ସରିଲା କଳିଙ୍ଗ ବାଲିଯାତ୍ରା


ପାରାଦୀପ,୧୦।୧୧(ସ୍ବ.ପ୍ର.) ପାରାଦୀପ ସମୁଦ୍ର ବେଳାଭୂମିରେ ଗତ ୩ ତାରିଖରୁ ଚାଲିଥିବା କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଛି। ରାତି ୮ଟାରେ ଆୟୋଜିତ ଉଦ୍‌ଯାପନୀ ସଭାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡା. ଦାମୋଦର ରାଉତ, ଏମ୍‌ପି କୁଳମଣି ସାମଲ, ଜିଲାପାଳ ଯାମିନୀ ଷଡଙ୍ଗୀ, ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଉପାଧ୍ୟକ୍ଷା ପ୍ରଭାତି ନାୟକ, ଅତିରିକ୍ତ ଜିଲାପାଳ ବିଶ୍ୱଜିତ ବିଶ୍ୱାଳ, ପ୍ରୀତିନନ୍ଦା ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ତେବେ ଅତିଥି ତାଲିକାରେ ଥିବା ବିଧାୟକ ପ୍ରଶାନ୍ତ ମୁଦୁଲି, ବିଧାୟିକା ରାଜଶ୍ରୀ ମଲ୍ଲିକ, ବିଧାୟକ ଚିରଞ୍ଜିବ ବିଶ୍ୱାଳ ପ୍ରମୁଖ ଆସି ନ ଥିଲେ। ଶେଷ ସନ୍ଧ୍ୟାରେ ବାଲିଯାତ୍ରାରେ ସଫଳତା ହାସଲ କରିଥିବା ବ୍ୟବସାୟୀ, କଳାକାର, କଳିଙ୍ଗ ବାଲିଯାତ୍ରା କମିଟି ସଦସ୍ୟା ସଦସ୍ୟଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଯେଉଁ ଇଭେଣ୍ଟ ଗ୍ରୁପ ପ୍ରତି ସନ୍ଧ୍ୟାରେ କାର୍ଯ୍ୟକ୍ରମ କରୁଥିଲେ ସେମାନେ ଗୁରୁବାର ରାତି ୧୨.୪୦ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ। ୮ଦିନ ବ୍ୟାପୀ ବାଲିଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବାରୁ କମିଟି ପକ୍ଷରୁ ଜିଲାପାଳ ଷଡଙ୍ଗୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ଶେଷ ସନ୍ଧ୍ୟାରେ ବହୁ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ହୋଇଥିଲା। ଚଳିତବର୍ଷ ବାଲିଯାତ୍ରାରେ ଭଲ ବ୍ୟବସାୟ ହୋଇଛି। ବାଲିଯାତ୍ରାର ୬ଷ୍ଠ ଦିନ ସୁଦ୍ଧା କେବଳ ପଲ୍ଲିଶ୍ରୀ ମେଳାରେ ୯କୋଟିରୁ ର୍ଊ୍‌ଦ୍ଧ୍ୱ ଟଙ୍କାର କାରବାର ହୋଇଛି ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ମୋଟାମୋଟି ୮୦୦ ଷ୍ଟଲରେ ଚଳିତବର୍ଷ ଭଲ ବ୍ୟବସାୟ ହୋଇଥିବା ଜଣାପଡିଛି। ନୂତନତ୍ୱ ନ ଥିଲା ବାଲିଯାତ୍ରାରେ ୮୦୦ରୁ ଊର୍ଦ୍ଧ୍ୱ ଷ୍ଟଲ ପଡିଥିଲେ ହେଁ ସବୁକିଛି ସାଧାରଣ ବଜାର ଭଳି ଥିଲା। ବାଲିଯାତ୍ରାର ଆକର୍ଷଣ ହେବା ଭଳି ଓଡ଼ିଶାର କୌଣସି ପ୍ରାଚୀନ ସାମଗ୍ରୀ କିମ୍ବା ଅଧୁନା କମ୍ପାନୀମାନେ କରୁଥିବା ନୂତନ ଉତ୍ପାଦ ଦେଖିବାକୁ ମିଳି ନ ଥିଲା। ଏପରି କି ଭାରତ ମସଲା, ରୁଚି ଭଳି କମ୍ପାନୀ ଏଥିରେ ସାମିଲ ହୋଇ ନ ଥିଲେ। ପିଲ୍ଲିଶ୍ରୀ ମେଳାରେ କେବଳ ଗୋଟିଏ ରାଜସ୍ଥାନୀ ଖାଇବା ଷ୍ଟଲ ନୂଆ ଥିଲା। କଟକ ବାଲିଯାତ୍ରାରେ ଯେଭଳି ସରକାରୀ ଉଦ୍ୟୋଗଠାରୁ ଆରମ୍ଭ କରି ମଲ୍ଟି ନ୍ୟାଶନାଲ କମ୍ପାନୀ ଓ ପ୍ରାଚୀନ ସାମଗ୍ରୀ ଭଣ୍ଡାର ଖୋଲୁଛି, ସେଭଳି ଚିତ୍ର କଳିଙ୍ଗ ବାଲିଯାତ୍ରାରେ ଦେଖିବାକୁ ମିଳିନି। ସାଂସ୍କୃତିକ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ଷ୍ଟଲ ଖୋଲିବା, ଶୋଭନିୟରରେ କେଉଁମାନଙ୍କ ଲେଖା ରହିବ, କେଉଁ ଅତିଥି ଆସିବେ ଆଦି ଘଟଣାରେ ଓ୍ବାନ ମ୍ୟାନ୍‌ ନିଷ୍ପତ୍ତି ଦେଖିବାକୁ ମିଳୁଛି। ତେବେ ସେହି ଓ୍ବାନ ମ୍ୟାନ ବାଲିଯାତ୍ରା ଆଉ ୨ଦିନ ବୃଦ୍ଧି କରାଯିବ ବୋଲି ଏକାଧିକ ଥର ଘୋଷଣା କରିବା ସତ୍ତ୍ୱେ ଜିଲା ପ୍ରଶାସନ ସେଥିପ୍ରତି ଦୃଷ୍ଟି ନ ଦେବା ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ୮ଦିନରେ ବାଲିଯାତ୍ରା ଉଦ୍‌ଯାପିତ ହୋଇଛି। ରାତି ୧୦ଟା ସୁଦ୍ଧା ପ୍ରାୟ ସମସ୍ତ ବ୍ୟବସାୟୀ ନିଜ ସାମଗ୍ରୀ ବାନ୍ଧି ଘରମୁହଁ। ହୋଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri