କଳିଙ୍ଗନଗର ଶିଳ୍ପାଞ୍ଚଳରେ କୋଇଲା ସଙ୍କଟ


ଯାଜପୁରଅଫିସ/କଳିଙ୍ଗନଗର (ଡି.ଏନ.ଏ.), ୭।୧୧ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି ଯୋଗୁ ଏମ୍‌ସିଏଲରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାର ପ୍ରଭାବ କଳିଙ୍ଗନଗର ଶିଳ୍ପାଞ୍ଚଳରେ ପଡିଛି। କୋଇଲା ସଙ୍କଟ ଯୋଗୁ କଳିଙ୍ଗନଗର ଶିଳ୍ପାଞ୍ଚଳର ଅନେକ କାରଖାନା ବନ୍ଦ ହେବାର ସମ୍ଭାବନା ସୃଷ୍ଟି କରିଛି। ଏହାସହ କୋଇଲା ଅଭାବ ଯୋଗୁ ପାୱାର ପ୍ଲାଣ୍ଟ ବନ୍ଦ ହେବା ଏବଂ ଏହାକୁ ପୁନଃଚଳାଇବା ପାଇଁ ହେଉଥିବା ବାୟୁ ପ୍ରଦୂଷଣରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡୁଛନ୍ତି। କୋଇଲା ଉପତ୍ାଦନ ଓ ପରିବହନ ସମସ୍ୟା ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ତେବେ କିଛି ଦିନ ମଧ୍ୟରେ କୋଇଲା ଅଭାବ ଦୂର ହୋଇଯିବ ବୋଲି କାରଖାନା କର୍ତ୍ତୃପକ୍ଷ ଅଶା ରଖିଛନ୍ତି। ତାଳଚେର ବ୍ଲକର କଳମଛୁଇଁ ଓ ସୋଲଡା ଗ୍ରାମର କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଏମ୍‌ସିଏଲ୍‌ରେ ନିଯୁକ୍ତି ଓ ଥଇଥାନ କରିବା ଦାବି ନେଇ ଗତ ୧ତାରିଖରେ ହିଙ୍ଗୁଳା ଓ ବଳରାମ କୋଇଲା ଖଣିକୁ ଅଚଳ କରି ଦିଆଯାଇଥିଲା। ଫଳରେ କୋଇଲା ଉପତ୍ାଦନ ଓ ପରିବହନ ଠପ ହୋଇଯାଇଥିଲା ା ଏହାବାଦ ବର୍ଷା ମାସରେ କୋଇଲା ଉପତ୍ାଦନ ଅପେକ୍ଷାକୃତ ହ୍ରାସ ପାଇଥିଲା। ଗତ ସେପ୍ଟେମ୍ବର ମାସରେ ମଧ୍ୟ ତାଳଚେର ଅଞ୍ଚଳରେ ବିଭିନ୍ନ କାରଣ ଯୋଗୁ ଆନ୍ଦୋଳନ ହୋଇଥିଲା। ପାରାଦୀପ ଓ ବସୁନ୍ଧରାରୁ କୋଇଲା ଆମଦାନି ହୋଇ ପାରୁ ନ ଥିବାରୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ କୋଇଲା ଦ୍ୱାରା ପରିଚାଳିତ ଭିସା ଷ୍ଟିଲ, ଜିନ୍ଦଲ ଷ୍ଟେନ୍‌ଲେସ ଷ୍ଟିଲ ଓ ମୈଥାନ ଇସ୍ପାତ କାରଖାନାର କ୍ୟାପ୍‌ଟିଭ ପ୍ଲାଣ୍ଟ ଓ ପାୱାର ପ୍ଲାଣ୍ଟ ଉପରେ ଗଭୀର ପ୍ରଭାବ ପଡିଥିଲା। ବାର୍ଷିକ ରକ୍ଷଣାବେକ୍ଷଣ ନାମରେ ଗତ ପ୍ରାୟ ୧୫ଦିନ ହେଲା ମୈଥାନ ଇସ୍ପାତକୁ ବାର୍ଷିକ କାରଖାନାକୁ ସଟଡାଉନ କରାଯାଇଥିଲା। ମାତ୍ର ପୁନଃ ଆରମ୍ଭ ସମୟରେ ବାୟୁ ମଣ୍ଡଳରେ ବ୍ୟାପକ କଳା ଧୁଆଁ ବାହାରୁଥିବା ଦେଖାଯାଇଥିଲା। ମାତ୍ର ମୈଥାନ କାରଖାନାର ଜେନେରାଲ ପ୍ୟାକେଟ ରେଡିଓ ସର୍ଭିସ(ଜିପିଆରଏସ) ଟେକ୍ନୋଲୋଜି ମାଧ୍ୟମରେ ଅନଲାଇନ ମନିଟରିଂ ସିଷ୍ଟମ ଭଲ ଭାବରେ କାର୍ଯ୍ୟ କରୁ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। କେନ୍ଦ୍ର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କାର୍ଯ୍ୟାନୁଷ୍ଠାନରୁ ମୁକ୍ତି ପାଇବାକୁ ମୈଥାନ ମରାମତିର ଆଳ କରୁଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମୈଥାନ ଇସ୍ପାତର ବିଷାକ୍ତ କଳାଧୁଆଁ ଯୋଗୁ ଆଖପାଖ ଅଞ୍ଚଳରେ ପରିବେଶ ପ୍ରତି ଗଭୀର ସମସ୍ୟା ସୃଷ୍ଟି ହୋଇଛି। ଏପରିକି ଜନବସତିଗୁଡିକ ପ୍ରଦୂଷଣ ଯୋଗୁ ଅତିଷ୍ଠ ହୋଇ ପଡିଛନ୍ତି। ରବିବାର ମୈଥାନ ଇସ୍ପାତରୁ ଅଧିକ କଳାଧୁଆଁ ବାହାରୁଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେବେ ଜିନ୍ଦଲ ଓ ଭିସା କାରଖାନାରେ ମଧ୍ୟ କୋଇଲା ସଙ୍କଟ ଦେଖାଦେଇଛି। ଏହି ୩ କାରଖାନା ପାଇଁ ପ୍ରାୟ ଏକ ହଜାର ଟନ କୋଇଲାର ଆବଶ୍ୟକତା ରହୁଛି। ହେଲେ ଆବଶ୍ୟକ ପରିମାଣର କୋଇଲା ମିଳୁ ନ ଥିବାରୁ ଗତ ୩ଦିନ ହେଲା ଜିନ୍ଦଲର କ୍ୟାପ୍‌ଟିଭ ପ୍ଲାଣ୍ଟ ଓ ପାୱାର ପ୍ଲାଣ୍ଟ ଚଳାଇବାରେ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି। ଭିସା ଷ୍ଟିଲରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ମୈଥାନ ଭଳି ଭିସା ଓ ଜିନ୍ଦଲର ପାୱାର ପ୍ଲାଣ୍ଟ ୟୁନିଟ ସମ୍ପୂର୍ଣ୍ଣ ଅଚଳ ହୋଇ ନ ଥିଲେ ହେଁ ଏହି ପ୍ରକ୍ରିୟା ଯଦି ଜାରି ରହିବ ତେବେ ଆଗାମୀ ଦିନରେ ଏକ ବଡ଼ଧରଣର ସମସ୍ୟା ସୃଷ୍ଟି ହୋଇପାରେ ବୋଲି ମତପ୍ରକାଶ ପାଇଛି। ଏମ୍‌ସିଏଲ୍‌ରେ ଚାକିରିକୁ ନେଇ ବହୁ ଅନିୟମିତତା ଓ ଦୁର୍ନୀତି ହୋଇଥିବା ସମ୍ପର୍କରେ ଦୀର୍ଘ ଦିନରୁ ବିଭିନ୍ନ ସ୍ତରରେ ଆଲୋଚନା ହୋଇ ଆସିଛି । ମାତ୍ର ଏହାର ବିଧିବଦ୍ଧ ତଦନ୍ତ ପାଇଁ ପ୍ରଶାସନ କିମ୍ବା ଏମ୍‌ସିଏଲ କର୍ତ୍ତୃପକ୍ଷ କେହି ତତ୍ପରତା ପ୍ରକାଶ କରି ନାହାନ୍ତି। ଏବେ ଧାର୍ଯ୍ୟ ସୀମାଠାରୁ ଅଧିକ ଏବଂ ବିନା ଅନୁମତିରେ କୋଇଲା ଉତ୍ତୋଳନ କରିଥିବା ଅଭିଯୋଗରେ ଏମ୍‌ସିଏଲକୁ ୨୦,୧୬୯ କୋଟି ଟଙ୍କା ଜରିମାନା ପଡିଛି। ୬୦ ଦିନ ଭିତରେ ଏମ୍‌ସିଏଲକୁ ଜରିମାନା ଦେବାକୁ ପଡିବ ବୋଲି ଖଣି ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି । ଏଥିଯୋଗୁ ମଧ୍ୟ କୋଇଲା ଉପତ୍ାଦନ ଓ ପରିବହନରେ ବାଧା ସୃଷ୍ଟି ହୋଇପାରେ ବୋଲି କାରଖାନା କର୍ତ୍ତୃପକ୍ଷ ଆଶଙ୍କା ବ୍ୟକ୍ତ କରିଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଅନୂପ ମଲ୍ଲିକଙ୍କ କହିବା ଅନୁସାରେ ସଟଡାଉନ ଯୋଗୁ ଉପୁଜିଥିବା ବାୟୁ ପ୍ରଦୂଷଣ ସମସ୍ୟାର ସମାଧାନ ବାଟ ନ ଥିବାରୁ ଏହାକୁ ରୋକାଯାଇ ପାରୁ ନାହିଁ ବୋଲି କହିଛନ୍ତି। ଏନେଇ ଭିସାର ଲୋକସମ୍ପର୍କ ଅଧିକାରୀ ଚିରଞ୍ଜୀବୀ ଅଗ୍ରଓ୍ବାଲ୍‌ଙ୍କୁ ପଚାରିବାରେ ଆବଶ୍ୟକ ସ୍ଥଳେ ଚାହିଦାକୁ ଦେଖି ବାହାର ଦେଶରୁ କୋଇଲା ଆମଦାନୀ କରିଥାଉ ବୋଲି କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri