ଜରାଜୀର୍ଣ୍ଣ ଅବସ୍ଥାରେ ବ୍ୟାସଦେବ ଟାଉନହଲ୍‌


ଯାଜପୁରରୋଡ,୮।୧୧(ନି.ପ୍ର.) ବ୍ୟାସନଗର ପୌରପରିଷଦରେ ରହିଛି ଏକମାତ୍ର ବ୍ୟାସଦେବ ଟାଉନହଲ୍‌। ଯେଉଁଠାରେ ସହରର ସଭା, ସମିତି, ଛାତ୍ରୀଛାତ୍ରଙ୍କର ପ୍ରତିଯୋଗିତା ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସଭାସମିତି ହୋଇଥାଏ। ଏହି ଟାଉନହଲ୍‌ ଅବସ୍ଥା ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ୧୯୮୩ରେ ଏହି ଟାଉନହଲ୍‌ ନିର୍ମିତ ହୋଇଥିଲା। ତାହାପରଠାରୁ ଟାଉନହଲ୍‌ ମରାମତି କାର୍ଯ୍ୟ ହୋଇନାହିଁ। ଛାତରୁ ପାଣି ଗଳୁଛି , କଂକ୍ରିଟ୍‌ ଛାଡ଼ିଯାଇ ରଡ୍‌ ଦେଖାଗଲାଣି। ଏଠାରେ ଥିବା ଚେୟାରଗୁଡ଼ିକ ଭାଙ୍ଗିରୁଜି ଗଲାଣି। ଟାଉନହଲ୍‌ ଭିତରେ ରଙ୍ଗ ନ ଦେବାରୁ ହଲ୍‌ଟିର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଅତିଥିମଣ୍ଡପର ଛାତ ଭାଙ୍ଗିଯାଇଥିବାର ଦେଖିବାକୁ ମିଳିଛି। ବ୍ୟାସନଗର ପୌରପରିଷଦରେ ଥିବା ଏହି ଗୋଟିଏ ଟାଉନହଲ୍‌ରେ ଶୌଚ ପାଇଁ କୌଣସି ସୁବିଧା ନ ଥିବାରୁ ବିଭିନ୍ନ ସଭା ସମିତି ସମୟରେ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ପୌରପରିଷଦର ଏହି ସଭାଗୃହରେ ବିଦ୍ୟୁତ୍‌ ଲାଇନ୍‌ ମରାମତି ହେଉ ନ ଥିବାରୁ ବିଦ୍ୟୁତ୍‌ ବ୍ୟବସ୍ଥା ଠପ୍‌ ହୋଇପଡ଼ିଛି। ୨୦୦୬ରେ ତତ୍‌କାଳୀନ ଜିଲାପାଳ ଅରବିନ୍ଦ ପାଢୀ ଏହି ଟାଉନହଲ୍‌ର ଅବସ୍ଥା ଦେଖି ୫ ଲକ୍ଷ ଟଙ୍କା ମରାମତି ପାଇଁ ମଞ୍ଜୁର କରିଥିଲେ। ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମିଳିତ ଭାବେ ମରାମତି କାର୍ଯ୍ୟ ନିମ୍ନମାନର କରିଥିଲେ। ଫଳରେ ଉକ୍ତ ଟଙ୍କା ଠିକ୍‌ ଭାବେ ବିନିଯୋଗ ହୋଇପାରି ନ ଥିଲା। ପ୍ରତ୍ୟେକ ମାସରେ ଏହି ଟାଉନହଲ୍‌ରେ ୧୫ରୁ ୨୦ ସଭାସମିତି ମାନ ଅନୁଷ୍ଠିତ ହେଉଛି। ଏ ବାବଦରେ ପୌର କର୍ତ୍ତୃପକ୍ଷ ଭଡ଼ା ମଧ୍ୟ ନେଉଛନ୍ତି। ଏହାସତ୍ତ୍ୱେ ମଧ୍ୟ ପୌରପରିଷଦ ପକ୍ଷରୁ ମରାମତି କରାଯାଉନାହିଁ । ଟାଉନହଲ୍‌ଟିକୁ ନିୟମିତ ପରିଷ୍କାର ପରିଚ୍ଛନ୍ନ କରାଯାଉନାହିଁ। ଟାଉନହଲ୍‌ ଭିତରେ ପାନଛେପ, ଗୁଟ୍‌କା ଜରି ମାନ ପଡ଼ିରହିଥିବା ଦେଖିବାକୁ ମିଳୁଛି। ଏହି ଟାଉନହଲ୍‌କୁ ମରାମତି କରିବା ପାଇଁ କାଉନସିଲ ମିଟିଙ୍ଗ୍‌ରେ ଦାବି ହୋଇଥିଲେ ମଧ୍ୟ ଏଯାଏଁ କାର୍ଯ୍ୟକାରୀ ହେଉନାହିଁ। ଏ ସମ୍ପର୍କରେ ବ୍ୟାସନଗର ମଣ୍ଡଳ ସଭାପତି ନିତ୍ୟାନନ୍ଦ ମହାଳିକଙ୍କୁ ପଚାରିବାରେ ବ୍ୟାସନଗର ଟାଉନହଲ୍‌ ଅବସ୍ଥା ଜରାଜୀର୍ଣ୍ଣ ରହିଛି। ପାର୍ଟି ପକ୍ଷରୁ ସଭା ଚାଲିଥିବାବେଳେ ହଠାତ୍‌ ଛାତରୁ ଚିପ୍ସ୍‌ ସିମେଣ୍ଟ ଲୋକଙ୍କ ଉପରେ ପଡ଼ିଥିଲା। ମାତ୍ର ଏଥିରେ କାହାର କୌଣସି କ୍ଷତି ହୋଇ ନ ଥିଲା। ଛୋଟ ପିଲାଙ୍କର ବହୁ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବାରୁ ଟାଉନହଲ୍‌ ସେମାନଙ୍କ ପ୍ରତି ବିପଦର ଆଶଙ୍କା ସୃଷ୍ଟି ହେଉଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପୌରାଧ୍ୟକ୍ଷା ସବିତା ରାଉତଙ୍କୁ ପଚାରିବାରେ ଜିଲା ପ୍ରଶାସନ ପକ୍ଷରୁ ଟାଉନହଲ୍‌ ମରାମତି ପାଇଁ ଟାଟା କମ୍ପାନୀକୁ କୁହାଯାଇଥିଲା। ମାତ୍ର ମରାମତି କରିବାରେ କମ୍ପାନୀ ବିଳମ୍ବ କରିବାରୁ ଏବେ ଏହାର ଦାୟିତ୍ୱ ପୌରପରିଷଦ ନେଇଛି ବୋଲି ସେ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri