ସୋମବାର ପାଚେରି ପାଇଁ ଜମି ମାପ


କୁଜଙ୍ଗ/ଜଗତ୍‌ସିଂହପୁର ଅଫିସ, ୯।୧୧(ସ୍ବ.ପ୍ର.) ଜଗତ୍‌ସିଂହପୁର ଜିଲାର ପାରାଦୀପ ସଂଲଗ୍ନ ଜଙ୍ଗଲ ଜମିକୁ ପୋସ୍କୋ ବଦଳରେ ଜେଏସ୍‌ଡବ୍ଲ୍ୟୁକୁ ହସ୍ତାନ୍ତର କରିବାକୁ ପ୍ରଶାସନିକସ୍ତରରେ ଜୋରଦାର ଉଦ୍ୟମ ଚାଲିଛି। ଜଙ୍ଗଲ ଜମିରେ ପିଢି ପିଢି ଧରି ବସବାସ କରିଆସୁଥିବା ଓ ଜୀବିକା ନିର୍ବାହ କରୁଥିବା ଗ୍ରାମବାସୀ ଚାହୁଁଛନ୍ତି ଯେ ସରକାର ସେମାନଙ୍କ ଭିଟାମାଟି ଛଡ଼େଇ ନେବା ପୂର୍ବରୁ ପଲ୍ଲୀସଭା ଡାକି ନିଷ୍ପତ୍ତି ନିଆଯାଉ। ହେଲେ ଇଡ୍‌କୋ କଳେ ବଳେ କୌଶଳେ ଜମି ଅଧିଗ୍ରହଣ କରି ପାଚେରି ନିର୍ମାଣ ସାରି କମ୍ପାନୀକୁ ହସ୍ତାନ୍ତର କରିବ ବୋଲି ସ୍ଥିର କରିଛି। ଗ୍ରାମବାସୀ ପଲ୍ଲୀସଭା କରାଯାଉ ବୋଲି ସରକାରଙ୍କୁ ଲିଖିତ ଭାବେ ଜଣାଇଥିବାବେଳେ ଜିଲା ପ୍ରଶାସନ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ଗୁରୁବାର ଢିଙ୍କିଆ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମବାସୀ ଓ ପଞ୍ଚାୟତ ନେତୃବର୍ଗଙ୍କୁ ଜଗତ୍‌ସିଂହପୁର ଜିଲା ପ୍ରଶାସନ ଆଲୋଚନା ପାଇଁ ଡାକିଥିଲା। ଗୋବିନ୍ଦପୁର ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହଠାରେ ହୋଇଥିବା ଏହି ଆଲୋଚନାରେ ଯୋଗ ଦେଇଥିଲେ। ହେଲେ ଢିଙ୍କିଆ ପଞ୍ଚାୟତର ନେତୃବର୍ଗ ତଥା ସରପଞ୍ଚ ଓ ସମିତି ସଭ୍ୟ ଉକ୍ତ ବୈଠକ ବର୍ଜନ କରିଛନ୍ତି। ଗଁାରେ ପଲ୍ଲିସଭା କରି ପାଚେରି ନିର୍ମାଣ କରିବା ଭଳି ସ୍ପର୍ଶକାତର ପ୍ରସଙ୍ଗ ବୈଠକରେ ଆଲୋଚନା କରିବାକୁ ଗ୍ରାମବାସୀ ଓ ନେତୃବର୍ଗମାନେ ଚାହୁଁଥିଲେ। କିନ୍ତୁ ପ୍ରଶାସନ ଏହାକୁ ଏଡାଇ ଯାଇ ଆସନ୍ତା ସୋମବାର ଗୋବିନ୍ଦପୁର ଗଁା ସୀମାରେ ପାଚେରି ନିର୍ମାଣ ପାଇଁ ଜମି ମାପ କରାଯିବ ବୋଲ ନିଷ୍ପତ୍ତି ନେବାରୁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଇଡ୍‌କୋ ପକ୍ଷରୁ ହେଉଥିବା ବଳ ପୂର୍ବକ ପାଚେରି ନିର୍ମାଣକୁ ବିରୋଧ କରି ଗୋବିନ୍ଦପୁର ଗଁ।ର ୨ଜଣ ଯୁବକ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଛନ୍ତି। ଆସନ୍ତା ଡିସେମ୍ବର ୬ରେ ଏହାର ଶୁଣାଣି ହେବାକୁ ଥିବାରୁ ଏହା ପୂର୍ବରୁ ପାଚେରି ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ପ୍ରଶାସନ ଚାହୁଁଥିବା କୁହାଯାଉଛି। ଗୁରୁବାର ଆଲୋଚନାରେ ଜଗତ୍‌ସିଂହପୁର ଜିଲାପାଳ ଯାମିନୀ ଷଡଙ୍ଗୀ, ଉପଜିଲାପାଳ ସୁଭାଷ ଚନ୍ଦ୍ର ନାଥଶର୍ମା, ଏସ୍‌ପି ଜୟନାରାୟଣ ପଙ୍କଜ, ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି, ଜିଲାପରିଷଦ ସଭ୍ୟା ଇତିଶ୍ରୀ ଭୂୟଁା, ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା, ତହସିଲଦାର ଅଞ୍ଜଳି ତରାଇ ଓ ଇଡ୍‌କୋର ଅଧିକାରୀ ଉପସ୍ଥିତ ରହି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଗ୍ରାମବାସୀ ପ୍ରଦାନ କରିଥିବା ୧୧ଦଫା ଦାବିକୁ ବିଧାୟକ ପଢି ଶୁଣାଇଥିଲେ। ଏସବୁ ଦାବି ପୂରଣ କରାଯିବ ଓ ଏ ନେଇ ଏକ ଲିଖିତ ପ୍ରତିଶ୍ରୁତି ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ପ୍ରଦାନ କରାଯିବ ବୋଲି ସଭାରେ ନିଷ୍ପତ୍ତି ହୋଇଥିଲା। ତେବେ ପାଚେରି କେଉଁଠାରେ ନିର୍ମାଣ ହେବ ସେଥିନେଇ ଏରସମା ରାଜସ୍ବ ବିଭାଗ ପକ୍ଷରୁ ସୋମବାର ଜମି ମାପଚୁପ କରି ସୀମା ଧାର୍ଯ୍ୟ କରାଯିବ ବୋଲି କୁହାଯାଇଥିଲା। କେତେକ ଗ୍ରାମବାସୀ ମୂଳ ପ୍ରସଙ୍ଗ ଜଙ୍ଗଲ ଜମି ଓ କ୍ଷତିପୂରଣ କଥା ଉଠାଇଥିଲେ ମଧ୍ୟ ତାହା ଶୁଣାଯାଇ ନ ଥିଲା ବୋଲି ଗ୍ରାମବାସୀ ଖବରଦାତାଙ୍କୁ କହିଛନ୍ତି। ବୈଠକ ବର୍ଜନ ସମ୍ପର୍କରେ ଢିଙ୍କିଆ ସରପଞ୍ଚ ସଲିଳା ନାୟକଙ୍କୁ ପଚାରିବାରୁ ସେ କହିଲେ ଯେ ଗ୍ରାମବାସୀ ପଲ୍ଲିସଭା କରିବାକୁ ଚାହୁଁଛନ୍ତି। ତେଣୁ ବୈଠକକୁ କାହିଁକି ଯିବି ବୋଲି ସେ ପ୍ରଶ୍ନ କରିବା ସହ ବ୍ୟକ୍ତିଗତ କାରଣରୁ ଯାଇନାହିଁ ବୋଲି ସୂଚନା ଦେଇଥିଲେ। ସମିତି ସଭ୍ୟ ଦେବେନ୍ଦ୍ର ସ୍ବାଇଁ କହିଛନ୍ତି ଯେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଡକାଯାଇ ଆଲୋଚନା କରାଯାଇଛି। ଆଗେ ପଲ୍ଲିସଭା ପରେ ପ୍ରଶାସନିକ ବୈଠକ। ଜୋର ଜବରଦସ୍ତ ପାଚେରି ନିର୍ମାଣ ଯୋଜନାକୁ ସେ ବିରୋଧ କରନ୍ତି ବୋଲି ମତବ୍ୟକ୍ତ କରିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ଆଲୋଚନା ବେଳେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଉଥିବା ବେଳେ ଗୁରୁବାର ହୋଇଥିବା ଆଲୋଚନା ସମ୍ପର୍କରେ ଗଣମାଧ୍ୟମକୁ ଅନ୍ଧାରରେ ରଖାଯାଇଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri