ପୁଞ୍ଜୀଭୂତ ଅସନ୍ତୋଷ ଆନ୍ଦୋଳନ ରୂପ ନେଉଛି


ଯାଜପୁର ଅଫିସ,୭।୧୧ ଗତ କିଛି ବର୍ଷ ହେବ ଜଳବାୟୁ ତଥା ପାଣିପାଗରେ ପରିବର୍ତ୍ତନ ଯୋଗୁ କୃଷି କ୍ଷେତ୍ର ପ୍ରଭାବିତ ହେଉଛି। ବନ୍ୟା ଓ ବର୍ଷାରେ ଅନିୟମିତ ତଥା ଜଳସେଚନ ବ୍ୟବସ୍ଥାରେ ଦୂରଦୃଷ୍ଟିର ଅଭାବ ଯୋଗୁ ଚଳିତବର୍ଷ ମଧ୍ୟ ଧାନ ଉପତ୍ାଦନରେ ଯଥେଷ୍ଟ ହ୍ରାସ ପାଇବାର ସମ୍ଭାବନା ସୃଷ୍ଟି କରିଛି । ଡିସେମ୍ବର ମାସ ୧ତାରିଖରୁ ଯାଜପୁର ଜିଲାରେ ଧାନ କ୍ରୟ ଆରମ୍ଭ ହେବ ବୋଲି ଜିଲା ପ୍ରଶାସନ ତରଫରୁ ସୂଚନା ମିଳିଛି। ତେବେ ଦଶରଥପୁର ଓ ଯାଜପୁର ବ୍ଲକ ବ୍ୟତିତ ଜୁନ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ କୃଷି ବିଭାଗ ଦ୍ୱାରା ନିର୍ଦ୍ଧାରିତ ବର୍ଷା ଜିଲାର ଅନ୍ୟ ବ୍ଲକ ଅଞ୍ଚଳରେ ହୋଇ ନାହିଁ। ଜିଲାରେ ଜୁନରେ ୨୩୮.୫ ମିମି ସ୍ଥଳେ ୧୮୯.୪୫ ମିମି, ଜୁଲାଇରେ ୩୫୦.୯ ମିମି ସ୍ଥଳେ ୨୨୭.୪୬ ମିମି, ଅଗଷ୍ଟରେ ୩୪୧.୨ ମିମି ସ୍ଥଳେ ୨୪୯.୨୬ ମିମି ଓ ସେପ୍ଟେମ୍ବର ମାସରେ ୨୩୮ ମିମି ପରିବର୍ତ୍ତେ ୧୩୫.୬୭ ମିମି ବର୍ଷା ରେକର୍ଡ କରାଯାଇଛି ା ଯାହାକି ଜିଲାରେ ସମ୍ପୂର୍ଣ୍ଣ ମାତ୍ରାରେ ମରୁଡି ହୋଇଥିବା ସୂଚିତ କରୁଛି। କିନ୍ତୁ ବିଡମ୍ବନା ଯେ, ଜିଲାର ବିଞ୍ଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତର ୨ଟି ଗ୍ରାମର ମାତ୍ର ୧୫୫ ହେକ୍ଟର ଜମିରେ ମରୁଡି ହୋଇଥିବା ଘୋଷଣା କରାଯାଇଛି। ପରିସଂଖ୍ୟାନ ବିଭାଗ ଦ୍ୱାରା କ୍ରପ୍‌ କଟିଂ ରିପୋର୍ଟରେ ତ୍ରୁଟି ଯୋଗୁ ଏଭଳି ଚାଷୀମାରଣ ରିପୋର୍ଟ ପ୍ରକାଶ ପାଇଥିବା ଚାଷୀ ମହଲରେ ମତପ୍ରକାଶ ପାଇଛି। ଏହାକୁ ନେଇ ପୁଞ୍ଜୀଭୂତ ଅସନ୍ତୋଷ ଆନ୍ଦୋଳନର ରୂପ ନେଇଛି । ମଙ୍ଗଳବାର ବଡ଼ଚଣା ବ୍ଲକରେ ମରୁଡି ଘୋଷଣା କରିବାକୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ସେପ୍ଟେମ୍ବର ମାସରେ ପ୍ରବଳ ବନ୍ୟାରେ ବ୍ରାହ୍ମଣୀର ପଛୁଆ ପାଣିରେ ବରୀ ବ୍ଲକ ସମେତ ଯାଜପୁର, ରସୁଲପୁର, ଧର୍ମଶାଳା ଓ ବଡଚଣା ବ୍ଲକର ଧାନ ଚାଷ କ୍ଷତିଗ୍ରସ୍ତ ହୋଇଥିଲା ା ଜୁନ ମାସରେ ଜିଲାର ସୁକିନ୍ଦା, କୋରେଇ, ଦାନଗଦୀ, ବଡଚଣା ଓ ରସୁଲପୁର ବ୍ଲକରେ ଜିଲାର ହାରାହାରି ବର୍ଷା ମଧ୍ୟ ଛୁଇଁ ପାରି ନ ଥିଲା। ଜୁଲାଇରେ ସୁକିନ୍ଦା, ରସୁଲପୁର ଓ ଧର୍ମଶାଳା ବ୍ଲକରେ ୨୦୦ ମି.ମି. ପର୍ଯ୍ୟନ୍ତ ବର୍ଷା ହୋଇ ନାହିଁ। ଅଗଷ୍ଟରେ ମଧ୍ୟ ବିଞ୍ଝାରପୁର, କୋରେଇ, ଧର୍ମଶାଳା ଓ ବଡଚଣା ତଥା ବରୀ ବ୍ଲକରେ ଆବଶ୍ୟକ ବର୍ଷା ହୋଇ ନ ଥିବାରୁ ଧାନଗଛରେ ଆବଶ୍ୟକ ଫଳ ଧରି ନ ଥିଲା। ସେହିପରି ସେପ୍ଟେମ୍ବର ମାସରେ ବିଞ୍ଝାରପୁର, କୋରେଇ, ରସୁଲପୁର ଓ ଧର୍ମଶାଳା ବ୍ଲକରେ ୧୦୦ମି.ମି. ପର୍ଯ୍ୟନ୍ତ ମଧ୍ୟ ବର୍ଷା ହୋଇନାହିଁ। ଅକ୍ଟୋବର ମାସରେ ଅପେକ୍ଷାକୃତ ଅଦିନିଆ ବର୍ଷା ହୋଇଥିଲେ ହେଁ ଧାନ ଫସଲ ପାଇଁ ବହୁତ ଡେରୀ ହୋଇ ଯାଇଥିଲା। ଏଭଳିସ୍ଥିତି ଯୋଗୁ ଧାନଗଛ ସବୁ ହଳଦିଆ ରଙ୍ଗ ପଡ଼ି ମରୁଡି ପରିସ୍ଥିତି ସୃଷ୍ଟି କରିଥିଲା। ଚାଷୀମାନେ ମରୁଡି ଘୋଷଣା କରିବାକୁ ଦାବି ମଧ୍ୟ କରିଥିଲେ। ହେଲେ ଜିଲା ପ୍ରଶାସନର କ୍ରପ କଟିଂ ରିପୋର୍ଟରେ ଭଲ ଧାନ ଅମଳ ହୋଇଥିବା ରିପୋର୍ଟ ଗଲାପରେ ରାଜ୍ୟ ସରକାର କେବଳ ୨ଟି ଗାଁକୁ ମରୁଡି ଘୋଷଣା କରିବା ବିଡ଼ମ୍ବନା ବୋଲି ମତ ପ୍ରକାଶ ପାଇଛି। ଏସଂକ୍ରାନ୍ତରେ ଜିଲା କୃଷି ଅଧିକାରୀ ବିମଳକାନ୍ତି ରପ୍ତାନଙ୍କୁ ପଚାରିବାରେ ବିଞ୍ଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତର ୧୫୫ହେକ୍ଟର ଜମିରେ ସମ୍ପୂର୍ଣ୍ଣ ଧାନ ଫସଲ ନଷ୍ଟ ହୋଇଥିବା ପରିଦର୍ଶନ ସମୟରେ ଜାଣିବାକୁ ମିଳିଥିଲା। ଅନ୍ୟ ଅଞ୍ଚଳଗୁଡ଼ିକରେ ସେତେଟା କ୍ଷୟକ୍ଷତି ହୋଇ ନ ଥିଲା। ତେଣୁ ଚନ୍ଦ୍ରର୍ମୁ ପଞ୍ଚାୟତର ୨ଟି ଗ୍ରାମକୁ ମରୁଡ଼ି ଘୋଷଣା କରାଯାଇଛି ବୋଲି କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri