ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ


ଦଶପଲ୍ଲା,୯।୧୧(ଡି.ଏନ.ଏ.)- ଦଶପଲ୍ଲା ଥାନା ଟାକେରା ନିକଟସ୍ଥ କରଡାପିଟା ଘାଟି ନିକଟରୁ ପୋଲିସ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି । ସମ୍ପୃକ୍ତ ଯୁବକକୁ ହତ୍ୟା କରାଯାଇ ଏଠାରେ ଫିଙ୍ଗି ଦେଇ ହତ୍ୟାକାରୀ ଫେରାର ହୋଇ ଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ମୃତ ଯୁବକଙ୍କ ନାମ ଭଗବାନ ନାୟକ (୨୪) ଓ ତାଙ୍କଘର ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରା ପଞ୍ଚାୟତ ଚିଲିପଥର ଗ୍ରାମରେ । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ସାଇଣ୍ଟିଫିକ୍‌ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳେ ରାସ୍ତାରେ ଯିବା ସମୟରେ ଜଣେ ମହିଳା ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ପରେ ଏହା ଗ୍ରାମରେ ଜଣାଇବା ପରେ ସେଠାରେ ଲୋକଙ୍କ ଗହଳି ଲାଗିଥିଲା। ଗ୍ରାମରକ୍ଷୀଙ୍କଠାରୁ ଖବର ପାଇ ଦଶପଲ୍ଲା ଥାନା ଅଧିକାରୀ ଖଦାଳ ମହାନ୍ତି,ଏସ୍‌.ଡି.ପି.ଓ. ଜୟରାମ ଶତପଥୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି। ଯୁବକଙ୍କୁ ବିଅର ବୋତଲ ଓ ଠେଙ୍ଗାରେ ବାଡେଇ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ଘଟଣା ସ୍ଥଳରେ ରକ୍ତଛିଟା ସହ ଖାଲି ଭଙ୍ଗା ବିଅର ବୋତଲ, ସ୍ପ୍ରାଇଟ୍‌ ବୋତଲ, ପାଣି ପାଉଚ ଜରି ଓ ଏକ ଠେଙ୍ଗା ପଡିଥିବା ପୋଲିସ ଦେଖିବାକୁ ପାଇ ସେସବୁ ଜବତ କରିଛି । ହତ୍ୟାକାରୀମାନେ ଭଗବାନଙ୍କ ବେକରେ ଗାମୁଛା ବାନ୍ଧି ଘଟଣା ସ୍ଥଳରୁ ପ୍ରାୟ ୨୦ ଫୁଟ ପର୍ଯ୍ୟନ୍ତ ଘୋଷାରି ନେଇଥିବା ପୋଲିସ ଅନୁମାନ କରୁଛି । ଏ ନେଇ ପୋଲିସ ଏକ ମକଦମା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିବା ବେଳେ ହତ୍ୟାର କାରଣ ଜଣାପଡି ନାହିଁ । ଏହି ଘଟଣାରେ ୯ ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ହତ୍ୟା ଘଟଣା ପୂର୍ବରୁ ଭଗବାନ ସାଙ୍ଗସାଥୀଙ୍କ ସହ ମଧ୍ୟାହ୍ନ ସମୟରେ ଭୋଜି କରିଥିଲେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri