୧୦୦ଦିନର କାମ ପାଇଛନ୍ତି ମାତ୍ର ୭୯ପରିବାର


ଯାଜପୁର ଅଫିସ,୮।୧୧ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଗରିବ ଜବ୍‌କାର୍ଡଧାରୀ ଲୋକଙ୍କ ପ୍ରତି କେନ୍ଦ୍ର ସରକାର ଅନ୍ୟାୟ କରୁଛନ୍ତି ା ଏହି ଯୋଜନାରେ କେନ୍ଦ୍ର ସରକାର ରାଜ୍ୟକୁ ଅନୁଦାନ ଦେବାରେ ଅବହେଳା କରୁଥିବାରୁ ତାହାର ପ୍ରଭାବ ଯାଜପୁର ଜିଲାରେ ଦେଖିବାକୁ ମିଳିଛି । ୨୦୧୪-୧୫ରୁ ଏଯାଏ କେନ୍ଦ୍ର ଉପରେ ରାଜ୍ୟର ହକ୍‌ ଅନୁଦାନ ବାବଦକୁ ୨୪୭୩ କୋଟି ଟଙ୍କା ବାକି ରହିଛି ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି । ଏହି କ୍ରମରେ ଚଳିତ ୨୦୧୭-୧୮ ଆର୍ଥିକ ବର୍ଷରେ ଗୋଟିଏ ଟଙ୍କା ବି ଦିଆଯାଇ ନାହିଁ । ଇଏଫ୍‌ଏମଏସ(ଇଲେକ୍ଟ୍ରୋନିକ୍ସ ଫଣ୍ଡ ମ୍ୟାନେଜମେଣ୍ଟ ସିଷ୍ଟମ) ଅନୁସାରେ ୨,୯୩୨.୨୬ ଲକ୍ଷ ଟଙ୍କା ମହଜୁଦ ରହିଥିବାବେଳେ ସେଥିରୁ ନଭେମ୍ବର ୮ତାରିଖ ସୁଦ୍ଧା ୨୯୮୯.୮୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଛି । ଅର୍ଥାତ ୫୭.୫୯ଲକ୍ଷ ଟଙ୍କା ବାକିରେ ଗଡୁଛି। ନିର୍ମାଣ ସାମଗ୍ରୀ ଓ ଶ୍ରମିକଙ୍କ ପାଉଣା ଆଦି ବାବଦକୁ ୩୫.୨୬ ଲକ୍ଷ ଟଙ୍କା ବାକି ରହିଛି । ବିଡମ୍ବନା ଯେ, ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ୪ମାସ ବାକି ରହିଥିବାବେଳେ ଜିଲାର ମାତ୍ର ୭୯ ପରିବାର ୧୦୦ଦିନର କାମ ପାଇଛନ୍ତି । ସେଥିମଧ୍ୟରୁ ସୁକିନ୍ଦା ଓ ଯାଜପୁର ବ୍ଲକରେ ଜଣେ ହେଲେ ୧୦୦ ଦିନର କାମ ପାଇ ନ ଥିବା ଜଣାପଡ଼ିଛି। ଜିଲାର ଶ୍ରମିକମାନେ ହାତରେ ଜବ୍‌କାର୍ଡ ଧରି କାମ ପାଇଁ ଆବେଦନ କରୁଛନ୍ତି ା କିନ୍ତୁ ଲୋକହିତକର ଯୋଜନା କୁହାଯାଉଥିବା ଏଥିରେ ୧୦୦ଦିନର କାମ ପାଇପାରୁ ନାହାନ୍ତି । କାର୍ଯ୍ୟ ଅନୁସାରେ ଯେତିକି ସଂଖ୍ୟାରେ ଶ୍ରମିକ ନିୟୋଜନ ହେବା କଥା ସେତିକି ସଂଖ୍ୟାରେ ନିୟୋଜନ ହୋଇପାରୁ ନାହାନ୍ତି। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆରଡିଏ)ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ ୨,୭୫,୨୨୭ ପରିବାର ନାମ ପଞ୍ଜୀକରଣ କରିଥିଲେ। ସେଥିରୁ ୫୨,୩୫୫ ପରିବାର କାମ ପାଇଁ ଆବେଦନ କରିଥିବାବେଳେ ମାତ୍ର ୪୭,୮୧୯ ପରିବାରଙ୍କୁ କାମ ଯୋଗାଇ ଦିଆଯାଇଛି। ଏଥିରେ ୧୧,୧୨,୨୩୭ କାର୍ଯ୍ୟ ଦିବସ ସୃଷ୍ଟି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ନିର୍ଦ୍ଧାରିତ ୧୦୦ଦିନର କାମ କେବଳ ୭୯ପରିବାର ସମ୍ପୂର୍ଣ୍ଣ କରି ପାରିଛନ୍ତି। ଏଥିରେ ରସୁଲପୁର ବ୍ଲକରେ ସର୍ବାଧିକ ୨୧ପରିବାର ରହିଥିବାବେଳେ ବଡ଼ଚଣା ବ୍ଲକରେ ୪, ବରୀ ବ୍ଲକରେ ୧୯, ବିଞ୍ଝାରପୁରରେ ୨୦, ଦାନଗଦୀରେ ୧୦, ଦଶରଥପୁରରେ ୩, ଧର୍ମଶାଳାରେ ୧, କୋରେଇରେ ୧ ପରିବାର ରହିଛନ୍ତି। ତେବେ ଜିଲା ସଦର ମହକୁମା ବ୍ଲକରେ ଏଯାଏ ଖାତା ଖୋଲି ନ ଥିବାରୁ ଜିଲା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷେ ୧୯୮୪ପରିବାରଙ୍କୁ ଜମି ମରାମତି ଓ ଇନ୍ଦିରାଆବାସ ଯୋଜନାରେ ସାମିଲ କରାଯାଇଛି ବୋଲି କୁହାଯାଉଛି। ତେବେ ଜିଲାର ଅଧିକାଂଶ ବ୍ଲକରେ କେବଳ ମିଥ୍ୟା ମଷ୍ଟରରୋଲ ବ୍ୟବହାର କରି ମେଶିନ ଜରିଆରେ ଶ୍ରମିକଙ୍କ ନାମରେ ଯୋଜନା ଅନ୍ତର୍ଗତ ଅର୍ଥ ହଡ଼ପ ହେଉଥିବା ଅଭିଯୋଗ ହେଉଛି। ଦାୟିତ୍ୱରେ ଥିବା ଉଚ୍ଚପଦସ୍ଥ ଅଧିକାରୀଙ୍କ ଆବଶ୍ୟକ ତଦାରଖ ଅଭାବରୁ ଏହି ଦୁର୍ନୀତି ବଢିବାରେ ଲାଗିଛି । ବାସ୍ତବରେ ଜିଲାରେ ରାଜନୈତିକ କର୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଗରିବ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାର ଅର୍ଥକୁ ଅସଦ ଉପାୟରେ ହରିଲୁଟ ହେଉଥିବାରୁ କର୍ମ ନିଯୁକ୍ତି ସଙ୍କୁଚିତ ହେବାରେ ଲାଗିଛି। ସାରା ଜିଲାରେ ଯୋଜନାରେ ସମ୍ପୃକ୍ତ ଅଧିକାରୀଙ୍କ ଲାଭଖୋର ମନୋବୃତ୍ତି ଯୋଗୁ ଏହି ଯୋଜନା ବହୁ ପଛରେ ରହିଯାଇଛି। ଛାତ୍ରୀଛାତ୍ର, ସରକାରୀ କର୍ମଚାରୀ ତଥା କେବେ ଶ୍ରମିକ କାର୍ଯ୍ୟ କରୁ ନ ଥିବା ବ୍ୟକ୍ତିଙ୍କ ନାମରେ ଜବକାର୍ଡ ଦେଇ ମେଶିନ ସହାୟତାରେ କାର୍ଯ୍ୟ କରି ଅନୁଦାନର ସିଂହଭାଗ ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ ହେଉଛି । ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁଦାନ ମଞ୍ଜୁର ନ ହେବା ଯୋଜନାର ଅଗ୍ରଗତିକୁ ପରାହତ କରିଛି। ଏ ସଂକ୍ରାନ୍ତରେ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟଙ୍କୁ ପଚାରିବାରେ ସେ କହିଛନ୍ତି ଜିଲାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ଏଥିରେ ଶ୍ରମିକମାନେ ମଧ୍ୟ ଉପକୃତ ହୋଇଛନ୍ତି। ଆବଶ୍ୟକ ଅନୁଦାନ ଅର୍ଥ ମଞ୍ଜୁର କରାଗଲେ ପରବର୍ତ୍ତୀ ଯୋଜନାଗୁଡିକ ହାତକୁ ନିଆଯିବ ବୋଲି କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri