ଅବସରପ୍ରାପ୍ତ ସୈନିକଙ୍କ ବୃକ୍ଷରୋପଣ ନିଶା


ଚଣ୍ଡିଖୋଲ,୩। ୧୨(ଡି.ଏନ୍‌.ଏ.) ବୃକ୍ଷ ହିଁ ଜୀବନ। ବର୍ତ୍ତମାନ ଆଧୁନିକ ଯୁଗରେ ଲୋକମାନେ ବୃକ୍ଷକୁ କାଟି ସହରରେ ବଡ଼ ବଡ଼ କୋଠାଘର ନିର୍ମାଣ କରିବାରେ ଲାଗିଛନ୍ତି। ଫଳରେ ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ପାଇ ପରିବେଶ ପ୍ରଦୂଷିତ ହେବା ସହ ଲୋକମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଏଥିସହିତ ବର୍ଷା ଠିକ୍‌ ଭାବେ ହୋଇପାରୁନାହିଁ। ତେଣୁ ଏହି ସମସ୍ତ ସମସ୍ୟାକୁ ରୋକିବା ପାଇଁ ହେଲେ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏ ଗଛ ଲଗାଇବା ଜରୁରୀ। ଏଭଳି ଜଣେ ବ୍ୟକ୍ତି ଅଛନ୍ତି, ଯେ କି ବୃକ୍ଷରୋପଣକୁ ନିଜ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ଭାବେ ଗ୍ରହଣ କରିନେଇଛନ୍ତି। ୨୮ ବର୍ଷ ଧରି ସୈନ୍ୟ ବିଭାଗରେ ଚାକିରି କରିବା ପରେ ଅବସର ନେଇ ବୃକ୍ଷ ରୋପଣକୁ ନିଜର ଏକମାତ୍ର ଲକ୍ଷ୍ୟ ରଖି ଦୀର୍ଘ ୮ ବର୍ଷ ମଧ୍ୟରେ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ବୃକ୍ଷରୋପଣ କରିସାରିଛନ୍ତି। ବଡ଼ଚଣା ବ୍ଲକ କଳାଶ୍ରୀ ଗ୍ରାମର କ୍ଷୀରୋଦ କୁମାର ଜେନା ୨୮ ବର୍ଷ ଧରି ସୈନ୍ୟ ବିଭାଗରେ କାର୍ଯ୍ୟ କରୁଥିଲେ। ଅବସର ନେବା ପରେ ବୃକ୍ଷରୋପଣକୁ ନିଜର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଭାବେ ଗ୍ରହଣ କରିଲେ। ୮ ବର୍ଷ ମଧ୍ୟରେ ପ୍ରାୟ ୨୦ ହଜାରରରୁ ଊର୍ଦ୍ଧ୍ୱ ଆମ୍ବଗଛ ଲଗାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେ ଯାହା ପେନସନ୍‌ ପାଆନ୍ତି ତାହାକୁ ବୃକ୍ଷରୋପଣ କରିବାରେ ଖର୍ଚ୍ଚ କରି ଦିଅନ୍ତି। ଏଥିସହିତ ଅନ୍ୟମାନଙ୍କଠାରୁ ସାହାଯ୍ୟ ଭିକ୍ଷା କରି ମଧ୍ୟ ବୃକ୍ଷରୋପଣ କରିଥାନ୍ତି। ପ୍ରକୃତି ବନ୍ଧୁ ଭାବେ ଅନେକ ଥର ପୁରସ୍କୃତ ହୋଇଥିବା ଏହି ଅବସରପ୍ରାପ୍ତ ସୈନିକଙ୍କୁ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି। ଯାଜପୁର ଏସ୍‌ପି ଚରଣ ସିଂହ ମିନା ତାଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଓଡ଼ିଶା ପାଇଁ ଆବଶ୍ୟକ ହେଉଥିବା ଆମ୍ବ ଅନ୍ୟ ରାଜ୍ୟରୁ ଆସୁଥିବା ଯୋଗୁ ଦୀର୍ଘ ୮ ବର୍ଷ ହେବ ସେ ଆମ୍ବଗଛ ଲଗାଉଛନ୍ତି। ଫଳରେ ରାଜ୍ୟ ପାଇଁ ଆବଶ୍ୟକ ହେଉଥିବା ଆମ୍ବ ପରବର୍ତ୍ତୀ ସମୟରେ ବାହାରୁ ଆସିବ ନାହିଁ ବୋଲି ତାଙ୍କର ଏକ ବିଶ୍ୱାସ ରହିଛି। ଦିନକୁ ଦିନ ଜଙ୍ଗଲ ହ୍ରାସ ପାଇବା ଫଳରେ ବନ୍ୟପ୍ରାଣୀମାନେ ନିଜର ଆହାର ପାଇଁ ଗ୍ରାମାଞ୍ଚଳକୁ ଚାଲିଆସୁଛନ୍ତି। ଯଦି ଅଧିକ ବୃକ୍ଷରୋପଣ ହେବ ତେବେ ଏଭଳି ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି ସେ କୁହନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri