ଅବହେଳା ବରଦାସ୍ତ କରାଯିବ ନାହିଁ


ଜଗତ୍‌ସିଂହପୁର ଅଫିସ, ୮।୧୧ ଚଳିତ ଖରିଫ ଋତୁ ପାଇଁ ଡିସେମ୍ବର ୨୦ରୁ ଧାନ ସଂଗ୍ରହ ଆରମ୍ଭ ହେବ। ଯେଉଁମାନେ ନାମ ପଞ୍ଜିକରଣ କରି ନ ଥିବେ ସେମାନେ ସରକାରଙ୍କୁ ଧାନ ବିକ୍ରି ସୁବିଧାରୁ ବଞ୍ଚିତ ହେବେ। ତେଣୁ ଚାଷୀଙ୍କୁ ନାମ ପଞ୍ଜିକରଣ ପାଇଁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସୁଯୋଗ ଦିଆଯାଉଛି। ଧାନ ସଂଗ୍ରହ ପୂର୍ବରୁ ଚାଷୀଙ୍କୁ ବ୍ୟାପକ ସଚେତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କୌଣସି ଚାଷୀ ଯେପରି ଧାନ ବିକ୍ରି କରିବାରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ବିଭାଗୀୟ ଅଧିକାରୀ ଓ କର୍ମଚାରୀ ବିଶେଷ ଧ୍ୟାନ ଦେବେ। କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ବୁଧବାର ଜିଲାପାଳ କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ପୌରୋହିତ୍ୟ କରି ଜିଲାପାଳ ଯାମିନୀ ଷଡ଼ଙ୍ଗୀ କହିଛନ୍ତି। ଜିଲାପାଳଙ୍କୁ ଅତିରିକ୍ତ ରେଜିଷ୍ଟ୍ରାର କ୍ଷମତା ପ୍ରଦାନ କରାଯାଇଛି। ଆମ ଜିଲାରେ ମିଲର ଅଭାବ ଅଛନ୍ତି। ତେଣୁ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଅନ୍ୟ ଜିଲାରୁ ମିଲରଙ୍କୁ ଧାନ ସଂଗ୍ରହ ସମୟରେ ସାମିଲ କରାଯିବ। ଜିଲାରେ ଚାଷୀଙ୍କଠାରୁ ସୁରୁଖୁରରେ ଧାନ ସଂଗହ ନିମନ୍ତେ ଜିଲା ଯୋଗାଣ ବିଭାଗ, ପ୍ରାଥମିକ କୃଷି ସମବାୟ ସମିତି, ସେଣ୍ଟ୍ରାଲ କୋ ଅପରେଟିଭ ବ୍ୟାଙ୍କ, ମିଲର, ନିୟନ୍ତ୍ରିତ ବଜାର କମିଟି କର୍ମକର୍ତ୍ତାଙ୍କ ଗୁରୁଦାୟିତ୍ୱ ରହିଛି। ପ୍ରତି ବିଭାଗ ଦାୟିତ୍ୱବାନ ହେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଜଗତ୍‌ସିଂହପୁର ଏମ୍‌ପି କୁଳମଣୀ ସାମଲ ଯୋଗଦେଇ କୃଷକମାନଙ୍କୁ ସେମାନଙ୍କ ପରିଶ୍ରମର ଫଳ ଠିକ ଭାବରେ ମିଳିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଧାନ ସଂଗ୍ରହ କାର୍ଯ୍ୟରେ ସେମାନଙ୍କ କର୍ତ୍ତବ୍ୟ ଠିକ ଭାବରେ ସମ୍ପାଦନ କରିବାକୁ ଏମ୍‌ପି ପରାମର୍ଶ ଦେଇଥିଲେ। ଜିଲା ସମବାୟ ନିବନ୍ଧକ କୁଳମଣୀ ପାଢୀ କୃଷି ଓ କୃଷକଙ୍କ ଗୁରୁତ୍ୱ ଉପରେ ମତ ରଖିଥିଲେ। ବୈଠକରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକ ଜୟନ୍ତ ସ୍ବାଇଁ କହିଥିଲେ ବ୍ଲକସ୍ତରରେ ରାଜସ୍ବ ନିରୀକ୍ଷକ, କୃଷି ସେବକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ୩ରୁ ୬ ଜଣ କୃଷକଙ୍କୁ ନେଇ କମିଟି ଗଠନ କରାଯିବ । ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସ୍କ୍ବାର୍ଡ ଗଠନ କରାଯିବ। ସୋସାଇଟି କର୍ମକର୍ତ୍ତାମାନେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ଠିକ ଥିବା ପ୍ରମାଣ କରିବେ। ଜିଲା ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ପାତ୍ର କହିଥିଲେ, ଆଜି ସୁଦ୍ଧା ଅନ୍‌ ଲାଇନ୍‌ ମାଧ୍ୟମରେ ମୋଟ ୨୯,୮୫୯ ଜଣ ଚାଷୀଙ୍କ ନାମ ପଞ୍ଜିକରଣ କରାଯାଇ ପାରିଛି । ଚଳିତବର୍ଷ ସାଧାରଣ ଏଫ୍‌ଏକ୍ୟୁ ଧାନର କୁଇଣ୍ଟାଲ ପ୍ରତି ମୂଲ୍ୟ ୧,୫୫୦ ଓ ଗ୍ରେଡ୍‌ ଏ ଧାନ ୧,୫୯୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଗତବର୍ଷ ପରି ଚଳିତବର୍ଷ ମଧ୍ୟ ୧୦୦ଟି ଧାନ ମଣ୍ଡି ଜରିଆରେ ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ ଧାର୍ଯ୍ୟ ରହିଛି। ସେଥିମଧ୍ୟରୁ ଏରସମା ୧୪, କୁଜଙ୍ଗ ୧୩, ଜଗତ୍‌ସିଂହପୁର ୧୬, ତିର୍ତ୍ତୋଲ ୧୫, ନାଉଗାଁ ୬, ବିରିଡ଼ି ୬, ବାଲିକୁଦା ୨୧ ଓ ରଘୁନାଥପୁର ବ୍ଲକ ଅଞ୍ଚଳରେ ୯ଟି ଧାନମଣ୍ଡି ଖୋଲାଯିବ। ଧାନ ଦେବାର ୩ରୁ ୭ ଦିନ ମଧ୍ୟରେ ଚାଷୀମାନେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସେମାନଙ୍କ ପ୍ରାପ୍ୟ ପାଇପାରିବେ ବୋଲି ପାତ୍ର କହିଥିଲେ। ଏହି ବୈଠକରେ ବିଡିଓ, ତହସିଲଦାର, ସମବାୟ ବିଭାଗର କର୍ମକର୍ତ୍ତା, ମିଲର, ଚାଷୀ ପ୍ରତିନିଧି, ସହକାରୀ ଯୋଗାଣ ଅଧିକାରୀ, ମାର୍କେଟିଂ ଇନିସ୍ପେକ୍ଟର, ନିୟନ୍ତ୍ରିତ ବଜାର କମିଟିର କର୍ମକର୍ତ୍ତା ପ୍ରମୁଖ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri