ଅଧାପନ୍ତରିଆ କାର୍ଯ୍ୟ କରି ଠିକାଦାର ଅନ୍ତର୍ଦ୍ଧାନ


ଯାଜପୁର ଅଫିସ,୫।୧୧ ଗ୍ରାମ୍ୟ ନିର୍ମାଣ ଡିଭିଜନ ଯାଜପୁର-୨ରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (ପିଏମଜିଏସୱାଇ)ରେ ବ୍ୟାପକ ଅନିୟମିତତା ଓ ଚଞ୍ଚକତା ଥମିବାର ନାଁ ଧରୁନାହିଁ। ବଡଚଣା ବ୍ଲକ ଅନ୍ତର୍ଗତ ଦର୍ପଣ-ସମିଆଁ ରାସ୍ତା ନିମ୍ନମାନର ହୋଇଛି। ଏହା ସହିତ ଅବଧି ସରିବାର ଦେଢମାସ ପରେ ବି ନିର୍ମାଣ କାର୍ଯ୍ୟ ଶେଷ ନ ହେବାରୁ ସଂପୃକ୍ତ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ୨ କି.ମି.ରୁ ଊର୍ଦ୍ଧ୍ୱ ରାସ୍ତାରେ ଗୋଟିଏ ସ୍ତର ମେଟାଲିଂ କରି ୫ମାସ ହେବ ଠିକାଦାର ଅନ୍ତର୍ଦ୍ଧାନ ହୋଇଯାଇଥିବା ଅଭିଯୋଗ ହୋଇଛି । ଯଦ୍ଦ୍ବାରା ଉକ୍ତ ରାସ୍ତାରୁ ମେଟାଲ ଉଠିଯାଇ ଯାତାୟାତ ବାଧାପ୍ରାପ୍ତ ହେଉଛି। ନିମ୍ନମାନର କାର୍ଯ୍ୟ କରି ୧ରୁ ୫ବର୍ଷ ମଧ୍ୟରେ ପୁଣି ରୁଟିନ ମରାମତି ନାମରେ ଅର୍ଥ ବରାଦ କରି ସରକାରଙ୍କ କୋଟି କୋଟି ଟଙ୍କା ଆତ୍ମସାତ୍‌ କରିବାକୁ ଏହା ଏକ ପୂର୍ବ ପ୍ରସ୍ତୁତି ବୋଲି କୁହାଯାଉଛି। ଗତ ସେପ୍ଟେମ୍ବର ୧୮ତାରିଖ ପର୍ଯ୍ୟନ୍ତ ଦର୍ପଣ-ସାମିଆଁ ପିଏମଜିଏସୱାଇ ରାସ୍ତା ସମ୍ପୂର୍ଣ୍ଣ କରିବାକୁ ସ୍ଥିର ହୋଇଥିଲା। ଇତିମଧ୍ୟରେ ଏହି ରାସ୍ତା ହସ୍ତାନ୍ତର କରିବାକୁ ଗ୍ରାମ୍ୟ ନିର୍ମାଣ ବିଭାଗ ପୂର୍ତ୍ତ ବିଭାଗକୁ ପ୍ରସ୍ତାବ ଦେଇସାରିଛି। ଏହା କେବଳ ମଞ୍ଜୁରୀ ଅପେକ୍ଷାରେ ରହିଛି। ସିହା ଗ୍ରାମରୁ ସମିଆଁ ପର୍ଯ୍ୟନ୍ତ ୭ବର୍ଷ ତଳେ ଏହି ଯୋଜନାରେ ରାସ୍ତା ନିର୍ମାଣ ହୋଇଥିଲା ା ତେବେ ଦର୍ପଣଠାରୁ ସିହା ପର୍ଯ୍ୟନ୍ତ ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀନରେ ରହି ଆସିଛି। କେବଳ ଯେଉଁ ଗ୍ରାମକୁ ମୁଖ୍ୟ ସଡକଠାରୁ ପକ୍କା ସଡ଼କ ନ ଥିବ ସେଠାରେ ହିଁ ପିଏମଜିଏସୱାଇ ରାସ୍ତା ଅନ୍ତର୍ଭୁକ୍ତ କରି ନୂତନ ପକ୍କା ସଡ଼କ ନିର୍ମାଣ କରିବାକୁ କେନ୍ଦ୍ର ସରକାରଙ୍କ ନିୟମାବଳୀ ରହିଛି। ପୂର୍ବରୁ ନିର୍ମାଣ ହୋଇଥିବା ପିଏମଜିଏସୱାଇ ରାସ୍ତାରେ ପୁଣି ପିଏମଜିଏସୱାଇ ରାସ୍ତା ନିର୍ମାଣ ପାଇଁ ଅନୁଦାନ ବିନିଯୋଗ କରିବାର ନିୟମ ନାହିଁ। କିନ୍ତୁ ରାଜନୈତିକ ପ୍ରଭାବ ରହିଥିବା ଠିକାଦାରଙ୍କୁ ସନ୍ତୁଷ୍ଟ କରିବାକୁ ଏଠାରେ ବ୍ୟତିକ୍ରମ କରାଯାଇଥିବା କୁହାଯାଉଛି। ଉଭୟ ଗ୍ରାମ୍ୟ ନିର୍ମାଣ ବିଭାଗର ରାସ୍ତା ଓ ପୂର୍ବରୁ ନିର୍ମିତ ହୋଇଥିବା ଏକ ପିଏମଜିଏଓୱାଇ ରାସ୍ତାରେ ପୁନଶ୍ଚ ପିଏମଜିଏସୱାଇ ଅନୁଦାନ କିଭଳି ବିନିଯୋଗ କରାଯାଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଖୁବ୍‌ଶୀଘ୍ର ଏହି ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନକୁ ଚାଲିଯିବାର ସମ୍ଭାବନା ରହିଥିବାବେଳେ ଏବେ ଏହା ଉପରେ ଯେନତେନ ପ୍ରକାରେ ନିମ୍ନମାନର ନିର୍ମାଣ କାର୍ଯ୍ୟ ସାରିବାକୁ ମସୁଧା ଚାଲିଛି। ୫ବର୍ଷ ଯାଏ ରାସ୍ତା ମରାମତି ପାଇଁ ୧୦ ଲକ୍ଷ ୮୬ ହଜାର ଟଙ୍କା କେଉଁ ଉଦ୍ଦେଶ୍ୟରେ ମଞ୍ଜୁର କରାଯାଇଛି ସେ ନେଇ ସାଧାରଣରେ ସନ୍ଦେହ ଉପୁଜିଛି। ଏହି ରାସ୍ତା ମଧ୍ୟରୁ ୭ଶହ ମିଟର କଂକ୍ରିଟ ଓ ୨କି.ମି. ୩୦୦ ମିଟର ପିଚୁ ସଡକ ନିର୍ମାଣ ପାଇଁ ମୋଟ ୧କୋଟି ୫୦ଲକ୍ଷ ୧୦ହଜାର ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି। ଭୁବନେଶ୍ୱରର ଜଣେ କ୍ଲାସ-୧ ଠିକାଦାରଙ୍କ ନାମରେ ସ୍ଥାନୀୟ ଜଣେ ରାଜନୈତିକ କର୍ମୀ ବେଆଇନ ଭାବେ ଏହି କାର୍ଯ୍ୟ କରୁଛନ୍ତି। ପିଚୁ ରାସ୍ତାର ସର୍ବନିମ୍ନସ୍ତରରେ ୧୫୦ ମି.ମି.ର ମୋରମ ବିଛାଇବାକୁ ଅଟକଳ ରହିଥିବାବେଳେ ସଂପୃକ୍ତ ଠିକାଦାର ପୁରୁଣା ରାସ୍ତାରୁ ମେଶିନରେ ପିଚୁ ତାଡି ପକାଇ ତା ଉପରେ ପ୍ରଥମ ସ୍ତର ମେଟାଲିଂ କରିଛନ୍ତି। ୭୫ ମି.ମି. ମେଟାଲିଂ ବଦଳରେ ହାତଭଙ୍ଗା ୧୦୦/୧୨୦ ମି.ମି. ନିମ୍ନମାନର ମେଟାଲରେ ପ୍ରଥମ ସ୍ତରର ନିର୍ମାଣ କାର୍ଯ୍ୟ କରି ଗତ ଜୁନରୁ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି। ଫଳରେ ଗତ ବର୍ଷାରେ ମେଟାଲ ଉଠିଯାଇ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି କରୁଛି। ସ୍ଥାନୀୟ ଲୋକେ ଏ ସଂକ୍ରାନ୍ତରେ ଗ୍ରାମ୍ୟ ନିର୍ମାଣ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଅକ୍ଷୟ କୁମାର ବିଟଙ୍କୁ ପଚାରିବାରୁ, ରାସ୍ତା କାର୍ଯ୍ୟ ସାରିବାକୁ ଠିକାଦାରଙ୍କ ଦୃଷ୍ଟି ଆକର୍ଷଣ ହୋଇଛି। ଏଥିରେ କୌଣସି ଚଞ୍ଚକତା ହେଉନାହିଁ ବୋଲି ଉତ୍ତର ରଖୁଛନ୍ତି ା ଗତ ବନ୍ୟା ସମୟରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ରାସ୍ତାଗୁଡିକୁ ଦେଖାଇ ଅର୍ଥ ବରାଦ କରାଯାଉଛି। ସ୍ଥାନୀୟ ରାଜନେତାଙ୍କ ସହଯୋଗରେ ଭଲ ରାସ୍ତାର ମରାମତି ନାମରେ ବ୍ୟାପକ ଅନୁଦାନ ଚଳୁ କରିବାକୁ ମସୁଧା ଚାଲିଛି।ତେଣୁ ଏଭଳି ଅନିୟମିତତାର ଭିଜିଲାନ୍ସ ତଦନ୍ତ କରିବାକୁ ଆଇନଜୀବୀ ଉଦୟନାଥ ସାହୁ ଦାବି କରିଛନ୍ତି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri