ନିର୍ମାଣାଧୀନ ପିଏମଜିଏସୱାଇ ରାସ୍ତା ହସ୍ତାନ୍ତର ନେଇ ପ୍ରଶ୍ନବାଚୀ


ଯାଜପୁର ଅଫିସ,୯।୧୧- ଯାଜପୁର ଜିଲା ଗ୍ରାମ୍ୟ ନିର୍ମାଣ(ଆରଡି) ବିଭାଗ ଅଧିନରେ ଥିବା ୮୨.୫୦୦ କି.ମି. ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିବାକୁ ଅଧିସୂଚିତ ହୋଇଛି। ଏନେଇ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ୨୨୩୫୭/୭ ।୧୧ ।୨୦୧୭ରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ସୂଚିତ କରାଯାଇଛି । ଆସନ୍ତା ୧୮ତାରିଖ ସୁଦ୍ଧା ଅଧିସୂଚିତ ରାସ୍ତା ସମ୍ପର୍କରେ ହସ୍ତାନ୍ତର ତାରିଖ ଓ ଯଦି ହସ୍ତାନ୍ତର ନ ହୋଇଛି, ତାର କାରଣ ସମ୍ପର୍କରେ ଜଣାଇବାକୁ ଇଞ୍ଜିନିୟର-ଇନ-ଚିଫ ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ ଏଗୁଡିକ ମଧ୍ୟରେ ସିହା-ସାମିଆ-ସାଲପଡା ରାସ୍ତା ବିବାଦ ଘେରରେ ରହିଛି । ଏହି ରାସ୍ତାର ଦର୍ପଣଠାରୁ ସାମିଆ ୩ କି.ମି. ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣାଧୀନ ସମୟରେ କିପରି ହସ୍ତାନ୍ତର ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀର ନାକପୋଲଠାରୁ ମାଣ୍ଡିଆ ରାସ୍ତା ୧୨କି.ମି., ବଡଚଣା ନିର୍ବାଚନ ମଣ୍ଡଳୀର ସିହା-ସାମିଆ-ସାଲପଡା ରାସ୍ତା ୧୬କି.ମି. ୫୦୦ମି., ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଂହପୁର-ନାହାକାନି-ଟିନା ରାସ୍ତା ୧୨କି.ମି. ୫୦୦ମି., ନରିଗାଓଁ-ଜୁନ୍ଦୁପୁର ରାସ୍ତା ୬ କି.ମି., ବରୀକୁଲ-ଶ୍ରୀଧରପୁର ରାସ୍ତା ୧୧ କି.ମି., ଯାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗସା-କାଟିଆ-କାଳିପଡିଆ ରାସ୍ତା ୮ କି.ମି. ଏବଂ ୫୩ ନମ୍ବର ଜାତୀୟ ରାଜପଥର ବଙ୍ଗଳା ଛକଠାରୁ ହାତୀବାରି ପର୍ଯ୍ୟନ୍ତ ରାସ୍ତା ପୂର୍ତ୍ତ ବିଭାଗ ଅଧୀନକୁ ଚାଲିଯିବ। ଏହି ରାସ୍ତାଗୁଡିକ ଜନବହୁଳ ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଅଧିକ ଉନ୍ନତମାନର ରାସ୍ତା ନିର୍ମାଣ କରିବା ଆଶା ନେଇ ସ୍ଥାନୀୟ ନେତୃବର୍ଗଙ୍କ ସୁପାରିଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ତେବେ ବଡଚଣା ବ୍ଲକ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ସଡକ ଯୋଜନା (ପିଏମଜିଏସୱାଇ)ରେ ଦର୍ପଣ-ସମିଆଁ ରାସ୍ତା ନିମ୍ନମାନର ସାଙ୍ଗକୁ ଅବଧି ସରିବାର ଦେଢ଼ମାସ ପରେ ବି ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇପାରି ନାହିଁ । ୩ କି.ମି.ରୁ ଊର୍ଦ୍ଧ୍ୱ ରାସ୍ତାରେ ଏକସ୍ତର ମେଟାଲିଂ କରି ୫ମାସ ହେବ ଠିକାଦାର ଅନ୍ତର୍ଦ୍ଧାନ ହୋଇଯାଇଥିବା ଅଭିଯୋଗ ହୋଇଛି । ଯଦ୍ୱାରା ଉକ୍ତ ରାସ୍ତାର ମେଟାଲ ସବୁ ଉଠିଯାଇ ଯାତାୟାତ ବାଧାପ୍ରାପ୍ତ ହେଉଛି । ନିମ୍ନମାନର କାର୍ଯ୍ୟ କରି ୧ରୁ ୫ ବର୍ଷ ମଧ୍ୟରେ ପୁଣି ରୁଟିନ ମରାମତି ନାମରେ ଅର୍ଥ ବରାଦ କରି ସରକାରଙ୍କ କୋଟି କୋଟି ଟଙ୍କା ଆମତ୍ସାତ କରିବାକୁ ଏହା ଏକ ପୂର୍ବ ପ୍ରସ୍ତୁତି ବୋଲି କୁହାଯାଉଛି। ଗତ ସେପ୍ଟେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଦର୍ପଣ-ସାମିଆଁ ପିଏମଜିଏସୱାଇ ରାସ୍ତା ସମ୍ପୂର୍ଣ୍ଣ କରିବାକୁ ଧାର୍ଯ୍ୟ ହୋଇଥିଲା। ଏହି ରାସ୍ତାର ସିହା ଗ୍ରାମରୁ ସାମିଆଁ ପର୍ଯ୍ୟନ୍ତ ୭ବର୍ଷ ତଳେ ଏହି ଯୋଜନାରେ ନିର୍ମାଣ ହୋଇଥିଲା । ତେବେ ଦର୍ପଣଠାରୁ ସିହା ପର୍ଯ୍ୟନ୍ତ ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀନରେ ରହି ଆସିଛି। ଏବେ ଏହି ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଉଛି ।ତେଣୁ ଠିକାଦାର ପୂର୍ବରୁ ଏ ନେଇ ସୂଚନା ପାଇ ଯେନତେନ ପ୍ରକାରେ ନିମ୍ନମାନର ନିର୍ମାଣ କାର୍ଯ୍ୟ ସାରିବାକୁ ମସୁଧା ଚଳାଇଥିବା ଅଭିଯୋଗ ହୋଇଛି। ଏ ନେଇ ଅଞ୍ଚଳବାସୀ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri