ଅଦିନିଆ ବର୍ଷାରେ ଧାନ ନଷ୍ଟ ହେବା ଘଟଣା: କ୍ଷତିପୂରଣ ପାଇଁ ୯ହଜାରରୁ ଊର୍ଦ୍ଧ୍ୱ ଆବେଦନ


ବିଞ୍ଝାରପୁର,୨୦।୧୧(ଡି.ଏନ.ଏ)- ଗତ ସପ୍ତାହରେ ଅଦିନିଆ ଲଗାଣ ବର୍ଷା ଫଳରେ ବିଞ୍ଝାରପୁର ବ୍ଲକର ୨୯ଟି ପଞ୍ଚାୟତରେ ୮୦ପ୍ରତିଶତରୁ ଊର୍ଦ୍ଧ୍ୱ ଚାଷଜମି ପ୍ରଭାବିତ ହୋଇଥିଲା। ଏହାକୁ ନେଇ ଚାଷୀ ମହଲରେ ତୁମ୍ଭିତୋଫାନ ହେବା ପରେ ଖୋଦ ଜିଲାପାଳ ଓ କୃଷି ବିଭାଗ ବରିଷ୍ଠ ଅଧିକାରୀମାନେ ପରିଦର୍ଶନ କରି ଚାଷୀଙ୍କ ଦୂରାବସ୍ଥା ନିଜ ସ୍ବଚକ୍ଷୁରେ ଦେଖିଥିଲେ। ତେବେ ଅଦିନିଆ ବର୍ଷାରେ କ୍ଷତି ହୋଇଥିବା ଫସଲକୁ କ୍ଷତିପୂରଣ ଦିଆଯିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଜଳସେଚିତ ଜମି ଏକର ପିଛା ୧୩ହଜାର ୫୦୦ ଓ ଅଣଜଳସେଚିତ ଚାଷଜମିକୁ ଏକର ପିଛା ୬ହଜାର ୫ଶହ ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଛି। ସୋମବାର ଚାଷୀମାନେ ନିଜର କ୍ଷୟକ୍ଷତି ସମ୍ପର୍କରେ ଆବେଦନ କରିପାରିବେ ବୋଲି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଥିଲା। ଏଥିପାଇଁ ପ୍ରଶାସନ ପକ୍ଷରୁ ୨୯ଟି ପଞ୍ଚାୟତରେ ଡାକବାଜି ଯନ୍ତ୍ର ଦ୍ୱାରା ଚାଷୀଙ୍କୁ ଅବଗତ କରାଯାଇଥିଲା। ସୋମବାର ପୂର୍ବାହ୍ନ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଷୀମାନେ ସେମାନଙ୍କ କ୍ଷୟକ୍ଷତି ସମ୍ପର୍କରେ ଆବେଦନ କରିବାକୁ କୁହାଯାଇଥିଲା। ସନ୍ଧ୍ୟାସୁଦ୍ଧା ବ୍ଲକର ୯ହଜାରରୁ ଊର୍ଦ୍ଧ୍ୱ ଚାଷୀ ଆବେଦନ କରିଥିବା ଜଣାପଡିଛି। ଚାଷୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ତହସିଲ କାର୍ଯ୍ୟାଳୟ ପକ୍ଷରୁ ୫ଟି କାଉଣ୍ଟର ଖୋଲାଯାଇ ଚାଷୀଙ୍କ ନିକଟରୁ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା। ତେବେ ଦୂରଦୂରନ୍ତାରୁ ଆସିଥିବା ବହୁ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥିଲେ। ତେବେ ଅସୁବିଧା ସତ୍ତ୍ୱେ ଚାଷୀମାନେ ଶାନ୍ତି ଶୃଙ୍ଖଳାର ସହ ଆବେଦନ ପତ୍ର ଦାଖଲ କରିଥିବା ଜଣାପଡିଛି । ଏସମ୍ପର୍କରେ ଭାରପ୍ରାପ୍ତ ତହସିଲଦାର ଚକ୍ରଧର ପାଢୀ କୁହନ୍ତି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଚାଷୀଙ୍କଠାରୁ ଆବେଦନ ପତ୍ର ଗ୍ରହଣ କରାଯାଇଛି। ତେବେ କ୍ଷୟକ୍ଷତି ସମ୍ପର୍କରେ ସଠିକ ତଦନ୍ତ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ପାଢୀ ସୂଚନା ଦେଇଛନ୍ତି। ଅପର ପକ୍ଷରେ ସରକାରଙ୍କଠାରୁ କ୍ଷତିପୂରଣ ପାଇବା ପାଇଁ ଚାଷୀ ଓ ଅଣଚାଷୀ ଏକକାର ହୋଇଥିବା ଦେଖିବାକୁ ମିଳିଥିଲା।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri