ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ମାମଲା ରୁଜୁ


କୁଜଙ୍ଗ,୪।୧୨(ସ୍ବ.ପ୍ର.) କୁଜଙ୍ଗ ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଗତ ଶୁକ୍ରବାର ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ପ୍ରାଥମିକ ତଦନ୍ତ ପରେ ପୋଲିସ ଏହାକୁ ଅପମୃତ୍ୟୁ କହିଥିବାବେଳେ ପରିବାର ପକ୍ଷରୁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଘଟଣାଦିନ ଯୁବତୀଙ୍କ ମାମୁଁ ଏ ନେଇ ଥାନାରେ ଅଭିଯୋଗ କରିଥିବାବେଳେ ଏହାର ୩ଦିନ ପରେ ସୋମବାର ତାଙ୍କ ମା’ ଆଉ ଏକ ଏତଲା ଦେଇଛନ୍ତି। ଏଥିରେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ସେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଯୁବତୀଙ୍କ କେତେକ ଆପତ୍ତିଜନକ ଫଟୋ ସହ ଅନ୍ୟ ଜଣେ ଯୁବକଙ୍କ ଫଟୋ ଭାଇରାଲ ହୋଇଥିବା ଜଣାଯାଇଛି। ସମ୍ପୃକ୍ତ ଯୁବକ ମଧ୍ୟ ତାଙ୍କୁ ବ୍ଲାକ୍‌ମେଲିଂ କରିଥିବା ଯୁବତୀଙ୍କ ଫୋନ୍‌ରୁ ପୋଲିସ ଜାଣିବାକୁପାଇଛି। ଏପରି କି ସମ୍ପୃକ୍ତ ଯୁବକଙ୍କ ସହ ଅନ୍ୟ କେତେଜଣ ତାଙ୍କ ପରିବାରକୁ ଫୋନ୍‌ କରି ଧମକ ଦେଇଥିବା ଏତଲାରେ ଦର୍ଶାଯାଇଛି। ଫଳରେ ସମଗ୍ର ଘଟଣା ଏବେ ରହସ୍ୟାବୃତ୍ତ ହୋଇପଡିଛି। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ଏବେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏ ସମ୍ପର୍କରେ କୁଜଙ୍ଗ ଥାନା ସବ୍‌ଇନ୍ସପେକ୍ଟର ବିଚିତ୍ରାନନ୍ଦ ସାମଲ କହିଛନ୍ତି ଯେ, ଘଟଣାର ତଦନ୍ତ ଜାରି ରହିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଭିଯୋଗ ଅନୁଯାୟୀ, ଯୁବତୀଙ୍କ ମା’ ଓ ବାପା ଉଭୟେ ଶିକ୍ଷକତା କରନ୍ତି। ସେ ମଧ୍ୟ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିଲେ। ତେବେ ଗତ ୧ ତାରିଖରେ ସେ ସ୍କୁଲ ଯାଇ ନ ଥିଲେ। ସେଦିନ ମଧ୍ୟାହ୍ନରେ ତାଙ୍କ ମା’ସ୍କୁଲରୁ ଘରକୁ ଫେରି ଦେଖନ୍ତି ତ ଘରର ସମସ୍ତ ଗେଟ୍‌ ଖୋଲା ରହିଛି। ଘର ଭିତରକୁ ଯିବା ପରେ ତାଙ୍କ ବେଡ୍‌ରୁମରେ ଏକ ଟୁଲ ଉପରେ ଝିଅ ବସିରହିଥିବା ଓ ଏକ ଓଢଣି ତାଙ୍କ କେଶରେ ବନ୍ଧାହୋଇ ଉପର ଫ୍ୟାନ୍‌ରେ ଲାଗିଥିବା ଦେଖିଥିଲେ। ଏହା ଦେଖି ଯୁବତୀଙ୍କ ମାମୁଁ ଓ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ଯୁବତୀଙ୍କ ମୃତଦେହ ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ପରେ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଘଟଣାଦିନ ଯୁବତୀଙ୍କ ମାମୁଁ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ତେବେ ଅଦ୍ୟାବଧି ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇନାହିଁ। ଘଟଣାର ୩ଦିନ ପରେ ଯୁବତୀଙ୍କ ମା’ ଥାନାରେ ଆଉ ଏକ ଏତଲା ଦେଇଛନ୍ତି। ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କ ଘରର ଦ୍ୱିତୀୟ ଦ୍ୱାର କବାଟ ଖିଡିକି ତଡ଼ାଯାଇଥିବା ସେ ଦେଖିଥିଲେ। ଏହା ଜଣାପଡିବାର କିଛି ଘଣ୍ଟା ପୂର୍ବରୁ ଏକ ନମ୍ବରରୁ କେହି ଜଣେ ତାଙ୍କୁ ଫୋନ କରି ଝିଅ ସମ୍ପର୍କରେ ପଚାରିଥିଲେ। ମୃତଦେହ ନିକଟରୁ ଜବତ କରାଯାଇଥିବା ମୋବାଇଲ ଫୋନରୁ ଜଣାପଡିଛି ଯେ, ଉକ୍ତ ନମ୍ବରରୁ ଝିଅ ସହ ଚାଟିଂ କରାଯାଇଛି। ଏପରି କି ତାଙ୍କୁ ବ୍ଲାକ୍‌ମେଲିଂ କରାଯାଇଛି। ପାରାଦୀପ ଅଞ୍ଚଳର ରଶ୍ମିରଞ୍ଜନ ପରିଡ଼ା ନାମକ ଜଣେ ଯୁବକ ଯୁବତୀଙ୍କ କେତେକ ଆପତ୍ତିଜନକ ଫଟୋ ସହ ନିଜ ଫଟୋ ଯୋଡ଼ି ଭାଇରାଲ କରିଥିବା ନଜରକୁ ଆସିଛି। ପୋଲିସ ମଧ୍ୟ ଜବତ ମୋବାଇଲରୁ ଏ ସମ୍ପର୍କରେ ଜାଣିପାରିଛି। ଘଟଣା ପୂର୍ବରୁ ମଧ୍ୟ ଅଭିଯୁକ୍ତ ଓ ଅନ୍ୟ କେତେଜଣ ତାଙ୍କ ପରିବାରକୁ ଫୋନ୍‌ କରି ଧମକ ଦେଇଥିବା ଏତଲାରେ ଦର୍ଶାଯାଇଛି। ଏନେଇ କୁଜଙ୍ଗ ଥାନାରେ କେସ୍‌ (ନଂ. ୧୮୭/୧୭) ରୁଜୁ ହୋଇଛି। ତୁରନ୍ତ ଏଭଳି ସମ୍ବେଦନଶୀଳ ଘଟଣାର ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri