ଇଟା ମାଫିଆଙ୍କ କବ୍‌ଜାରେ ଖରସ୍ରୋତା ନଦୀପଠା


ବିଞ୍ଝାରପୁର,୯।୧୧(ଡି.ଏନ୍‌.ଏ.)- ଖରସ୍ରୋତା ନଦୀବନ୍ଧ ଏବେ ଇଟା ମାଫିଆଙ୍କ କବ୍‌ଜାରେ ରହିଥିବା ଯୋଗୁ କ୍ରମେ ବିପଜ୍ଜନକ ହେଉଥିବା ଦେଖିବାକୁ ମିଳିଛି । ନଦୀପଠାରେ ଥିବା କଣ୍ଡିଆ ବା ବନ୍ଧତଳର ମାଟିକୁ ଇଟା ମାଫିଆମାନେ ଖୋଳି ନେଇ ମନଇଚ୍ଛା ଇଟା ପକାଉଥିବା ଦେଖିବାକୁ ମିଳିଛି । ପରିବେଶ ଦୂଷିତ କାରଣରୁ ଇଟା ପୋଡ଼ିବା ଉପରେ ପ୍ରଶାସନ ପ୍ରତିବନ୍ଧକ ଲଗାଇବା ସତ୍ତ୍ୱେ ମାଫିଆମାନେ ଏଭଳି କାର୍ଯ୍ୟ ସମସ୍ତଙ୍କ ସାମ୍ନାରେ କରୁଛନ୍ତି। ଏନେଇ ପ୍ରଶାସନ ଚୁପ୍‌ ରହିଥିବା ସାଧାରଣରେ ଅଭିଯୋଗ ହେଉଛି। ନଦୀ କୂଳରେ ଥିବା ବଗମରା, ମଧୁସୂଦନପୁର, ବାଛୋଳ, ଓଳେଇ, ଚନ୍ଦନପୁର, ସୟଦପୁର, କଏଣା, ଗୁହାଳି ଆଦି ସ୍ଥାନ ମାନଙ୍କରେ ମାଫିଆ ମାନେ ଖୁଲମ୍‌ ଖୁଲା ମାଟି ଖୋଳି ଇଟା ପକାଉଥିବା ଦେଖିବାକୁ ମିଳିଛି । ନଦୀବନ୍ଧକୁ କଣ୍ଡିଆ ବା ବନ୍ଧର ତଳସ୍ଥାନଟି ବନ୍ୟା ସମୟରେ ସୁରକ୍ଷା ପ୍ରଦାନ କରିଥାଏ । ମାତ୍ର ଏହି ସୁରକ୍ଷା ଢାଲକୁ ମାଫିଆ ମାନେ ନଷ୍ଟ କରୁଥିବାରୁ ବିଞ୍ଝାରପୁର ଅଞ୍ଚଳରେ ବନ୍ୟା ସମ୍ଭାବନା ହେବାର ଆଶଙ୍କା କରାଯାଉଛି। ସରକାର ବନ୍ୟା ନିରାକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନଦୀବନ୍ଧ ସୁରକ୍ଷା ନିର୍ମାଣ କରୁଥିବାବେଳେ ଇଟା ମାଫିଆ ମାନେ ନଦୀବନ୍ଧ ସୁରକ୍ଷାକୁ ନଷ୍ଟ କରୁଛନ୍ତି। ତେବେ ଇଟା ହଜାରକୁ ୫ରୁ ୬ହଜାର ଟଙ୍କା ବିକ୍ରୟ ହେଉଥିବାବେଳେ ଏହି ଅଞ୍ଚଳର ପ୍ରଭାବଶାଳୀ ମାଫିଆମାନେ ପ୍ରଶାସନକୁ ଖାତିର ନ କରି ମନଇଚ୍ଛା ଇଟା ପକାଉଥିବା ଅଭିଯୋଗ ହେଉଛି । ବିଞ୍ଝାରପୁର ଅଞ୍ଚଳରେ ଦୈନିକ ଲକ୍ଷଲକ୍ଷ ଇଟା ପୋଡ଼ା ଯାଉଥିବାବେଳେ ଏହା ପରିବେଶକୁ ପ୍ରଦୂଷଣ କରୁଛି। ଏଥି ସହିତ ନଦୀପଠା ନଷ୍ଟ ହେବା ଯୋଗୁ ନଦୀର ଧାରା ପରିବର୍ତ୍ତନ ସହ ବନ୍ୟା ଆଶଙ୍କା ପ୍ରକାଶ ପାଇଛି । ଏ ସମ୍ପର୍କରେ ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ତ୍ରିପାଠୀଙ୍କୁ ପଚାରିବାରେ ଇଟା ମାଫିଆ ମାନେ ନଦୀପଠାରୁ ମାଟି ଉଠାଇବା ନେଇ ବାରମ୍ବାର ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କୌଣସି ଫଳ ମିଳୁନାହିଁ ବୋଲି ଯନ୍ତ୍ରୀ ତ୍ରିପାଠୀ କହିଛନ୍ତି ା ଅପରପକ୍ଷରେ ଭାରପ୍ରାପ୍ତ ତହସିଲଦାର ଚକ୍ରଧର ପାଢୀଙ୍କୁ ପଚାରିବାରେ ଇଟା ମାଫିଆଙ୍କ ବିଷୟରେ ଅବଗତ ଅଛୁ। ପୋଲିସ ସହାୟତାରେ ଇଟା ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସେ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri