ସରକାରୀ ରିପୋର୍ଟରେ ହୋଇନି ମରୁଡ଼ି


ଧର୍ମଶାଳା,୫।୧୦(ଡିଏନ୍‌ଏ) ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଧର୍ମଶାଳା ବ୍ଲକର ୪୫ଗୋଟି ପଞ୍ଚାୟତରୁ ୩୦ଟିରେ ମରୁଡି ଦେଖାଦେଇଛି । ଚଳିତ ବର୍ଷ ୧୨ହଜାର ୯ଶହ ହେକ୍ଟର ଜମିରେ ଧାନ ଓ ୨ହଜାର ୭୧ ହେକ୍ଟର ଜମିରେ ଅଣ ଧାନଚାଷ କରାଯାଇଛି। ସେଥିରୁ ପାର୍ବତ୍ୟ ଅଞ୍ଚଳର ୭ହଜାର ୩ଶହ ହେକ୍ଟର ଜମିରେ ମରୁଡି ଦେଖାଦେଇଛି। ଏବେ ବର୍ଷା ହେଲେ ମଧ୍ୟ ଆଉ ଫସଲ ହେବ ନାହିଁ। ମାତ୍ର ସରକାରୀ ରିପୋର୍ଟରେ ମରୁଡି ସୃଷ୍ଟି ହୋଇଥିବା ଦର୍ଶାଯାଇ ନାହିଁ। ଗତବର୍ଷ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ଯଥାକ୍ରମେ ୩୪୩, ୨୯୭ ଓ ୩୦୯ ମିଲିମିଟର ବର୍ଷା ହୋଇଥିଲା ବେଳେ ଚଳିତ ବର୍ଷ ୧୬୨ ,୧୩୦ ଓ ୮୧ ମିଲିଲିଟର ବର୍ଷା ହୋଇଥିବା ସରକାରୀ ଭାବେ ଦର୍ଶାଯାଇଛି। ସେପ୍ଟେମ୍ବର ଶେଷ ସୁଦ୍ଧା ମାତ୍ର ୮୧ ମିଲିମିଟର ବର୍ଷା ହୋଇଥିବା ଦେଖାଯାଇଛି । ଫଳରେ ସ୍ବଳ୍ପ ବର୍ଷା ଯୋଗୁ ଅଣ ଜଳସେଚିତ ଅଞ୍ଚଳରେ ଚାଷୀମାନେ ବିଲରେ ଖେଳୁଆ ବିଡା କରିପାରି ନାହାନ୍ତି। ଏହି ଧାନ ବିଲରେ ଏବେ ଗୋରୁ ଚରୁଥିବା ଦେଖିବାକୁ ମିଳିଛି । ବନ୍ୟାଞ୍ଚଳ ଭାବେ ପରିଚିତ କୋତପୁର, କଦମପାଳ, ଅରେଇକଣା ଓ ପଟୁଣିଆ ଆଦି ପଞ୍ଚାୟତରେ ମଧ୍ୟ ଏବେ ମରୁଡି ପରିସ୍ଥିତି ଦେଖାଦେଇଛି । ସ୍ବଳ୍ପ ବର୍ଷ ଯୋଗୁ ଚାଷୀମାନେ ଏବେ ନାହଁି ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ବ୍ଲକର ୧୦ଟି ପଞ୍ଚାୟତର ୪ହଜାର ୩ଶହ ହେକ୍ଟର ଜମି କେନାଲ ମାଧ୍ୟମରେ ଜଳସେଚିତ ହେଉଛି । କେନାଲର ଶେଷ ଭାଗକୁ ଜଳ ଯୋଗାଣକୁ ନେଇ ଚାଷୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଲାଗିଥିବା ବେଳେ ଅନେକ ସ୍ଥାନରେ ଚାଷୀମାନେ ବଚସା ହେଉଥିବା ଜଣାଯାଇଛି । ଧର୍ମଶାଳା ଜିଲାକୃଷି ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ ସହ ଏ ନେଇ ଯୋଗାଯୋଗ କରିବାର, କୃଷି ବିଭାଗ ନିର୍ଦ୍ଦେଶ ଅନୁଯାୟୀ କେଉଁ ପଞ୍ଚାୟତରେ କେତେ ପରିମାଣର ଧାନ ଫସଲ ମରୁଡିଗ୍ରସ୍ତ ହୋଇଛି ତାହା ସରଜମିନ ତଦନ୍ତ କରି ରିପୋର୍ଟ କରିବାକୁ ଗ୍ରାମସେବକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏନେଇ ଗ୍ରାମସେବକ ଓ ରାଜସ୍ବ ନିରୀକ୍ଷକମାନେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଛନ୍ତି। ମାତ୍ର ମରୁଡି ଜନିତ ପୁରୁଣା ଫର୍ମ ଯୋଗୁ ତଦନ୍ତରେ ଧାନ ଅମଳ ହୋଇ ନ ଥିବାରୁ ମରୁଡି ହୋଇଥିବା ଦର୍ଶାଯାଇପାରି ନାହିଁ। ଫଳରେ ଏହି ବ୍ଲକରେ ଶତକଡା ୭୦ଭାଗ ମରୁଡି ହୋଇଥିଲାବେଳେ ସରକାରୀ ତଥ୍ୟରେ ଶୂନ ଦର୍ଶାଯାଇ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ସୂଚନା ଥାଉକି, ରାଜସ୍ବ ମନ୍ତ୍ରୀ ଗଣମାଧ୍ୟମ ଆଗରେ କହିଥିଲେ, ଯେଉଁ ପଞ୍ଚାୟତଗୁଡିକରେ ଆଗାମୀ ୧୫ଦିନ ମଧ୍ୟରେ କମ୍‌ ବର୍ଷା ହେବ ସେ ସବୁ ପଞ୍ଚାୟତରେ ତଦନ୍ତ କରାଯାଇ ମରୁଡି ବୋଲି ଘୋଷଣା କରାଯିବ। ଗତବର୍ଷ ସେପ୍ଟେମ୍ବରରେ ସରକାରୀ ତଥ୍ୟ ଅନୁସାରେ ୩୦୯ ମିଲିଲିଟର ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ମାତ୍ର ୮୧ମିଲିମିଟର ଓ ୧୫ଦିନରୁ ଅଧିକ ଦିନଧରି ବର୍ଷା ହୋଇନାହିଁ। ଧର୍ମଶାଳା ବ୍ଲକର ୩୦ଟି ପଞ୍ଚାୟତକୁ ମରୁଡି ଘୋଷଣା କରା ନ ଗଲେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ପ୍ରସ୍ତୁତି ଚାଲିଥିବା ଜଣାଯାଇଛି। ଏ ନେଇ ଧର୍ମଶାଳା ତହସିଲଦାର ପ୍ରଭାସ ବେହୁରାଙ୍କୁ ପଚାରିବାରୁ, ପ୍ରଦତ୍ତ ଫର୍ମ ଅନୁସାରେ ତଦନ୍ତ କରାଯାଇଛି । ଏବେ ଧାନ ଅମଳ ହୋଇ ନ ଥିବାରୁ ମରୁଡି ରିପୋର୍ଟ କରିବା ସମ୍ଭବପର ହୋଇନାହିଁ ବୋଲି କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri