ମଣ୍ଡି ଖୋଲିବା ନେଇ ଅନିଶ୍ଚିତତା


ରସୁଲପୁର,୫।୧୨(ଡି.ଏନ୍‌.ଏ.)- ଚାଷୀଙ୍କ ସମସ୍ୟାକୁ ନେଇ ଶାସକ ଦଳଠାରୁ ଆରମ୍ଭ କରି ବିରୋଧୀ ସମସ୍ତେ ତପତ୍ର । ହେଲେ ବାସ୍ତବ କ୍ଷେତ୍ରରେ ଚାଷୀଙ୍କ ସମସ୍ୟା ସମାଧାନ ହୋଇପାରୁ ନାହିଁ। ଅଦିନିଆ ବର୍ଷା ଓ ରୋଗପୋକ ଆକ୍ରମଣରେ ପ୍ରଭାବିତ ଚାଷୀକୂଳକୁ ତାର ନାର୍ଯ୍ୟ ଦାବି ମିଳିପାରୁ ନାହିଁ। ଚାଷୀ ନିଜର ଅଭାବକୁ ଦୂର କରିବାକୁ ଯାଇ ଦଲାଲଙ୍କ ଦ୍ୱାରା ଶୋଷଣର ଶିକାର ହେଉଛି। ସରକାରୀ ସହାୟତାରୁ ବଞ୍ଚିତ ହେଉଛି । ଏଭଳି ସ୍ଥିତି ଯାଜପୁର ଜିଲା ରସୁଲପୁର ବ୍ଲକରେ ଦେଖାଦେଇଛି। ଏହି ବ୍ଲକରେ ଧାନ ମଣ୍ଡି କେବେ ଖୋଲିବ। ସେ ନେଇ ଅନିଶ୍ଚିତତା ଜାରି ରହିଛି। ଏଯାବତ୍‌ ଚାଷୀଙ୍କ ତାଲିକା ଚୂଡାନ୍ତ ହୋଇପାରି ନାହିଁ। ପ୍ରାଥମିକ କୃଷି ସେବା ସମବାୟ ସମିତିର କର୍ମଚାରୀଙ୍କ ଅସହଯୋଗ ଯୋଗୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ରବି ଋଣ ମିଳିବାରେ ଅସୁବିଧା ଦେଖାଦେଇଛି। ରସୁଲପୁର ବ୍ଲକ ଅଞ୍ଚଳର ଚାଷୀଙ୍କ ଦୁର୍ଦ୍ଦଶା ବହୁଗୁଣିତ ହୋଇଯାଇଛି। ନଭେମ୍ବର ୧ରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଧାନ କିଣା ଆରମ୍ଭ ହୋଇଛି। ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ମାସକ ପରେ ଅର୍ଥାତ ଡିସେମ୍ବର ୧ରେ ସମଗ୍ର ଜିଲାରେ ଧାନ କିଣା ଆରମ୍ଭ ହେବ ବୋଲି ଜିଲାସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା। ଶୁକ୍ରବାର ଜିଲା ପ୍ରଶାସନ ଗୋଟିଏ ମଣ୍ଡିରେ ଧାନ କିଣା ଆରମ୍ଭ କରିଦେଇ ବସି ଯାଇଛି। ଏଭଳି ସ୍ଥିତିରେ ରସୁଲପୁର ବ୍ଲକରେ ଧାନ କିଣା ହେବା ନେଇ ଅନିଶ୍ଚିତତା ଜାରି ରହିଛି। ୨୦୧୭-୧୮ ବର୍ଷରେ ସମଗ୍ର ବ୍ଲକ ଅଞ୍ଚଳରୁ ମଣ୍ଡିରେ କେତେ ଧାନ ସଂଗ୍ରହ ହେବ ତାକୁ ଆକଳନ କରିବାରେ ସମବାୟ ବିଭାଗ ଫେଲ ମାରିଛି। ଏହାଛଡା ବ୍ଲକର ୧୧ଟି ସମବାୟ ସମିତି ମଧ୍ୟରୁ ବଡକଇଁଚିରେ ୭୮, ମୁଗୁପାଳରେ ୮୫, ନଠୁଆବର-୯୮, ପହଁଗା୧୦୧, ରସୁଲପୁର ୧୩୪, ବ୍ରହ୍ମବରଦା-୨୦, ନରସିଂହପୁର-୪୧୭, ଓଡିଶୋ-୧୩୦, ସାମନ୍ତରାପୁର-୧୦୧, ସିଂହାପୁର-୯୩ଜଣ ଚାଷୀ ଧାନ ବିକ୍ରି କରିବା ନେଇ ନାମ ପଞ୍ଜୀକରଣ କରିଛନ୍ତି। ସମଗ୍ର ବ୍ଲକରେ ମୋଟ ୧୪୧୯ଜଣ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ନରସିଂହପୁର ସମିତିରେ ସର୍ବାଧିକ ୪୧୭ଜଣ ଓ ବ୍ରହ୍ମବରଦା ପଞ୍ଚାୟତରେ ସର୍ବନିମ୍ନ-୨୦ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେ ଚାଷୀ ଧାନ ବିକ୍ରି କରିବାକୁ ଯୋଗ୍ୟ ସେ ତାଲିକା ମଧ୍ୟ ଚୂଡାନ୍ତ ହୋଇପାରି ନାହିଁ। ରସୁଲପୁର ବ୍ଲକ ଏକ ଅଣ ଜଳସେଚିତ କୃଷି ଅଞ୍ଚଳ ହୋଇଥିବାରୁ ଏଠାରେ ଜଣେ ଚାଷୀ ଏକର ପିଛା ୧୫କୁଇଣ୍ଟାଲ ଧାନ ବିକ୍ରି କରିପାରିବ। ଏହାବାଦ ହାରାହାରି ୫କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ଅମଳ କରିଥିବା ଚାଷୀ ମଣ୍ଡିରେ ଧାନ ବିକ୍ରି କରିବାକୁ ଯୋଗ୍ୟ ହେବେ । ତେବେ ଏ ନିଷ୍ପତ୍ତି ଏବେ ବି ହୋଇପାରୁ ନାହିଁ । ଧାନକିଣାକୁ ନେଇ ବ୍ଲକର ପ୍ରାଥମିକ କୃଷି ସେବା ସମବାୟ ସମିତି(ପାକ୍ସ)ର ସଂପାଦକ, ମିଲର ଓ ଜିଲା ଯୋଗାଣ ବିଭାଗ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇନାହିଁ । ଏହା ଧାନ କାରବାରେ ନିୟୋଜିତ ଦଲାଲଙ୍କୁ ସୁହାଉଛି । ଧାନର କୁଇଣ୍ଟାଲ ପିଛା ସରକାରୀ ଦାମ ୧୫୫୦ ଟଙ୍କା ସ୍ଥିର କରାଯାଇଛି । ଧାନ କିଣାରେ ବିଳମ୍ବ ଘଟୁଥିବାର ଧାନର ସହାୟକ ମୂଲ୍ୟ ଚାଷୀଙ୍କୁ ମିଳି ପାରୁନାହିଁ । ଦଲାଲମାନେ ସିଧାସଳଖ ଧାନ ବିଲରେ ପହଁଚି ଚାଷୀଠାରୁ ଧାନ ସଂଗ୍ରହ କରି ନେଉଛନ୍ତି। ଚାଷୀ ତାର ଆବଶ୍ୟକତା ପୂରଣ କରିବା ପାଇଁ ସରକାରୀ ମଣ୍ଡିକୁ ଅପେକ୍ଷା କରୁନାହିଁ। ବିଲ ମୁଣ୍ଡରେ କମ୍‌ ମୂଲ୍ୟରେ ଧାନ ବିକ୍ରି ଦେଉଛି ା ଏ ବାବଦକୁ ମିଳୁଥିବା ଅର୍ଥକୁ ପୁଣି ରବି ଫସଲରେ ଖର୍ଚ୍ଚ କରିବା ସହ ନିଜର ପରିବାର ପ୍ରତିପୋଷଣରେ ଲଗାଉଛି । ଦଲାଲମାନେ ଧାନ କିଣି ମିଲରମାନଙ୍କ ସହ ଭିତିରି ବୁଝାମଣା କରୁଛନ୍ତି। ଫଳରେ ମିଲରମାନେ ସରକାରୀ ହିସାବରେ ଧାନ ନ କିଣି ଦଲାଲଙ୍କଠାରୁ କିଣି ଲାଭାବନ ହେଉଛନ୍ତି। ଏହାକୁ ରୋକିବାରେ ସରକାର ବିଫଳ ହୋଇଛନ୍ତି । ସରକାରଙ୍କ ଦ୍ୱାରା ନିୟୋଜିତ କର୍ମଚାରୀଙ୍କ ଢିଲାପଣ ଯୋଗୁ ଚାଷୀକୁ ନ୍ୟାୟ ମିଳିପାରୁ ନାହିଁ । ଏ ସମ୍ପର୍କରେ ରସୁଲପୁର ସମବାୟ ସମ୍ପ୍ରସାରଣ ଅଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କୁ ପଚାରିବାରେ ଜିଲାରୁ ତାଲିକା ଆସିଲେ ଧାନ କିଣିବା ଆରମ୍ଭ କରାଯିବ ବୋଲି କହିଛନ୍ତି। ଜିଲା ସହକାରୀ ଯୋଗାଣ ଅଧିକାରୀ ଦେବେନ୍ଦ୍ର ମହାପାତ୍ରଙ୍କୁ ପଚାରିବାରେ ଧାନ କିଣିବା ପୂର୍ବରୁ ଆବଶ୍ୟକୀୟ ଚୁକ୍ତିନାମା ସରିନାହିଁ। ତହସିଲଦାରଙ୍କଠାରୁ ସନ୍ଦେହଜନକ ଚାଷୀ ସମ୍ପର୍କରେ ତଥ୍ୟ ଆସିପାରି ନାହିଁ। ସବୁ ଠିକ୍‌ଠାକ୍‌ ହେବା ପରେ ଧାନ କିଣା ଆରମ୍ଭ ହେବ ବୋଲି କହିଛନ୍ତି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri