ତଦନ୍ତ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଲା ଏନ୍‌ଜିଟି


ଯାଜପୁର ଅଫିସ,୫।୧୦ ଜଙ୍ଗଲ, ଖଣି, ରାଜସ୍ବ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି) ପକ୍ଷରୁ ହୋଇଥିବା ମିଳିତ ତଦନ୍ତ ରିପୋର୍ଟ ଉପରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ପ୍ରଶ୍ନ ଉଠାଇଛି । ଏହାବାଦ ଏସପିସିବି କର୍ତ୍ତୃପକ୍ଷଙ୍କୁ ବିଭିନ୍ନ ଅଭିଯୋଗର ସତ୍ୟତା ଉପରେ ନିରପେକ୍ଷ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଏନଜିଟି ପକ୍ଷରୁ ନିର୍ଦ୍ଦେଶ ହୋଇଛି । ରନତ୍ଗର୍ଭା ସୁକିନ୍ଦାର ଟାଟା ମାଇନ୍ସ ଦ୍ୱାରା ପ୍ରଦୂଷଣ ଓ ଚିରସ୍ରୋତା ଝରଣାକୁ ଅବରୋଧ ପ୍ରତିବାଦରେ ଏନ୍‌ଜିଟିରେ ହୋଇଥିବା ମାମଲାର ଶୁଣାଣି କରି ଜୁଡିସିଆଲ ମେମ୍ବର ଜଷ୍ଟିସ ଏସ.ପି. ୱାଙ୍ଗଡି ଓ ଏକ୍ସପାର୍ଟ ମେମ୍ବର ଡ. ପି.ସି. ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ ମାମଲାର ତଦନ୍ତ ଆବେଦନକାରୀଙ୍କ ଉପସ୍ଥିତିରେ ସମ୍ପନ୍ନ କରାଯାଇ ଆସନ୍ତା ନଭେମ୍ବର ୧୦ ତାରିଖରେ ଏନ୍‌ଜିଟି ବୋର୍ଡ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶରେ ଦର୍ଶାଯାଇଛି। ଯାଜପୁର ଜିଲା କାଳିଆପାଣି ଥାନା ଅନ୍ତର୍ଗତ କଲରଙ୍ଗିଅତା ଗ୍ରାମର ଲମ୍ବୋଧର ମହନ୍ତ ଟାଟା ମାଇନ୍ସ ଦ୍ୱାରା ବ୍ୟାପକ ପ୍ରଦୂଷଣ ହେବା ସହ ଏହାର ଡମ୍ପିଂୟାର୍ଡ ଯୋଗୁ ପ୍ରାୟ ୫୦୦ ଏକର ଜମିକୁ ଜଳସେଚନ ପ୍ରଭାବିତ ହୋଇଥିବା ନେଇ ଗତ ଅଗଷ୍ଟ ୨୫ ତାରିଖରେ ଏନ୍‌ଜିଟିରେ ୧୩୧/୨୦୧୭/ଇଜେଡ ନମ୍ବରରେ ଏକ ମାମଲା ଦାୟର କରିଥିଲେ ା ଏଥିରେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ, କେନ୍ଦ୍ର ପରିବେଶ, ଜଙ୍ଗଲ ଓ ପର୍ଯ୍ୟାବରଣ ବିଭାଗ ସଚିବ, ଯାଜପୁର ଜିଲାପାଳ, ଡିଏଫଓ କଟକ, ଟାଟା ମାଇନ୍ସ ମ୍ୟାନେଜର, ଏସପିସିବିର ସଦସ୍ୟ ସଚିବ ଏବଂ ଯାଜପୁରରୋଡ ଖଣି ଉପନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏହାପରେ ଗତ ଅଗଷ୍ଟ ୨୩ ତାରିଖରେ ଏନ୍‌ଜିଟି ପକ୍ଷରୁ ଉପରୋକ୍ତ ପକ୍ଷଭୁକ୍ତଙ୍କୁ ନୋଟିସ ଜାରି କରାଯାଇଥିଲା । ଆବେଦନରେ ଦର୍ଶାଇଯାଇଥିଲା ଯେ, ବିଭିନ୍ନ ସର୍ତ୍ତ ରଖି ୫୭୯.୬୮୫ ହେକ୍ଟର ଜମିରୁ ବାର୍ଷିକ ୦.୯୫ରୁ ୨.୪ ମିଲିୟନ ଟନ ଲୁହାପଥର ଉତ୍ତୋଳନ କରିବାକୁ ଟାଟା ମାଇନ୍ସକୁ ପରିବେଶଗତ ଅନୁମତି ମିଳିଛି । ଏଥିରେ ଖଣି ପାଇଁ ୭୩.୬୯୭ ହେକ୍ଟର ଜଙ୍ଗଲ ଜମି ଓ ୩୩୨.୩୦୩ ହେକ୍ଟର ଅଣଜଙ୍ଗଲ ଜମି ଏବଂ ଡମ୍ପ ସହ ଅନ୍ୟାନ୍ୟ ପାଇଁ ୧୭୩.୬୮୫ ହେକ୍ଟର ଜଙ୍ଗଲ ଜମି ରହିଛି। କିନ୍ତୁ କମ୍ପାନୀର ଡମ୍ପିଂୟାର୍ଡ ଯୋଗୁ ପ୍ରାକୃତିକ ପୁରିଆଝର, ମାଲହରସାହି ଝରଣା, ଦେହୁରିସାହି ନାଳା ଓ ଭୀମଟାଙ୍ଗର ନାଳା ଅବରୋଧ ହୋଇଛି। ଏହିସବୁ ଝରଣା ଦ୍ୱାରା ଦେହୁରୀସାହି, ମହୁଲଖାଲ, ରାଁସୋଲ ଆଦି ଗ୍ରାମର ପ୍ରାୟ ୫୦୦ଏକର ଜମିରେ ଜଳସେଚନ ହେଉଥିଲା । ସେଥିରୁ ଚାଷୀ ଏବେ ବଞ୍ଚିତ ହୋଇଛନ୍ତି । ବର୍ଷା ଋତୁରେ ଖଣିର ବର୍ଜ୍ୟଜଳ ବୋହିଯାଇ ପୁରିଆଝର, ଦେହୁରିସାହି, ମହୁଲଖାଲ, କାକୁଡିଆ, କୁସୁମଡିଅ, ରାଁସୋଲ ଗ୍ରାମର ଚାଷ ଜମି ନିକେଲ ଦ୍ୱାରା କବଳିତ ହୋଇ ଚାଷ ଉପଯୋଗୀ ହୋଇ ରହିନାହିଁ । ରାସ୍ତା, ଜଳାଶୟ ଆଦି ଲୁହାପଥର ଗୁଣ୍ଡରେ ପ୍ରଦୂଷିତ ହେଉଛି । ଏସପିସିବି କେବଳ କାରଣ ଦର୍ଶାଅ ନୋଟିସ ଜାରି କରି ନିଜର ଦାୟିତ୍ୱ ସମ୍ପାଦନ କରୁଛି ଆଦି ଅଭିଯୋଗ ହୋଇଥିଲା । ଏହା ଉପରେ ଏକ ସବିଶେଷ ତଥ୍ୟ ଭିତ୍ତିକ ରିପୋର୍ଟ ଧରିତ୍ରୀରେ ପ୍ରକାଶ ପାଇବା ପରେ ଏନ୍‌ଜିଟିରେ ମାମଲା ରୁଜୁ ହୋଇଥିଲା । ତେବେ ଏହି ମର୍ମରେ ଏନ୍‌ଜିଟିର ନୋଟିସ ପାଇବା ପରେ ଗତ ସେପ୍ଟେମ୍ବର ୧୨ ତାରିଖରେ ଅଭିଯୋଗ ଉପରେ ଏକ ମିଳିତ ତଦନ୍ତ କରାଯାଇ ସେହିମାସ ୨୧ ତାରିଖରେ ଦାଖଲ କରାଯାଇଥିଲା । ଗତ ୩ ତାରିଖ ମଙ୍ଗଳବାର ଶୁଣାଣିରେ ତଦନ୍ତ ରିପୋର୍ଟ ଉପରେ ଏନ୍‌ଜିଟି ବୋର୍ଡ ପ୍ରଶ୍ନ ଉଠାଇ ଆବେଦନକାରୀଙ୍କ ଉପସ୍ଥିତିରେ ପୁଣି ଏକ ନିରପେକ୍ଷ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି । ଏ ସଂକ୍ରାନ୍ତରେ ଏସପିସିବିର ଆଞ୍ଚଳିକ ଅଧିକାରୀ ଅନୁପ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ଏନ୍‌ଜିଟିର ନିର୍ଦ୍ଦେଶ ଏ ଯାଏ ହସ୍ତଗତ ହୋଇନାହିଁ । ନିର୍ଦ୍ଦେଶ ପାଇବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri