ଅନୁମତି ବର୍ହିଭୂତ ଲଘୁଖଣିଜ ଲୁଟ ଅଭିଯୋଗ


ଯାଜପୁର ଅଫିସ,୪।୧୨- ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନସ୍ଥ ଡଙ୍କାରୀ ଓ ରାହାଡପୁର ମୌଜାରେ ସମୁଦାୟ ୧୯ଗୋଟି ସୈରାତକୁ ସରକାର ଲିଜ୍‌ ପ୍ରଦାନ କରିଛନ୍ତି। ମାତ୍ର ଅଧିକାଂଶ ଲିଜଧାରୀ ପରିବେଶ ମଞ୍ଜୁରୀ ଓ ମାଇନିଂ ପ୍ଲାନ ବିନା ବେଆଇନ ବିସ୍ଫୋରକ ବ୍ୟବହାର କରି ପାହାଡ଼ରେ ବିସ୍ଫୋରଣ ଘଟାଇ କଳାପଥର ଉତ୍ତୋଳନ କରି ଆସୁଛନ୍ତି। ଏହିଦୁଇ ପାହାଡ଼ରୁ ୨୦୦ ରୁ ୪୦୦ ମିଟର ବ୍ୟବଧାନରେ ଜନବସତି ରହିଥିବାରୁ ଅଞ୍ଚଳବାସୀ ବ୍ୟାପକ ପ୍ରଦୂଷଣର ଶିକାର ହେଉଛନ୍ତି। ସ୍କୁଲରେ ପାଠ ପଢୁଥିବା କୋମଳମତି ପିଲାମାନେ ମଧ୍ୟ ଏହାର ପ୍ରଭାବରେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଲିଜ୍‌ଧାରୀ ନିରଞ୍ଜନ ରାଉତ ଓ ନାରାୟଣ ରାଉତ ଅନୁମତିଠାରୁ ଅଧିକ ୪୬ହଜାର ଘନମିଟର ପରିମାଣର କଳାପଥର ଉତ୍ତୋଳନ କରି ନେଇଥିବା ଅଭିଯୋଗ ହୋଇଛି। ଏହି ମର୍ମରେ ଭାଜପାର ଏକ ପ୍ରତିନିଧି ଦଳ ସୋମବାର ଜିଲାପାଳ ରଞ୍ଜନ କୁମାର ଦାସଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଆହୁରି ଦର୍ଶାଯାଇଛି ଯେ, ଧର୍ମଶାଳା ତହସିଲ ଅଞ୍ଚଳ ଏବେ ଲଘୁ ଖଣିଜ ମାଫିଆଙ୍କ ଭୂସ୍ବର୍ଗରେ ପରିଣତ ହୋଇଛି। ସ୍ଥାନୀୟ ପୋଲିସ ଓ ପ୍ରଶାସନକୁ ହାତବାରିସୀ କରି ମୂଲ୍ୟବାନ କଳାପଥର ଲୁଟ୍‌ ଚାଲିଛି ା ଗୋଟିଏ ପଟେ ଚୋରିକୁ ଅନ୍ୟପଟେ ଲିଜଧାରୀଙ୍କ ଦ୍ୱାରା ବେଆଇନ ଖନନ ସହିତ ଅନୁମତି ବର୍ହିଭୂତ ଲଘୁଖଣିଜ ଉତ୍ତୋଳନ ଦ୍ୱାରା ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବହାନୀ ହେଉଛି। କେବଳ ସେତିକି ନୁହେଁ ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ପ୍ରାକୃତିକ ପରିବେଶ ବ୍ୟାପକ ଭାବେ ପ୍ରଦୂଷିତ ହେଉଛି। ପ୍ରଭାବିତ ଅଞ୍ଚଳବାସୀ ବେଆଇନ ଖନନକୁ ପ୍ରତିବାଦ କଲେ ମଧ୍ୟ ମାଫିଆଙ୍କ ନାଲି ଆଖି ଓ ପୋଲିସର ଚାପ ଲୋକଙ୍କ ସ୍ବରକୁ ଚପାଇ ଦେଉଛି ା ପ୍ରତିନିଧି ଦଳରେ ଭାଜପାର ଉପସଭାପତି ସର୍ବେଶ୍ୱର ବେହୁରା, ସାଧାରଣ ସମ୍ପାଦକ ସୁଦୀପ୍ତ କୁମାର ପଣ୍ଡା, ରାଜ୍ୟ ପରିଷଦ ସଭ୍ୟ ଉଦୟନାଥ ସାହୁ, ଡଙ୍କାରୀ ନାରୀ ଜାଗରଣ ସମିତିର ସଭାପତି ସାବିତ୍ରୀ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri