକଙ୍କ ପୃଥକ ଗସ୍ତ ସମୟରେ ସମାନ ସମସ୍ୟା ଦେଖିବାକୁ ମିଳିଥିଲା। ବାରମ୍ବାର ତାଗିଦ ସତ୍ତ୍ବେ ଡାକ୍ତରମାନେ ସରକାରୀ ନିର୍ଦ୍ଦେଶ ପାଳନ କରି ନ ଥିଲେ। ତେଣୁ ଶିଶୁରୋଗ ବିଶେଷଜ୍ଞ ଡା. ମମତା ଶତପଥୀ ଏବଂ ଭେଷଜ ବିଶେଷଜ୍ଞ ଡା. ହିମାଂଶୁ ଶେଖର ନନ୍ଦଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ଜେନା ନିଲମ୍ବନ କରିଥିଲେ। ତେବେ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ ବୁଧବାର ଜଗତ୍‌ସିଂହପୁର ଜିଲାରେ କାର୍ଯ୍ୟରତ ଡାକ୍ତରମାନେ କଳାବ୍ୟାଜ୍‌ ପରିଧାନ କରିବେ ବୋଲି ଓମ୍‌ସା ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହା ସତ୍ତ୍ୱେ ଯଦି ସରକାର ନିଲମ୍ବନ ଆଦେଶ ପ୍ରତ୍ୟାହାର ନ କରନ୍ତି ତେବେ ଆସନ୍ତା ୭ରେ ସାରା ରାଜ୍ୟରେ ଡାକ୍ତରମାନେ କଳାବ୍ୟାଜ୍‌ ପିନ୍ଧିବେ। ଶେଷରେ ୧୩ ତାରିଖରେ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଓମ୍‌ସା ଚେତାବନୀ ଦେଇଛି। ଅନ୍ୟପକ୍ଷରେ ଓମ୍‌ସାର ଏହି ଚେତାବନୀକୁ ଚ୍ୟାଲେଞ୍ଜ କରିଛି ଜଗତ୍‌ସିଂହପୁର ଜିଲା ଗଣ ସଂଗ୍ରାମ ପରିଷଦ। ଡାକ୍ତରଙ୍କ ବିରୋଧରେ ସରକାର ନେଇଥିବା ନିଷ୍ପତ୍ତିକୁ ପରିଷଦ ସମର୍ଥନ କରିବା ସହ ଉପଯୁକ୍ତ ପଦକ୍ଷେପ ନିଆଯାଇଥିବା କହିଛି। ଓମ୍‌ସା ଆନ୍ଦୋଳନ କଲେ ପରିଷଦ ପକ୍ଷରୁ ମଧ୍ୟ ଆସନ୍ତା ୧୩ରେ ଆନ୍ଦୋଳନ କରାଯିବ ବୋଲି ପରିଷଦ ସମ୍ପାଦକ ଆଡଭୋକେଟ୍‌ ବାସୁଦେବ କହିଛନ୍ତି। ଏଥିସହ ତାଙ୍କ ନେତୃତ୍ୱରେ ମଙ୍ଗଳବାର ଜଗତ୍‌ସିଂହପୁର ସହରର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ପ୍ରତିବାଦ ସଭା କରାଯାଇଛି। ଏଥିରେ କୁହାଯାଇଥିଲା ଯେ ଜଗତ୍‌ସିଂହପୁରରେ କାର୍ଯ୍ୟରତ ଅନେକ ଡାକ୍ତର ରୋଗୀଙ୍କୁ ଶୋଷଣ କରୁଛନ୍ତି। ଜଗତ୍‌ସିଂହପୁର ସହରରେ ସେମାନଙ୍କ ନିଜସ୍ବ ଘର ଥାଇ ସରକାରୀ କ୍ବାର୍ଟର୍ସ ନେଇଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ କମ୍‌ ସମୟ କାମ କରି ନର୍ସିଂହୋମ୍‌ ମୁହାଁ ହେଉଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲମାନେ ସକ୍ରିୟ ଅଛନ୍ତି। ସେମାନେ ଡାକ୍ତରଖାନାରୁ ରୋଗୀଙ୍କୁ ବେସରକାରୀ ନର୍ସିଂହୋମ୍‌ ଓ କ୍ଲିନିକ୍‌ ଆଦିକୁ ଭିଡ଼ି ନେଉଛନ୍ତି। ଡାକ୍ତରଖାନା ଭିତରେ ଅଲ୍‌ଟ୍ରାସାଉଣ୍ଡ, ଇସିଜି ମେଶିନ୍‌, ସିଟି ସ୍କାନ୍‌ ଆଦି ଥିଲେ ସୁଦ୍ଧା ତାହା ବ୍ୟବହାର ହେଉନାହିିଁ । ଜିଲା ମୁଖ୍ୟ ଚିକିତ୍ସାଳୟରେ ସରକାରଙ୍କ ନିରାମୟ ଯୋଜନା କେବଳ ଡାକ୍ତରମାନଙ୍କ ଯୋଗୁ ସଫଳ ହେଇପାରୁନି। ମେଡିସିନ୍‌ ରିପ୍ରେଜେଣ୍ଟେଟିଭ୍‌ମାନେ ଅଧିକାଂଶ ସମୟରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗାଦିମାଡ଼ି ବସୁଛନ୍ତି। ଏଭଳି ଅନେକ ଅବ୍ୟବସ୍ଥାରେ ଲୋକେ ହନ୍ତସନ୍ତ ହେଉଛନ୍ତି। ସରକାର ପ୍ରାଥମିକ ପର୍ଯ୍ୟାୟରେ କେତେଜଣ ଡାକ୍ତରଙ୍କୁ ନିଲମ୍ବନ କରିଛନ୍ତି। ଏହାପରେ ଅଧିକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି କୁହାଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ରାସ୍ତା ପାର୍ଶ୍ୱରେ ହୋଇଥିବା ପ୍ରତିବାଦସଭାରେ ଜଗତ୍‌ସିଂହପୁର ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଆଡଭୋକେଟ୍‌ ବିସ୍ମୟ ଷ୍ଟାର୍ଲିନ୍‌, ଆଡଭୋକେଟ୍‌ ପ୍ରସନ୍ନ ମହାପାତ୍ର, ଓମ୍‌ଫେଡ୍‌ ସଂଘ ସମ୍ପାଦକ ବସନ୍ତ ସ୍ବାଇଁ, ଜଗନ୍ନାଥ ଲେଙ୍କା ପ୍ରମୁଖ ଓମ୍‌ସା ନିଷ୍ପତ୍ତିକୁ ବିରୋଧ କରିବା ସହ ଯେଉଁ ଡାକ୍ତରମାନେ ଲୋକଙ୍କ ସ୍ବାର୍ଥକୁ ଗୌଣ କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମତବ୍ୟକ୍ତ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri