କାର୍ତ୍ତିକେଶ୍ୱର ଭସାଣିରେ ଗୋଷ୍ଠୀ ସଂଘର୍ଷ


କୁଜଙ୍ଗ,୬।୧୧(ସ୍ବ.ପ୍ର): କୁଜଙ୍ଗ ଥାନା ଅନ୍ତର୍ଗତ ଜିଲାନାସୀ ଗ୍ରାମରେ କାର୍ତ୍ତିକେଶ୍ୱର ଭସାଣି ବେଳେ ରବିବାର ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ସେମାନଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ଜିଲାନାସୀ ଗ୍ରାମର ଶରତ ବେହେରାଙ୍କ ପୁଅ ସାରଦା ପ୍ରସନ୍ନ ବେହେରା(୨୩) ଓ ସୂର୍ଯ୍ୟକାନ୍ତ ବେହେରା(୨୬)। ଏନେଇ ଉଭୟ ପକ୍ଷରୁ ସୋମବାର ଥାନାରେ ଏତଲା ଦିଆଯାଇଛି। ଘଟଣାର ତଦନ୍ତ ଚାଲିଥିବାବେଳେ ଗ୍ରାମରେ ପୋଲିସ ମୁତୟନ କରାଯାଇଛି। ଅଭିଯୋଗ ଅନୁଯାୟୀ, ଜିଲାନାସୀ ଗଁାର କାର୍ତ୍ତିକେଶ୍ୱର ଭସାଣି ମେଢ ଗଁାର ମୁଖ୍ୟରାସ୍ତା ନୂଆସାହି ଦେଇ ଆସୁଥିଲା। ଏହି ସମୟରେ ଉକ୍ତ ପଞ୍ଚାୟତର ମାଧପୁର ଗଁାର କାର୍ତ୍ତିକେଶ୍ୱର ଭସାଣି ଶୋଭାଯାତ୍ରା ବିପରିତ ପଟୁ ଆସିଥିଲା। ରାସ୍ତା ସଙ୍କୁଚିତ ଥିବାବେଳେ କେହି କାହାରିକୁ ବାଟ ନ ଛାଡିବା ଓ ପଛକୁ ନ ହଟିବାରୁ ଗଣ୍ଡଗୋଳ ହୋଇଥିଲା। ଘଟଣାସ୍ଥଳରେ ସାରଦା ଓ ତାଙ୍କ ବଡ଼ଭାଇ ସୂର୍ଯ୍ୟକାନ୍ତଙ୍କ ଗଳାକୁ ଧାରୁଆ ଛୁରିରେ କାଟି ଦିଆଯାଇଥିଲା। ଏଥିରେ ସାରଦାଙ୍କ ବେକ ପଛ ପଟେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସେ ଗୁରୁତର ଆହତ ହୋଇଛନ୍ତି। ୨୪ଘଣ୍ଟା ପରେ ମଧ୍ୟ ତାଙ୍କ ଚେତା ଫେରିନାହିଁ। ଉଭୟ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏନେଇ ସେମାନଙ୍କ ବାପା ଶରତ ଥାନାରେ ଅଭିଯୋଗ କରିଛନ୍ତି ଯେ, ପ୍ରସନ୍ନ ବେହେରା, ନନ ବେହେରା, ଉତ୍ତନ ବେହେରା, ବାସଧର ବେହେରା ଓ ବିପିନ ବେହେରାଙ୍କ ସମେତ ୧୪ରୁ ଊର୍ଦ୍ଧ୍ୱ ଲୋକ ତାଙ୍କ ପୁଅ ଦୁହିଁଙ୍କୁ ମାଡ଼ ମାରିଥିଲେ। ତାଙ୍କ ପୁଅ ତଳେ ପଡ଼ିଯିବାରୁ ସେମାନେ ଧାରୁଆ ଛୁରିରେ ସେମାନଙ୍କ ବେକ କାଟି ହତ୍ୟା ଉଦ୍ୟମ କରି ଫେରାର ହୋଇଯାଇଥିଲେ। ଅନ୍ୟପକ୍ଷରେ ମାଧପୁରରା କେତେକ ବ୍ୟକ୍ତି ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି। ବାଲିକଣିର ଅସନ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଫାଟିଯାଇଥିବା ସେମାନେ ଦର୍ଶାଇଛନ୍ତି। କାର୍ତ୍ତିକ ମାସ ସାରା ଆଧ୍ୟାତ୍ମିକ ପରିବେଶରେ ବିତିଥିବାବେଳେ ଛାଡ଼ଖାଇ ଦିନ ଭସାଣି ବେଳେ ଏଭଳି ରକ୍ତାକ୍ତ ସଂଘର୍ଷ ଘଟିବା କୁଜଙ୍ଗ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। କୁଜଙ୍ଗ ଥାନା ଆଇଆଇସି ବିଚିତ୍ରାନନ୍ଦ ସାମଲ କହିଛନ୍ତି ଯେ, ଏତଲା ଅନୁଯାୟୀ କେଶ୍‌ ରୁଜୁ ହୋଇଛି। ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri