ବିପଦସଙ୍କୁଳ ଜାଗା ଏବେ ପର୍ଯ୍ୟଟକଙ୍କ ବୁଲିବା ସ୍ଥାନ


ପାରାଦୀପ,୧୦।୧୧(ସ୍ବ.ପ୍ର) ପାରାଦୀପର ନେହେରୁ ବଙ୍ଗଳା ମନ୍ମଦ ଉଦ୍ୟାନ ସଂଲଗ୍ନ ଅଞ୍ଚଳରେ ଏବେ ପ୍ରାୟ ୫ଏକରରୁ ଊର୍ଦ୍ଧ୍ୱ ପରିବ୍ୟାପ୍ତ ବାଲୁକା ଶଯ୍ୟା ସୃଷ୍ଟି ହୋଇଛି। ମହାନଦୀ ମୂହାଣର ଶେଷ ସୀମା ପଥରବନ୍ଧକୁ ଲାଗି ଏହି ଅଞ୍ଚଳ ଏକଦା ସବୁଠାରୁ ଅଧିକ ବିପଦପୂର୍ଣ୍ଣ ଥିଲା। ଏବେ କିନ୍ତୁ ଏଠାରେ ପର୍ଯ୍ୟଟକମାନେ ବୁଲିବାର ମଜା ଉଠାଉଛନ୍ତି। ନୂତନ ବାଲୁକା ଶଯ୍ୟାରେ ନାଲି କଙ୍କଡ଼ା ଖେଳୁଛନ୍ତି। ଏଥିସହ ସେହି ମୁହାଣ ଅଞ୍ଚଳରେ ପ୍ରଥମ କରି ଜଣେ ଯୁବକ ବୋଟିଂ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ମୁହାଣ ଅଞ୍ଚଳରେ ପଥର ବନ୍ଧ ସାଙ୍ଗକୁ ନୂଆ ବାଲୁକା ଶଯ୍ୟା ଓ ବୋଟ୍‌ ପର୍ଯ୍ୟଟକଙ୍କୁ ବେଶି ଆକର୍ଷିତ କରୁଛି। ସାଧାରଣତଃ ମୂହାଣ ଅଞ୍ଚଳ ପୂର୍ବରୁ ଅତ୍ୟନ୍ତ ବିପଦ୍‌ଜନକ ଥିଲା। କିନ୍ତୁ ଗତ କିଛିବର୍ଷ ହେଲା ମୁହାଣ ପୋତି ହେବା ସହ ବାଲି ଶଯ୍ୟା ସମୁଦ୍ର ଭିତରକୁ ମାଡ଼ି ଚାଲିଛି। ସେଠାରେ ବୋଟିଂ ବ୍ୟବସ୍ଥା ଆରମ୍ଭ କରିଥିବା ଯୁବକ ପ୍ରଦୀପ ସାହୁ କୁହନ୍ତି, ଏଥିପାଇଁ ସେ ବାଣିଜ୍ୟ ଓ ପରିବହନ ବିଭାଗରୁ ସ୍ବିକୃତୀ ପାଇଛନ୍ତି। ମହାନଦୀ ସୀମାରେ ପର୍ଯ୍ୟଟକଙ୍କୁ ଉପଯୁକ୍ତ ସୁରକ୍ଷା ସରଞ୍ଜାମ ପ୍ରଦାନ କରି ଭ୍ରମଣର ସୁଯୋଗ ଦିଆଯାଉଛି। ଫଳରେ ମୂହାଣ ଅଞ୍ଚଳ ଏବେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିଲାଣି। ନଭେମ୍ବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସେଠାରେ ଲୋକଙ୍କ ଭିଡ଼ ହେଉଛି। କିନ୍ତୁ ସେହି ପର୍ଯ୍ୟଟକଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଉଛି ଏଠାକୁ ଆସିବାକୁ ଥିବା ରାସ୍ତାରେ ପରିବହନ ଜନିତ ଧୂଳି ଆସ୍ତରଣ ଓ ଟ୍ରାଫିକ ସମସ୍ୟା। ଅଠରବାଙ୍କୀ ଠାରୁ ନେହେରୁ ବଙ୍ଗଳା ପର୍ଯ୍ୟନ୍ତ ରାସ୍ତାରେ ପଣ୍ୟବାହୀ ଭାରିଯାନ ଚଳାଚଳ କରୁଥିବାରୁ ସେଥିରୁ ଲୁହାପଥର ଓ କୋଇଲା ଗୁଣ୍ଡ ରାସ୍ତାରେ ପଡୁଛି। ଗାଡି ଚଳାଚଳ ବେଳେ ତାହା ଉଡ଼ି କଳା ଆସ୍ତରଣ ସୃଷ୍ଟି କରୁଛି। ଶତାଧିକ ଟ୍ରକ୍‌ ଭିତରେ ଏହି ୭କି.ମି. ରାସ୍ତା ଅତିକ୍ରମ କରିବାକୁ ଅଧଘଣ୍ଟାରୁ ୩ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗୁଛି। ରାସ୍ତା ସାରା ଖାଲଖମାରେ ଭର୍ତ୍ତି। ବାଇକ୍‌ କିମ୍ବା ଅନ୍ୟ କୌଣସି ଖୋଲା ଗାଡିରେ ଗଲେ ଧୂଳି ଉଡ଼ି ପୋଷାକ ଓ ଶରୀର ରଙ୍ଗ ବଦଳିଯାଉଛି। ୨ ନମ୍ବର ଗେଟ୍‌ ସମ୍ମୁଖ ଛକରେ ଧୂଳି ଆସ୍ତରଣକୁ ନିୟନ୍ତ୍ରଣ କରିବା ପାଇଁ ପୋର୍ଟ କର୍ତ୍ତୃପକ୍ଷ ପାଣି ସିଞ୍ଚନ କରୁଛନ୍ତି। କିନ୍ତୁ ପାଣି ପଡ଼ି ତାହା କାଦୁଅ ହୋଇଯାଉଛି। ଫଳରେ ସେହି ରାସ୍ତାରେ ଗଲେ ଦେହରେ କଳା କାଦୁଅ ଲାଗିଯାଉଛି। ଗତ ୨୪ ତାରିଖରେ ଏକ ସରକାରୀ ସମୀକ୍ଷା ବୈଠକରେ ଜିଲାପାଳ ଯାମିନୀ ଷଡଙ୍ଗୀଙ୍କ ସମେତ ବହୁ ଅଧିକାରୀ ସେହି ଧୂଳି ଆସ୍ତରଣ ଭିତରେ ୨ଘଣ୍ଟା ଅଟକି ରହିଥିଲେ। ଏହି ରାସ୍ତା ପାର୍ଶ୍ୱରେ ଥିବା ଗଛ ଓ ମୂର୍ତ୍ତିଗୁଡିକ ତାର ମୂଳ ରଙ୍ଗ ହରାଇ ସାରିଲାଣି। ଏପର ଅବସ୍ଥା ପର୍ଯ୍ୟଟକଙ୍କ ଯାତାୟାତ ପାଇଁ ଆଦୌ ଅନୁକୂଳ ନୁହେଁ ବୋଲି କହିଛନ୍ତି ଭୁବନେଶ୍ୱରରୁ ଆସିଥିବା ପର୍ଯ୍ୟଟକ ଲକ୍ଷ୍ମଣ ସାହୁ। ଆସନ୍ତା ୨୧ରେ ସେହି ଅଞ୍ଚଳରେ ଥିବା ମାଛଧରା ବନ୍ଦରର ହାଇଜେନିକ ଓ ପ୍ରଦୂଷଣ ଯାଞ୍ଚ ପାଇଁ ‘ୟୁ’ ଟିମ୍‌ (ୟୁରୋପିୟାନ ଫୁଡ୍‌ ଷ୍ଟାଣ୍ଡାର୍ଡ ଯାଞ୍ଚ ଟିମ୍‌) ଆସିବେ ବୋଲି ସରକାରୀ ଭାବେ ସ୍ଥିର ହୋଇଛି। ଏପରି ସ୍ଥିତିରେ ପରିବହନ ଜନିତ ସମସ୍ୟା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri