ଦିବ୍ୟାଙ୍ଗଙ୍କ ପାଇଁ ଦରଦ ଏମିତି : ୧୧ ଅତିଥିଙ୍କ ମଧ୍ୟରୁ ଜଣେ ବି ଯୋଗ ଦେଲେନି


ଜଗତ୍‌ସିଂହପୁର ଅଫିସ, ୩।୧୨: ଭିନ୍ନକ୍ଷମଙ୍କୁ ଭିନ୍ନ ଦୃଷ୍ଟିରେ ନ ଦେଖି ଅନ୍ୟମାନଙ୍କ ସହ ସମାନ ବୋଲି ଦର୍ଶାଇବାକୁ ବିଶ୍ୱବ୍ୟାପୀ ଚାଲିଛି ଅଭିଯାନ। ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରି ସେମାନଙ୍କ ମଧ୍ୟରେ ଆତ୍ମବଳ ବୃଦ୍ଧି ସହ ସକାରାତ୍ମକ ପରିବେଶ ସୃଷ୍ଟି କରିବା ଓ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ପ୍ରୟାସ ଜାରି ରହିଛି। କିନ୍ତୁ ରବିବାର ଜଗତ୍‌ସିଂହପୁରରେ ଯେଭଳି ଭାବେ ଏହି ଦିବସ ପାଳିତ ହେଲା ତାହା ଆମର ଜନପ୍ରତିନିଧି, ପ୍ରଶାସନ ତଥା ବରିଷ୍ଠ ଅଧିକାରୀମାନଙ୍କ ଭିନ୍ନକ୍ଷମଙ୍କ ପ୍ରତି ଥିବା ଆନ୍ତରିକ ଦରଦକୁ ପଦାରେ ପକାଇଦେଇଛି। ସ୍ଥାନୀୟ ଟାଉନ ହଲ ପରିସରରେ ପାଳିତ ହୋଇଥିବା ଏହି ଦିବସ ଯେଭଳି ହେବ ବୋଲି ଆଶା କରାଯାଉଥିଲା ତାହା ହୋଇପାରିନାହିଁ। କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେବାକୁ ଥିବା ମନ୍ତ୍ରୀ, ଯୋଜନା ବୋର୍ଡ ଉପାଧ୍ୟକ୍ଷ, ବିଧାୟକଙ୍କ ସମେତ ମୋଟ ୧୧ ଅତିଥିଙ୍କ ମଧ୍ୟରୁ କେହି ଜଣେ ବି ଆସିଲେନି। କେବଳ ଏତିକି ନୁହେଁ ଜିଲାପାଳ, ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ (ଡିପିସି)ଙ୍କୁ ମଧ୍ୟ ଦେଖିବାକୁ ମିଳିଲାନାହିଁ। ଏହା ପଛର କାରଣ ଯାହା କିଛି ଥାଉ ନା କାହିଁକି ସମସ୍ତ ଅତିଥିଙ୍କ ଅନୁପସ୍ଥିତି ଉପସ୍ଥିତ ଭିନ୍ନକ୍ଷମଙ୍କୁ ଗଭୀର ଆଘାତ ଦେଇଛି। ଏମିତି ଦେଖିବାକୁ ଗଲେ ଜଗତ୍‌ସିଂହପୁରରେ ଆୟୋଜିତ ହୋଇଆସୁଥିବା ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ନେତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲେ। ଏଥିପାଇଁ ପ୍ରଶାସନକୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। କିନ୍ତୁ ମଞ୍ଚପ୍ରିୟ ଏହି ନେତାମାନେ କେଉଁ କାରଣରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କଲେନାହିଁ ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଅନେକଙ୍କ କହିବା କଥା ହେଲା, ଭିନ୍ନକ୍ଷମ ପିଲାମାନଙ୍କ ଆଗରେ ନେତାମାନେ ନିଜର ଆତ୍ମପ୍ରଚାର କରି କିଛି ଲାଭନାହିଁ ବୋଲି ଭାବୁଛନ୍ତି। କାରଣ ଭିନ୍ନକ୍ଷମମାନଙ୍କ ମଧ୍ୟରୁ ଅନେକେ ସେମାନଙ୍କୁ ଦେଖିପାରନ୍ତି ନାହିଁ ଓ ଅନେକେ ସେମାନଙ୍କ ଉଚ୍ଚକୋଟୀର ଭାଷଣ ଶୁଣିପାରନ୍ତି ନାହିଁ। ସେହିପରି ଭିନ୍ନକ୍ଷମଙ୍କଠାରୁ ଭୋଟ ଆଶା କରି କିଛି ଭାଷଣ ଦେବା ଉଚିତ ନ ମଣି ଏହି ନେତାମାନେ ଯୋଗଦେବାକୁ ଇଛା ପ୍ରକାଶ କଲେନାହିଁ। ଅତିଥିମାନଙ୍କ ଅନୁପସ୍ଥିତିକୁ ନେଇ ଏଭଳି ଅନେକ କଥା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି। ସୂଚନା ଅନୁଯାୟୀ, କୃଷି ମନ୍ତ୍ରୀ ଦାମୋଦର ରାଉତ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ, ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି, ଜଗତ୍‌ସିଂହପୁର ଲୋକସଭା ଏମ୍‌ପି କୁଳମଣି ସାମଲ, ରାଜ୍ୟସଭା ଏମ୍‌ପି ରଞ୍ଜୀବ ବିଶ୍ୱାଳ, ଜଗତ୍‌ସିଂହପୁର ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ, ଜିଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳ, ଜଗତ୍‌ସିଂହପୁର ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଏସ୍‌ପି ଜୟନାରାୟଣ ପଙ୍କଜ ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ମହେଶ୍ୱର ପ୍ରଧାନ ପ୍ରମୁଖ ଏହି ଦିବସରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ଜିଲାପାଳ ଯାମିନୀ ଷଡ଼ଙ୍ଗୀ ସଭାପତି ଓ ଡିପିସି ସପନ ଜେନା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥାନ୍ତେ। କିନ୍ତୁ ସେମାନେ ମଧ୍ୟ ଅନୁପସ୍ଥିତ ରହିଲେ। କାର୍ଯ୍ୟକ୍ରମ ସକାଳ ୯ରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବାର ଥିଲା। ପ୍ରାରମ୍ଭରେ ସ୍ଥାନୀୟ ଆଶ୍ରା ଅନୁଷ୍ଠାନ ପରିସରରେ ଜିଲାପାଳ ଭିନ୍ନକ୍ଷମ ପତାକା ଉତ୍ତୋଳନ କରିଥାନ୍ତେ। ପୂର୍ବାହ୍ନ ୧୧ଟାରେ ସଭା ହୋଇଥାନ୍ତା। କିନ୍ତୁ ସମୟ ଗଡ଼ି ଚାଲିଲା। କାର୍ଯ୍ୟକ୍ରମ ବିଳମ୍ବ ହୋଇଚାଲିଲା। ଶେଷରେ କୌଣସି ଜଣେ ବି ଅତିଥି ଆସିବେନାହିଁ ବୋଲି ଜଣାପଡିବାରୁ ଆୟୋଜକ ତରବରିଆ ଭାବେ ଅନ୍ୟମାନଙ୍କୁ ଅତିଥି କରିବାକୁ ନିଷ୍ପତ୍ତି ନେଲେ। ଉପଜିଲାପାଳ ସୁଭାଷ ଚନ୍ଦ୍ର ନାଥଶର୍ମା ମୁଖ୍ୟଅତିଥି ଭାବେ ଯୋଗଦେଲେ। ଭିନ୍ନକ୍ଷମଙ୍କୁ ସଶକ୍ତୀକରଣ କରିବା, ସେମାନଙ୍କ ମନରେ ଆଶା ସଞ୍ଚାର ସହ ମୁଖ୍ୟସ୍ରୋତରେ ସାମିଲ କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଲେ। ଅନ୍ୟତମ ଅତିଥି ସହକାରୀ ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ) ଡା. ପ୍ରଭାତ କୁମାର ବସ୍ତିଆ କହିଲେ ଯେ ଭିନ୍ନକ୍ଷମମାନେ ଆଜି ଜାତୀୟ, ଅନ୍ତର୍ଜାତୀୟସ୍ତରରେ ସୁନାମ ଆଣିପାରିଛନ୍ତି। ସେମାନଙ୍କୁ ଭିନ୍ନ ଦୃଷ୍ଟିରେ ନୁହେଁ, ସାଧାରଣ ଲୋକଙ୍କ ପରି ଦେଖିବା ଉଚିତ। ଏଥିନେଇ ପ୍ରତ୍ୟେକଙ୍କ ମନରେ ସଚେତନତା ସୃଷ୍ଟି ହେବା ଆବଶ୍ୟକ। ଉତ୍ସବରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ (ଡିଏସ୍‌ଏସ୍‌ଓ) ହରେନ୍ଦ୍ର କୁମାର ଦେହୁରୀ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ଉତ୍ସବରେ ଆଶ୍ରା ଅନୁଷ୍ଠାନର ସଭାପତି ଶିଶିର ଦାସ ଜଗତ୍‌ସିଂହପୁରସ୍ଥିତ ତାଙ୍କ ଅନୁଷ୍ଠାନରେ ୧୩୬ ଜଣ ଭିନ୍ନକ୍ଷମଙ୍କୁ ରଖାଯାଇଥିବା କହିଥିଲେ। ୧୯୯୨ରେ ସମୀର ମହାନ୍ତିଙ୍କ ପ୍ରଚେଷ୍ଟାରେ ଆଶ୍ରା ଅନୁଷ୍ଠାନ ଗଢି ଉଠିଥିଲା। ଭିନ୍ନକ୍ଷମ ଆବାସିକ ସ୍କୁଲ ପ୍ରତିଷ୍ଠା ପାଇଁ ଜିଲା ପ୍ରଶାସନ ତରଫରୁ ସ୍ଥାନୀୟ ସିଂହାରପୁରଠାରେ ୧ ଏକର ଜମି ଯୋଗାଇ ଦିଆଯାଇଛି । କିନ୍ତୁ ତାହା ପର୍ଯ୍ୟାପ୍ତ ନୁହେଁ। ତେଣୁ ତୁରନ୍ତ ଅଧିକ ଜମି ଓ ଆର୍ଥିକ ସହାୟତା ପ୍ରଦାନ କରାଗଲେ ଭିନ୍ନକ୍ଷମମାନେ ଉପକୃତ ହେବେ ବୋଲି ସେ ପ୍ରକାଶ କରିଥିଲେ। ପୂର୍ବାହ୍ନ ୯ଟାରେ ଭିନ୍ନକ୍ଷମ ପିଲାମାନଙ୍କର ଏକ ଶୋଭାଯାତ୍ରା ଟାଉନ ହଲ ଛକ ନିକଟରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ପଡିଆ ପର୍ଯ୍ୟନ୍ତ ଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଭିନ୍ନକ୍ଷମଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଆଶ୍ରାର ସମ୍ପାଦକ ଅଜୟ ଖୁଣ୍ଟିଆ ଓ ସଂଯୋଜକ ନିରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri