ବିରୋଧ ଆଶଙ୍କାରେ ଜନଶୁଣାଣିକୁ ଭୟ


ଯାଜପୁର ଅଫିସ,୩। ୧୨ ଇମାମି, ଜେଏସ୍‌ଡବ୍ଲ୍ୟୁ, ରାମ୍‌କୋ ପରେ ଏବେ ଜିଏମ୍‌ ଆଇରନ ଆଣ୍ଡ ଷ୍ଟିଲ ନାମକ ଏକ କମ୍ପାନୀ ସିମେଣ୍ଟ କାରଖାନା ନିମନ୍ତେ କଳିଙ୍ଗନଗରରେ ପାଦ ଥାପିଛି। ରାଜ୍ୟର ଆର୍ଥିକ ଅଭିବୃଦ୍ଧି ପାଇଁ ଶିଳ୍ପାୟନର ଆବଶ୍ୟକତା ରହିଛି। ମାତ୍ର ଏହାଦ୍ୱାରା ଲୋକମାନେ କେତେ ନିଯୁକ୍ତି ପାଉଛନ୍ତି ଏବଂ ସ୍ଥାନୀୟ ଅଞ୍ଚଳର ବିକାଶ କେତେ ହେଉଛି, ଆଉ କିଏ ଅଧିକ ଲାଭବାନ ହେଉଛି ସେ ସମ୍ପର୍କରେ ସରକାରଙ୍କ କୌଣସି ଆୟତ୍ତ ଥିଲା ଭଳି ମନେ ହେଉନାହିଁ। ଯାଜପୁର ଜିଲାରେ ଚାଲିଥିବା ଶିଳ୍ପାୟନରେ ଏହା ଜଳ ଜଳ ଦିଶୁଛି । ସ୍ଥାନୀୟ ବେକାରୀ ସମସ୍ୟା ଦୂର କରିବା ପରିବର୍ତ୍ତେ ବାହାର ରାଜ୍ୟର ଅଧିକ ଠିକାଦାର ଏଠାରେ ନିୟୋଜିତ ହେଉଛନ୍ତି। ସ୍ଥାନୀୟ ଶିକ୍ଷିତ ଯୁବତୀଯୁବକଙ୍କୁ ଏଠାରେ ନିଯୁକ୍ତି ମିଳୁନାହିଁ। ଅଭିଜ୍ଞତା ଆଳରେ ରାଜ୍ୟ ବାହାରର ଲୋକଙ୍କୁ ଆଣି ଏଠାରେ ନିୟୋଜନ କରାଯାଉଛି। ଫଳରେ ବିସ୍ଥାପନ ଓ ପ୍ରଦୂଷଣର ଦୁଃଖ ସାଙ୍ଗକୁ ଶିଳ୍ପ ସଂସ୍ଥାର ଏଭଳି କାର୍ଯ୍ୟ ଲୋକଙ୍କୁ ଆନ୍ଦୋଳନମୁଖୀ ତଥା ବିଦ୍ରୋହୀ କରୁଛି। ଯଦ୍ୱାରା ଆଗନ୍ତୁକ ଶିଳ୍ପ କମ୍ପାନୀ କର୍ତ୍ତୃପକ୍ଷ ଜାଣିଶୁଣି ଜନଶୁଣାଣି କରିବାକୁ ସାହାସ ଜୁଟାଇ ପାରୁ ନାହାନ୍ତି। କୌଣସି ଶିଳ୍ପ କାରଖାନା ପ୍ରତିଷ୍ଠା କରିବାକୁ ହେଲେ ପ୍ରଥମେ ଜନଶୁଣାଣି ଓ ପରେ ପରିବେଶ ଅନୁମତି ପାଇଁ ଆବେଦନ କରିବାର ନିୟମ ରହିଛି। କିନ୍ତୁ ଯାଜପୁର ଜିଲାରେ ବିନା ଜନଶୁଣାଣିରେ ରାମ୍‌କୋ ପରେ ଜିଏମ୍‌ ଆଇରନ ଆଣ୍ଡ ଷ୍ଟିଲକୁ କଳିଙ୍ଗନଗରରେ ଅନୁମତି ମିଳିଛି । ଏହି ପ୍ରସ୍ତାବିତ କମ୍ପାନୀକୁ ୧୦ଏକର ଜମି ଯୋଗାଇ ଦେବାକୁ ଗତ ନଭେମ୍ବର ୨୮ତାରିଖରେ ଜଗତପୁର ଆଞ୍ଚଳିକ ଶିଳ୍ପ କେନ୍ଦ୍ର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଡିଏଲ୍‌ଏଫ୍‌ସି(ଡିଷ୍ଟ୍ରିକ୍ଟ ଲେଭେଲ ଫେସିଲିଟେଶନ ସେଲ) ବୈଠକରେ ଇଡକୋକୁ ସୁପାରିଶ କରିବାକୁ ନିଷ୍ପତ୍ତି ହୋଇଛି । ରାଜ୍ୟର ଉତ୍କଟ ବେକାରୀ ସମସ୍ୟା ପରିପ୍ରେକ୍ଷୀରେ ଅନ୍ଧାଦୁନିଆ ଶିଳ୍ପାୟନକୁ ଗ୍ରହଣୀୟ କରାଇବା ପାଇଁ ରାଜ୍ୟ ସରକାର ନିଯୁକ୍ତିର ଲଲିପପ୍‌ ଦେଖାଉଛନ୍ତି। ଖାଲି ନିଯୁକ୍ତି ନୁହେଁ କୌଣସି କ୍ଷେତ୍ରରେ ଘରୋଇ ଶିଳ୍ପାନୁଷ୍ଠାନଗୁଡିକ ଉପରେ ଅଙ୍କୁଶ ଲଗାଇ ପାରି ନ ଥିବାରାଜ୍ୟ ସରକାର ନିଜର ପାରିବା ପଣିଆ ଦେଖାଇବାକୁ ଭୁଲ ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ଯାଜପୁର ଜିଲାରେ ଗଢି ଉଠିଥିବା ଶିଳ୍ପ ଅନୁଷ୍ଠାନଗୁଡିକର ନିଯୁକ୍ତି ଚିତ୍ରରୁ ଏହା ସ୍ପଷ୍ଟ ହୋଇଯାଉଛି। ତାମିଲନାଡୁ ରାଜ୍ୟର ବିରୁଧୁନଗର ରାଜାପଲୟମ ତହସିଲ ଅଧିନସ୍ଥ ରାମ୍‌କୋ ସିମେଣ୍ଟ କମ୍ପାନୀ ୪୪୦ କୋଟି ଟଙ୍କା ବ୍ୟୟରେ ଧର୍ମଶାଳା ବ୍ଲକ ହରିଦାସପୁର ନିକଟରେ ୧୦୦ ଏକର ଜମିରେ ଏକ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ ସ୍ଥାପନ କରିବାକୁ ପ୍ରସ୍ତାବ ରଖିଛି। ଗତ ନଭେମ୍ବର ୧୬ ତାରିଖରେ ଏହି କମ୍ପାନୀର ଶିଳାନ୍ୟାସ ହୋଇସାରିଛି। କିନ୍ତୁ ବିଡମ୍ବନା ଯେ, ଏହି କମ୍ପାନୀ ଏଯାଏ କୌଣସି ଜନଶୁଣାଣି କରି ନାହିଁ। ବିନା ଜନଶୁଣାଣିରେ କିଭଳି ଭାବରେ ପରିବେଶଗତ ଅନୁମତି ଆବେଦନ କରିବ କିମ୍ବା କରି ସାରିଛି ତାହା ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାବାଦ ରାମକୋର ପ୍ରସ୍ତାବିତ ଜମିକୁ ୨୦୧୨-୧୩ ମସିହାରେ ପ୍ରବୀଣ କୁମାର ବାତ୍ରା ନାମକ ଜଣେ ବ୍ୟକ୍ତି ଲୋକଙ୍କଠାରୁ ୧୦୦ ଏକର ଜମି ସିଧାସଳଖ କିଣିଥିଲେ। ପରବର୍ତ୍ତି ସମୟରେ ଫେକର ଏଠାରେ ଏକ ଫେରୋ ଆଲଏଜ କାରଖାନା ସ୍ଥାପନ କରିବାକୁ କହି ଉକ୍ତ ଜମିକୁ କିଣି ନେଇଥିଲା। କିନ୍ତୁ ଫେକର କାରଖାନା ନ କରି ଏହି ଜମିକୁ ପୁଣି ରାମ୍‌କୋ କମ୍ପାନୀକୁ ବିକ୍ରୀ କରି ଦେଇଛି । ସରକାରୀ ଭାବେ ଏହି ଜମି ଅଧିଗ୍ରହଣ ହୋଇ ନାହିଁ । ଫଳରେ ଅଞ୍ଚଳର ବିକାଶ ଓ ନିଯୁକ୍ତି ପ୍ରତି ଜିଲା ପ୍ରଶାସନ କିଭଳି ଭାବରେ କର୍ତ୍ତୃତ୍ୱ ଜାହିର କରି ପାରିବ ସେ ନେଇ ସନ୍ଦୀହାନ ଦେଖା ଦେଇଛି । ଯଦ୍ୱାରା ଅଞ୍ଚଳରେ ବିରୋଧାଭାସ ଦେଖିବାକୁ ମିଳିଛି । ତେବେ ପୂର୍ବରୁ ଇମାମି ଓ ଜେଏସ୍‌ଡବ୍ଲ୍ୟୁ ଜନଶୁଣାଣି କରି ଲୋକଙ୍କ ସମର୍ଥନ ହାସଲ କରି କାରଖାନା ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି। ଏହିକ୍ରମରେ କଳିଙ୍ଗନଗରରେ ଜିଏମ୍‌ ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ପୋର୍ଟଲାଣ୍ଡ ସ୍ଲାଗ ସିମେଣ୍ଟ ୟୁନିଟ ସ୍ଥାପନ କରିବାକୁ ଇଡ୍‌କୋ ନିକଟରେ ୧୦ଏକର ଜମି ଯୋଗାଇ ଦେବାକୁ ଆବେଦନ କରିଛି। ପ୍ରଥମ ପର୍ଯ୍ୟାୟରେ ଏହି କମ୍ପାନୀ ପ୍ରାୟ ୪୭.୭୭ କୋଟି ଟଙ୍କା ବିନିଯୋଗ କରିବ। ଏଥିରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ୧୦୮ ଜଣ ନିଯୁକ୍ତି ପାଇବେ। ତେଣୁ କମ୍ପାନୀକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ଡିଏଲ୍‌ଏଫ୍‌ସି ବୈଠକରେ ଯୋଗଦେଇ ଜିଏମ କମ୍ପାନୀର ପ୍ରତିନିଧି ଏଲ.ଭି. ପ୍ରସାଦ ଅନୁରୋଧ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri